Unknown

 

 

 

 

 

 

 

 

 

ଐତିହାସିକ ମନ୍ମଥନାଥ ଦାସ

ଶ୍ରୀ ପବିତ୍ର ପାଣିଗ୍ରାହୀ

 

ଆଦ୍ୟକଥନ

 

ପ୍ରଫେସର ମନ୍ମଥନାଥ ଦାସଙ୍କ ଜୀବନ ବହୁବିଧ ପ୍ରତିଭାର ବିବିଧବର୍ଷରେ ବାଙ୍‍ମୟ ।

 

ଜଣେ ଛାତ୍ରବତ୍ସଳ ତଥା ପ୍ରାଜ୍ଞ ପ୍ରଫେସର ଭାବରେ ସେ ଯେମିତି ସୁଖ୍ୟାତ, ଜଣେ ନିଷ୍ଠାପର ଗବେଷକ ଓ ଐତିହାସିକ ତଥା ସାରସ୍ଵତ ସ୍ରଷ୍ଟା ଭାବରେ ସେମିତି ସୁବିଦିତ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ତଥା ରାଜ୍ୟସଭା ସଦସ୍ୟଭାବରେ ବି ସେ କମ୍ ପରିଚିତ ନୁହଁନ୍ତି, ରାଜ୍ୟ ତଥା ରାଜ୍ୟବାହାରେ । ବିଶେଷତଃ, ଇତିହାସକୁ ଲୋକପ୍ରିୟ କରାଇବା ପାଇଁ ଏହି କୃତବିଦ୍ୟ ଅଧ୍ୟାପକଙ୍କର ଜୀବନବ୍ୟାପି ଏକନିଷ୍ଠ ସାଧନା ତଥା ମୌଳିକ ସାରସ୍ଵତ ସୃଷ୍ଟି ଯେ ଚିର ଅମ୍ଳାନ ହୋଇରହିବ, ଏଥ‌ିରେ ସନ୍ଦେହ ନାହିଁ ।

 

ପ୍ରଫେସର ଦାସଙ୍କର ଜନ୍ମ ବାଲେଶ୍ଵର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ଶଙ୍ଖାରୀ ଗ୍ରାମରେ ଏକ ସଂଭ୍ରାନ୍ତ, ଧନାଢ଼୍ୟ ପରିବାରରେ । ବାଲେଶ୍ଵର ଜିଲ୍ଲା ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ପରେ ସେ ଏହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ କୃତିତ୍ଵର ସହିତ ସ୍ନାତକୋତ୍ତର ଶିକ୍ଷା ସମାପନ କରିଥିଲେ ।

 

ପ୍ରଫେସର ଦାସଙ୍କର ଅଧ୍ୟାପନା ଜୀବନ ଆରମ୍ଭ ହୋଇଥିଲା ବାଲେଶ୍ଵର ଫକୀର ମୋହନ କଲେଜରୁ । ତା’ପରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ କିଛିଦିନ ଶିକ୍ଷାଦାନ କରିବା ଅନ୍ତେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି. ଲାଭ କରିଥିଲେ ଏବଂ ରେଭେନ୍ସା ମହାବିଦ୍ୟାଳୟରେ ଇତିହାସବିଭାଗର ପ୍ରାଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଫେସର ପଦକୁ ଉନ୍ନୀତ ହୋଇଥିଲେ ।

 

ଅଧ୍ୟାପନା ଜୀବନରେ ସେ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ଇତିହାସ ସମ୍ମିଳନୀରେ ଅଂଶଗ୍ରହଣ କରି ଓଡ଼ିଶା ଇତିହାସର ଗୁରୁତ୍ୱ ପ୍ରତିପାଦନ କରିଥିଲେ । ଐତିହାସିକ ଗବେଷଣା ଓ ନିଜ ଚିନ୍ତାଚେତନାର ବିଚ୍ଛୁରଣ ପାଇଁ ସେ ବହୁବାର ଇଂଲଣ୍ଡ, ଆମେରିକା, ସୋଭିଏତ୍ ରୁଷିଆ, ବାଂଲାଦେଶ, କାନାଡ଼ା, ହଙ୍ଗେରୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଜୋର୍ଡାନ, ଇସ୍ରାଏଲ୍ ଓ ଶ୍ରୀଲଙ୍କା ଆଦି ଦେଶ ପରିଭ୍ରମଣରେ ଯାଇଥିଲେ । ଭାରତ ଇତିହାସର ବହୁ ଅନାଲୋଚିତ ତଥା ବିସ୍ତୃତପ୍ରାୟ ପ୍ରସଙ୍ଗକୁ ନେଇ ସେ ଅନେକ ଗବେଷଣା ମୂଳକ ଇତିହାସ ଗ୍ରନ୍ଥ ରଚନାକରି ଉଭୟ ଓଡ଼ିଶା ଓ ଭାରତ ଇତିହାସକୁ ଋଦ୍ଧିମନ୍ତ କରିଛନ୍ତି ।

 

ଜଣେ ସୃଜନଶୀଳ ସ୍ରଷ୍ଟାଭାବରେ, ‘ଯୁଗେ ଯୁଗେ ଉତ୍କଳୀୟ ଧର୍ମ ଓ ସଭ୍ୟତା’, ‘ଅସ୍ତରାଗ’, ‘ ସ୍ପଷ୍ଟ ଆଖ୍ୟାନ’, ‘ଯାତ୍ରୀ’, ‘ସମୟ ସାଗର ତୀରେ’, ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’ ଓ ‘ହେ ବିଧାତା, ହେ ବସୁଧା’ ଆଦି ପୁସ୍ତକ ରଚନା କରି ସେ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଏ ସମସ୍ତ ପ୍ରଜ୍ଞା ପ୍ରସୂତ ରଚନା ବ୍ୟତୀତ ‘ଅସବର୍ଣ୍ଣା ’ କବିତାଗ୍ରନ୍ଥ ତାଙ୍କ କବିପଣର ଏକ ନିଛକ ପ୍ରତିଫଳନ। ଜୀବନର ସାୟାହ୍ନରେ ସାଇଦର୍ଶନ ପ୍ରତି ଆକୃଷ୍ଟ ହୋଇ ସେ ମଧ୍ୟ କେତୋଟି ଆଧ୍ୟାତ୍ମିକ ପୁସ୍ତକ ରଚନା କରିଯାଇଛନ୍ତି ।

 

ତାଙ୍କ ବ୍ୟକ୍ତିତ୍ଵର ବହୁବର୍ଷା ଆଭା ଅନ୍ୟମାନଙ୍କୁ ବିଶେଷକରି ଉତ୍ତରପିଢ଼ିକୁ ବହୁ ଭାବରେ ଆଲୋକିତ ଓ ଆଲୋଡ଼ିତ କରିବ ନିଶ୍ଚୟ । ତାଙ୍କ ପଥ, ପରିଧି, କୃତି ଓ କୃତିତ୍ଵକୁ ବିଭିନ୍ନ ପର୍ଯ୍ୟାୟଭୁକ୍ତ କରି ନିଜସ୍ୱ ଶୈଳୀରେ ସୁନ୍ଦରଭାବରେ ଉପସ୍ଥାପନ କରିବାର ଆନ୍ତରିକ ପ୍ରୟାସ କରିଛନ୍ତି ପ୍ରଫେସର ଦାସଙ୍କ ପ୍ରାକ୍ତନ ଛାତ୍ର, ଇତିହାସ ଅଧ୍ୟାପକ ତଥା ସୁଲେଖକ ଶ୍ରୀ ପବିତ୍ର ପାଣିଗ୍ରାହୀ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ଉଦ୍ୟମ ପ୍ରଫେସର ଦାସଙ୍କୁ ଜାଣିବା ପାଇଁ ବିଶେଷଭାବରେ ସହାୟକ ହେବ ବୋଲି ଆଶା ।

 

ଭୁବନେଶ୍ୱର

ତା ୦୫/୦୮/୨୦୧୩

ବିଜୟ କୁମାର ନାୟକ ସଚିବ,

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସୂଚୀପତ୍ର

 

 

 

ଶୈଶବ ଓ ଶିକ୍ଷା

 

ଫୁଲଟିଏ ଫୁଟେ । ସେ ଯେଉଁଠି ଯେମିତି ଫୁଟିଥାଉନା କାହିଁକି ଯଦି ସେ ଫୁଲରେ ସୁବାସ ଥାଏ ତା’ହେଲେ ତା’ର ମହକରେ ସିଏ ଆକର୍ଷିତ କରେ ଦୂର ଦୂରାନ୍ତରର ପଥଚାରୀଙ୍କୁ । ସେମିତି ଗୋଟେ ଅଖ୍ୟାତ ପଲ୍ଲୀ ଶଂଖାରି, ଯାହାଥିଲା ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ । ସେଠି ଗୋଟିଏ ନୁହେଁ ଆଗ ପଛ ହୋଇ ଫୁଟିଥିଲା ଦୁଇଟି ଫୁଲ । ସେଥିରୁ ଗୋଟିଏ ଥିଲା ପ୍ରଖ୍ୟାତ ଐତିହାସିକ, ସାହିତ୍ୟିକ ଓ ବିଶିଷ୍ଟ ବାଗ୍ମୀ ତଥା ରାଜନୀତିଜ୍ଞ ମନ୍ମଥନାଥ ଦାସ ଏବଂ ଆରଟି ଥିଲା ତାଙ୍କର କନିଷ୍ଠ ଭ୍ରାତା ପ୍ରଖ୍ୟାତ ସାହିତ୍ୟିକ, ଜଣେ ପ୍ରଚଣ୍ଡ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଓ ଚିନ୍ତାନାୟକ ମନୋଜ ଦାସ । ବାଗ୍‌ଦେବୀଙ୍କର ବରପୁତ୍ରଭାବେ ଉଭୟଙ୍କର ଜୀବନବ୍ୟାପୀ ସାଧନାର ପଟାନ୍ତର ନାହିଁ । ତାଙ୍କର ବଂଶ ଇତିହାସ ଓ ସାଧନାପ୍ଲୁତ ଜୀବନର ଚମତ୍କାର ଆଲେଖ୍ୟ ବହନ କରିଛି, ମନ୍ମଥନାଥ ଦାସଙ୍କ ରଚିତ ଆତ୍ମଜୀବନୀ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’ ଗ୍ରନ୍ଥଟି ।

 

ମନ୍ମଥନାଥ ଦାସଙ୍କର ଜୀବନୀ ଓ ଜୀବନ ପ୍ରବାହ ଏକ ନିର୍ଦ୍ଦିଷ୍ଟ କାଳଖଣ୍ଡର ଅମୂଲ୍ୟ ଦସ୍ତାବିଜ କହିଲେ ଭୁଲ ହେବ ନାହିଁ । ବାଲେଶ୍ଵର ଜିଲ୍ଲାର ଭୋଗରାଇ ଥାନାରେ ଓଡ଼ିଶା ବିଖ୍ୟାତ ଶୈବପୀଠ ଚନ୍ଦନେଶ୍ୱର ବିରାଜମାନ । ଏହି ମନ୍ଦିରଠାରୁ ତିନି କି.ମି. ପଶ୍ଚିମ ଦିଗରେ ଶଙ୍ଖାରି ଗ୍ରାମ-। ସେହି ଗ୍ରାମରେ ୧୯୨୪ ମସିହା ଜାନୁୟାରୀ ୫ ତାରିଖରେ ପିତା ମଧୁସୂଦନ ଦାସ ଓ ମାତା ଶ୍ରୀମତୀ କାଦମ୍ୱିନୀ ଦାସଙ୍କ ଔରସରୁ ଜ୍ୟେଷ୍ଠପୁତ୍ର ଭାବେ ଭୂମିଷ୍ଠ ହୋଇଥିଲେ ମନ୍ମଥନାଥ ଦାସ । ତାଙ୍କର ପୂର୍ବ ପୁରୁଷ ଫକୀର ଦାସ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ମୁହାଣରୁ ସମୁଦ୍ରପଥରେ କଲିକତା ସହିତ ବଡ଼ବଡ଼ ବୋଇତ ଯୋଗେ ବାଣିଜ୍ୟ କାରବାର କରି ଅତ୍ୟନ୍ତ ସମୃଦ୍ଧି ଲାଭ କରିଥିଲେ । ସାହସୀ ଓଡ଼ିଆ ପୁଅ ଫକୀର ଦାସ ଅରଣ୍ୟ ବେଷ୍ଟିତ (ସୁନ୍ଦରବନ) ସାଗରଦୀପକୁ ଆବାଦକରି ପ୍ରଚୁର ଶସ୍ୟ ଉତ୍ପାଦନକାରୀ କ୍ଷେତ୍ରରେ ପରିଣତ କରିଥିଲେ । ଫକୀର ଦାସଙ୍କୁ ଅନୁସରଣ କରି ବଙ୍ଗୀୟ ଜମିଦାରମାନେ ମଧ୍ୟ ଧାଇଁ ଆସିଲେ ଜମି ଆବାଦ କରିବାକୁ । ଫକୀର ଦାସଙ୍କ ଉଦ୍ୟମରେ ନିଘଞ୍ଚ ସାଗରଦ୍ଵୀପ ଶସ୍ୟଶ୍ୟାମଳ ଭୂଖଣ୍ଡରେ ପରିଣତ ହେଲା । ସେଠାରେ ଥିବା କପିଳମୁନିଙ୍କ ଆଶ୍ରମ ବର୍ତ୍ତମାନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କର ପାବନ କ୍ଷେତ୍ରରେ ପରିଣତ ହୋଇଛି । ଆଜି ମଧ୍ୟ ସେ ଅଞ୍ଚଳରେ ଫକୀର ଦାସ ପାଲଟି ରହିଛନ୍ତି ଏକ କିମ୍ବଦନ୍ତୀ ଭାବେ । ସେଇ ଫକୀର ଦାସ ଥିଲେ ମନ୍ମଥବାବୁଙ୍କ ପ୍ରପିତାମହ । ତାଙ୍କର ପିତାମହ ମଦନମୋହନ ଦାସ ଓ ପିତା ମଧୁସୂଦନ ଦାସ ସାଗରଦ୍ଵୀପରେ ପ୍ରଚୁର ସମ୍ପତ୍ତିର ଅଧିକାରୀ ହୋଇ ବାଣିଜ୍ୟ କାରବାରରେ ସମୃଦ୍ଧି ହାସଲ କରିଥିଲେ । ପରେ ଅବଶ୍ୟ ମଧୁସୂଦନଙ୍କ ସୁଯୋଗ୍ୟ ସନ୍ତାନ ମନ୍ମଥନାଥ ମଧ୍ୟ ସାଗରଦ୍ୱୀପରେ ନିଜର କାରବାର ଦେଖାଶୁଣା କରୁଥଲେ । କର୍ମ କ୍ଷେତ୍ରର ଆହ୍ୱାନରେ ତାହା ଆଉ ସମ୍ଭବ ନ ହେବାରୁ ସାଗରଦ୍ୱୀପର ସମ୍ପତ୍ତି ଶାଗମାଛ ମୂଲ୍ୟରେ ବଙ୍ଗୀୟ ଜମିଦାର ଓ ଚାଷୀମାନଙ୍କୁ ହସ୍ତାନ୍ତର କରିବାକୁ ସେ ବାଧ୍ୟ ହୋଇଥିଲେ । ମନ୍ମଥନାଥଙ୍କ ଶୈଶବାବସ୍ଥାରେ ତାଙ୍କର ଜନ୍ମସ୍ଥାନ ସଂଲଗ୍ନ ପଲ୍ଲୀଅଞ୍ଚଳ ଅତ୍ୟନ୍ତ ଅନଗ୍ରସର ଥିଲା । ଲୋକମାନେ ତନ୍ତ୍ରମନ୍ତ୍ର ଓ ନାନା କୁସଂସ୍କାରରେ ଆସ୍ଥା ପୋଷଣ କରୁଥିଲେ । ସେତେବେଳେ ସେ ଅଞ୍ଚଳକୁ ରାସ୍ତାଘାଟର ଥିଲା ଭୟଙ୍କର ଅଭାବ । ଚତୁର୍ଦ୍ଦିଗରେ ଘେରି ରହିଥିଲା ଦାରିଦ୍ର୍ୟର ସ୍ପର୍ଶ । ତଥାପି ଲୋକମାନେ ଥିଲେ ସରଳ, ଅତିଥି ପରାୟଣ ଓ ନୀତିବାନ । ଦେଶର ସ୍ଵାଧୀନତା ପ୍ରାପ୍ତି ପୂର୍ବରୁ ବନ୍ୟା, ବାତ୍ୟା ଓ ମରୁଡ଼ି ଥିଲା ସେ ଅଞ୍ଚଳର ଚିର ସହଚର । ତାଙ୍କ ପିଲାବେଳେ ସେ ଅଞ୍ଚଳରେ ଭୂତ ପ୍ରେତ ପ୍ରତି ସମସ୍ତଙ୍କର ଭୟ ଥିଲା । ଲୋକଙ୍କର ପ୍ରକୃତ ଭୟ କିନ୍ତୁ ଥିଲା କଲେରା ଓ ବସନ୍ତ ନାମକ ଦୁଇଟି ଭୟଙ୍କର ମହାମାରୀ ପ୍ରତି । ମହାମାରୀ ଦେଖାଦେଲେ ଚାରିଆଡ଼େ ଆତଙ୍କ ଖେଳି ଯାଉଥିଲା । ବାଲ୍ୟ ବିବାହ ଓ କନ୍ୟା ସନ୍ତାନ ପ୍ରତି ବୀତସ୍ପୃହତା ଇତ୍ୟାଦି ସାମାଜିକ ବ୍ୟାଧି ସେତେବେଳେ ମଧ୍ୟ ପ୍ରଚଳିତ ଥିଲା ।

 

ରାଜୁ ଜାତିରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ସେଥିପାଇଁ ମନ୍ମଥନାଥଙ୍କର ଗର୍ବ ଥିଲା । କୃଷକ ପରିବାରରେ ଜନ୍ମିଥିବାରୁ ତାହାକୁ ସେ ସୌଭାଗ୍ୟ ମଣୁଥିଲେ । ପୁରାଣ ବର୍ଣ୍ଣିତ ରାଜର୍ଷି ଜନକ ଓ ଐତିହାସିକ ମହାପୁରୁଷ ଗୌତମ ବୁଦ୍ଧଙ୍କ ପିତା ରାଜା ଶୁଦ୍ଧୋଦନ ମଧ୍ୟ ହଳଚାଳନା କରୁଥିଲେ । ସେଥିପାଇଁ ଦଳିତ ବର୍ଗର କର୍ମଜୀବୀମାନଙ୍କୁ ସେ ସମ୍ମାନ କରୁଥିଲେ ଏବଂ ଯେତେବେଳେ ମଣ୍ଡଳ କମିଶନ୍‌ ତା’ର ପଦକ୍ଷେପ ଆରମ୍ଭ କଲା ତାହାକୁ ସେ ବିରୋଧ କରିଥିଲେ-। ଯେତେବେଳେ ତାଙ୍କୁ ମାତ୍ର ଛଅବର୍ଷ ବୟସ ହୋଇଥିଲା ସେତେବେଳେ ୧୯୩୦ରେ ଆରମ୍ଭ ହେଲା ମହାତ୍ମାଗାନ୍ଧୀଙ୍କ ଆଇନ ଅମାନ୍ୟ ଆନ୍ଦୋଳନ । ସେତେବେଳେ ପୁଲିସ ଆଖିରୁ ଦୂରେଇ ରହିବାପାଇଁ କିଛିଦିନ ପାଇଁ ଡକ୍ଟର ହରେକୃଷ୍ଣ ମହତାବଙ୍କ ପତ୍ନୀ ଆଗରପଡ଼ାର ରାଣୀ ସୁଭଦ୍ରାଦେବୀ ତାଙ୍କ ଘରେ ଆତ୍ମଗୋପନ କରିଥିଲେ । ବାଳକ ମନ୍ମଥନାଥ ସୁଭଦ୍ରାଦେବୀଙ୍କ ଘନିଷ୍ଠ ସାନ୍ନିଧ୍ୟରେ ଆସିବା ସହ ତାଙ୍କ କୋଳରେ ମଧ୍ୟ ବସିବାର ସୁଯୋଗ ଲାଭ କରିଥିଲେ ।

 

ନିଜ ଗ୍ରାମର ନିମ୍ନ ପ୍ରାଥମିକ ସ୍କୁଲରେ ବିଦ୍ୟାରମ୍ଭ କରିଥିଲେ ସେ । ଅନ୍ୟ ସାଧାରଣ ପିଲାଙ୍କ ଭଳି ବିଭିନ୍ନ ପ୍ରକାରର ଦୁଷ୍ଟାମି ମଧ୍ୟ କରୁଥିଲେ । ଥରେ ଗଣେଶ ଚତୁର୍ଥୀ ଆଗ ରାତିରେ ସାଙ୍ଗମାନଙ୍କ ପ୍ରରୋଚନାରେ ବାତାପି ଓ କାକୁଡ଼ି କଷି ଚୋରିକରି ପରଦିନ ସାଙ୍ଗମାନଙ୍କ ସହ ଧରା ପଡ଼ିଥିଲେ ଏବଂ ତାଙ୍କ ବାପା ଚୋରି ହୋଇଥବା ଲୋକଦୁହିଁଙ୍କୁ ସେ ବାବଦରେ ଅର୍ଥ ଜୋରିମାନା ପ୍ରଦାନ କରିଥିଲେ । ନିମ୍ନ ପ୍ରାଥମିକ ଶିକ୍ଷା ସମାପ୍ତି ପରେ ତାଙ୍କ ଘରଠାରୁ ଦୁଇ କି.ମି. ଦୂରରେ ଅବସ୍ଥିତ ଦକ୍ଷିଣତେଘରି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ନାଁ ଲେଖା ଯାଇଥଲା । ସେତେବେଳେ ସ୍କୁଲରେ ସକାଳଠାରୁ ଦୁଇପ୍ରହର ଓ ବେଳଓଳିରୁ ସନ୍ଧ୍ୟାଯାଏଁ ଦୁଇଓଳି ପାଠ ପଢ଼ା ହେଉଥିଲା । ସେ ଭଲ ଛାତ୍ର ନ ଥିଲେ ଓ ଅଙ୍କରେ ସବୁଠାରୁ କମ୍‌ ନମ୍ବର ରଖୁଥିଲେ । ସେ ପଢ଼ିଲାବେଳେ ପରିଦର୍ଶନରେ ଆସିଥିବା ଇନିସପେକ୍ଟର ଏସ.ରାୟ ସେହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ସ୍ଵୀକୃତି ପ୍ରଦାନ କରିଥିଲେ । ସେଠାରେ ଦୁଇବର୍ଷ ପଢ଼ି ସାରିଲା ପରେ ଆରମ୍ଭ ହୋଇଥିଲା ସମସ୍ୟା । ସେତେବେଳେ ସାରା ଭୋଗରାଇ ଥାନାରେ ଥାଏ ଦୁଇଟି ମଧ୍ୟଇଂରାଜୀ ବା ମାଇନର ସ୍କୁଲ । ସେଥରୁ ଗୋଟିଏ ଥାଏ ତାଙ୍କ ଗାଁଠାରୁ ସାତ କି.ମି. ଦୂରରେ, ଥାନାର ପୂର୍ବ ସୀମାରେ ଥିବା କଖଡ଼ା ଗ୍ରାମରେ । ସ୍କୁଲରେ ହଷ୍ଟେଲ ନ ଥିବାରୁ ବାଧ୍ୟହୋଇ ପାର୍ଶ୍ଵବର୍ତ୍ତୀ ଚଣ୍ଡୀପୁର ଗ୍ରାମର ସମ୍ପର୍କୀୟ ଅଜା ଅଯୋଧ୍ୟାରାମ କରଙ୍କ ଘରେ ତାଙ୍କୁ ରହିବାକୁ ହୋଇଥିଲା । ସେଠାରେ ଅଧ୍ୟୟନ ବେଳେ ୧୯୩୫ ମସିହାରେ ଭାରତ ସମ୍ରାଟ ପଞ୍ଚମ ଜର୍ଜଙ୍କ ଶାସନ କାଳର ପଚିଶି ବର୍ଷ ପୂର୍ତ୍ତି ଉପଲକ୍ଷେ ରୌପ୍ୟଜୟନ୍ତୀ ପାଳିତ ହେଲା । ହେଡ୍‌ମାଷ୍ଟରଙ୍କ ଆଦେଶରେ ତାଙ୍କପରି ସମସ୍ତ ପିଲାଙ୍କୁ ବାଉଁଶ ବାଡ଼ିରେ କାଗଜ ବା କନାର ପତାକା ବାନ୍ଧି ଶୋଭାଯାତ୍ରାରେ ସମ୍ରାଟଙ୍କ ଜୟଧ୍ୱନି ଦେଇ ବୁଲିବାକୁ ହୋଇଥିଲା । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲାବେଳେ ସବୁ ବିଷୟରେ ଦୁର୍ବଳ ଥିବାରୁ ତାଙ୍କୁ ସେଇ ଶ୍ରେଣୀରେ ଆଉ ଗୋଟିଏ ବର୍ଷ ରହିବାକୁ ହେଲା । ସେତେବେଳକୁ ସ୍କୁଲ ପାଇଁ ପକ୍କାକାନ୍ଥର ଘରଟିଏ ତିଆରି ସରିଥିବାରୁ ପୂର୍ବରୁ ଥିବା ମାଟି ଘରଟିକୁ ହଷ୍ଟେଲ କରାଯାଇଥିଲା । ଅନ୍ୟ ପାଞ୍ଚଜଣ ପିଲାଙ୍କ ସହିତ ସେ ହଷ୍ଟେଲରେ ରହିଲେ, ନିଜ ହାତରେ ବାସନ ମାଜିବା ଓ ଲୁଗା ସଫା କରିବା କାମ ମଧ୍ୟ କଲେ-। ଖାଇବା ଖର୍ଚ୍ଚ ଥିଲା ମାସକୁ ସାତ ସେର ଚାଉଳ ଓ ଦୁଇଟି ଟଙ୍କା । ୧୯୩୭ରେ ମାଇନର ପରୀକ୍ଷାରେ ପାଶ୍‍କରି ଶିକ୍ଷକମାନଙ୍କ ନିକଟରୁ ସେ ବିଦାୟ ନେଇଥିଲେ ।

 

୧୯୩୮ ମସିହା ଜାନୁୟାରୀ ମାସରେ ମ୍ୟାଟ୍ରିକ ପଢ଼ିବା ପାଇଁ ବାଲେଶ୍ଵର ଜିଲ୍ଲାସ୍କୁଲରେ ଭର୍ତ୍ତି ହେଲେ ଓ ହଷ୍ଟେଲରେ ରହିଲେ । ପରେ ସେଇ ସ୍କୁଲଘର ଫକୀରମୋହନ କଲେଜକୁ ସ୍ଥାନଦେଇ ଅନ୍ୟତ୍ର ଉଠିଯାଇଥିଲା । ସେଠାରେ ଚାରିବର୍ଷ ଅଧ୍ୟୟନ କଲାବେଳେ ବାଲେଶ୍ଵର ସହର ଥିଲା ଏକ କ୍ଷୁଦ୍ର ନିଃଶବ୍ଦ ପଲ୍ଲୀ । ଅନ୍ୟ ଭାଷାରେ କହିଲେ, ତାହା ଥିଲା ଏକ ଅପରିଣତ ସହର । ଗାଡ଼ି, ଘୋଡ଼ା ପ୍ରାୟତଃ ଦେଖବାକୁ ମିଳୁ ନ ଥିଲା । ସେଠାରେ ଅଧ୍ୟୟନ ବେଳେ ୧୯୩୮ ମାର୍ଚ୍ଚ ମାସରେ ମହାତ୍ମା ଗାନ୍ଧୀ ପୁରୀ ଜିଲ୍ଲାର ଡେଲାଙ୍ଗ ନାମକ ସ୍ଥାନକୁ ଆସୁଛନ୍ତି ବୋଲି ଜାଣି ଘରକୁ ଯିବାର ବାହାନାକରି ତ୍ରିଲୋଚନ ସେନାପତି ନାମକ ଜଣେ ସାଙ୍ଗକୁ ଧରି ଟ୍ରେନ୍‌ରେ ବିନା ଟିକେଟ୍‌ରେ ସେ ଡେଲାଙ୍ଗ ଯାଇଥଲେ । ବିରାଟ ଜନସମାବେଶରେ ଗାନ୍ଧୀଙ୍କୁ ଠିକ୍‌ ଭାବେ ଦେଖି ନ ପାରିବାରୁ ପ୍ଲାଟଫର୍ମରେ ରାତି କଟାଇ ଗାନ୍ଧୀ ନିତ୍ୟକର୍ମ ସାରୁଥିବା ପୋଖରୀ ହୁଡ଼ାରେ ଲୁଚିଲୁଚି ସେ ତାଙ୍କୁ ଓ କସ୍ତୁରବାଙ୍କୁ ନିକଟରୁ ଦେଖିବାର ସୌଭାଗ୍ୟ ଅର୍ଜନ କରିଥିଲେ । ସେମିତି ୧୯୩୯ରେ ବଡ଼ଲାଟ ଲର୍ଡ଼ି ଲିନ୍‌ଲିଥ୍‌ଗୋଙ୍କ ପୁରୀ ଆଗମନ ଅବସରରେ ଜିଲ୍ଲାସ୍କୁଲର ଜଣେ ବୟ ସ୍କାଉଟ ଭାବେ ତାଙ୍କ ଦର୍ଶନର ସୁଯୋଗ ପାଇଥିଲେ । ସ୍କାଉଟ ଶିକ୍ଷକଙ୍କ ଆହ୍ଵାନରେ ସମୁଦ୍ରକୂଳିଆ ପିଲାଭାବେ ପୁରୀ ସମୁଦ୍ର ଢେଉରେ ପଶି ସେ ଅଚେତ ହୋଇଥିଲେ ଏବଂ ଅନେକ ସମୟ ପରେ ତାଙ୍କର ଚେତା: ଫେରିଥିଲା । ଶୈଶବ ଓ କୈଶୋରରେ ବେଶ୍‌ କେତେଥର ମୃତ୍ୟୁ ସହ ସାମ୍ନାସାମ୍ନି ହେଲେ ବି ପ୍ରତିଥର ଅଳ୍ପକେ ରକ୍ଷା ପାଇ ଯାଉଥିଲେ । ୧୯୩୯ରେ ବାଲେଶ୍ୱର ଟାଉନ୍‌ହଲ୍‌ ପଡ଼ିଆରେ ଉଦ୍‌ବୋଧନ ଦେବା ପାଇଁ ସୁବାସ ଚନ୍ଦ୍ର ବୋଷ ଆସିଥିବା ଅବସରରେ ସେ ତାଙ୍କର ସାନ୍ନିଧ୍ୟ ଲାଭର ସୁଯୋଗକୁ ହାତଛଡ଼ା କରିନଥିଲେ । ପୁଷ୍ପସଜ୍ଜିତ ଯେଉଁ ପୁରୁଣାକାଳିଆ ମୋଟର ଗାଡ଼ିରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ପାଖରେ ବସି ସୁବାସ ବୋଷ ରେଲ୍‌ୱେ ଷ୍ଟେସନରୁ ଆସୁଥିଲେ, ସେଇ ଗାଡ଼ିର ଦୁଇ ପାଖରେ ବାହାରିଥିଲା ପ୍ରାୟ ଚାଖଣ୍ଡେ ଓସାରର କାଠ ପଟା । ମୁହୂର୍ତ୍ତର ଭାବପ୍ରବଣତାରେ ସେ ପଛ ପ୍ରବେଶ ଦ୍ଵାରର ପଟାଟି ଉପରକୁ ଉଠିଯାଇ ଖୋଲା ଝର୍କାଧରି ଠିଆହୋଇ ରହିଲେ । ପଣ୍ଡିତ ନୀଳକଣ୍ଠଙ୍କ ଗର୍ଜନ ଓ କଠୋର ଆଦେଶ ସତ୍ତ୍ୱେ ସେ ତାଙ୍କ ସ୍ଥାନରେ ନିର୍ଭୟରେ ଠିଆହୋଇ ମୁଣ୍ଡରେ ଗାନ୍ଧୀଟୋପି ଓ ଗଳାରେ ଫୁଲମାଳ ସୁଶୋଭିତ ସୁଭାଷ ବୋଷଙ୍କ ସୁନ୍ଦର ଓ ସୁଗଠିତ ମୁଖମଣ୍ଡଳକୁ ଅପଲକ ନୟନରେ ଦେଖି ଚାଲିଥିଲେ । ୧୯୩୯ରେ ଦ୍ଵିତୀୟ ବିଶ୍ଵ ମହାଯୁଦ୍ଧ ଆରମ୍ଭ ହେଲା । ହାଇସ୍କୁଲ ଛାତ୍ରମାନଙ୍କ ମନରେ ଜାତୀୟ ସଂଗ୍ରାମ ଯୁଗର ପ୍ରଭାବ ପ୍ରତିଫଳିତ ହେବାସହ ସେହି କୋମଳମତି ଛାତ୍ରମାନଙ୍କ ମନରେ ଯୁଦ୍ଧକାଳୀନ ହିଂସାର ପ୍ରଭାବ ପଡ଼ିଥିଲା । ଜର୍ମାନୀ ବାଳକମାନଙ୍କ ପରି ହିଂସ୍ର ହେବାପାଇଁ ଯେଉଁ କେତେକ ଛାତ୍ର ଉଦ୍ୟମ କରିଥିଲେ ଏବଂ ଅପରିସୀମ ସାହସ ପ୍ରଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରେ ମନ୍ମଥନାଥ ଥିଲେ ଅନ୍ୟତମ । ବାଲେଶ୍ଵର ଜିଲ୍ଲାସ୍କୁଲରେ ଅଧ୍ୟୟନବେଳେ ପ୍ରଧାନଶିକ୍ଷକ ଥିବା ଇବ୍ରାହିମ ସୁରାବର୍ଦ୍ଦୀ, ମହିମଚନ୍ଦ୍ର ନନ୍ଦୀ ଓ ରାୟସାହେବ ଭୀମ ରାଉତ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ମନମୋହନ ପଟ୍ଟନାୟକ, ମହମ୍ମଦ ଅବଦୁଲ୍‌ ହକ୍ ବେଗ, ଜଗନ୍ନାଥ ସାହା, ନଗେନ୍ଦ୍ରନାଥ କର, ସରୋଜକାନ୍ତ କାନୁନ୍‌ଗୋ, ମହେଶ୍ୱର ମିଶ୍ର, ବୈଦ୍ୟନାଥ ମହାନ୍ତି, ଜଗନ୍ନାଥ ହରିଚନ୍ଦନ ଓ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖଙ୍କ ବ୍ୟକ୍ତିତ୍ୱ ଓ ନୈତିକ ପ୍ରଭାବ ତାଙ୍କୁ ଆକୃଷ୍ଠ କରିଥିଲା ।

 

ହାଇସ୍କୁଲରେ ପଢ଼ିଲାବେଳେ ଥରେ କେତେଜଣ ସାଙ୍ଗଙ୍କ ସହ ମିଶି କଟକ ବୁଲିବାକୁ ଯାଇଥିଲାବେଳେ ରେଭେନ୍ସା କଲେଜ, ପରିଜା ସାହେବ ଓ କେତେଜଣ ଅଧ୍ୟାପକଙ୍କୁ ଦେଖିଲାପରେ ସେହି କଲେଜରେ ଭବିଷ୍ୟତରେ ପଡ଼ିବା ପାଇଁ ଆଶା ସୃଷ୍ଟି ହୋଇଥିଲା । ମ୍ୟାଟ୍ରିକ ପରେ ରେଭେନ୍ସାରେ ଆଡ୍‌ମିସନ ନେବାକୁ ସେ ଆସିଥିଲେ ୧୯୪୨ ମସିହା ଜୁଲାଇ ମାସରେ । ଅର୍ଥନୀତି ଓ ଇତିହାସ ବିଷୟ ନେଇ କଲେଜରେ ନାମ ଲେଖାଇଲା ପରେ ସେ ପଶ୍ଚିମ ଛାତ୍ରାବାସରେ ରହିଥିଲେ । ତା’ର କେତୋଟି ସପ୍ତାହ ମଧ୍ୟରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ବା ଅଗଷ୍ଟ ବିପ୍ଳବରେ ରେଭେନ୍ସା କଲେଜର ଛାତ୍ରମାନେ ଝାସ ଦେଲେ । ଦିନେ ବେଳଓଳି ଜ୍ଵର ପାଇଁ ଇଞ୍ଜେକସନ୍‌ ନେଇ ଉପର ମହଲାର ତାଙ୍କ ରୁମରେ ଶୋଇଥିବାବେଳେ ଦିନ ପ୍ରାୟ ଦୁଇଟାବେଳେ ଛାତ୍ରାବାସର ତଳ ତାଲାକୁ ଲାଗିଥିବା କଲେଜର ମୁଖ୍ୟ ଅଫିସ କକ୍ଷରେ ପ୍ରବଳ କୋଳାହଳ ଶୁଣାଗଲା । ବିଛଣାରୁ ଉଠିପଡ଼ି ସେଇମିତି ଅଣ୍ଡରୱେରଟିଏ ପିନ୍ଧା ଖାଲି ଦେହରେ ତଳକୁ ଆସି ଦେଖିଲା ବେଳକୁ ଅଫିସଘର ଚାରିପଟେ ଧୁଆଁ ବାହାରୁଥିଲା । ଅନ୍ୟ ପିଲାମାନେ ଦୌଡ଼ୁଥିବାର ଦେଖି ଅଫିସରୁ ବାହାରି ହଷ୍ଟେଲ ଆଡ଼କୁ ଦୌଡ଼ିଲା ବେଳେ ସେ ଓ୍ୱାର୍ଡେନ ବଳଭଦ୍ର ପ୍ରସାଦଙ୍କ ହାବୁଡ଼ରେ ପଡ଼ିଗଲେ । ଓ୍ୱାର୍ଡେନ ତାଙ୍କର ନାମ ଓ ରୋଲନମ୍ବର ଟିପି ରଖିଲେ । ଧରପଗଡ଼ ବେଳେ ପ୍ରଥମ ଦଫାରେ କେତେଜଣ ଛାତ୍ରନେତା ଗିରଫ ହେଲାପରେ ଦ୍ଵତୀୟ ଦଫାରେ ସନ୍ଦେହ ଘେରରେ ଥିବା ଛାତ୍ରମାନଙ୍କୁ ଜେରାପାଇଁ ଧରି ନିଆଗଲା । ସେମାନଙ୍କ ମଧ୍ୟରେ ଥିଲେ ମନ୍ମଥନାଥ ଦାସ । ପୋଲିସ ଇନିସ୍‌ପେକ୍ଟର କାଶୀନାଥ ମିଶ୍ର ଯିଏ ତଦନ୍ତ କରୁଥିଲେ ସେ ଥିଲେ ଆଗରୁ ଭୋଗରାଇ ଥାନାର ଦାରୋଗା ଏବଂ ମନ୍ମଥବାବୁଙ୍କ ବାପା ସେ ଅଞ୍ଚଳର ପ୍ରେସିଡେଣ୍ଟ ଥିବାରୁ ତାଙ୍କୁ ଜାଣିଥିଲେ । ତାଙ୍କ ବାପାଙ୍କ ନାଁ ଓ ଘର ଠିକଣା ଆଦି ଶୁଣିଲା ପରେ ତାଙ୍କ ଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ମନ୍ତବ୍ୟ ଦେଲେ, ‘‘ମାତ୍ର ମାସେ ହେଲା କଲେଜରେ ଭରିହୋଇ ଥିବା ଏତେ ଅଳ୍ପ ବୟସର ପିଲା ଅଫିସ ପୋଡ଼ିବାକୁ ସାହସ କରିବା ସମ୍ଭବ ନୁହେଁ ।’’ ଫଳରେ ଆସନ୍ନ ବିପଦରୁ ସେ ରକ୍ଷା ପାଇଯାଇଥିଲେ ।

 

ଅଫିସ ପୋଡ଼ିର କିଛିଦିନ ପରେ ରେଭେନ୍ସା କଲେଜରୁ ଯେଉଁ ଛାତ୍ର ପଟୁଆର ବାହାରି ରାଣୀହାଟ ରାସ୍ତାରେ ମେଡ଼ିକାଲ କଲେଜ ହତାରେ ବଜ୍ର ଗମ୍ଭୀର ଧ୍ୱନିସହ ପହଞ୍ଚିଥିଲା ସେଥିରେ ସେ ସାମିଲ ହୋଇଥିଲେ । ମେଡ଼ିକାଲ କଲେଜ ହତାରେ ଇଂରେଜ ପୋଲିସ ସାହେବ ହାର୍‌ଗ୍ରୀଭ୍‌ସଙ୍କ ନିର୍ଦ୍ଦେଶରେ ଅକଥନୀୟ ଲାଠି ମାଡ଼ ଆରମ୍ଭ ହେଲା, ସେଥିରେ ମନ୍ମଥବାବୁ ଆହତ ଓ କ୍ଷତାକ୍ତ ହୋଇଥିଲେ । ଗୋଡ଼ରେ ପଶିଥିବା ଭଙ୍ଗା କାଚଟି ବାହାର କରି ଦୌଡ଼ି ଦୌଡ଼ି କଲେଜପାଖ କସ୍ମୋପଲିଟାନ ମେସ୍‌ରେ ପହଞ୍ଚିଲା ପରେ ତାଙ୍କ ସାନଭିଣୋଇ ରାଧାବିନୋଦବାବୁ ଗୋଡ଼ରେ ବ୍ୟାଣ୍ଡେଜ ବାନ୍ଧିବା ପରେ ତାଙ୍କୁ ଧରିଧରି ନେଇ ହଷ୍ଟେଲରେ ଛାଡ଼ିଲେ । ରାତି ପାହିଲା ବେଳକୁ ହଷ୍ଟେଲ ଛାଡ଼ିବାଲାଗି ନୋଟିସ ବାହାରିଗଲା । କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦହେବାରୁ ସେପ୍ଟେମ୍ବର ମାସରେ ସେ ଗାଁକୁ ଚାଲି ଯାଇଥିଲେ । ଗାଁରେ ପହଞ୍ଚି ଜାଣି ପାରିଥିଲେ ଯେ ଭାରତଛାଡ଼ ବିପ୍ଲବର ସ୍ଫୁଲିଙ୍ଗ ନିପଟ ଗାଁ ଗଣ୍ଡାକୁ ମଧ୍ୟ ବ୍ୟାପି ସାରିଛି । ତାହାଥିଲା ସଂପୂର୍ଣ୍ଣ ନେତୃତ୍ୱହୀନ ଗଣ ଆନ୍ଦୋଳନ, ଯାହା ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତିକୁ ଦୋହଲାଇ ଦେଇଥିଲା । ଅଗଷ୍ଟ ୯ ତାରିଖ ପରେ ଭାରତର ସବୁ ସ୍ଥାନର କଂଗ୍ରେସ କର୍ମୀଙ୍କୁ ଜେଲ୍‌କୁ ନିଆ ସରିଥାଏ । ସେ ଘରେ ପହଞ୍ଚିଲା ବେଳକୁ ବାପା ଜମି କିଣିବା ସନ୍ଧାନରେ ବାସୁଦେବପୁର ଅଞ୍ଚଳକୁ ଚାଲି ଯାଇଥିଲେ ଏବଂ ସେ ଫେରିଲାପରେ ପ୍ରଥମେ ତାଙ୍କୁ ପ୍ରେସିଡେଣ୍ଟ ପଦ ଛାଡ଼ିବାକୁ କହିବେ ବୋଲି ମନ୍ମଥବାବୁ ଠିକ୍‌ କରିଥିଲେ, ଯାହା ବାପାଙ୍କ ମର୍ଯ୍ୟାଦା ବଢ଼ାଇବ ବୋଲି ତାଙ୍କର ଧାରଣା ଥଲା ।

 

ଗାଁରେ ପହଞ୍ଚି ପାଖ ଗାଁର ରେଭେନ୍ସା ଛାତ୍ର ଶଶିକାନ୍ତ ଭଞ୍ଜଙ୍କ ସହ ମିଶି ସେ ସଭାସମିତି ଆୟୋଜନ କରିବାରେ ଲାଗିଥିଲେ । ଶ୍ରଦ୍ଧାପୁର ନାମକ ସ୍ଥାନର ପ୍ରଶସ୍ତ ହାଟ ପଡ଼ିଆରେ ଏକ ବିଶାଳ ଜନସମାବେଶର ସେମାନେ ଆୟୋଜନ କରିଥିଲେ । ସେତେବେଳେ ‘ଚେତାବନୀ’ ନାମକ ପୁସ୍ତିକାରେ ସୃଷ୍ଟିର ଆସନ୍ନ ପ୍ରାୟ ପ୍ରଳୟ ବିଷୟକ ଷୋଷଣା କରାଯାଇଥିଲା ଯାହା ସବୁଠି ଚର୍ଚ୍ଚାର ବିଷୟ ଥିଲା । ତଥାପି ୧୯୪୨ ସେପ୍ଟେମ୍ବର ୨୭ ତାରିଖରେ ସଭା ହେଲା । ପାର୍ଶ୍ଵବର୍ତ୍ତୀ ଅନେକ ଗ୍ରାମରୁ ପଟୁଆରରେ ଆସି ଲୋକମାନେ ଶ୍ରଦ୍ଧାପୁର ହାଟ ପଡ଼ିଆରେ ପହଞ୍ଚିଥିଲେ । ବଙ୍ଗ ସୀମାରୁ ବିରାଟ ଶୋଭାଯାତ୍ରାରେ ଆସି ତାଙ୍କ ସହିତ ଯୋଗ ଦେଇଥିବା ସୁଧୀର ଘୋଷ ଓ ଶୈଳେନ୍‌ ବୋଷ୍‌ ନାମକ ଯୁବନେତାଦ୍ୱୟ ବଙ୍ଗଳା ଭାଷାରେ ଓଜସ୍ଵିନୀ ବକ୍ତୃତା ଦେଇ ଜନତାଙ୍କୁ ତନ୍ମୟ କରିଦେଲେ । ଶଶିକାନ୍ତ ଭଞ୍ଜ ଓ ସେ ନିଜେ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ । ପରବର୍ତ୍ତୀ ସମୟରେ ବିପ୍ଳବରେ ସାମିଲ ଜନତାଙ୍କୁ ଦିଗଭ୍ରଷ୍ଟ କରିବା ପାଇଁ ବ୍ରିଟିଶ ସରକାରଙ୍କର ‘‘ଚେତାବନୀ’’ ଏକ ଅସ୍ତ୍ର ଥିଲା ବୋଲି ଜଣା ପଡ଼ିଥିଲା । ସଭାର ତିନିଦିନ ପରେ ତାଙ୍କ ବାପା ଆସି ଘରେ ପହଞ୍ଚିଥିଲେ ଏବଂ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଯେଉଁ ବର୍ବରୋଚିତ ଗୁଳିକାଣ୍ଡ ଘଟିଥିଲା ତାହାର ଲୋମହର୍ଷଣକାରୀ ବର୍ଣ୍ଣନା କରିଥିଲେ ।

 

ଶ୍ରଦ୍ଧାପୁର ସଭାପରେ ଅନ୍ୟ କେତେକଙ୍କ ସହ ପୋଲିସ ତାଙ୍କୁ ଗିରଫ କରିବ ବୋଲି ଗୁଜବ ଶୁଣାଯାଇଥିଲା । ବିପ୍ଳବ କାଳରେ ପୋଲିସ ବାହିନୀ ବ୍ୟାପକ ଧରପଗଡ଼, ନିର୍ମମ ପ୍ରହାର, ଲୁଟତରାଜ, ଅଗ୍ନିସଂଯୋଗ ମାଧ୍ୟମରେ ଆତଙ୍କରାଜ ଆରମ୍ଭ କରିଦେଲେ । ତାଙ୍କୁ ଓ ଶଶି ଭଞ୍ଜଙ୍କୁ ଗିରଫ କରିବା ପାଇଁ ଭୋଗରାଇର ଦୁର୍ଦ୍ଦାନ୍ତ ଦାରୋଗା ନବବାବୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ଅକ୍ଟୋବର ୧୬ ତାରିଖ ଦିନ ପ୍ରଳୟଙ୍କର ତୋଫାନ ଭୋଗରାଇ ଥାନାରେ ଖଣ୍ଡପ୍ରଳୟ ସୃଷ୍ଟି କରିଥିଲା ଏବଂ ଭୋଗରାଇ ଅଞ୍ଚଳର ମେରୁଦଣ୍ଡ ଭାଙ୍ଗିଦେଇଥିଲା । ୧୯୪୩ରେ ସୁବର୍ଣ୍ଣରେଖାରେ ଆସିଥିଲା ପ୍ରବଳ ବନ୍ୟା ଏବଂ ୧୯୪୪ ମସିହାରେ ଭୟଙ୍କର ଦୁର୍ଭିକ୍ଷ ବଂଗଦେଶକୁ ବିଶେଷ ପ୍ରଭାବିତ କରିବା ସହ ତାଙ୍କ ଅଞ୍ଚଳକୁ ମଧ୍ୟ ବିପତ୍ତି ପହଞ୍ଚାଇ ଥିଲା ।

 

କେତେକ ସପ୍ତାହ ପରେ କଲେଜ ଖୋଲିଥିଲା । ଭବିଷ୍ୟତରେ ଆନ୍ଦୋଳନ କରିବେ ନାହିଁ ବୋଲି ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଦସ୍ତଖତ କରିବାକୁ ହେଲା । କେତେକ ଛାତ୍ର ଆଉ ପଢ଼ିବା ଲାଗି ଫେରି ନ ଥିଲେ । ସେତେବେଳକୁ ଭାରତ ଛାଡ଼ ବିପ୍ଲବ ଶିଥିଳ ହୋଇ ଆସୁଥିବାବେଳେ ଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ବୃଦ୍ଧି ପାଇଥିଲା । ସେ ସମୟରେ ମଝିରେ ମଝିରେ ଖଦଡ଼ ଧୋତି ଓ ସାର୍ଟ ପିନ୍ଧି ମନ୍ମଥବାବୁ କ୍ଲାସକୁ ଯାଉଥିଲେ ବନ୍ଧୁମାନଙ୍କ କଥାରେ ଛାତ୍ର ଫେଡେରେଶନରେ ଯୋଗଦେଲେ ଏବଂ ଯୁବ କମ୍ୟୁନିଷ୍ଟ ନେତା ମନମୋହନ ମିଶ୍ରଙ୍କ ପଛେପଛେ ଚାଲି ତାଙ୍କର ବୈପ୍ଳବିକ ସଙ୍ଗୀତ ଗାଇଲେ । ଛାତ୍ର ଫେଡେରେଶନର ଏକ ସମ୍ମିଳନୀରେ ରାମଚନ୍ଦ୍ର ରାମଙ୍କ ଭାଷଣ ଶୈଳୀ ଦ୍ଵାରା ସେ ଏତେଦୂର ମୁଗ୍ଧ ହୋଇଥିଲେ ଯେ ଭବିଷ୍ୟତରେ ସେହି ଶୈଳୀ ଅନୁକରଣ କରି କହିବାପାଇଁ ଚେଷ୍ଟା କରିଥିଲେ । ଶୀତ ଛୁଟିରେ ଥରେ କଟକରୁ ଗାଁକୁ ଆସୁଥିବାବେଳେ କଟକ ଷ୍ଟେସନରେ ତାଙ୍କର ଇଶ୍ଵରଲାଲ ବ୍ୟାସଙ୍କ ସହ ଭେଟ ହୋଇଥିଲା, ଯିଏ ତାଙ୍କ ସହିତ ଜଳେଶ୍ୱର ଯାଏଁ ଆସିଥିଲେ । ତାଙ୍କ ଯୋଗୁଁ ଲକ୍ଷ୍ମୀ ନାରାୟଣ ସାହୁ ଓ ଠକ୍‌ରବାପା ପ୍ରଭୃତି ସମ୍ମାନନୀୟ ବ୍ୟକ୍ତିତ୍ଵଙ୍କ ସଂସ୍ପର୍ଶରେ ସେ ଆସିପାରିଥିଲେ । ମାର୍‌ୱାଡ଼ି ରିଲିଫ୍‌ ସୋସାଇଟି ତରଫରୁ ୧୯୪୨ ରୁ ୪୫ ପର୍ଯ୍ୟନ୍ତ ଦାନ ଓ ସେବା କାର୍ଯ୍ୟରେ ଇଶ୍ଵରଲାଲ ବାରମ୍ବାର ତାଙ୍କ ଅଞ୍ଚଳକୁ ଆସିଲାବେଳେ ଛୁଟି ସମୟରେ ତାଙ୍କ ଚେଲାଭାବେ କାମକରି ମନ୍ମଥବାବୁ ନିଜ ଛାତ୍ର ଜୀବନକୁ ଧନ୍ୟ କରିଥିଲେ । ୧୯୪୪ ମସିହା ଥାଏ ତାଙ୍କ ଆଇ.ଏ ପଢ଼ାର ଶେଷବର୍ଷ । ଭୟଙ୍କର ଦୁର୍ଭିକ୍ଷ ସମୟରେ ତାଙ୍କ ଗାଁରେ ବସନ୍ତ ବ୍ୟାପିଥିଲା । ବାପା ଓ ସାନଭାଇଙ୍କୁ ବସନ୍ତ ହେଲାପରେ ମନ୍ମଥବାବୁଙ୍କୁ କିଛି ଦୂରରେ ଥିବା ବାବାଜୀ ବଡ଼ବାପାଙ୍କ ଘରେ ରଖା ଯାଇଥିଲା ।

 

ଘରୁ ବସନ୍ତ ଛାଡ଼ିଲା ବେଳକୁ ମେ ମାସ । ଦିନେ ବାପା ହଠାତ୍‌ ତାଙ୍କୁ କହିଲେ ମୟୂରଭଞ୍ଜ ରାଜ୍ୟର ବାରିପଦା ସହରରେ ସେ ବିବାହ ପାଇଁ କନ୍ୟା ମନୋନୀତ କରିଛନ୍ତି । କନ୍ୟାପିତା ଭାଗିରଥୀ ପାଳ ଉଦଳା ସବ୍‌ଡିଭିଜନର ଏସ.ଡି.ଓ । ବାପା ପସନ୍ଦ କରି ସାରିଥିଲେ ମଧ୍ୟ ତାଙ୍କୁ ନିଜେ ଯାଇ କନ୍ୟା ଦେଖିବା ପାଇଁ ଆଦେଶ ଦେଇଥିଲେ । ତାଙ୍କୁ କୋଡ଼ିଏ ହେଇନଥାଏ କି ଆଇ.ଏ. ପରୀକ୍ଷା ଫଳ ବାହାରି ନ ଥାଏ । ବାରିପଦାରେ ପହଞ୍ଚି ପାଳବଂଶର ଜଣେ ବ୍ୟକ୍ତିଙ୍କ ସଙ୍ଗେ ମେ’ ମାସର ପ୍ରଚଣ୍ଡ ଖରାରେ ଦିନ ବାରଟା ବେଳେ ପହଞ୍ଚିଥିଲେ ଉଦଳା ଏସ୍‌. ଡ଼ି.ଓଙ୍କ ବାସଭବନରେ । ଖାଇବା ଆସନରେ ବସିଲାପରେ ଭାତଥାଳି ଧରି କନ୍ୟା ଆସିଥିଲେ । ତାଙ୍କ ପାଖରେ ବସିଥିବା କନ୍ୟାଙ୍କ ଭିଣୋଇ ବାସୁଦେବ ନାୟକ ତାଙ୍କ କାନ ପାଖେ କହିଥିଲେ-ଏଇ ହେଉଛି ରାଜଲକ୍ଷ୍ମୀ । ସେ କନ୍ୟାଙ୍କ ମୁଖ ଦର୍ଶନର ସାହସ କରି ନ ଥିଲେ ବା ତେର ବର୍ଷ ବୟସ୍କା କନ୍ୟା ପ୍ରକାଶ କରିନଥିଲେ ତାଙ୍କୁ ଚାହିଁ ଦେଖିବାର ଧୃଷ୍ଟତା । ସେଇ ବାସୁଦେବବାବୁଙ୍କ ଉଦ୍ୟମରେ ଚାରିଦିନ ମଧ୍ୟରେ ବିବାହର ଆୟୋଜନ ହୋଇ ହାତଗଣ୍ଠି ପଡ଼ିଗଲା । ସେ କାଳରେ ବିବାହ ଥିଲା ପିତାମାତାଙ୍କ ଇଚ୍ଛାନୁବର୍ତ୍ତୀ ଭାଗ୍ୟ ନିର୍ଦ୍ଦିଷ୍ଟ ଦୈବଯୋଗ । ବିବାହର ଦିନକ ପରେ ସେ ଖବରକାଗଜରୁ ଦ୍ୱିତୀୟ ଶ୍ରେଣୀରେ ଆଇ.ଏ. ପାସ କରିବା ଖବର ଜାଣିଥିଲେ ଏବଂ ଏକାକୀ ଘରକୁ ଫେରି ଆସିଥଲେ । ସ୍ତ୍ରୀଙ୍କର ‘ରାଜଲକ୍ଷ୍ମୀ’ ନାମଟି ପୁରୁଣାକାଳିଆ ଲାଗିବାରୁ ଯଥାସମୟରେ ସେ ତାହା ‘ରାଜଶ୍ରୀ’ କରିଦେଇଥିଲେ । ସେଇ ନାଁରେ କବିତା ଲେଖି ପତ୍ନୀ ମାୟାଧର ମାନସିଂଙ୍କ ସମ୍ପାଦିତ ‘ଶଙ୍ଖ’ ପତ୍ରିକାରେ ପ୍ରକାଶ କରିବାକୁ ଲାଗିଲେ ।

 

୧୯୪୪ ଜୁଲାଇ ମାସ ବି.ଏ.କ୍ଲାସରେ ନାମ ଲେଖାଇଲା ବେଳେ ଅର୍ଥନୀତି ବିଷୟରେ ଅନର୍ସ ରଖିବେ ବୋଲି ଫର୍ମ ପୂରଣ କରୁଥିବା ସମୟରେ ଆକସ୍ମିକତା କ୍ରମେ ଇତିହାସ ଅଧ୍ୟାପକ ଘନଶ୍ୟାମ ଦାସ ସେଠାରେ ପହଞ୍ଚି ଯିବାରୁ ତାଙ୍କ ପରାମର୍ଶକ୍ରମେ ତଥା ପଶ୍ଚିମ ଛାତ୍ରାବାସର ତତ୍ତ୍ୱାବଧାରକ ଇତିହାସ ଅଧ୍ୟାପକ ଜଗଦାନନ୍ଦ ମହାନ୍ତିଙ୍କ ଆକର୍ଷଣରେ ସେ ଇତିହାସ ଅନର୍ସ ଓ ଅର୍ଥନୀତି ବିଷୟଟିକୁ ପାସ ବିଷୟରୂପେ ରଖିଥିଲେ । ସେତେବେଳର ଅଧ୍ୟାପକମାନେ ନିଜ ନିଜ ବିଷୟରେ ଥିଲେ ପ୍ରଗାଢ଼ ପଣ୍ଡିତ । ସଦାଶିବ ମିଶ୍ର, ରତ୍ନାକର ପତି, ପି.ଏସ୍‌.ସୁନ୍ଦରମ୍‌, ବୈକୁଣ୍ଠନାଥ ପଟ୍ଟନାୟକ, ଜନାଥନ ମହାନ୍ତି, ବ୍ରହ୍ମାନନ୍ଦ ପଣ୍ଡା, ରାଜକିଶୋର ରାୟ, କୁଞ୍ଜବିହାରୀ ତ୍ରିପାଠୀ ଓ ବିଧୂଭୂଷଣ ଦାସଙ୍କ କ୍ଲାସ ପ୍ରତି ଥାଏ ପିଲାମାନଙ୍କର ପ୍ରବଳ ଆକର୍ଷଣ । ଇଂରାଜୀ ଅଧ୍ୟାପକ ପି.ଭି.ଜନ୍‌ ଓ ଅର୍ଥନୀତି ଅଧ୍ୟାପକ ସଦାଶିବ ମିଶ୍ରଙ୍କ କ୍ଲାସରେ ବସିବା ପାଇଁ ବିଦ୍ୟାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖାଯାଉଥିଲା । ତୃତୀୟ ବାର୍ଷିକ କଳାଶ୍ରେଣୀରେ ଅଧ୍ୟୟନ ବେଳେ ଅର୍ଥନୀତି ଅଧ୍ୟାପକ ଭାବେ ଯୋଗ ଦେଇଥିଲେ ଶ୍ରୀରାମଚନ୍ଦ୍ର ଦାଶ । ଷାଣ୍ମାସିକ ପରୀକ୍ଷାରେ ତାଙ୍କ ହାତରୁ ୨୫ ନମ୍ବରରୁ ୨୩ ଓ ୨୨ ଲେଖାଏଁ ନମ୍ବର ପାଇ ସେ ଜଣେ ଭଲ ଛାତ୍ର ବୋଲି ତାଙ୍କର ଧାରଣା ହୋଇଥିଲା । ୧୯୪୪ ମସିହାରେ ଦ୍ୱିତୀୟ ମହାଯୁଦ୍ଧର ସର୍ବାଧିକ ପ୍ରଭାବ ପଡ଼ିଥାଏ ଛାତ୍ର ସମାଜ ଉପରେ । ସେଇ ଅନିଶ୍ଚିତ ବାତାବରଣ ଭିତରେ ପାଠ ନ ପଢ଼ି ଖବରକାଗଜ ପଢ଼ିବା, ରେଡ଼ିଓରୁ ସମ୍ବାଦ ଶୁଣିବା ଓ ଏଣେତେଣେ ରାଜନୀତିରେ ସମୟ ନଷ୍ଟ କରିବା ମନ୍ମଥନାଥଙ୍କ ଅଭ୍ୟାସରେ ପରିଣତ ହୋଇଥିଲା । ପାଠ ଅପେକ୍ଷା ରାଜନୀତି ଦିଗକୁ ତାଙ୍କ ମନ ଢଳିଥିଲା ।

 

ସେତେବେଳେ ମହାତ୍ମା ଓ ଜବାହାରଲାଲ୍‌ ପ୍ରମୁଖ କାରାମୁକ୍ତ ହୋଇ ସାରିଥାନ୍ତି । ହରେକୃଷ୍ଣ ମହତାବ ସାଜିଥାନ୍ତି ଓଡ଼ିଶା ରାଜନୀତିର କର୍ଣ୍ଣଧାର । ମହାଯୁଦ୍ଧ ଶେଷ ହୋଇଯାଇଥାଏ-। ସୁବାସ ଚନ୍ଦ୍ର ବୋଷ ଓ ଆଜାଦ୍‌ହିନ୍ଦ ଫୌଜର ବୀରତ୍ୱ ଗାଥା ସାରା ଭାରତର ଜନମାନସକୁ ଆଚ୍ଛନ୍ନ କରିଦେଇଥାଏ । ସେଇ ସମୟରେ ବ୍ରିଟିଶ ସରକାର ଦିଲ୍ଲୀ‌ର ଲାଲକିଲ୍ଲା ମଧ୍ୟରେ ରାଜଦ୍ରୋହ ଅପରାଧରେ ଆଜାଦହିନ୍ଦ୍‌ ଫୌଜର ବନ୍ଦୀ ସୈନ୍ୟମାନଙ୍କର ଯେଉଁ ବିଚାର ଆରମ୍ଭ କଲେ, ତାହା ବିରୋଧରେ ସମଗ୍ର ଦେଶରେ ଦେଖାଦେଲା ବିକ୍ଷୋଭ । ଦିନେ ରେଭେନ୍ସା କଲେଜକୁ ଖବର ଆସିଲା କଟକ ଟାଉନ୍‌ହଲଠାରେ ମହାତାବଙ୍କ ସଭାପତିତ୍ଵରେ ବିଶାଳ ପ୍ରତିବାଦ ସଭା ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଛାତ୍ରମାନଙ୍କ ମଧ୍ୟରୁ ଯେଉଁ ଦୁଇଜଣଙ୍କୁ ସେଠାରେ ଭାଷଣ ଦେବାକୁ ମନୋନୀତ କରାଯାଇଥିଲା ତା’ ମଧ୍ୟରୁ ମନ୍ମଥନାଥ ଥିଲେ ଅନ୍ୟତମ । ସେ ଭାଷଣ ଦେଇସାରି ପଛରେ ବସିଥିଲାବେଳେ ଜଣେ କଂଗ୍ରେସ କର୍ମୀ ତାଙ୍କ ହାତକୁ ଖଣ୍ଡିଏ କାଗଜ ବଢ଼େଇ ଦେଇଥିଲେ । ସେଥିରେ ହରେକୃଷ୍ଣ ମହତାବ ସଭା ପରେ ତାଙ୍କୁ ଦେଖାକରିବାକୁ କହିଥିଲେ । ସାକ୍ଷାତରେ ତାଙ୍କର ପରିଚୟ ପାଇଲା ପରେ ପରଦିନ ସ୍ଵରାଜ ଆଶ୍ରମରେ ତାଙ୍କୁ ସନ୍ଧ୍ୟାବେଳେ ଦେଖାକରିବାକୁ କହିଲେ । ମହତାବଙ୍କ ସହିତ ସେହି ସାକ୍ଷାତ ପରେ ତାଙ୍କର ଅଧିକାଂଶ ସନ୍ଧ୍ୟା ସ୍ଵରାଜ ଆଶ୍ରମରେ ବିତୁଥିଲା ଏବଂ ପଢ଼ାପଢ଼ିରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ମାତ୍ର ସେଠାରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ସହ ଅନେକ ଅଭିଜ୍ଞତା ହାସଲ କରିଥିଲେ ।

 

ଛାତ୍ରନେତା ଭାବେ ପଢ଼ାପଢ଼ିରେ ଅବହେଳା କରିବାସହ ଥରେ ଅଧ୍ୟକ୍ଷ ଏସ.ରାୟଙ୍କ କୋପଦୃଷ୍ଟିରେ ପଡ଼ି କଲେଜରୁ ତାଙ୍କର ବହିଷ୍କାର ଯାଏଁ କଥା ଯାଇଥିଲା । କାରଣ ଥିଲା ସେ ଜଣେ କଂଗ୍ରେସୀ ଛାତ୍ର ଭାବରେ ଅଧ୍ୟକ୍ଷଙ୍କ ବିନାନୁମତିରେ କଲେଜ ପରିସରରେ ପାକିସ୍ତାନୀ ବିରୋଧୀ ସଭାଟିଏ ଆୟୋଜନ କରିଥିଲେ ୧୯୪୫ ମସିହା ଶୀତଛୁଟିର ଠିକ୍‌ ପୂର୍ବ ସନ୍ଧ୍ୟାରେ । ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶ୍ରୀରାମଚନ୍ଦ୍ର ଦାଶଙ୍କ ବକ୍ତବ୍ୟ ସହରର ମୁସ୍‌ଲିମ୍‌ମାନଙ୍କୁ କ୍ଷୁବ୍ଧ କରିଥିଲା । ଉତ୍ୟକ୍ତ ମୁସ୍‌ଲିମ୍‌ ନେତାମାନଙ୍କ ଅଭିଯୋଗରେ ଅଧ୍ୟକ୍ଷ ଏପରି ନିଷ୍ପତ୍ତି ନେଇଥିଲେ ମଧ୍ୟ ଅଧ୍ୟାପକ ଜଗଦାନନ୍ଦ ମହାନ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ସେ ସେପରି ପଦକ୍ଷେପରୁ ବିରତ ରହିଥିଲେ ।

 

ମନ୍ମଥବାବୁଙ୍କ ବି.ଏ ପରୀକ୍ଷା ଶେଷ ହେଲାପରେ ହରେକୃଷ୍ଣ ମହତାବ ଓ ବୀରେନ୍‌ ମିତ୍ର ତାଙ୍କୁ ନିଜ ଅଞ୍ଚଳରେ ଜନଜାଗରଣ ନିମନ୍ତେ କାର୍ଯ୍ୟ କରିବାର ପରାମର୍ଶ ଦେଇଥିଲେ । ଘରେ ପହଞ୍ଚି ଶୁଣିଲେ ବାଲିଆପାଳ ଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ବସିବ । ଗୋଟିଏ ଛାତ୍ର ବାହିନୀଧରି ସୁବର୍ଣ୍ଣରେଖା ଅତିକ୍ରମ କରି ସେ ଚାଲିଚାଲି ସେଠାକୁ ଯାଇଥିଲେ । କରୁଣାକର ପାଣିଗ୍ରାହୀ ଓ ସର୍ଦ୍ଦାର ସୁରେନ୍ଦ୍ରନାଥ ଦାସ ପ୍ରମୁଖ ବାଲେଶ୍ଵର ଜିଲ୍ଲାର ବିଶିଷ୍ଟ ନେତାମାନେ ସେଠାରେ ଉପସ୍ଥିତ ଥିଲେ । ଭୋଗରାଇର ମୁସଲମାନ ନେତା ଦଫିର୍‌ ସାହେବ ଓ ଶୋଭନ୍‌ ମିଆଁଙ୍କ ଘରେ ବନ୍ଧୁଗହଣରେ ମଧ୍ୟାହ୍ନଭୋଜନ କରି ସାମ୍ପ୍ରଦାୟିକ ସଦ୍‌ଭାବନା ସୃଷ୍ଟି କରିବାର ପ୍ରୟାସ ଯୋଗୁଁ ସେ ସାମାଜିକ ଲାଞ୍ଛନା ଭୋଗ କରିଥିଲେ । ସେଇଥିପାଇଁ ଭୋଗରାଇରେ ଏକ ଜନସମାବେଶ ଆୟୋଜନ କରି ମଧ୍ୟବର୍ତ୍ତୀକାଳୀନ ସରକାରରେ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ମହତାବବାବୁଙ୍କୁ ଆଣିବାକୁ ସ୍ଥିର କଲେ । ୧୯୪୬ ଜୁନ୍‌ ମାସରେ ଜଣେ ଛାତ୍ର ହୋଇ ମଧ୍ୟ ମହତାବବାବୁଙ୍କ ଭଳି ବ୍ୟକ୍ତିଙ୍କୁ ଭୋଗରାଇକୁ ଆଣିପାରିଥିବାରୁ ତାଙ୍କୁ ବିରୋଧ କରୁଥିବା ବ୍ୟକ୍ତିମାନଙ୍କର ମନୋଭାବ ମଧ୍ୟ ବଦଳିଯାଇଥିଲା । ସଭା ତାରିଖର ପୂର୍ବ ସନ୍ଧ୍ୟାରେ ମହତାବବାବୁ ସଦଳବଳେ ଟ୍ରେନ୍‌ରେ ଆସି ଜଳେଶ୍ଵର ଷ୍ଟେସନରେ ପହଞ୍ଚିଲା ପରେ ବହୁ ଆୟାସସାଧ୍ୟ ଯାତ୍ରାପରେ ଭୋଗରାଇରେ ପହଞ୍ଚିଥିଲେ । ପରଦିନ ଅପରାହ୍ନରେ ଏକ ବଡ଼ ଧରଣର ସଭା ଅନୁଷ୍ଠିତ ହେଲାପରେ ମନ୍ମଥବାବୁଙ୍କ ପ୍ରତି ଲୋକମାନଙ୍କର ଧାରଣା ବଦଳି ଯାଇଥିଲା ।

 

୧୯୪୬ ଜୁନ୍‌ ମାସରେ ସେ ଦ୍ୱିତୀୟ ଶ୍ରେଣୀରେ ଅନର୍ସ ସହ ବି.ଏ.ପାଶ୍‌ କରିଥିଲେ । ସାର୍ଟିଫିକେଟ୍‌ ଆଣିବା ପାଇଁ କଟକ ଯାଇଥିଲା ବେଳେ ହାସପାତାଳରେ ଚିକିତ୍ସାଧୀନ ଥିବା ବୀରେନ୍‌ ମିତ୍ର ତାଙ୍କୁ ଏମ୍‌.ଏ. ନ ପଢ଼ି ରାଜନୀତି କରିବାକୁ ପରାମର୍ଶ ଦେଇଥିଲେ । ବଡ଼ମାମୁ କାଳୀକିଙ୍କର ସାମଲ କିନ୍ତୁ ଡେପୁଟି କଲେକ୍ଟର ପଦ ନିମନ୍ତେ ଦରଖାସ୍ତ କରିବା ପାଇଁ ତାଙ୍କୁ ଉପଦେଶ ଦେଲେ । ମାତ୍ର ଘରକୁ ଆସି ଏମ୍‌.ଏ ପଢ଼ିବେ ବୋଲି ବାପାଙ୍କ କହିବାରୁ ସେ ଖୁବ୍‌ ଖୁସୀ ହୋଇଥିଲେ । ରେଭେନ୍ସା କଲେଜରେ ସେତେବେଳେ ଇତିହାସରେ ଏମ୍‌.ଏ. ଶ୍ରେଣୀ ନ ଥିବାରୁ ସେ ଏହ୍ଲାବାଦ ବିଶ୍ୱବିଦ୍ୟାଳୟକୁ ଆବେଦନ କଲେ । ସିଟ୍‌ ମିଳିବ ବୋଲି ଚିଠି ପାଇ ଅମାବାସ୍ୟା ତିଥି ଓ ପ୍ରବଳ ବର୍ଷାକୁ ଭ୍ରୁକ୍ଷେପ ନ କରି ଘରୁ ବାହାରି ଯାଇଥିଲେ ।

 

୧୯୪୬ ଜୁଲାଇ ମାସର ଏକ ସନ୍ଧ୍ୟାରେ ସେ ଏହ୍ଲାବାଦରେ ପହଞ୍ଚି ‘ପ୍ରୟାସ ଆଶ୍ରମ’ ନାମକ ବସାଘରେ ଆଶ୍ରୟ ନେଲେ । ଆଡ୍‌ମିସନର କିଛିଦିନ ପରେ ସେ ମ୍ୟାକ୍‌ଡୋନାଲ୍‌ଡ ହିନ୍ଦୁ ହଷ୍ଟେଲରେ ରହିଲେ, ଯାହା ଏବେ ମଦନମୋହନ ମାଲବ୍ୟ ହଷ୍ଟେଲରେ ରୂପାନ୍ତରିତ ହୋଇଛି । ଏହ୍ଲାବାଦରେ ତାଙ୍କ ରହଣୀ ସମୟ ଥଲା ଦେଶ ପ୍ରତି ଏକ ସଙ୍ଗୀନ ସମୟ । ମୋତିଲାଲ୍‌ ନେହେରୁଙ୍କ ‘ଆନନ୍ଦ ଭବନ’ ଏବଂ ଏହାର ମୁଖ୍ୟ ଅଟ୍ଟାଳିକା ‘ସ୍ୱରାଜ ଭବନ’ ଥିଲା ଜାତୀୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ । ସେଠାରେ ତାଙ୍କୁ ଭାରତର ତୁଙ୍ଗ ନେତାମାନଙ୍କର ଦର୍ଶନ ଓ ଭାଷଣ ଶୁଣିବାର ସୁଯୋଗ ମିଳିଥିଲା । ଜବାହରଲାଲ ନେହେରୁ, ମୌଲାନା ଆବୁଲ କାଲାମ୍‌ ଆଜାଦ, ଆଚାର୍ଯ୍ୟ କୃପାଳିନୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସରୋଜିନୀ ନାଇଡ଼ୁ, ଶାହନୱାଜ ଖାଁ ବିଶ୍ଵମ୍ଭରନାଥ ପାଣ୍ଡେ, ବିଜୟଲକ୍ଷ୍ମୀ ପଣ୍ଡିତ, ଲାଲ୍‌ ବାହାଦୂର ଶାସ୍ତ୍ରୀ ଓ ଗୋବିନ୍ଦବଲ୍ଲଭ ପନ୍ଥ ପ୍ରମୁଖ ମହାନ୍‌ ବ୍ୟକ୍ତିମାନଙ୍କୁ ନିକଟରୁ ଦେଖି ନିଜକୁ ଧନ୍ୟ ମନେ କରିଥିଲେ । ୧୯୪୬ ଦୁର୍ଗାପୂଜା ପୂର୍ବରୁ ଏକ ମ୍ୟୁଜିୟମ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ ଲାଗି ଜବାହରଲାଲ ଓ ବିଜୟଲକ୍ଷ୍ମୀ ପଣ୍ଡିତ ଆସିଥିଲା ବେଳେ ସେମାନେ ମୁଣ୍ଡରେ ଲଗାଇଥିବା ରକ୍ତ ଚନ୍ଦନ ଥିବା ମାଟି ପାତ୍ରଟିକୁ ସେ ଆଣି ପୂଜା ଛୁଟିରେ ପତ୍ନୀଙ୍କୁ ଉପହାର ଦେଇଥିଲେ । ୧୯୪୭ ମସିହା ପ୍ରାରମ୍ଭରେ ସରୋଜିନୀ ନାଇଡ଼ୁଙ୍କ ମନ୍ତ୍ରମୁଗ୍ଧ ଭାଷଣ ତାଙ୍କୁ ବିଶେଷ ଉଦ୍‌ବୁଦ୍ଧ କରିଥିଲା । ୧୯୪୬ ଜୁଲାଇରୁ ୧୯୪୮ମାର୍ଚ୍ଚ ମାସ ମଧ୍ୟରେ ସେଠାରେ ଅଧ୍ୟୟନ ସମୟରେ ସେ ଅନେକ ସାମ୍ପ୍ରଦାୟିକ ବୀଭତ୍ସ ଘଟଣାର ପ୍ରତ୍ୟକ୍ଷ କରିଥିଲେ । କଲିକତା ହତ୍ୟାକାଣ୍ଡ ପରେ ଅନ୍ୟ ଅଞ୍ଚଳ ଭଳି ଏହ୍ଲାବାଦରେ ମଧ୍ୟ ସଂଘଟିତ ସାମ୍ପ୍ରଦାୟିକ ଗୃହଯୁଦ୍ଧର ସେ ଥିଲେ ମୁକସାକ୍ଷୀ । ସେଇବର୍ଷ ପୂଜାଛୁଟିରେ ଘରକୁ ଫେରୁଥିଲାବେଳେ ବିହାରର କୌଣସି ଏକ ଷ୍ଟେସନରୁ ଟ୍ରେନ୍‌କୁ ଉଠିଥିବା ଦୁଇ ମୁସଲିମ ବୃଦ୍ଧ ଓ ତାଙ୍କ ସହ ଥିବା ଦୁଇଟି ବାଳକଙ୍କୁ ସେ ମୃତ୍ୟୁମୁଖରୁ ବଞ୍ଚାଇଥିଲେ । ୧୯୪୬ରେ ତାଙ୍କ ଜୀବନର ପ୍ରଥମ ବହି ‘ପ୍ରାଚ୍ୟରେ ପାଶ୍ଚାତ୍ୟବାସୀ’ ଲେଖିଥିଲେ ସେଇ ହିନ୍ଦୁ ହଷ୍ଟେଲରେ ।

 

ହିଂସ୍ର ପରିବେଶ, ରଣ ହୁଙ୍କାର ଓ ରକ୍ତପାତ ମଧ୍ୟରେ ଅଗଷ୍ଟ ୧୪ ଓ ୧୫ ତାରିଖରେ ସନ୍ଧିକ୍ଷଣ ମଧ୍ୟରାତ୍ରିରେ ଭାରତର ସ୍ଵାଧୀନତା ପ୍ରାପ୍ତିଦିନ ସେ ତମାମ ରାତି ବନ୍ଧୁ ଗହଣରେ ସାରା ସହର ଘୂରି ବୁଲିଥିଲେ । ସ୍ଵାଧୀନତାର କିଛିଦିନ ପରେ ଓଡ଼ିଶାର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିବା କୈଳାସନାଥ କାଟ୍‌ଜୁ ଏହ୍ଲାବାଦସ୍ଥିତ ନିଜ ବାସଭବନକୁ ଆସିଥିବା ଅବସରରେ କେତେଜଣ ସହପାଠୀଙ୍କ ସହ ଯାଇ ତାଙ୍କୁ ସାକ୍ଷାତ କରିଥିଲେ, ଯାହା ତାଙ୍କ ପାଇଁ ଥିଲା ଖୁବ୍‌ ସ୍ମରଣୀୟ । ୧୯୪୭ ମସିହା ସେପ୍ଟେମ୍ବର ୯ ତାରିଖ ଦିନ କଲିକତାରୁ ଦିଲ୍ଲୀ ଅଭିମୁଖେ ଟ୍ରେନ୍‌ ଯାତ୍ରା କରୁଥିବା ମହାତ୍ମା ଗାନ୍ଧୀଙ୍କୁ ଏହ୍ଲାବାଦ ଷ୍ଟେସନରେ ଦିନ ଗୋଟାଏ ବେଳେ ଜନସମୁଦ୍ର ଭେଦ କରି ଅତି ନିକଟରୁ ଦେଖିବା ପାଇଁ ସେ ଲହୁଲୁହାଣ ହେଇଥିଲେ । ୧୯୪୮ ମସିହା ଜାନୁୟାରୀ ୩୦ ତାରିଖ ସନ୍ଧ୍ୟା ୫ଟାରେ ହିନ୍ଦୁ ହଷ୍ଟେଲ ହଲ୍‌ରେ କୈଳାସନାଥ କାଟ୍‌ଜୁଙ୍କ ଭାଷଣ ଆରମ୍ଭ ମୁହୂର୍ତ୍ତରେ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ସମ୍ବାଦ ହସ୍ତଗତ ହେବା ଯୋଗୁଁ ସଭାକାର୍ଯ୍ୟ ସ୍ଥଗିତ ରହିଥିଲା । ଦଶଦିନ ପରେ ଏହ୍ଲାବାଦର ପ୍ରୟାଗ ସଙ୍ଗମ ସ୍ଥଳରେ ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ହେବାର ଅଭୂତପୂର୍ବ ଦୃଶ୍ୟ ତାଙ୍କୁ ଆଲୋଡ଼ିତ କରିଥିଲା । ଗୋଟିଏ ସ୍ଥାନରେ ଚାଳିଶି ଲକ୍ଷ ଲୋକଙ୍କ ଏକତ୍ର ସମାବେଶ ଥିଲା ବିସ୍ମୟକର । ପରୀକ୍ଷା ଶେଷ ହେଲାପରେ ଅଧ୍ୟାପକ ଓ ଖ୍ୟାତନାମା ଐତିହାସିକ ଇଶ୍ଵରୀପ୍ରସାଦ, ତାରା ଚାନ୍ଦ, ବେଣୀପ୍ରସାଦ, ବାରାଣସୀ ପ୍ରସାଦ ସାକ୍‌ସେନା, ବିଶ୍ୱେଶ୍ୱର ପ୍ରସାଦ ଓ ଓ.ପି. ଭଟ୍ଟନଗର ପ୍ରମୁଖଙ୍କଠାରୁ ବିଦାୟ ନେଇ ସେ ଓଡ଼ିଶା ଫେରିଥିଲେ । ସେଠାରେ ଅଧ୍ୟୟନ ବେଳେ ଓଡ଼ିଆ ଛାତ୍ରମାନଙ୍କ ମଧ୍ୟରେ ରଙ୍ଗନାଥ ମିଶ୍ର, ବୈଦ୍ୟନାଥ ମିଶ୍ର, ଗୋପାଳ ଚନ୍ଦ୍ର ପଟ୍ଟନାୟକ, ହରିହର ପଟ୍ଟନାୟକ, ବିମଳକିଶୋର ମିଶ୍ର, ଭବାନୀଚରଣ ରାୟ ଓ ଗୋପୀନାଥ ପାଣିଗ୍ରାହୀ ପ୍ରମୁଖଙ୍କ ସହିତ ତାଙ୍କର ଖୁବ୍‌ ଅନ୍ତରଙ୍ଗତା ଥିଲା-। କୃତିତ୍ୱର ସହ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ପାସ୍‌ କରିଥିଲେ ।

 

***

 

ଅଧ୍ୟାପନାରୁ କୁଳପତି

 

୧୯୪୮ ଜୁନ୍‌ ମାସରେ ତାଙ୍କ ଏମ୍‌.ଏ ପରୀକ୍ଷା ଫଳ ବାହାରିଲା ବେଳକୁ କେତୋଟି ନୂତନ ସରକାରୀ କଲେଜ ସ୍ଥାପନ କରାଯାଇଥିବାରୁ ଅଧ୍ୟାପକ ଚାକିରି ପାଇବା ସହଜ ହେଲା । ଜୁଲାଇ ୧୫ ତାରିଖରେ ଫକୀରମୋହନ କଲେଜ, ବାଲେଶ୍ଵରରେ ଯୋଗଦେବା ପାଇଁ ଡି.ପି.ଆଇ.ଙ୍କ ଆଦେଶ ପତ୍ର ମିଳିଲା ପରେ ବାପା ଖୁବ୍‌ ଖୁସୀ ହେଲେ । ବାଲେଶ୍ୱରରେ ପହଞ୍ଚି ଛାତ୍ରାବାସ ତତ୍ତ୍ୱାବଧାରକ ଅଧ୍ୟାପକ ରାମଚନ୍ଦ୍ର ପଟ୍ଟନାୟକଙ୍କ ଘରେ ଆଶ୍ରୟ ନେଲେ ଓ ୧୭ ତାରିଖ ଦିନ କଲେଜରେ ଯୋଗଦେବା ପରେ ବସା ଘର ଖୋଜିଲେ । ସେତେବେଳେ ଭଡ଼ାଦେବା ପାଇଁ ପକ୍କାଘର ପ୍ରାୟ ନ ଥିଲା । ଅଧ୍ୟକ୍ଷ ରହୁଥିଲେ ମଲ୍ଲୀକାଶପୁରର ଜଣେ ଭଦ୍ରଲୋକଙ୍କର ଖାଲିପଡ଼ିଥିବା ବଡ଼ ପକ୍କାଘରଟିରେ । କଲେଜ ପାଇଁ ସ୍ଵତନ୍ତ୍ର ବିଲଡିଂ ତିଆରି ହେଇନଥିବାରୁ ହାଇସ୍କୁଲ ପିଲାମାନେ ସକାଳେ ପଢ଼ିସାରିଲା ପରେ ସେମାନଙ୍କ କ୍ଲାସରୁମ୍‌ଗୁଡ଼ିକରେ କଲେଜ ପିଲାଙ୍କ କ୍ଲାସ ହେଉଥାଏ ।

 

ପକ୍କାଘରଟିଏ ଖୋଜୁଥିଲା ବେଳେ ମଲ୍ଲୀକାଶପୁର ଗାଁରେ ବ୍ୟାସକବି ଫକୀରମୋହନଙ୍କ ଜରାଜୀର୍ଣ୍ଣ କୋଠାଟି ସଦ୍ୟ ମରାମତି ହୋଇ ଜଣେ ଓକିଲଙ୍କ ଜିମାରେ ରହିଛି ବୋଲି ସେ ଖବର ପାଇଲେ । ବଣବୁଦା ପରିପୂର୍ଣ୍ଣ ଶାନ୍ତିକାନନ ନିକଟରେ ଥିବା ଏକତାଲା ବିଶିଷ୍ଟ ପକ୍କାଘରଟିକୁ ଦୁଇଭାଗ କରି ତିନି କୋଠରୀ ବିଶିଷ୍ଟ ଦୁଇଟି କ୍ଵାଟର୍ସରେ ପରିଣତ କରାଯାଇଥିଲା । ପୂର୍ବପାଖ କ୍ଵାର୍ଟରରେ ରହୁଥିବା ଶିଖ୍‌ ଲୋକଟି ନିକଟରେ ଜ୍ୱରରେ ମରିଯାଇଥିବା ଶୁଣି ପଶ୍ଚିମ ପାଖରେ ରହିବେ ବୋଲି ସେ ଠିକ୍‌ କଲେ । ମାସିକ ଘରଭଡ଼ା ଥିଲା ୩୦ ଟଙ୍କା । କୋଠାଟିର ଚାରିପାଖ ନିର୍ଜନ ଅନ୍ଧକାର ଥିଲା । ସେହି ନିର୍ଜନ ସ୍ଥାନଟିର କିଛି ଦୂରରେ ଥିଲା ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ଭୈରବଚନ୍ଦ୍ର ମହାପାତ୍ରଙ୍କ ବାସଗୃହ ଓ ଅଧ୍ୟକ୍ଷଙ୍କ ସହକାରୀ କ୍ଵାଟର୍ସ । ସେ ଅଞ୍ଚଳକୁ ବିଜୁଳିବତୀ କିମ୍ବା ପାଣି ପାଇପ୍‌ର ସୁବିଧା ନ ଥିଲା । ଫାଟି ରହିଥିବା କାନ୍ଥ ଓ ଧ୍ୱସଂସ୍ତୂପକୁ ଦେଖିଲେ ଭୟ ଲାଗୁଥିଲା । ପ୍ରଥମ ରାତ୍ରି ରହଣୀର ଅଭିଜ୍ଞତା ଥିଲା ଭୀତିପ୍ରଦ । ନିଶବ୍ଦରେ ଛାତ ଉପରେ କେହି ଚାଲୁଥିବାର ଶବ୍ଦ ଶୁଣି ସାହସ ସଞ୍ଚୟ କରି ଲଣ୍ଠନଟି ଧରି ଛାତ ଉପରକୁ ଯାଇ ପ୍ରକାଣ୍ଡ ରାମଛେଳିଟିଏ ଗୁଳ୍ମରାଜି ଚର୍ବଣ କରୁଥିବାର ଦୃଶ୍ୟ ଦେଖିଥିଲେ । କିଛିଦିନ ପରେ ଘରର ପୂର୍ବ ଅଂଶଟିରେ ରହିଥିଲେ ଏବଂ ବ୍ୟାସକବିଙ୍କ ସେହି ପରିତ୍ୟକ୍ତ କୋଠାଘରେ ଜଣେ ଅଧ୍ୟାପକ ରହୁଛନ୍ତି ଜାଣି ମଲ୍ଲୀକାଶପୁରର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ସୁବିଧା ଅସୁବିଧା ବୁଝିବାକୁ ଆସିଥିଲେ-। ମୋକ୍ତାର ଅଚ୍ୟୁତାନନ୍ଦ ଦାସ ଓ ଛାତ୍ର ଶ୍ୟାମସୁନ୍ଦର ମହାପାତ୍ରଙ୍କ ଉଦ୍ୟମରେ ଶାନ୍ତିକାନନ ନୂତନ ରୂପ ପରିଗ୍ରହଣ କରିଥିଲା । ତା’ ପରେ ବାପା ନୌକାରେ ଖଟ, ଚେୟାର, ଟେବୁଲ୍‌ ଓ ଆସବାବପତ୍ର ପଠାଇଦେଲେ । ଅଳ୍ପଦିନ ପରେ ତାଙ୍କ ମା’, ସାନଭାଇ ମନୋଜ ଦାସ, ପତ୍ନୀ ଓ ଶିଶୁକନ୍ୟା ଝାନସୀ ସେଠାରେ ଆସି ରହିଲେ । ସେହିଠାରେ ହିଁ ତାଙ୍କ ଭିତରେ ସାହିତ୍ୟିକ ଚେତନାର ବୀଜ ବପନ ହୋଇଥିଲା । ସେଠାରେ ଦୁଇବର୍ଷ ରହିଲା ପରେ ସେହି କଲେଜ ନିକଟବର୍ତ୍ତୀ ଉଷା ମେସ୍‌ ନାମରେ ପରିଚିତ ଗୋଟିଏ ବଡ଼ ଘରକୁ ସେ ଚାଲି ଆସିଥିଲେ । ଫକୀରମୋହନ କଲେଜରେ ଯୋଗଦେବାର କେତୋଟି ମାସ ପରେ ଜୀବନର ପ୍ରଥମ ବିଦେଶ ଯାତ୍ରା ଲାଗି ସୁଯୋଗ ପାଇ ଆକସ୍ମିକତା କ୍ରମେ ୧୯୪୯ ମସିହା ଫେବୃଆରୀ ୧୭ ତାରିଖ ଦିନ ୨୦ ଜଣ ଛାତ୍ର ଓ କୁଞ୍ଜବିହାରୀ ଦାଶଙ୍କୁ ନେଇ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲେ । ସେଠାରୁ ସିଂହଳ ଯାତ୍ରାକରି ବହୁମୂଲ୍ୟ ଅଭିଜ୍ଞତା ହାସଲ କରିଥିଲେ ।

 

ସେ ଫକୀରମୋହନ କଲେଜରେ ଥିଲାବେଳେ ସେଠାରେ ଅଧ୍ୟାପକମାନଙ୍କ ମୋଟ୍‌ ସଂଖ୍ୟା ଥିଲା ପଚିଶି । ଚାକିରିରେ ଯୋଗ ଦେଲାବେଳେ ଜଣେ ଅଧ୍ୟାପକର ମାସିକ ଦରମା ଥାଏ ୧୨୫ ଟଙ୍କା । କିଛିଦିନ ପରେ ତାହା ୨୦୦ ଟଙ୍କାକୁ ବୃଦ୍ଧି ପାଇଥିଲା । ଅଧ୍ୟାପକମାନଙ୍କୁ ଅବଶ୍ୟ ଯଥେଷ୍ଟ ସାମାଜିକ ସମ୍ମାନ ମିଳୁଥିଲା । ପୂର୍ବ ବଙ୍ଗରୁ ଆସିଥିବା କ୍ଷିତିଶ ଚନ୍ଦ୍ର ଦେବ ଓ ହିରାଲାଲ୍‌ ଦେବନାଥ, କାଶ୍ମୀର ଉପତ୍ୟକାରୁ ଆସିଥିବା ମୋହନଲାଲ ମୁଜ୍ଜୁ, ଆନ୍ଧ୍ରର ଆର୍‌.ସୁବାରାଓ ଓ କେ.ଭି.ରାଓ ଏବଂ ଓଡ଼ିଆ ଅଧ୍ୟାପକଙ୍କ ମଧ୍ୟରେ ରାମଚନ୍ଦ୍ର ପଟ୍ଟନାୟକ, ଗୋପାଳଚନ୍ଦ୍ର ପଟ୍ଟନାୟକ, କ୍ଷେତ୍ରମୋହନ ପଟ୍ଟନାୟକ, ଶ୍ରୀରାମଚନ୍ଦ୍ର ଦାଶ, ତ୍ରିଲୋଚନ ମିଶ୍ର, ଜୟକୃଷ୍ଣ ମିଶ୍ର, ଜାନକୀବଲ୍ଲଭ ମହାନ୍ତି ଓ ନବକିଶୋର ମିଶ୍ର ପ୍ରମୁଖ ଥିଲେ ତାଙ୍କର ସହକର୍ମୀ । ଫକୀରମୋହନ କଲେଜରେ ପାଞ୍ଚବର୍ଷ ଚାକିରି କଲାମଧ୍ୟରେ ଭୈରବନାଥ ରୋହତଗୀ, ଘନଶ୍ୟାମ ଦାସ, ଭି.ଭିଜନ୍‌ ଓ ପି.ଏସ୍‌.ସୁନ୍ଦରାମ୍‌ ଥିଲେ ତାଙ୍କର ଅଧ୍ୟକ୍ଷ । ଅଧ୍ୟକ୍ଷ ଘନଶ୍ୟାମ ଦାସଙ୍କୁ ସେ ଏକ ଛାତ୍ର ଧର୍ମଘଟ ସମୟରେ ବିଶେଷ ଭାବେ ସାହାଯ୍ୟ କରିଥିଲେ । ଅଧ୍ୟକ୍ଷ ପି.ଏସ.ସୁନ୍ଦରାମ୍‌ଙ୍କ ସହ ତାଙ୍କର ମତ ପାର୍ଥକ୍ୟ ଯୋଗୁଁ ସେ ପୁରୀ କଲେଜକୁ ବଦଳି ପାଇଁ ଆବେଦନ କରିଥିଲେ । ୧୯୫୩ ମସିହା ଜୁଲାଇ ମାସରେ ସେ ଫକୀରମୋହନ କଲେଜରୁ ବିଦାୟ ନେଇଥିଲେ ।

 

ଚକ୍ରତୀର୍ଥ ନିକଟରେ ‘ବେ’ ଭିଉ’ ନାମକ ହୋଟେଲରେ ରହି ବସାଘରଟିଏ ଖୋଜୁଥିଲେ-। ଅଧ୍ୟାପକ କାହ୍ନୁଚରଣ ମିଶ୍ରଙ୍କ ସହଯୋଗରେ ଶେଷରେ ସେ ବସାଘରଟିଏ ପାଇଥିଲେ । ‘ବେ’ ଭିଉ’ ହୋଟେଲରେ ଥିଲାବେଳେ ସେ ପଣ୍ଡିତ ସଦାଶିବ ରଥଶର୍ମା, ପୁରୀର ଗଜପତି ରାଜା ରାମଚନ୍ଦ୍ରଦେବ, ଏମାର ମଠର ମହନ୍ତ ମହାରାଜ ପ୍ରମୁଖଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ପୁରୀ କଲେଜରେ ଅଧ୍ୟାପନା କାଳରେ ୧୯୫୩ ମସିହା ପୂଜାଛୁଟିରେ ଅଧ୍ୟକ୍ଷ ଏମ୍.ଜନ୍‌ ୧୫ ଜଣ ଛାତ୍ରଙ୍କ ସହ ତାଙ୍କୁ ଉତ୍ତର ଭାରତ ଭ୍ରମଣରେ ପଠାଇଥିଲେ । ସେହି ଅବକାଶରେ ପ୍ରଥମଥର ପାଇଁ ଗୟା, ବୁଦ୍ଧଗୟା, ବାରାଣସୀ, ସାରନାଥ, ଆଗ୍ରା, ଫତେପୁର ସିକ୍ରୀ, ମଥୁରା, ବୃନ୍ଦାବନ ଓ ଦିଲ୍ଲୀ ବୁଲିବାର ସୁଯୋଗ ପାଇଥିଲେ । ସ୍ୱାଧୀନତା ପରେ ଉଚ୍ଚତର ଡିଗ୍ରୀ ପାଇଁ ଅଧ୍ୟାପକମାନେ ବିଦେଶକୁ ଯିବାଲାଗି ଆଗ୍ରହୀ ହେଲେ । ବିଲାତୀ ଡିଗ୍ରୀଧାରୀ ଅଧ୍ୟାପକଙ୍କର ଗୋଟେ ପ୍ରକାର ସ୍ଵତନ୍ତ୍ର ମର୍ଯ୍ୟାଦା ଥିଲା । ୧୯୫୪ ପ୍ରାରମ୍ଭରେ ଅଧ୍ୟାପକ ବିଦ୍ୟାଧର ମିଶ୍ର ଓ ଗଣେଶ୍ୱର ମିଶ୍ରଙ୍କର ଲଣ୍ଡନ ଓ ଶ୍ରୀରାମଚନ୍ଦ୍ର ଦାଶଙ୍କର ବର୍ଲିନ ଯିବାକଥା ଶୁଣି ଲଣ୍ଡନ ବିଶ୍ଵବିଦ୍ୟାଳୟ ପ୍ରାଚ୍ୟ ବିଦ୍ୟା ବିଭାଗର ମୁଖ୍ୟଙ୍କ ନିକଟକୁ ତାଙ୍କ କଳିଙ୍ଗ ଇତିହାସ ବହିଟି ସହ ପି.ଏଚ୍‌.ଡି. କରିବା ନିମନ୍ତେ ସେ ଆବେଦନ ପତ୍ର ପଠାଇଲେ । ସେଠାରୁ ସମ୍ମତି ପାଇଲାପରେ ଜଳଜାହାଜରେ ଯିବା ଆସିବା ପାଇଁ ୩୦୦୦ ଟଙ୍କା ବ୍ୟତୀତ ସେଇ ଦୁଇବର୍ଷର ରହଣି ଓ ପଢ଼ାଖର୍ଚ୍ଚ ବାବଦରେ ୨୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କଲେ । ଅର୍ଥ ଚିନ୍ତାରେ ବିବ୍ରତ ଥିଲାବେଳେ ତାଙ୍କ ବାପା ପୁରୀ ଆସିଥିଲେ । ଅଧ୍ୟାପକ କାହ୍ନୁଚରଣ ମିଶ୍ର ତାଙ୍କୁ ବୁଝାଇଲା ପରେ ସେ ବିଲାତ ଯିବା ଖର୍ଚ୍ଚ ଦେବେ ବୋଲି ରାଜି ହେଲେ । ତା’ପରେ ପାସ୍‌ପୋର୍ଟ ଯୋଗାଡ଼ ପାଇଁ ଦୁଇଦୁଇଥର କଲିକତା ଗଲେ ଓ ତାହା ମିଳିଲା ପରେ ପୁଣି କଲିକତା ଯାଇ ବମ୍ବେଠାରୁ ଇଂଲଣ୍ଡ ଯିବାପାଇଁ ଜାହାଜ ଟିକଟ କିଣିଲେ । ବିନା ବେତନରେ ଦୁଇବର୍ଷ ଛୁଟି ଲାଗି ଦରଖାସ୍ତ ଧରି ତାଙ୍କ ଉପରେ ଆଗରୁ ଅସନ୍ତୁଷ୍ଟ ଥିବା ତତ୍‌କାଳୀନ ଡି.ପି.ଆଇ. ବଳଭଦ୍ର ପ୍ରସାଦଙ୍କ ପାଖକୁ ଯାଇଥିଲେ । ତାଙ୍କଠାରୁ ନାସ୍ତିବାଣୀ ଶୁଣି ଶିକ୍ଷା ସଚିବ ରତ୍ନାକର ଷଡ଼ଙ୍ଗୀଙ୍କୁ ସାକ୍ଷାତକରି ସବୁକଥା ଜଣାଇଥିଲେ-। ତାଙ୍କ ସଦିଚ୍ଛାରୁ ଗୋଟିଏ ଦିନ ମଧ୍ୟରେ ଛୁଟି ଆଦେଶ ପାଇଲା ପରେ ଏସ୍‌.ସି.ଏସ୍‌. କଲେଜରୁ ୧୯୫୪ ଡିସେମ୍ବର ମାସରେ ବିଦାୟନେଇ ଗୋଟିଏ ଶୀତରାତିରେ ପୁରୀ ଷ୍ଟେସନରୁ ଲଣ୍ଡନ ଯିବାପାଇଁ ଯାତ୍ରା ଆରମ୍ଭ କରିଥିଲେ ।

 

ପ୍ରସିଦ୍ଧ ବ୍ରିଟିଶ ଐତିହାସିକ ସି.ଏଚ୍‌.ଫିଲିପ୍‌ସଙ୍କ ଅଧୀନରେ ‘ସ୍କୁଲ ଅଫ୍‌ ଓରିଏଣ୍ଟାଲ୍‌ ଆଣ୍ଡ୍ ଆଫ୍ରିକାନ୍‌ ଷ୍ଟଡ଼ିଜ୍‌’ରେ ପି.ଏଚ୍‌ଡି କଲେ । ୧୯୫୬ ମସିହା ଡିସେମ୍ବର ମାସ ମଧ୍ୟଭାଗରେ ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ପି.ଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । ତା’ପରେ ବହୁ ଆୟାସସାଧ୍ୟ ଯାତ୍ରାପରେ ସେ ଭାରତରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପୂର୍ବରୁ ରେଭେନ୍ସା କଲେଜରେ ଯୋଗ ଦେବାଲାଗି ଡିପିଆଇଙ୍କ ଆଦେଶ ଆସି ଯାଇଥାଏ । ଇତିହାସରେ ପ୍ରଥମ ଲଣ୍ଡନ ପି.ଏଚଡ଼ି ଡିଗ୍ରୀଧାରୀ ଅଧ୍ୟାପକ ଭାବେ ଏମ୍‌.ଏ ପାଠ୍ୟକ୍ରମ ଥିବା ରେଭେନ୍ସାକୁ ତାଙ୍କର ବଦଳି ହୋଇଥିଲା । ୧୯୫୭ ଜାନୁଆରୀ ଶେଷ ବେଳକୁ ସେ ସେଠାରେ ଯୋଗ ଦେଇଥିଲେ । କିଛିଦିନ ପରେ ଅଧ୍ୟକ୍ଷଭାବେ ଯୋଗ ଦେଇଥିବା ଡକ୍ଟର ସଦାଶିବ ମିଶ୍ର ହିମାଳୟର ନୈନୀତାଲଠାରେ ଆମେରିକା ଦୂତାବାସ ସାମରିକ ସେବା ତରଫରୁ ଆୟୋଜିତ ତିନି ସପ୍ତାହବ୍ୟାପି ଶିକ୍ଷା ଶିବିରରେ ଯୋଗ ଦେବାପାଇଁ ତାଙ୍କ ନାମ ସୁପାରିଶ କରିଥିଲେ । ୧୯୫୮ ମସିହାରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଦ୍ଵାରା ରିଡ଼ର ପଦକୁ ଉନ୍ନୀତ ହୋଇ ସେ ରେଭେନ୍ସା କଲେଜରେ ମୁଖ୍ୟ ଇତିହାସ ଅଧ୍ୟାପକ ରୂପେ କାର୍ଯ୍ୟଭାର ଗ୍ରହଣ କଲେ । ସେତେବେଳେ ପ୍ରଫେସର ପଦ ସୃଷ୍ଟି ହୋଇ ନ ଥିଲା ବା ଇତିହାସ ସ୍ନାତକୋତ୍ତର ବିଭାଗକୁ ସରକାର ଉତ୍କଳ ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରି ନ ଥିଲେ ।

 

୧୯୫୮ ମସିହା ଡିସେମ୍ବର ମାସରେ ଭାରତୀୟ ଇତିହାସ କଂଗ୍ରେସର ଅଧିବେଶନ କେରଳର ତ୍ରିଭାନ୍ଦ୍ରମ ସହରରେ ଅନୁଷ୍ଠିତ ହେଲା । ସେ ସସ୍ତ୍ରୀକ ସେଥିରେ ଯୋଗଦେଇଥିଲେ । ୧୯୫୯ ମସିହା ସେପ୍ଟେମ୍ବର ମାସରେ ଅପ୍ରତ୍ୟାଶିତ ଭାବେ ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ପ୍ରାଚ୍ୟ ବିଭାଗରେ ଉଚ୍ଚତର ଗବେଷଣା ନିମନ୍ତେ ରକ୍‌ଫେଲାର ଫେଲୋସିପ୍‌ ପାଇଁ ତାଙ୍କୁ ମନୋନୀତ କରାଯାଇଥିବାର ପତ୍ର ପାଇଥିଲେ । ଡିସେମ୍ବର ମାସ ମଧ୍ୟଭାଗରେ ମନୋନୟନ କମିଟି ବୈଠକ ବସି ବିଶ୍ୱବିଦ୍ୟାଳୟର ରିଡ଼ର ପଦଲାଗି ଚୟନ କରାଯାଇଥିଲା । ୧୯୫୯ ଡିସେମ୍ବର ୧୯ ଦିନ ସେ ରିଡ଼ର ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ରେଭେନ୍ସା କଲେଜରେ ଯୋଗ ଦେବାଦିନ ରାତିରେ ହିଁ ସପରିବାର ଲଣ୍ଡନ ଯିବାପାଇଁ କଟକ ଷ୍ଟେସନରୁ କୋଚିନ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ୧୯୬୧ ଜାନୁଆରୀ ପ୍ରଥମ ସପ୍ତାହରେ ଲଣ୍ଡନ ବିଶ୍ଵବିଦ୍ୟାଳୟରେ ତାଙ୍କର କାର୍ଯ୍ୟକାଳ ଶେଷ ହେଲାପରେ ୬ ତାରିଖ ସକାଳେ ସ୍ୱଦେଶ ଅଭମୁଖେ ଯାତ୍ରାରମ୍ଭ କରି ଜାନୁଆରୀ ୨୬ ତାରିଖ ଦିନ କଟକରେ ପହଞ୍ଚିଥିଲେ । ଜାନୁଆରୀ ଶେଷଭାଗରେ ଅଧ୍ୟାପକ ପ୍ରଭାତ ମୁଖାର୍ଜୀଙ୍କଠାରୁ ସେ ରେଭେନ୍ସା କଲେଜର ବିଭାଗୀୟ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ସ୍ନାତକୋତ୍ତର ବିଭାଗ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବାରୁ ତାଙ୍କୁ କଲେଜର ସରକାରୀ କ୍ୱାର୍ଟର ମିଳି ନ ଥିଲା । ଏଣୁ ସେ ମଙ୍ଗଳାବାଗଠାରେ ପୁରୁଣା ଘରଟିଏ ଭଡ଼ା ନେଇଥିଲେ । ଡାକ୍ତର ଭଗବତୀ ଆଚାର୍ଯ୍ୟ ପରେପରେ ବର୍ଦ୍ଧମାନ କୋଠୀ ନିକଟରେ ତାଙ୍କ ପାଇଁ ଭଲ ଘରଟିଏ ଠିକ୍‌ କରିଦେଇଥିଲେ । ରେଭେନ୍ସାରେ ଥିଲାବେଳେ ଆମେରିକା ଦୂତାବାସ ପକ୍ଷରୁ କାଶ୍ମୀର ରାଜଧାନୀ ଶ୍ରୀନଗର ଠାରେ ଭାରତୀୟ ବିଶ୍ଵବିଦ୍ୟାଳୟଗୁଡ଼ିକର ମୁଖ୍ୟ ଇତିହାସ ଅଧ୍ୟାପକମାନଙ୍କର ଏକ ତିନିସପ୍ତାହ ବ୍ୟାପି ସମ୍ମିଳନୀର ଆୟୋଜନ କରାଯାଇଥିଲା । କୁଳପତି ପରିଜା ସାହେବ ସେଥିରେ ଯୋଗ ଦେବାଲାଗି ମନ୍ମଥବାବୁଙ୍କୁ ପଠାଇଥିଲେ ।

 

୧୯୬୧ ସେପ୍ଟେମ୍ବର ମାସରେ ବିଶ୍ଵବିଦ୍ୟାଳୟର ପ୍ରଫେସର ପଦ ପୂରଣ ନିମନ୍ତେ ମନୋନୟନ କମିଟି ବସିଥିଲା ଏବଂ କମିଟିର ସୁପାରିଶ କ୍ରମେ ସେ ପ୍ରଫେସର ପଦକୁ ଉନ୍ନୀତ ହୋଇଥିଲେ । ସେତେବେଳକୁ ତାଙ୍କୁ ହୋଇଥାଏ ମାତ୍ର ୩୫ ବର୍ଷ ବୟସ । ଏମ.ଏ. କ୍ଲାସ ଚାଲିଥାଏ ବାଣୀବିହାର ଠାରେ । ୧୯୬୨ ଜୁଲାଇ ମାସରେ କଟକରୁ ବାଣୀବିହାରକୁ ବିଶ୍ଵବିଦ୍ୟାଳୟର କାର୍ଯ୍ୟାଳୟ ଓ ବିଭାଗମାନ ସ୍ଥାନାନ୍ତରିତ ହେଲା । ସେହି ସମୟରୁ ମନ୍ମଥବାବୁ ମଧ୍ୟ ବାଣୀପୀଠ ବାଣୀବିହାରରେ ଅବସ୍ଥାନ କରିଥିଲେ । ୧୯୬୨ ମସିହା ସେପ୍ଟେମ୍ବର ୪ ତାରିଖରେ ସେ ଭାରତ ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗରୁ ଚିଠି ପାଇଥିଲେ ସୋଭିଏତ୍‌ ରୁଷ୍‌ର ତିନୋଟି ବିଶ୍ୱବିଦ୍ୟାଳୟରେ ଭାଷଣ ଦେବାଲାଗି । ସୋଭିଏତ୍‌ ସଂଘ ଗସ୍ତରୁ ଫେରି ୧୯୬୨ ନଭେମ୍ବର ୧୪ ତାରିଖରେ ବାଣୀବିହାର ପରିସରରେ ପହଞ୍ଚି କୁଳପତି ପରିଜାଙ୍କୁ ରୁଷ୍‌ ଭ୍ରମଣର ଅଭିଜ୍ଞତା ବର୍ଣ୍ଣନା କଲାପରେ ଭାରତ ସୀମାନ୍ତର ଯୁଦ୍ଧଭୂମିରେ ଯେକୌଣସି କାର୍ଯ୍ୟରେ ଯୋଗଦେବା ଲାଗି ସେ ପ୍ରସ୍ତୁତ ଅଛନ୍ତି ବୋଲି ଲେଖି ଦରଖାସ୍ତଟିଏ ବଢ଼ାଇ ଦେଇଥିଲେ । ପରିଜା ସାହେବ ତାହା ତତ୍‌କ୍ଷଣାତ୍‌ ପଠାଇ ଦେଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପାଖକୁ-। ନଭେମ୍ବର ୨୧ରେ ଚୀନାମାନେ ଏକତରଫା ଯୁଦ୍ଧ ବିରତି ଘୋଷଣା କରିବାରୁ ତାଙ୍କୁ ଆଉ ଯୋଗାଯୋଗ କରାଯାଇ ନ ଥିଲା । ୧୯୬୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ଡି.ଲିଟ୍‌ ଡିଗ୍ରୀ ପାଇଥିଲେ । ଖବରପାଇ ତାଙ୍କ ବାପା ଆନନ୍ଦରେ ବାଣୀବିହାର ଆସିଥିଲେ । ତାହାର କେତେମାସ ପରେ ୧୯୬୫ ଅଗଷ୍ଟରେ ଅକସ୍ମାତ ବାପାଙ୍କର ଦେହାବସାନ ଘଟିଥିଲା । ୧୯୬୯ରେ ବିଶ୍ୱବିଦ୍ୟାଳୟ ତରଫରୁ ସୀମାନ୍ତ ଗାନ୍ଧିଙ୍କୁ ସମ୍ବର୍ଦ୍ଧନା ଦେବାର ଦାୟିତ୍ୱ ନିର୍ବାହ ସହ ଛାତ୍ରସଂସଦ ଉପଦେଷ୍ଟା ଭାବେ ଡ. ଜାକିର୍‌ ହୁସେନ୍‌, ଭି.ଭି.ଗିରି, କୃଷ୍ଣମେନନ୍‌ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇଥିଲେ ।

 

୧୯୭୧ରେ ବିଶ୍ଵ ପ୍ରାଚ୍ୟବିଦ୍ୟାବିତ୍‌ କଂଗ୍ରେସ ନାମକ ଆନ୍ତର୍ଜାତୀୟ ସମ୍ମେଳନରେ ଯୋଗ ଦେଲାପରେ ପ୍ରାୟ ଏକବର୍ଷ ସେ ଉଚ୍ଚତର ଗବେଷଣା କାର୍ଯ୍ୟରେ ସିମଳା ଶୈଳନିବାସରେ ବିତାଇଥିଲେ । ୧୯୭୩ରେ ବାଂଲାଦେଶ ଇତିହାସ ପରିଷଦରେ ଯୋଗଦାନ, ୧୯୭୬ରେ ଇଂଲଣ୍ଡ ଯାତ୍ରା ଓ ଭାରତର ଶେଷ ବ୍ରିଟିଶ୍‌ ବଡ଼ଲାଟଙ୍କ ସହ ସାକ୍ଷାତକାର ସହ ପ୍ୟାରିସ ଓ ହାଇଡେଲବାର୍ଗ ଭ୍ରମଣ, ୧୯୭୯ରେ ମିଳିତ ଜାତିସଂଘ ଆହୂତ ଆନ୍ତର୍ଜାତୀୟ ସମ୍ମେଳନରେ ଯୋଗ ଦେବା ପାଇଁ ନରଓ୍ୱିଚ୍‌ ଯାତ୍ରା, ୧୯୭୯ରେ ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ, ୧୯୮୧ରେ ପୁଣିଥରେ ଇଂଲଣ୍ଡ ଯାତ୍ରା ଅବସରରେ ‘ଭାରତ ବିଭାଜନ ଓ ସ୍ଵାଧୀନତା’ ପୁସ୍ତକ ରଚନା, ସେଠାରୁ ପ୍ୟାରିସ ଗ୍ରସ୍ତ ଇତ୍ୟାଦି ଥିଲା ତାଙ୍କ ଘଟଣାବହୁଳ ଜୀବନର କେତୋଟି ତାତ୍ପର୍ଯ୍ୟପୂର୍ଣ୍ଣ ପାହାଚ ।

 

ସ୍ଵାଧୀନତା ପରେପରେ ସାରାଦେଶରେ ବିଶ୍ଵବିଦ୍ୟାଳୟ, କଲେଜ ଓ ଛାତ୍ର ସଂଖ୍ୟା କ୍ଷୀପ୍ରଗତିରେ ବଢ଼ି ଚାଲିବା ଯୋଗୁଁ ଛାତ୍ର ଆଶାନ୍ତି ଭଳି ନାନା ପ୍ରକାର ସମସ୍ୟା ଦେଖାଦେଇଥିଲା । ୧୯୮୨ରେ ଉତ୍କଳ ବିଶ୍ଵବିଦ୍ୟାଳୟର କାର୍ଯ୍ୟାଳୟ ଓ ଶିକ୍ଷାବିଭାଗଗୁଡ଼ିକ ବାଣୀବିହାରକୁ ଉଠିଆସିଲା । ଡ. ପ୍ରାଣକୃଷ୍ଣ ପରିଜା ଥାନ୍ତି କୁଳପତି । ତାଙ୍କ ପରେ ଡ. ସଦାଶିବ ମିଶ୍ର, ଡଃ ରମାନାଥ ମହାନ୍ତି, ପ୍ରଶାସକ ଜ୍ଞାନ ଚାନ୍ଦ, ଡଃ ଗୌତମ ମାଥୁର୍, ୧୯୭୭ରେ ଡଃ ବିଦ୍ୟାଧର ମିଶ୍ର ପ୍ରମୁଖ ସମ୍ମାନଜନକ କୁଳପତି ଆସନ ମଣ୍ଡନ କରିଥିଲେ । ବିଦ୍ୟାଧର ମିଶ୍ରଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱବିଦ୍ୟାଳୟ ପରିସରରେ ବାହ୍ୟ ହସ୍ତକ୍ଷେପ ଦିନକୁ ଦିନ ବଢ଼ିଚାଲିଥିଲା । ୧୯୭୮ରେ ସେ କିଛି ସପ୍ତାହ ଛୁଟିରେ ଗଲାବେଳେ ରାଜ୍ୟପାଳ ତଥା କୁଳାଧିପତି ମନ୍ମଥବାବୁଙ୍କୁ ଆସ୍ଥାୟୀ କୁଳପତିଭାବେ କାର୍ଯ୍ୟ କରିବାକୁ ଆଦେଶ ଦେଲେ । ବିଦ୍ୟାଧର ମିଶ୍ର ପ୍ରଥମ ତିନିବର୍ଷ କୁଳପତିତ୍ତ୍ୱ ପରେ ଦ୍ୱିତୀୟଦଫା କୁଳପତି ହେବେନାହିଁ ବୋଲି ରାଜ୍ୟପାଳଙ୍କୁ ଲେଖିଲେ । ତାଙ୍କ ପରେ ଡ. ମହେନ୍ଦ୍ର କୁମାର ରାଉତ ୧୯୮୦ ରୁ ୧୯୮୩ ଯାଏ କୁଳପତି ରହିଲେ । ସେ ଜଣେ ସୁଦକ୍ଷ ଓ କର୍ମନିଷ୍ଠ ପ୍ରଶାସକ ହେଲେ ମଧ୍ୟ ତାଙ୍କ ସମୟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ରାଜନୀତିର ଅକ୍ଟୋପାସ ଭିତରେ କବଳିତ ଥିଲା । ୧୯୮୩ ଜୁନ୍‌ ୧୩ ତାରିଖରେ ସେଇଦିନ ଅପରାହ୍ନ ୫ ଟାରେ ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ ମନ୍ମଥବାବୁଙ୍କ ପାଖକୁ ରାଜଭବନରୁ ଖବର ଆସିଲା । ସାକ୍ଷାତ ବେଳେ ରାଜ୍ୟପାଳ ସି.ଏମ୍‌.ପୁନାଚା ତାଙ୍କୁ ଜଣାଇଲେ, ‘‘ଆପଣଙ୍କୁ କୁଳପତି ପଦ ଦେବଲାଗି ମୁଁ ନିଷ୍ପତ୍ତି ନେଇସାରିଛି । ମୁଖ୍ୟମନ୍ତ୍ରୀ ମୋ ସହିତ ଏକମତ । ଆପଣଙ୍କ ସମ୍ମତି ପାଇଲେ ମନୋନୟନ କମିଟିକୁ ମୋ ଇଚ୍ଛା ଜଣାଇ ଦେବି ।” ଅପ୍ରସ୍ତୁତ ଭାବେ ମନ୍ମଥବାବୁ ତାଙ୍କ କାର୍ଯ୍ୟକାଳ ଆହୁରି ତିନିବର୍ଷ ବାକି ଥିବା, ବିଦେଶକୁ ଦୁଇଟି ନିୟନ୍ତ୍ରଣ ପାଇଥିବା ଓ କଂଗ୍ରେସ ଶତବାର୍ଷିକୀ ଇତିହାସ ଲେଖିବାଲାଗି ପ୍ରଧାନମନ୍ତ୍ରୀଙ୍କ ଆଦେଶ ଆସିବାର ସମ୍ଭାବନା ଥିବା ପ୍ରସଙ୍ଗ ଜଣାଇଥିଲେ । ମାତ୍ର ପୁନାଚା ଅଗଷ୍ଟ ମାସରେ ରାଜ୍ୟପାଳ ପଦବୀରୁ ଅବସର ନେବା ପୂର୍ବରୁ ବିଶ୍ୱବିଦ୍ୟାଳୟର ସ୍ୱାର୍ଥଦୃଷ୍ଟିରୁ ତାଙ୍କୁ ନିଯୁକ୍ତି ପତ୍ର ଦେଇଯିବେ ବୋଲି କହିଥିଲେ । କୁଳପତି ଆସନ କଣ୍ଟକାକୀର୍ଣ୍ଣ ଜାଣି ମଧ୍ୟ ସେ ମୋହ ଏଡ଼ାଇନପାରି ନିରବ ରହିଥିଲେ । ୧୯୮୩ ଅଗଷ୍ଟ ୩ ତାରିଖ ଦିନ ଯେଉଁ ମନୋନୟନ କମିଟି ବସିଲା, ଆଇନ ଅନୁସାରେ ତିନିଜଣ ବ୍ୟକ୍ତିଙ୍କ ନାମ ସୁପାରିସ କରାଯାଇଥିଲା । ସେଥିମଧ୍ୟରୁ ରାଜ୍ୟପାଳ ସ୍ଵାଭାବିକ ଭାବେ ତାଙ୍କ ନାମଟି ବାଛିଥିଲେ । ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ବିଦାୟୀ କୁଳପତିଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୩ ତାରିଖରେ ଶେଷ ହେଲା ପରେ ଯାଇ ସେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାଇଦେଲେ । ତାଙ୍କ ଅନୁରୋଧ ଅନୁସାରେ କୁଳପତି ଡ. ରାଉତ ଛୁଟି ନ ନେଇ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ ।

 

ନାମ ଘୋଷଣା ପରେ ଅସଂଖ୍ୟ ସଂବର୍ଦ୍ଧନାସୂଚକ ପତ୍ର ପାଇ ତାଙ୍କର ଆଶଙ୍କା ବଢ଼ିଯାଇଥିଲା । କବିବର ରାଧାନାଥ ରାୟଙ୍କ ଧାଡ଼ିଟି ମନେପଡ଼ିଥିଲା, ‘‘ଭୟ ଏତେଦିନେ ପଶିଲା, ଭୟଶୂନ୍ୟ ହୃଦୟେ !’’ ଜଣେ ବୟୋବୃଦ୍ଧ ବିଜ୍ଞବ୍ୟକ୍ତି ତାଙ୍କୁ ଦୁଇଟି ଧାଡ଼ି ଲେଖିଥିଲେ, ‘‘ସବୁଜ ପଡ଼ିଆରେ ଚାଲିଲାବେଳେ ଭାବିବ ନାହିଁ ଯେ ଘାସତଳେ ସାପ ନାହିଁ । ନଦୀ ତୀରରେ ବସି ଶାନ୍ତ ସଲିଳ ପଥେ ତନ୍ମୟ ଚିତ୍ତରେ ଚାହିଁଲା ବେଳେ ଭାବିବ ନାହିଁ ଯେ ଜଳ ତଳେ କୁମ୍ଭୀର ନାହିଁ ।’’ ଦିନେ ରାଜଭବନରେ ରାଜ୍ୟପାଳ ପୁନାଚାଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କଳେବଳେ କୌଶଳେ ଯେକୌଣସି ଉପାୟରେ ଛାତ୍ରମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟାକଲେ ନିଜେ ବିପଦରେ ପଡ଼ିବେ ବୋଲି ଚେତାବନୀ ଶୁଣାଇଥିଲେ । ନାମ ଘୋଷଣା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ଲାଗି କଟକସ୍ଥିତ ‘ଦି ଇଉନିଭର୍ସ’ ଠାରେ ଗିରିଜାଭୂଷଣ ପଟ୍ଟନାୟକ ଏକ ମିଟିଂ ଆଯୋଜନ କଲେ । ତାଙ୍କର ପୂଜ୍ୟଗୁରୁ ସଦାଶିବ ମିଶ୍ର ଓ ଓଡ଼ିଶାର ବର୍ଷୀୟାନ୍‌ ଜନନେତା ତଥା ‘ସମାଜ’ ସମ୍ପାଦକ ଡ. ରାଧାନାଥ ରଥ ଇତ୍ୟାଦିଙ୍କ ହାତରେ ସୁଦୃଶ୍ୟ ଫୁଲତୋଡ଼ା ଦେଖି ତାଙ୍କ ମନରେ ଆତଙ୍କ ଖେଳିଯାଇଥିଲା । ସମ୍ବର୍ଦ୍ଧନାର ଉତ୍ତରରେ ମନ୍ମଥବାବୁ ଭାରତୀୟ କୁ‌ଳପତିମାନଙ୍କ ଦୁର୍ଦ୍ଦଶା ବର୍ଣ୍ଣନା ପୂର୍ବକ ରାଜସ୍ଥାନ ବିଶ୍ୱବିଦ୍ୟାଳୟର କୁଳପତି ଭି.ଜନ୍‌ଙ୍କ ଉକ୍ତିଟିଏ ଉଦ୍ଧାର କରି ଛାତ୍ରନେତାଙ୍କ କାର୍ଯ୍ୟକଳାପ ଆଗରେ କୁଳପତି କେତେ ଅସହାୟ ତାହା ପ୍ରକାଶ କରିଥିଲେ । ସେପ୍ଟେମ୍ବର ୧୩ ତାରିଖ ସନ୍ଧ୍ୟାରେ ଇତିହାସ ବିଭାଗର ଛାତ୍ରମାନେ ବିଦାୟୀ କୁଳପତିଙ୍କୁ ନୈଶ ଭୋଜିରେ ଆପ୍ୟାୟିତ କରିବା ଅବସରରେ ଡ. ରାଉତଙ୍କର ତାଙ୍କ ପ୍ରତି ଶେଷ ଉପଦେଶ ଥଲା, ‘‘ଥରେ ସେ ଆସନରେ ବସିଲା ପରେ, ଆପଣଙ୍କର ନିଜର ବୋଲି କେହି ନ ଥିବେ ।’’ ତହିଁ ପରଦିନ ପୂର୍ବାହ୍ନରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

 

ତାଙ୍କ କୁଳପତିତ୍ତ୍ୱ ବେଳେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଅଯଥା ହସ୍ତକ୍ଷେପ, ଅଯୌକ୍ତିକ ଅନୁରୋଧ, ରାଜନୀତିକ ଚାପ, ଗୋଷ୍ଠୀ କନ୍ଦଳ, ଛାତ୍ର ଓ କର୍ମଚାରୀମାନଙ୍କର ନାନା ପ୍ରକାର ଅସୁବିଧା, କ୍ରମବର୍ଦ୍ଧମାନ କଲେଜ ସଂଖ୍ୟା ଦୃଷ୍ଟିରୁ ପରୀକ୍ଷା ପରିଚାଳନା ଇତ୍ୟାଦି ନାନାବିଧ ସମସ୍ୟା ମଧ୍ୟରେ ବିଶ୍ଵବିଦ୍ୟାଳୟର ପ୍ରକୃତ ଉନ୍ନତି ସାଧନ ନିମନ୍ତେ ଚିନ୍ତା କରିବା ପାଇଁ ସେ ସମୟ ପାଇଲେ ନାହିଁ । ତଥାପି କିଛି ନା କିଛି କରିବା ଲାଗି ସଂକଳ୍ପ ନେଲେ । ସେଥିମଧ୍ୟରୁ ନୂତନ ପଦ ସୃଷ୍ଟି ଓ ପ୍ରତିଭା ପଦୋନ୍ନତି ପ୍ରଥା ପ୍ରଚଳନ ଉଦ୍ୟମ ଅନ୍ୟତମ ଥିଲା । ପୂର୍ବବର୍ତ୍ତୀ କୂଳପତିମାନଙ୍କ ସମୟରେ ଅନୁଧ୍ୟାନକାରୀ ଦଳ ଆସିଥିଲେ ମଧ୍ୟ କମିଶନ କାଣ୍ଟ୍‌ଛାଣ୍ଟ୍‌ କରି ଅଳ୍ପ କେତୋଟି ପ୍ରଫେସର ଓ ଅନ୍ୟ ପୋଷ୍ଟ ମଞ୍ଜୁର କରିଥିଲେ । ସେ କୁଳପତି ହେବାର କିଛିମାସ ପୂର୍ବରୁ ମଞ୍ଜୁରୀ କମିଶନର ଅନୁଧ୍ୟାନକାରୀ ଦଳରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟକୁ ଯାଇଥିବା ଅବସରରେ ସେଠାକାର କୁଳପତି ଦୃଢ଼ଭାବରେ ନିଜର ଯୁକ୍ତିଯୁକ୍ତ ଦାବି କମିଶନ ସମ୍ମୁଖରେ ଉପସ୍ଥାପନ କରି କିପରି ତାହା ହାସଲ କରିଥିଲେ ସେ ପ୍ରତ୍ୟକ୍ଷ କରିଥିଲେ । କୁଳପତି ହେଲାପରେ ସେହି କଥା ସ୍ମରଣ କରି ମଞ୍ଜୁରୀ କମିଶନର ଅଧ୍ୟକ୍ଷ ମାଧୁରୀ ଶାହାଙ୍କ ସାମ୍ନାରେ ଅଧିକ ସଂଖ୍ୟକ ପ୍ରଫେସର, ରିଡ଼ର ଓ ଲେକ୍‌ଚରର୍‌ ପୋଷ୍ଟ ପାଇଁ ଦୃଢ଼ତାର ସହ ଦାବି ଉପସ୍ଥାପନ କରିଥିଲେ । ଆଶ୍ଚର୍ଯ୍ୟର ବିଷୟ ସେ ଫେରିବା ପରେ ପରେ ତାଙ୍କ ଦାବି ମୁତାବକ ସବୁ ପୋଷ୍ଟ ପାଇଁ ମଞ୍ଜୁରୀ ଆସିଯାଇଥିଲା ।

 

ଭାରତର ଅଧିକାଂଶ ପ୍ରମୁଖ ବିଶ୍ଵବିଦ୍ୟାଳୟରେ ମେରିଟ୍‌ ପ୍ରମୋସନ ବା ପ୍ରତିଭା-ପଦୋନ୍ନତି ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ଓଡ଼ିଶା ସରକାର ତାହା ଗ୍ରହଣ କରିନଥିଲେ । ଦାବିପତ୍ରଟିଏ ସହ ସେ ରାଜଭବନରେ ପହଞ୍ଚି ତତ୍କାଳୀନ ରାଜ୍ୟପାଳ ବି. ଏନ୍‌. ପାଣ୍ଡେଙ୍କୁ ତାହା ପ୍ରଦାନ କରି ତାଙ୍କ ଦାବିର ଯଥାର୍ଥତା ସମ୍ପର୍କରେ ବୁଝାଇଥିଲେ । ରାଜ୍ୟପାଳ ତତ୍‌କ୍ଷଣାତ୍‌ ତାଙ୍କ ସଚିବଙ୍କୁ ଡାକି ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ଓ ଶିକ୍ଷା ସଚିବଙ୍କର ବୈଠକ ଡକାଇବାକୁ ଆଦେଶ ଦେଇଥିଲେ । ମାତ୍ର ସପ୍ତାହକ ମଧ୍ୟରେ ପଦୋନ୍ନତି ପ୍ରଥା ପ୍ରଚଳନ କରିବାକୁ ସରକାର ସମ୍ମତି ଦେଇଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ୧୯୮୪ ଆରମ୍ଭରେ ଅଧ୍ୟାପକମାନଙ୍କୁ ନବବର୍ଷର ଉପହାର ସ୍ଵରୂପ ଅନେକଗୁଡ଼ିଏ ୟୁ.ଜି.ସି ପୋଷ୍ଟ ଓ ଓଡ଼ିଶା ସରକାରଙ୍କ ମେରିଟ୍‌ ପୋଷ୍ଟଗୁଡ଼ିକ ପ୍ରଦାନ କରାଯାଇଥିଲା । ମାତ୍ର ପ୍ରତ୍ୟେକ ପୋଷ୍ଟ ପାଇଁ ଏକାଧିକ ବ୍ୟକ୍ତି ଆଶାୟୀ ଥିବାରୁ ରାଜନୀତିକ ଚାପ, ବ୍ୟକ୍ତିଗତ ପ୍ରଭାବ, ନାନା ପ୍ରକାର କୌଶଳ ଓ ମାଲିମକଦ୍ଦମାର ଧମକ ଚମକ ମଧ୍ୟରେ ସେ ବିବ୍ରତ ହୋଇ ପଡ଼ିଥିଲେ । ପୋଷ୍ଟଗୁଡ଼ିକ ପୂରଣ ହେଲାବେଳକୁ କେତେକ ଶତ୍ରୁ ହେଲେ ଓ ଅନେକ ନିନ୍ଦା କଲେ । କେହିକେହି ଅଦାଲତରେ ଆଶ୍ରୟ ନେଇଥିଲେ । ସେପଟେ ବିଶ୍ଵବିଦ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିଲା ଯେ ସେ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନେଉନାହାନ୍ତି । ତଥାପି ସଚିବାଳୟ ଓ ରାଜ୍ୟପାଳଙ୍କ ଅଫିସରେ ସଚିବ ଓ ଅମଲାମାନଙ୍କ ପାଖକୁ ବାରମ୍ବାର ଦୌଡ଼ାଦୌଡ଼ି କରି ଷାଠିଏଟି କିରାଣୀ ପୋଷ୍ଟ ମଞ୍ଜୁର କରାଇ ଆଣିଥିଲେ । ଏ କ୍ଷେତ୍ରରେ ବି ପୋଷ୍ଟ ପୂରଣବେଳେ ଧରାଧରି, ବାହାରଲୋକଙ୍କ ଚାପ ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅସନ୍ତୋଷକୁ ତାଙ୍କୁ ସାମ୍ନା କରିବାକୁ ପଡ଼ିଥିଲା । ଛାତ୍ରମାନଙ୍କ ଦାବିଯୋଗୁଁ ୟୁ.ଜି.ସିକୁ ଲେଖାଲେଖି କରି ସେ ଦୁଇଟି ଛାତ୍ରାବାସ ମଞ୍ଜୁର କରାଇଥିଲେ । ପୁଣି କୋଡ଼ିଏ ବର୍ଷ ଆଗର କୋଠାବାଡ଼ି ଓ କ୍ଵାର୍ଟର୍ସ ଭଷ୍ମ ଅବସ୍ଥାରେ ପହଞ୍ଚିଥିଲେ ବି ମରାମତି ଲାଗି ଟଙ୍କା ନ ଥାଏ । ଅନୁଦାନ ବୃଦ୍ଧି ପାଇଁ ସେ ଲେଖାଲେଖି ଓ କାକୁତି ମିନତି ଆରମ୍ଭ କରିଥିଲେ, ଯାହାର ଫଳ କିନ୍ତୁ ମିଳିଥିଲା ତାଙ୍କ କାର୍ଯ୍ୟକାଳ ପରେ ।

 

କୁଳପତି ହେବାପୂର୍ବରୁ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟକୁ ଅତିଥି ହୋଇ ଭାଷଣ ଦେବାକୁ ଗଲାବେଳେ ଫୁଲମାଳ, ସାଦର ଅଭ୍ୟର୍ଥନା ଓ ସର୍ବୋତ୍ତମ ବିଶେଷଣ ଦ୍ଵାରା ତାଙ୍କୁ ସଂବର୍ଦ୍ଧନା ଦିଆ ଯାଉଥିଲା । ମାତ୍ର କୁଳପତିରୂପେ ଗଲାବେଳେ ପ୍ରଶଂସା ବଦଳରେ ସେ ପାଇଥିଲେ ଅଭିଯୋଗ ପତ୍ର । ଛାତ୍ରମାନଙ୍କ ବାର୍ଷିକ ଉତ୍ସବକୁ ଯାଇ ଅନୁଭବ କରିଥିଲେ ଯେ କୁଳପତିଙ୍କ ଭାଷଣ ପ୍ରତି କାହାରି ଆଗ୍ରହ ନ ଥାଏ କାରଣ ତାଙ୍କଠାରୁ ଶୁଣିବା ପରିବର୍ତ୍ତେ ତାଙ୍କୁ ଶୁଣାଇବା ଥାଏ ମୁଖ୍ୟ ଉଦ୍ଦେଶ୍ୟ । ଅଳ୍ପ କେତୋଟି ମାସ ମଧ୍ୟରେ ଉଚ୍ଚଶିକ୍ଷାର ସମସ୍ୟାଗୁଡ଼ିକୁ ସେ ଭଲଭାବେ ଜାଣି ଯାଇଥିଲେ । ୧୯୮୪ ଏପ୍ରିଲ୍‌ ୧୬ ତାରିଖ ଦିନ ନିର୍ଦ୍ଧାରିତ ହୋଇଥିବା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସର୍ବୋଚ୍ଚ ସମ୍ମାନ ପ୍ରଦାନଲାଗି ସର୍ବସମ୍ମତି କ୍ରମେ ପୂଜ୍ୟା ରମା ଦେବୀଙ୍କ ନାମ ସ୍ଥିରୀକୃତ ହୋଇଥିଲା । ଦିନେ ରାତିରେ ସସ୍ତ୍ରୀକ ଯାଇ କଟକରେ ତାଙ୍କୁ ଅନେକ ବୁଝାଇଲା ପରେ ଯାଇ ସେ ସର୍ବୋଚ୍ଚ ସମ୍ମାନସୂଚକ ଡିଗ୍ରୀ ଗ୍ରହଣ କରିବାକୁ ରାଜି ହୋଇଥିଲେ ଓ ସମାବର୍ତ୍ତନ ଉତ୍ସବରେ ତାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରି ମନ୍ମଥବାବୁ ନିଜକୁ ଗୌରବାନ୍ୱିତ ମନେ କରିଥିଲେ ।

 

୧୯୮୪ ମେ ୨୧ ରୁ ୨୩ ଯାଏ ତିନିଦିନ ଧରି ନୂଆଦିଲ୍ଲୀରେ ଭାରତୀୟ କୁଳପତିମାନଙ୍କର ସମ୍ମେଳନ ଅନୁଷ୍ଠିତ ହେଲା । ୨୧ ତାରିଖ ପୂର୍ବାହ୍ନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ମେଳନ ଉଦ୍‌ଘାଟନ କରି ଉଦ୍‌ବୋଧନ ଦେଇ ସାରିଲା ପରେ ଡକ୍ଟର ଦାସ ସଭାପତିତ୍ୱ କରୁଥିବା ମାଧୁରୀ ଶାହାଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଭାରତର ବୃହତ୍ତମ ବିଶ୍ୱବିଦ୍ୟାଳୟର କୁଳପତିଭାବେ ତାଙ୍କୁ ସର୍ବପ୍ରଥମେ ପ୍ରସ୍ତାବ ଆଗତ କରିବାକୁ ସୁଯୋଗ ଦେବାକୁ ଅନୁରୋଧ କରିଥିଲେ । ପ୍ରତିବାଦ ଧ୍ୱନିକୁ ପ୍ରତିହତ କରି ଦୃଢ଼ ସ୍ଵରରେ ସେ ଉତ୍ତର ଦେଇଥିଲେ, ‘‘ଯଦି ଅନ୍ୟ କୌଣସି କୁଳପତି କହି ପାରିବେ ଯେ ତାଙ୍କ ବିଶ୍ଵବିଦ୍ୟାଳୟ ପରିଚାଳନାରେ ୨୭୦ଟି ସ୍ଵୀକୃତି ପ୍ରାପ୍ତ ମହାବିଦ୍ୟାଳୟ ରହିଛି ତେବେ ମୁଁ ମୋର ଦାବି ପ୍ରତ୍ୟାହାର କରିନେବି ।’’ ମାଧୁରୀ ଶାହା ପ୍ରସ୍ତାବ ଆଗତ କରିବାକୁ ତାଙ୍କୁ ଅନୁମତି ଦେଲେ । ସେ ପ୍ରସ୍ତାବ ରଖିଥିଲେ ଯେ କେତୋଟି ରାଜ୍ୟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଥିଲାବେଳେ ଆଉ କେତେକ ରାଜ୍ୟରେ ତାହା ନ ଥିବାରୁ ପ୍ରମୁଖ ରାଜ୍ୟଗୁଡ଼ିକର ମୁଖ୍ୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଉ । କାରଣ ଉଚ୍ଚତର ଶିକ୍ଷା କ୍ଷେତ୍ରରେ ରାଜ୍ୟ ରାଜ୍ୟ ମଧ୍ୟରେ ତାରତମ୍ୟ ରହିବା ଶୋଭନୀୟ ନୁହେଁ । ଉତ୍କଳ ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ସଂଖ୍ୟାର ବିପୁଳତା ଦୃଷ୍ଟିରୁ ଶତାଧିକ ମହାବିଦ୍ୟାଳୟକୁ ନେଇ ଉତ୍ତର ଓଡ଼ିଶାରେ ଅନ୍ୟ ଏକ ବିଶ୍ଵବିଦ୍ୟାଳୟ ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ପ୍ରକାଶଯୋଗ୍ୟ ଯେ ପ୍ରଥମ ପ୍ରସ୍ତାବଟି ଏଯାବତ୍‌ କାର୍ଯ୍ୟକାରୀ ହୋଇ ନ ଥିଲା ବେଳେ ଦ୍ଵିତୀୟ ପ୍ରସ୍ତାବ ଅନୁଯାୟୀ ପରବର୍ତ୍ତୀ ସମୟରେ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ଓ ଫକୀରମୋହନ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଦ୍ୱିତୀୟ ଦିନ କ୍ୟାମ୍ପସ ସମସ୍ୟା ବିଷୟରେ ଆଲୋଚନା ବେଳେ କ୍ୟାମ୍ପସ୍‌ ମଧ୍ୟକୁ ପୁଲିସ ଫୋର୍ସ ପ୍ରବେଶ ବିପକ୍ଷରେ ସେ ଯୁକ୍ତି ବାଢ଼ିଥିଲେ, ଯଦିଓ ସଂଖ୍ୟାଧିକ କୂଳପତି ପୁଲିସ ଫୋର୍ସ ପ୍ରବେଶ ସପକ୍ଷରେ ମତଦେବାରୁ ତାହା ଗୃହୀତ ହୋଇଥିଲା । କୁଳପତି ପଦରେ ରହି କୌଣସି ନୂତନ କାର୍ଯ୍ୟ କରିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ବରଂ ସେହି ପଦଯୋଗୁଁ ଅନେକଙ୍କ ବିଷଦୃଷ୍ଟିରେ ପଡ଼ିବା ସାର ହେଲା ।

 

ସମ୍ବଲପୁରର ବୁର୍ଲାଠାରେ ସଂଘଟିତ ତଥାକଥିତ ଛାତ୍ର ସଂହାରରେ ଯେଉଁ ୧୩ ଜଣ ଛାତ୍ର କେନାଲ ଭିତରକୁ ଡେଇଁ ଶୋଚନୀୟ ଭାବେ ପ୍ରାଣ ହରାଇଥିଲେ ତା’ର ପ୍ରତିକ୍ରିୟାରେ ବିପକ୍ଷ ଦଳ ପ୍ରୋତ୍ସାହନରେ ୧୯୮୪ ମସିହା ସେପ୍ଟେମ୍ବର ୯ ତାରିଖ ଦିନ ଯେଉଁ ଅଦ୍ଭୂତପୂର୍ବ ଛାତ୍ର ଆନ୍ଦୋଳନ ସୃଷ୍ଟି ହୋଇଥିଲା । କେବଳ କୁଳପତି ଭାବେ ତାଙ୍କ ପ୍ରତ୍ୟୁତ୍ପନ୍ନମତିତା ଯୋଗୁଁ ନିଶ୍ଚିତ ଗୁଳିକାଣ୍ଡକୁ ଏଡ଼ାଯାଇ ପାରିଥିଲା ଓ ଆନ୍ଦୋଳନ ଶାନ୍ତ ହୋଇଥିଲା । ୧୯୮୫ ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଦିଲ୍ଲୀଠାରେ ଏସୀୟ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କୁଳପତିମାନଙ୍କ ସମ୍ମେଳନ ବସିଲା । ଏସିଆ ମହାଦେଶର ପ୍ରାୟ ସବୁ ଦେଶରୁ ମନୋନୀତ କୁଳପତିମାନଙ୍କ ସହ ଭାରତର ପ୍ରମୁଖ ବିଶ୍ଵବିଦ୍ୟାଳୟମାନଙ୍କର କୁଳପତିମାନଙ୍କୁ ସେଠାକୁ ନିମନ୍ତ୍ରଣ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ସେ ସ୍ଥାନ ପାଇଥିଲେ । ମଞ୍ଜୁରୀ କମିଶନ ଅଧ୍ୟକ୍ଷା ମାଧୁରୀ ଶାହା ସ୍ଵତନ୍ତ୍ରଭାବେ ତାଙ୍କୁ ପତ୍ର ଲେଖିଥିଲେ ଯେ ‘୧୭ ତାରିଖ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ କେ. ସି.ପନ୍ଥ ବ୍ୟକ୍ତିଗତ କଥାବର୍ତ୍ତା ଲାଗି ତାଙ୍କୁ ଭେଟିବାକୁ ଚାହାଁନ୍ତି ।’ ସାକ୍ଷାତରେ ଭାରତର ଉଚ୍ଚଶିକ୍ଷା ସମ୍ବନ୍ଧୀୟ ସମସ୍ୟାମାନ ଉପସ୍ଥାପନ କରିବାକୁ ଶିକ୍ଷାମନ୍ତ୍ରୀ ତାଙ୍କ ସମେତ ତିନି/ଚାରିଜଣଙ୍କୁ ପରାମର୍ଶ ଦେଇଥିଲେ । ସମ୍ମେଳନ ଶେଷ ହେଲାପରେ ମାଧୁରୀ ଶାହା ମନ୍ମଥବାବୁଙ୍କୁ ତାଙ୍କ ବାସଭବନକୁ ଡାକିନେଇ ଜବାହାର ଲାଲ ନେହେରୁଙ୍କ ସମ୍ପର୍କରେ ଉଚ୍ଚତର ଗବେଷଣା ନିମନ୍ତେ ଗୋଟିଏ ଜାତୀୟ ବୃତ୍ତି ୟୁ.ଜି.ସି. ପ୍ରଦାନ କରିବେ ଏବଂ ସେ ଯଦି ଇଚ୍ଛା କରନ୍ତି ତାଙ୍କୁ ତାହା ଦିଆଯିବ ବୋଲି ଜଣାଇଲେ । କୁଳପତି ପଦର ଗତାନୁଗତିକ ଅଶାନ୍ତ ପରିବେଶରୁ ତ୍ରାହି ପାଇବା ପାଇଁ ସେ ନେହେରୁ ଜାତୀୟ ବୃତ୍ତି ଗ୍ରହଣ କରିବେ ବୋଲି ସମ୍ମତି ଦେଇଥିଲେ । ସ୍ଵାଧୀନତା ସଂଗ୍ରାମ ଯୁଗରେ ଉତ୍ପତ୍ତି ଲାଭ କରିଥିବା ହିନ୍ଦୁ-ମୁସଲମାନ ରୀଜନୈତିକ ବିଭେଦ ବିଷୟରେ ତିନୋଟି ବକ୍ତୃତା ଦେବାଲାଗି କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟର ଆମନ୍ତ୍ରଣ କ୍ରମେ ୧୯୮୪ ମାର୍ଚ୍ଚ ମାସରେ ସେଠାକୁ ଯାତ୍ରା କରିଥିଲେ । କାଲିଫର୍ଣ୍ଣିଆରୁ ଜାପାନର ରାଜଧାନୀ ଟୋକିଓ ଯାତ୍ରାକରି ସେଠାରେ ତିନିଦିନ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବାର ସୁଯୋଗ ଲାଭ କରିଥିଲେ ।

 

୧୯୮୫ ମେ ମାସରେ ସେ କୁଳପତି ପଦରୁ ବିଦାୟ ନେଇଥିଲେ । ତାଙ୍କ ପରେ ଜଣକ ପରେ ଜଣେ ଚାରିଜଣ ବ୍ୟକ୍ତି ଅସ୍ଥାୟୀ କୁଳପତି ଭାବେ କାର୍ଯ୍ୟକଲାପରେ ସ୍ଥାୟୀ କୁଳପତି ନିର୍ବାଚନ କରିବାକୁ ମନୋନୟନ କମିଟି ବସିଥିଲା । କମିଟି ଯେଉଁ ତିନିଜଣକ ନାମ ସୁପାରିଶ କରିଥଲା ସେଥିରେ ତାଙ୍କ ନାମ ପ୍ରଥମ ସ୍ଥାନରେ ଥିଲା । କମିଟିର ଉଦ୍ଦେଶ୍ୟ ଥିଲା ରାଜ୍ୟପାଳ ତାଙ୍କୁ ନିଶ୍ଚୟ ବାଛିବେ । ମାତ୍ର ବାଲିଆପାଳ କ୍ଷେପଣାସ୍ତ୍ର ଘାଟୀ ସ୍ଥାପନ ବିରୋଧୀ ଆନ୍ଦୋଳନରେ ସେ ସାମିଲ ଥିବାରୁ ଓଡ଼ିଶା ସରକାର ଗଭୀର ଅସନ୍ତୁଷ୍ଟ ଥିଲେ । ତେଣୁ ସ୍ଵାଭାବିକ ଭାବେ ରାଜ୍ୟପାଳ ତାଙ୍କ ନାମ ସୁପାରିଶ କରି ନ ଥିଲେ । ଦ୍ୱିତୀୟଥର ଲାଗି କୁଳପତି ନ ହୋଇ ସେ ଆନନ୍ଦିତ ହୋଇଥିଲେ । ମାତ୍ର କିଛିମାସ ପରେ ସରକାର ବିଶ୍ଵବିଦ୍ୟାଳୟର ସ୍ଵାତନ୍ତ୍ର୍ୟ ଲୋପ କରି ମହମ୍ମଦ ହବିବ୍‌ ନାମକ ଜଣେ ପ୍ରଶାସକ ଓ ଓଡ଼ିଶା ବାହାରର ଲୋକଙ୍କୁ ସେହି ପଦବୀରେ ନିଯୁକ୍ତି ଦେବାରୁ ମନ୍ମଥବାବୁ ଦୁଃଖିତ ହୋଇଥିଲେ । ପ୍ରାଚୀନ କଳିଙ୍ଗର ଦକ୍ଷିଣ-ପୂର୍ବ-ଏସିଆ, ବିଶେଷତଃ ବର୍ମା ଓ ଜାଭା ସହ ସମ୍ପର୍କ ବିଷୟରେ ଉଚ୍ଚତର ଗବେଷଣା ନିମନ୍ତେ ସେ ସ୍ଵପ୍ନ ଦେଖୁଥିଲେ । ସେ କୁଳପତି ଥିଲାବେଳେ ତତ୍କାଳନୀ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଯୋଗରେ ୧୯୮୭ ମସିହାରେ ଓଡ଼ିଶା ସରକାରଙ୍କ ଦ୍ଵାରା ‘‘Orissan Institute of Maritime & South-East-Asian-Studies’’ ସ୍ଥାପନରେ ତାଙ୍କର ବଳିଷ୍ଠ ଭୂମିକା ଥିଲା । ଫଳରେ ପରବର୍ତ୍ତୀ ସମୟରେ କଳିଙ୍ଗର ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳ ସହ ପ୍ରାଚୀନ ନୌବାଣିଜ୍ୟ ଏବଂ ଭାବଗତ ସୁସମ୍ପର୍କ ସମ୍ବନ୍ଧରେ ଅନେକ ତଥ୍ୟ ଲୋକଲୋଚନକୁ ଆସି ପାରିଥିଲା ।

 

***

 

ବିଦେଶ ଭ୍ରମଣ

 

ଐତିହାସିକ ଗବେଷଣା ଓ ତାଙ୍କ ଚିନ୍ତା ଚେତନାର ବିଚରଣ ପାଇଁ ସେ ବହୁବାର ବିଦେଶ ଗସ୍ତରେ ଯାଇଥିଲେ । ଇଂଲଣ୍ଡ, ଆମେରିକା, ସୋଭିଏତ୍‌-ରୁଷିଆ, ବାଂଲାଦେଶ, କାନାଡ଼ା, ହଙ୍ଗେରୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜର୍ମାନୀ, ଜୋର୍ଡାନ୍‌, ଇସ୍ରାଏଲ୍, ଦୁବାଇ, ଶ୍ରୀଲଙ୍କା, ପ୍ୟାରିସ ଆଦି ବହୁ ଦେଶ ଓ ସ୍ଥାନ ଭ୍ରମଣ କରିବାର ସୌଭାଗ୍ୟ ସେ ଅର୍ଜନ କରିଥିଲେ । ସେ ସର୍ବାଧିକବାର ଇଂଲଣ୍ଡ ଗସ୍ତରେ ଯାଇଥିଲେ । ପ୍ରଥମ ବିଦେଶ ଭ୍ରମଣର ସୁଯୋଗ ତାଙ୍କୁ ମିଳିଥିଲା ଫକୀରମୋହନ କଲେଜରେ ଅଧ୍ୟାପନା କରୁଥିଲାବେଳେ, ଯାହା ଥିଲା ଖୁବ୍‌ ଆକସ୍ମିକ । ତାଙ୍କର ପ୍ରାକ୍ତନ ଅଧ୍ୟାପକ ଘନଶ୍ୟାମ ଦାସ ଫକୀରମୋହନ କଲେଜରେ ଅଧ୍ୟକ୍ଷ ଥିଲାବେଳେ ୨୦ ଜଣ ଛାତ୍ରଙ୍କୁ ମନୋନୀତ କରି ସେ ନିଜେ ଦକ୍ଷିଣ ଭାରତ ଭ୍ରମଣରେ ଯିବେ ବୋଲି ଠିକ୍‌ କରିଥିଲେ । ସେଥିପାଇଁ ଡି.ପି.ଆଇଙ୍କ ଅନୁମତି ନେବାଲାଗି ଦୁଇଦିନ ଆଗରୁ ସେ କଟକ ଗଲାବେଳେ ମନ୍ମଥବାବୁଙ୍କୁ ଆଦେଶ ଦେଇଗଲେ ଓ୍ୱାଲ୍‌ଟେୟାର ପର୍ଯ୍ୟନ୍ତ ସମସ୍ତଙ୍କ ଟିକଟ କାଟି ବାଲେଶ୍ୱରରୁ କଟକ ପର୍ଯ୍ୟନ୍ତ ନେଇଯିବା ପାଇଁ । ଛାତ୍ର ଦଳରେ ଅଧ୍ୟାପକ କୁଞ୍ଜବିହାରୀ ଦାଶ ମଧ୍ୟ ଯିବେ ଓ ଅଧ୍ୟକ୍ଷ ନିଜେ ପରିଚାଳକ ଭାବେ ଦଳର ନେତୃତ୍ୱ ନେବେ ବୋଲି ସ୍ଥିର ହୋଇଥିଲା । କଟକଠାରୁ ମନ୍ମଥବାବୁଙ୍କର ଫେରିଆସିବାର ଥିଲା । ୧୯୪୯ ମସିହା ଫେବୃଆରୀ ୧୭ ତାରିଖ ସନ୍ଧ୍ୟାରେ ୨୦ ଜଣ ଛାତ୍ର ଓ କୁଞ୍ଜବାବୁଙ୍କୁ ମାନ୍ଦ୍ରାଜ ମେଲ୍‌ରେ ବସାଇ କଟକ ଷ୍ଟେସନରେ ସେ ପହଞ୍ଚିଥିଲେ । ଶୀତଦିନିଆ ନିର୍ଜନ ପ୍ଲାଟଫର୍ମରେ ଅଧ୍ୟକ୍ଷଙ୍କ ବଦଳରେ ଅପେକ୍ଷା କରିଥିବା ତାଙ୍କ ଚପରାସୀ ଅଧ୍ୟକ୍ଷଙ୍କ ଆଦେଶନାମାଟି ତାଙ୍କୁ ଧରାଇ ଦେଇଥିଲେ । ଅଧ୍ୟକ୍ଷଭାବେ ଯିବା ପାଇଁ ତାଙ୍କୁ ଅନୁମତି ନ ମିଳିବାରୁ ଦଳପତି ଭାବେ ମନ୍ମଥବାବୁକୁ ଯିବା ଲାଗି ଆଦେଶ ଦିଆଯାଇଥିଲା । ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟ ଓ କୋଟ୍‌ଟି ଛଡ଼ା ସାଙ୍ଗରେ ଅନ୍ୟ କିଛି ପୋଷାକ ବା ବିଛଣାପତ୍ର ନ ଥିଲେ ମଧ୍ୟ ବାଧ୍ୟହୋଇ ସେ ଟ୍ରେନ୍‌ରେ ବସିଥିଲେ । ୱାଲ୍‌ଟେୟାର୍‌ରୁ ମାନ୍ଦ୍ରାଜ, ମାନ୍ଦ୍ରାଜ ଠାରୁ ମଦୁରାଇ ଏବଂ ମଦୁରାଇରେ ମୀନାକ୍ଷୀ ମନ୍ଦିର ପରିଦର୍ଶନ ପରେ ସେଠାରୁ ଦଳ ସହିତ ଯାଇଥିଲେ ରାମେଶ୍ଵରମ୍‌ । ସେଠାରୁ ବଙ୍ଗୋପସାଗର ଓ ଅନ୍ୟପଟେ ମାନ୍ନାର ଉପସାଗର ଦେଇ ଅଗଭୀର ପାକ୍‌ ପ୍ରଣାଳୀରେ ୨୨ କିଲୋମିଟର ପଥ ଜାହାଜରେ ଗଲାପରେ ପହଞ୍ଚିଥିଲେ ମାନ୍ନାର ନାମକ ଦ୍ୱୀପରେ । ସେଠାରୁ କଲମ୍ବୋ ଯାଇ ହାଇକମିଶନରଙ୍କ ସଚିବଙ୍କୁ ସାକ୍ଷାତକରି ଲଙ୍କା ଦର୍ଶନର ବ୍ୟବସ୍ଥା କରିଥିଲେ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶ୍ରୀଲଙ୍କାର ଅନେକ ସ୍ଥାନ ଭ୍ରମଣ କଲାପରେ କଲମ୍ବୋର ଆଦାମ ଶୃଙ୍ଗକୁ ଆୟାସସାଧ୍ୟ ଯାତ୍ରାପରେ ସେଠାରେ ମନୋମୁଗ୍ଧକର ବିରଳ ସୁର୍ଯ୍ୟୋଦୟର ଦୃଶ୍ୟ ସଂଦର୍ଶନ କରିଥିଲେ । ସେଠାରୁ ପ୍ରତ୍ୟାବର୍ତ୍ତନ ପରେ ପ୍ରାଚୀନ ଓ ମଧ୍ୟଯୁଗୀୟ ସିଂହଳ ସହିତ କଳିଙ୍ଗର ସମ୍ପର୍କ ବିଷୟରେ ପରବର୍ତ୍ତୀ ସମୟରେ ସନ୍ଦର୍ଭମାନ ଲେଖି ପ୍ରକାଶ କରିଥିଲେ । ୧୯୭୦ ମସିହାରେ ଅଷ୍ଟ୍ରେଲିଆର ରାଜଧାନୀ କାନ୍‌ବେରା ସହରରେ ଅନୁଷ୍ଠିତ ପ୍ରାଚ୍ୟବିଦ୍ୟାବିତ୍‌ ସମ୍ମେଳନରେ ସେହି ବିଷୟକ ସନ୍ଦର୍ଭ ପାଠ କରିବା ପାଇଁ ସେ ନିମନ୍ତ୍ରିତ ହୋଇଥିଲେ ।

 

ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ଅଧ୍ୟାପନା କରୁଥିଲାବେଳେ ଉଚ୍ଚତର ଡିଗ୍ରୀ ପାଇଁ ଗବେଷଣା କରିବା ନିମନ୍ତେ ବିଲାତ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିଲେ । ୧୯୫୪ ମସିହା ଡିସେମ୍ବର ୨୦ ତାରିଖ ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଜାହାଜରେ ୩ ସପ୍ତାହର ଜଳଯାତ୍ରା ପରେ ଲଣ୍ଡନ ସହରରେ ୧୯୫୫ ଜାନୁୟାରୀ ୧୦ ତାରିଖରେ ପହଞ୍ଚିଥିଲେ । ଲଣ୍ଡନରେ କ୍ଲିମେଣ୍ଟ ରିଚାର୍ଡ ଆଟ୍‌ଲୀ, ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ ଓ ଇଂଲଣ୍ଡର ରାଣୀଙ୍କୁ ଦେଖିବା କଥା ଭାବିଥିଲେ । ରାଣୀ ଜାତୀୟ ଉତ୍ସବମାନଙ୍କରେ ଅଂଶଗ୍ରହଣ କରୁଥିବାରୁ ତାଙ୍କୁ ଦେଖିବାରେ ଅସୁବିଧା ହୋଇନଥିଲେ ବି ଅନ୍ୟ ଦୁହିଁଙ୍କୁ ଦେଖିବାପାଇଁ ତାଙ୍କୁ କିଛି ଅଧ୍ୟବସାୟ କରିବାକୁ ପଡ଼ିଥିଲା । ଲଣ୍ଡନରେ ଥିଲାବେଳେ ଭାରତରୁ ଯାଇଥିବା ଜବାହରଲାଲ୍‌ ନେହେରୁ, ଆବୁଲ କାଲାମ ଆଜାଦ୍‌, କୃଷ୍ଣ ମେନନ୍‌ ଓ ଇନ୍ଦିରା ଗାନ୍ଧୀ ପ୍ରମୁଖଙ୍କୁ ଦେଖିଥିଲେ । ୧୯୮୫ ଜାନୁଆରୀରେ ଲଣ୍ଡନ ବିଶ୍ଵବିଦ୍ୟାଳୟରେ ଭର୍ତ୍ତିହେଲା ସମୟରେ ଚର୍ଚ୍ଚିଲ ଥିଲେ ପ୍ରଧାନମନ୍ତ୍ରୀ । ଦିନେ ମନ୍ମଥବାବୁ ଶୁଣିଲେ ସହରର କୌଣସି ଏକ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ତୈଳଚିତ୍ର ଉନ୍ମୋଚନ କରିବେ ଶ୍ରମିକ ଦଳର ନେତା ଆଟଲୀ । ୮୦ ବର୍ଷ ବୟସ୍କ ସମ୍ଭ୍ରାନ୍ତ ବଂଶୀୟ ଚର୍ଚ୍ଚିଲ ଏବଂ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିବା ଆଟ୍‌ଲୀଙ୍କୁ ସେହି ସଭାରେ ସେ ଦେଖିବାର ସୁଯୋଗ ପାଇଥିଲେ ଏବଂ ବ୍ରିଟିଶ ରାଜନୀତିର ବିଶେଷତ୍ୱ ମଧ୍ୟ ଅନୁଭବ କରିପାରିଥିଲେ । ରାଣୀ ଦ୍ୱିତୀୟ ଏଲିଜାବେଥ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଣ୍ଟୋନୀ ଏଡେନ୍‌ ଓ ତାଙ୍କର ବିଶିଷ୍ଟ ଅତିଥି ସୋଭିଏତ୍‌ ସଂଘର ଦୁଇ ତୁଙ୍ଗନେତା କୁଶ୍ଚେଭ୍‌ ଓ ବୁଲଗାନିନ୍‌ ପ୍ରମୁଖଙ୍କୁ ପ୍ରତ୍ୟକ୍ଷଭାବେ ଦେଖିବାର ଓ କେତେକଙ୍କ ସାନ୍ନିଧ୍ୟ ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । ବ୍ରିଟିଶ ମ୍ୟୁଜିୟମ୍‌, ଉଏଷ୍ଟମିନିଷ୍ଟର ଆବି, ପାର୍ଲ୍ୟାମେଣ୍ଟ ଭବନ, ଟ୍ରାଫଲଗାର ସ୍କୋୟାର ନିକଟରେ ଥିବା ଜାତୀୟ ଚିତ୍ରଶାଳା ଚାରିଙ୍ଗ କ୍ରସ୍‌, ଟାୱାର ଅଫ୍‌ ଲଣ୍ଡନ ଇତ୍ୟାଦି ଦର୍ଶନୀୟ ସ୍ଥାନମାନ ଭ୍ରମଣ କରିବାର ସୁଯୋଗ ସେ ପାଇଥିଲେ । ତାଙ୍କର ପି.ଏଚ୍‌ଡି ଗାଇଡ୍ ପ୍ରଫେସର ସିରିଲ ହେନରୀ ଫିଲିପ୍‌ସଙ୍କ ଜ୍ଞାନ ଓ ବ୍ୟକ୍ତିତ୍ୱ ମନ୍ମଥବାବୁଙ୍କୁ ମୁଗ୍ଧ କରିଥିଲା । ତାଙ୍କ ସହିତ ଜଡ଼ିତ ଏକ ଘଟଣା ତାଙ୍କୁ ଚକିତ କରିଦେଇଥିଲା । ଦିନେ ଫୁଟବଲ ଖେଳୁଥିଲାବେଳେ ଛାତିରେ ବଲ୍‌ ବାଜି ତାଙ୍କର ୧୫ ବର୍ଷ ବୟସର ଏକମାତ୍ର ପୁଅ ମୃତ୍ୟୁବରଣ କରିବାର ପରିଦନ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଜଣେ ସ୍ଥିତପ୍ରଜ୍ଞ ମଣିଷ ଭଳି ସେ କ୍ଲାସ୍‌କୁ ଆସିଥିଲେ । ତାଙ୍କର ଜୀବନଦର୍ଶନ ମନ୍ମଥବାବୁଙ୍କୁ ବିସ୍ମୟାଭିଭୂତ କରିଦେଇଥିଲା । ପ୍ରାକ୍ତନ ବଡ଼ଲାଟ ଲର୍ଡ ଡେଲ୍‌ହାଉସୀଙ୍କ ବାସଭବନ ଡେଲହାଉସୀ ଦୁର୍ଗରେ ସେ ତିନିଦିନ ଅବସ୍ଥାନ କରିଥିଲେ ଏବଂ ସେଠାରେ ବଡ଼ଲାଟ୍‌ଙ୍କ ଅଣନାତୁଣୀ ଡେଲି ଏତିଥ୍ ବ୍ରାଉନ୍‌ଙ୍କ ଆତିଥ୍ୟ ତାଙ୍କୁ ମୁଗ୍ଧ କରିଥିଲା । ୧୯୫୬ ଡିସେମ୍ବର ମାସ ମଧ୍ୟଭାଗରେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ପି.ଏଚ୍‌ଡି ଡିଗ୍ରୀ ହାସଲ କରି ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଲଣ୍ଡନରୁ ସ୍ୱଦେଶ ଫେରିଲାବେଳେ ଇଂଲଣ୍ଡରୁ ଗ୍ରୀସ୍‌, ଏଥେନ୍‌ସ୍‌ ନଗରୀ, ଲେବାନନ୍‌, କୁଏତ୍‌ ଦେଇ ପାରସ୍ୟ ଉପସାଗର ପଥରେ ଉଦ୍‌ବେଗକର ଯାତ୍ରାପରେ ସ୍ଵଦେଶରେ ପଦାର୍ପଣ କରିଥିଲେ । ଉପସାଗରରେ ଯାତ୍ରାବେଳେ ବୁଶେର, ଆଦ୍‌ଦମ୍ମାମ, ବାହାରିନ୍‌, ବନ୍ଦର ଆନ୍‌ବାସ, ମସ୍କାଟ, କରାଚୀ ପ୍ରଭୃତି ସ୍ଥାନଦେଇ ଆସିଲାବେଳେ ବହୁ ଚମତ୍କାର ଅନୁଭୂତି ସେ ସଂଗ୍ରହ କରିଥିଲେ । ସ୍ଵଗୃହରେ ପହଞ୍ଚିଲା ପରେ ପରିବାରରେ ଖୁସୀର ଲହରୀ ଖେଳି ଯାଇଥଲା ଏବଂ ତାଙ୍କ ସଂବର୍ଦ୍ଧନା ପାଇଁ କେତୋଟି ସଭା ମଧ୍ୟ ଆୟୋଜିତ ହୋଇଥିଲା । ପୁଣିଥରେ ସପରିବାର ୧୯୫୯ ଡିସେମ୍ବର ୧୯ ତାରିଖ ଦିନ ପ୍ରାଚ୍ୟବିଦ୍ୟା ବିଭାଗରେ ଉଚ୍ଚତର ଗବେଷଣା ନିମନ୍ତେ ଲଣ୍ଡନ ବିଶ୍ଵବିଦ୍ୟାଳୟର ନିମନ୍ତ୍ରଣକ୍ରମେ ସେ ଇଂଲଣ୍ଡ ଯାତ୍ରା କରିଥିଲେ । କଟକରୁ ଟ୍ରେନ୍‌ରେ କୋଚିନ୍‌, କୋଚିନ୍‌ ବନ୍ଦରରୁ ଜଳଜାହାଜରେ ସୁଏଜ୍‌ କେନାଲ ଭିତର ଦେଇ କାଇରୋ ସହରରେ ପହଞ୍ଚିଥିଲେ । ସେହି ଅବସରରେ ବିଶ୍ଵର ବିସ୍ମୟକର କୀର୍ତ୍ତି ସର୍ବବୃହତ୍‌ ପିରାମିଡ୍ ଗୀଜେ, ବିଶ୍ୱର ବୃହତ୍ତମ ମୂର୍ତ୍ତି ସ୍ପିଙ୍କ୍‌ସ କାଇରୋ ଯାଦୁଘର, କାଇରୋସ୍ଥିତ ମିଶରର ସର୍ବପ୍ରାଚୀନ ଗୀର୍ଜା, ମେହମ୍ମେଦ୍‌ ଅଲ୍ଲୀ ମସ୍‌ଜିଦ୍‌ ଇତ୍ୟାଦି ପରିଦର୍ଶନର ସୁଯୋଗ ପାଇଥିଲେ । ସିସିଲି ଦ୍ଵୀପର ମେସିନା ବନ୍ଦର, ଇଟଲୀର ନେପଲସ୍‌ ବନ୍ଦରରୁ ପମ୍ପେ ଓ ବିସୁଭିୟସ ଆଗ୍ନେୟଗିରି ଭ୍ରମଣସାରି ଜେନୋଆ ବନ୍ଦରରେ ପହଞ୍ଚିଥି‌ଲେ । ସେଠାରୁ ଟ୍ରେନ୍‌ଯୋଗେ ଫ୍ରାନ୍ସର ସମୁଦ୍ରକୂଳରେ ଅବସ୍ଥିତ ଡାନ୍‌କାର୍କ ଷ୍ଟେସନରେ ପହଞ୍ଚି ଇଂଲିଶ୍‌ ପ୍ରଣାଳୀ ଦେଇ ଷ୍ଟିମ୍‌ରରେ ଇଂଲଣ୍ଡ ଉପକୂଳରେ ଡୋଭାରଠାରେ ଓହ୍ଲାଇ ଜାନୁଆରୀ ୧୦ ତାରିଖ ଦିନ ସପରିବାର ପାଦ ଥାପିଥିଲେ ଲଣ୍ଡନ ସହରରେ । ଲଣ୍ଡନରେ ପରିବାର ସହ ଏକ ବର୍ଷ (୧୯୬୦ ମସିହା) ଅତିବାହିତ କରିବା ଅବସରରେ ସେ ହାସଲ କରିଥିବା ବହୁବର୍ଣ୍ଣା ଅଭିଜ୍ଞତା ମଧ୍ୟରୁ ମାଦାମ୍‌ ତୁଷାଦ୍‌ଙ୍କ ଯାଦୁଘର, ରାଜକୁମାରୀ ମାର୍ଗାରେଟଙ୍କ ବିବାହ ଉତ୍ସବ, ରୟାଲ ସୋସାଇଟିର ତ୍ରିଶତବାର୍ଷିକ ସମାରୋହରେ ଯୋଗଦାନ ଅବସରରେ ଅକ୍ସଫୋର୍ଡ, କ୍ୟାମ୍ବ୍ରିଜ ହାରଓ୍ୱେଲ ସ୍ଥିତ ଆଣବିକ ପରୀକ୍ଷା କେନ୍ଦ୍ର ଇତ୍ୟାଦି ସଂଦର୍ଶନର ଅନୁଭୂତି ତାଙ୍କ ପାଇଁ ନିଆରା ଥିଲା । ୧୯୬୧ ଜାନୁଆରୀ ପ୍ରଥମ ସପ୍ତାହରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ତାଙ୍କର କାର୍ଯ୍ୟକାଳ ଶେଷ ହେଲାପରେ ୬ ତାରିଖ ଦିନ ସକାଳେ ସ୍ଵଦେଶ ଅଭିମୁଖେ ସପରିବାର ଲଣ୍ଡନରୁ ଯାତ୍ରା ଆରମ୍ଭ କରିଥିଲେ ।

 

୧୯୬୨ ମସିହା ସେପ୍ଟେମ୍ବର ଚାରି ତାରିଖ ଦିନ ସୋଭିଏତ୍‌ ସଂଘର ମସ୍କୋ, ଲେନିନ୍‌ଗ୍ରାଡ୍‌ ଓ ତାସକେଣ୍ଟ ଭଳି ତିନୋଟି ବିଶ୍ୱବିଦ୍ୟାଳୟରେ ଭାରତ ଇତିହାସ ଉପରେ ଭାଷଣ ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗରୁ ଚିଠି ପାଇଥିଲେ । କଲିକତାରୁ ଟ୍ରେନ୍‌ରେ ଦିଲ୍ଲୀ ଯାଇ ସେଠାରୁ ବିମାନରେ ଯାତ୍ରା କଲାବେଳେ ହିମାଳୟ ଅତିକ୍ରମର ଅପାଶୋରା ଦୃଶ୍ୟ ପରେ ରୁଷ୍‌ର ତାସ୍‌କେଣ୍ଟ ସହରରେ ପହଞ୍ଚିଥିଲେ । ରୁଷିଆର ଦ୍ୱିତୀୟ ବୃହତ୍ତମ ନଗରୀ ଲେନିନ୍‌ଗ୍ରାଡ୍‌, ପିଟରପଲ୍‌ ଦୁର୍ଗ ଓ ଆଇଜାକ୍‌ ଗୀର୍ଜା, ରୁଷ୍‌ ସମ୍ରାଟମାନଙ୍କ ଶୀତ-ପ୍ରାସାଦ, ରୁଷ୍‌ ଯାଦୁଘର ବା ସଂଗ୍ରହାଳୟ, ଲେନିନ୍‌ଙ୍କ କୁଟୀର, ଲେନିନ୍‌ଗ୍ରାଡ୍‌ ବିଶ୍ଵବିଦ୍ୟାଳୟର ଐତିହାସିକ ସ୍ମୋଲ୍‌ନେ ନାମକ ଲେନିନ୍‌ଙ୍କ ପ୍ରକୋଷ୍ଠ ଲେନିନ୍‌ଗ୍ରାଡ୍‌ରେ ସେ ଦେଖିଥିବା ଦର୍ଶନୀୟ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ଲେନିନ୍‌ଗ୍ରାଡ୍‌ରୁ ଆକ୍ଟୋବର ୨୫ ମଧ୍ୟରାତ୍ରରେ ମସ୍କୋ ଯାତ୍ରାକରି ସେଠାରେ ରହଣି ସମୟରେ ମସ୍କୋ ବିଶ୍ଵବିଦ୍ୟାଳୟ, ଲେନିନଙ୍କ ସମାଧିସ୍ଥଳ, ପ୍ରହେଳିକାମୟ ତଥା ଭୟପ୍ରଦ ଶକ୍ତିସ୍ଥଳ ରୂପେ ପରିଚିତ ଷ୍ଟାଲିନ୍‌ ରହୁଥିବା ସ୍ଥାନ କ୍ରେମଲିନ, ଟଲ୍‌ଷ୍ଟୟ ମିଉଜିୟମ ଓ ରୁଷ ବିପ୍ଲବ ମିଉଜିୟମ୍‌, ଲେନିନ୍‌ ଲାଇବ୍ରେରୀ, ଜାର୍‌ତନ୍ତ୍ର ଯୁଗର ସମ୍ଭ୍ରାନ୍ତ ଶ୍ରେଣୀୟଙ୍କ ପ୍ରାସାଦ, ଲୋହିତ ଛକ, ଟ୍ରାଇଟ୍‌ସେ-ସାରଗିଭେସ୍ତାଇ ନାମକ ମଠ ଇତ୍ୟାଦି ସ୍ଥାନ ଭ୍ରମଣ କରିଥିଲେ । ନଭେମ୍ବର ୧୦ରେ ମସ୍କୋରୁ ବିଦାୟ ନେଇ ଭାରତ ଅଭିମୁଖେ ଯାତ୍ରାରମ୍ଭ କରିଥି‌ଲେ । ମସ୍କୋରେ ଥିଲାବେଳେ ନଭେମ୍ବର ୭ରେ ଲେନିନ୍‌ଙ୍କ ସମାଧି ମନ୍ଦିରରେ ଅନୁଷ୍ଠିତ ‘ବିପ୍ଳବ ଦିବସ’ର ଉତ୍ସବରେ ଯୋଗଦେବାର ଅନୁଭୂତି ତାଙ୍କ ପାଇଁ ସ୍ମରଣୀୟ ଥିଲା । ସେଠାରେ ସେ ନିକିତା କୃଶ୍ଚେଭ ଓ କମ୍ୟୁନିଷ୍ଟ ଦଳର ସର୍ବୋଚ୍ଚ ନେତୃବୃନ୍ଦଙ୍କୁ ଖୁବ୍‌ ନିକଟରୁ ଦେଖିବାର ସୁଯୋଗ ପାଇଥିଲେ ।

 

ପ୍ରାଚୀନ ଧର୍ମ, ଦର୍ଶନ, ସାହିତ୍ୟ, ସମାଜ, ସଂସ୍କୃତି, କଳା, ସ୍ଥାପତ୍ୟ ଓ ବାଣିଜ୍ୟିକ ସମ୍ପର୍କ ଇତ୍ୟାଦି ବିଷୟରେ ପୃଥିବୀର ଅଧିକାଂଶ ଦେଶର ବିଦ୍ୱାନ୍‌ ଓ ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ପାଇଁ ପ୍ରତ୍ୟେକ ଚାରିବର୍ଷରେ ଅନୁଷ୍ଠିତ ହେଉଥିବା ‘ବିଶ୍ଵ ପ୍ରାଚ୍ୟ ବିଦ୍ୟାବିତ୍‌ କଂଗ୍ରେସ’ ନାମକ ଆନ୍ତର୍ଜାତିକ ସମ୍ମେଳନରେ ଯୋଗଦେବା ପାଇଁ ସେ ଆଗ୍ରହୀ ହୋଇଥିଲେ । ୧୯୭୧ ଜାନୁଆରୀ ମାସରେ ଅଷ୍ଟ୍ରେଲିଆର ରାଜଧାନୀ କ୍ୟାନବେରା ସହରରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀ ପାଇଁ ‘ପ୍ରାଚୀନ କଳିଙ୍ଗ-ସିଂହଳ ସମ୍ପର୍କ’ ବିଷୟରେ ତଥ୍ୟଭିତ୍ତିକ ପ୍ରବନ୍ଧ ଲେଖି ତା’ର ସାରାଂଶ ପ୍ୟାରିସ ଅଫିସକୁ ପଠାଇଥିଲେ । ତାହା ଗୃହୀତ ହୋଇଛି ବୋଲି ଜାଣିଲା ପରେ କୁଳପତିଙ୍କ ଅନୁମତି ସହ ଅଷ୍ଟ୍ରେଲିଆ ଯାତ୍ରା ପାଇଁ ବିଭିନ୍ନ ଗୋଷ୍ଠୀସହ ଯୋଗାଯୋଗ ସ୍ଥାପନ କରିଥିଲେ । ପନ୍ଦରଜଣିଆ ବେସରକାରୀ ଦଳରେ ସାମିଲ ହୋଇ କଲିକତାସ୍ଥିତ ଏସିଆଟିକ୍‌ ସୋସାଇଟି ତରଫରୁ ଅରଚିଡ୍‌ କମ୍ପାନୀ ତତ୍ତ୍ଵାବଧାନରେ ବ୍ୟବସ୍ଥା ହୋଇଥିବା ବିମାନ ଯୋଗେ ସେ ଯାତ୍ରାରମ୍ଭ କରିଥିଲେ । ଜାନୁଆରୀ ଛଅ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଯୋଗଦେବା ପାଇଁ ସେ କଲିକତାରୁ ହଂକଂ, ହଂକଂରୁ ଫିଲିପାଇନ୍‌ସର ରାଜଧାନୀ ମାନିଲା, ମାନିଲାରୁ ଅଷ୍ଟ୍ରେଲିଆର ସିଡ୍‌ନୀ ଏବଂ ସିଡ୍‌ନୀରୁ ଯାଇ କ୍ୟାନ୍‌ବେରାରେ ପଦାର୍ପଣ କରିଥିଲେ । ଜାନୁଆରୀ ୬ ତାରିଖ ପୂର୍ବାହ୍‌ଣରେ ପୃଥିବୀର ବିଭିନ୍ନ ଦେଶରୁ ଆସିଥିବା ୧୩୨୦ ଜଣ ପ୍ରତିନିଧି କ୍ୟାନ୍‌ବେରାର ସର୍ବବୃହତ୍‌ ସଭାକକ୍ଷରେ ସମବେତ ହୋଇଥିଲେ । ସେହି ବିଦେଶ ଗସ୍ତ ସମୟରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲଙ୍କ ବାସଭବନରେ ଆୟୋଜିତ ଉଦ୍ୟାନ ଭୋଜି, କଙ୍ଗାରୁ ଦେଖା, ଲୋହିତ ପାହାଡ଼ର ଦୃଶ୍ୟ ଉପଭୋଗ, ଅଷ୍ଟ୍ରେଲିଆର ଆଦିମ ଜନଜାତିମାନଙ୍କ ସମ୍ବନ୍ଧରେ ପ୍ରସ୍ତୁତ ଚଳଚ୍ଚିତ୍ର ସଂଦର୍ଶନ ମନ୍ମଥବାବୁଙ୍କ ଭ୍ରମଣକାଳର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ଥିଲା । ୧୯୭୧ ମସିହା ଜାନୁଆରୀ ୧୩ ତାରିଖ ସକାଳେ କ୍ୟାନବେରା ବିମାନବନ୍ଦରରୁ ସିଡ୍‌ନୀ ଯାଇ ସେଠାରୁ କ୍ଵାଣ୍ଟାସ ଉଡ଼ାଜାହାଜରେ ସିଙ୍ଗାପୁର ଅଭିମୁଖେ ସେ ଯାତ୍ରାରମ୍ଭ କରିଥିଲେ । ସିଙ୍ଗାପୁରରୁ ବ୍ୟାଙ୍କକ୍‌ ଦେଇ କଲିକତା ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଉନବଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରେ ବଡ଼ଲାଟଙ୍କ ରହିବା ନିମନ୍ତେ ସିମଲା ପରେ ଯେଉଁ ସ୍ଵତନ୍ତ୍ର ନିବାସ ସୌଧ ‘ଭାଇସ୍‌ରୟ’ଙ୍କ ବାସସ୍ଥଳ’ ନିର୍ମିତ ହୋଇଥିଲା, ପରିବର୍ତ୍ତିତ ପରିସ୍ଥିତରେ ତାହା ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ପନ୍‌ଙ୍କ ଉଦ୍ୟମରେ ‘‘Indian Institute of advanced studies’’ ରେ ପରିଣତ ହୋଇଥିଲା । ଦେଶ ବିଦେଶର କେତେକ ଅଧ୍ୟାପକଙ୍କୁ ସେଠାରେ ସ୍ଵଳ୍ପ ବା ଦୀର୍ଘମିଆଦୀ ସୂତ୍ରରେ ବୃତ୍ତି ପ୍ରଦାନ ସହ ରହି ଉଚ୍ଚତର ଗବେଷଣା ନିମନ୍ତେ ନିଯୁକ୍ତ କରାଯାଇଥିଲା । ୧୯୭୧ ମସିହା ମାର୍ଚ୍ଚ ମାସରେ ମନ୍ମଥବାବୁଙ୍କୁ ଆମନ୍ତ୍ରଣ ଆସିଥିଲା- ଏପ୍ରିଲ ୧୫ ତାରିଖ ଦିନ ସେଠାରେ ଯୋଗ ଦେବାଲାଗି ଶୈଳନିବାସମାନଙ୍କର ରାଣୀ ସିମ୍‌ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆତ୍ମବିସ୍ମୃତ ମନ୍ମଥବାବୁ ନିର୍ଦ୍ଧାରିତ ସମୟରେ ସେଠାରେ ପହଞ୍ଚି ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ସେଠାରେ ଅବସ୍ଥାନବେଳେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ଓ ତାଙ୍କର ବାରିଷ୍ଟର ପତ୍ନୀ ମାୟା ରାୟ, ସୁଖ୍ୟାତ କଂଗ୍ରେସ ନେତା ବଦ୍‌ରୁଦ୍ଧିନ୍‌ ତୟାବ୍‌ଜୀଙ୍କ ରାଷ୍ଟ୍ରଦୂତ ଥିବା ପୌତ୍ର ସମନାମଧାରୀ ବଦ୍‌ରୁଦ୍ଧିନ୍‌ ତୟାବ୍‌ଜୀ, ଲବ୍ଧପ୍ରତିଷ୍ଠ ସାହିତ୍ୟିକ କୃଷ୍ଣ କୃପାଳିନୀ, ପ୍ରଖ୍ୟାତ ଲେଖକ ଖୁସୱନ୍ତ ସିଂହ, ଅଷ୍ଟେଲିଆର ସିଡ୍‌ନୀ ବିଶ୍ଵବିଦ୍ୟାଳୟରେ ବହୁବର୍ଷ ଅଧ୍ୟାପନା କରିଥିବା ଶିବନାରାୟଣ ରାୟ, ବିଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ ବଲ୍‌ରାଜ ସାହାନୀ ପ୍ରମୁଖଙ୍କ ସହ ସାକ୍ଷାତ ତାଙ୍କ ଘଟଣାବହୁଳ ଗସ୍ତକ୍ରମର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା । ସେ ସେଠାରେ ଅବସ୍ଥାନ କରୁଥିବା ସମୟରେ ୧୯୭୧ ଡିସେମ୍ବର ୩ ତାରିଖ ଦିନ ଭାରତ-ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ସେହି ଯୁଦ୍ଧ ଉପରେ ପୁସ୍ତକ ରଚନା ପାଇଁ ତାଙ୍କର ଆଗ୍ରହ କିନ୍ତୁ ଫଳପ୍ରସୂ ହୋଇ ପାରି ନ ଥିଲା । ସିମଲାରେ ସେ ‘Indian National Congress Vrs. The British’ ର ପ୍ରସ୍ତୁତି ପର୍ବ ସାରିଲାପରେ ନିଜ କର୍ମକ୍ଷେତ୍ରକୁ ଫେରି ଆସିଥିଲେ । ୧୯୭୨ ମସିହାରେ ଭାରତ-ପାକ୍‌ ଯୁଦ୍ଧରେ ପାକିସ୍ଥାନର ଶୋଚନୀୟ ପରାଜୟ ଘଟିଥିଲା । ୧୯୭୩ ମସିହା ପ୍ରାରମ୍ଭରେ ‘ବାଂଲାଦେଶ ଇତିହାସ ପରିଷଦ’ ପକ୍ଷରୁ ସେ ଦେଶକୁ ଯିବାଲାଗି ସେ ଆମନ୍ତ୍ରଣ ପାଇଥିଲେ । ୧୯୭୩ ମେ ୧୨ ତାରିଖରୁ ୧୫ ତାରିଖ ଯାଏଁ ଇତିହାସ ପରିଷଦର କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଥିଲା । ସେହି କାର୍ଯ୍ୟକ୍ରମ ଅନୁଯାୟୀ ଇତିହାସ ପରିଷଦ ଅଧିବେଶନରେ ଯୋଗଦେଇ ମେ ୧୫ ତାରିଖ ଦିନ ସ୍ଵଦେଶ ଅଭିମୁଖେ ସେ ଢାକାରୁ ବିଦାୟ ନେଇଥିଲେ ।

 

ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଷୟରେ ତାଙ୍କ ଗବେଷଣା ଦୃଷ୍ଟିରୁ ୧୯୭୫ ମସିହା ଶେଷଭାଗରେ ଇଂଲଣ୍ଡରୁ ତଥ୍ୟ ସଂଗ୍ରହ ପାଇଁ ବ୍ରିଟିଶ କାଉନ୍‌ସିଲ ତାଙ୍କୁ ନିମନ୍ତ୍ରଣ ଜଣାଇଥିଲା । ୧୯୭୬ ମସିହା ଜାନୁଆରୀ ୧୩ ତାରିଖରେ ବିମାନ ଯୋଗେ କଲିକତାରୁ ବମ୍ବେଯାଇ ସେଠାରୁ ରୋମ ଯାତ୍ରା କରିଥିଲେ । ରୋମ୍‌ ନଗରୀର ଗୋଟିଏ ଦିନ ସେ ଭ୍ରମଣ କଲାପରେ ୧୫ ତାରିଖ ପ୍ରାତଃ କାଳରେ ବିମାନରେ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲେ । ତାଙ୍କର ତିନିମାସିଆ ଗସ୍ତକ୍ରମଟିରେ ଲଣ୍ଡନ, ଅକ୍ସଫୋର୍ଡ, କ୍ରେମ୍ବିଜ ଓ ଏଡ଼ିନ୍‌ବରାର ଅଭିଲେଖାଗାରରେ ତଥ୍ୟ ସଂଗ୍ରହ ଓ ସେଠାକାର ଅଧ୍ୟାପକମାନଙ୍କ ସହ ଆଲୋଚନାର କାର୍ଯ୍ୟକ୍ରମ ରହିଥିଲା । ସେହି ଅବସରରେ ଭାରତର ଶେଷ ଭାଇସ୍‌ରୟ ଲର୍ଡ ଲୁଇ ମାଉଣ୍ଟବ୍ୟାଟେନ୍‌ଙ୍କୁ ସାକ୍ଷାତ କରିବାକୁ ସେ ପ୍ରଚେଷ୍ଟା କରିଥିଲେ । ୨୦ ବର୍ଷ ପୂର୍ବରୁ ଲଣ୍ଡନ ବିଶ୍ଵବିଦ୍ୟାଳୟରେ ପି.ଏଚ୍‌ଡି କରୁଥିଲାବେଳେ ତାଙ୍କର ଗାଇଡ୍‌ ଥିବା ଅଧ୍ୟାପକ ସିରିଲ ହେନେରୀ ଫିଲିପ୍‌ସ ସେତେବେଳକୁ ସେହି ବିଶ୍ଵବିଦ୍ୟାଳୟର କୁଳପତି ଥିଲେ ଯାହାଙ୍କର ସାନ୍ନିଧ୍ୟରେ ସେ ମୁଗ୍ଧ ହୋଇଥିଲେ । ମାଉଣ୍ଟବ୍ୟାଟନ୍‌ଙ୍କ ସହ ସାକ୍ଷାତର ସ୍ଵପ୍ନ ସାକାର ହୋଇଥିଲେ ମଧ୍ୟ ତାଙ୍କର ଅସହଯୋଗ ଓ ଅନାଗ୍ରହ ଯୋଗୁଁ ତଥ୍ୟ ସଂଗ୍ରହ ଯୋଜନା ବିଶେଷ ଅଗ୍ରଗତି କରିପାରି ନ ଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କର କନ୍ୟା ପ୍ୟାଟ୍ରିସିଆ ଓ ଜାମାତା ଲର୍ଡ ବ୍ରାବୋର୍ଣ୍ଣଙ୍କ ସ୍ଵତନ୍ତ୍ର ଅନୁମତିକ୍ରମେ ବଡ଼ଲାଟଙ୍କ ଦେହାବସାନ ପରେ ତାଙ୍କର ବ୍ୟକ୍ତିଗତ ପ୍ରାୟ ୨୬୦ଟି ନଥି ସେ ପାଠ କରିବାର ସୁଯୋଗ ପାଇଥିଲେ । ସେହି ଗସ୍ତ ସମୟରେ ଏଡିନ୍‌ବରା ପ୍ରଭୃତି ସ୍ଥାନକୁ ଯିବା ସହ ହାଉସ୍‌ ଅଫ୍‌ କମନ୍‌ସର ତିନିଜଣ ସଦସ୍ୟଙ୍କ ସହ ସାକ୍ଷାତ, ହାଇଡେଲବର୍ଗ ବିଶ୍ୱବିଦ୍ୟାଳୟର ସ୍ଵତନ୍ତ୍ର ନିମନ୍ତ୍ରଣ କ୍ରମେ ଭାରତ ପ୍ରତ୍ୟାବର୍ତ୍ତନ ପଥରେ ସେଠାକାର ନବସ୍ଥାପିତ ଦକ୍ଷିଣ ଏସିଆ ବିଭାଗରେ ଭାଷଣ ପ୍ରଦାନ, ସେଠାକାର ମୁଖ୍ୟ ଅଧ୍ୟାପକ ଡକ୍ଟର ରୋଥରମନ୍‌ ଓ ଅଧ୍ୟାପକ ହାର୍‌ମାନ କୁଲ୍‌କେଙ୍କ ସହ ସାକ୍ଷାତ ତାଙ୍କ ଭ୍ରମଣକାଳର କେତେକ ବିଶେଷ ଘଟଣା ଥିଲା । ଲଣ୍ଡନରୁ ପ୍ୟାରିସ, ପ୍ୟାରିସରୁ ଫ୍ରାଙ୍କ୍‌ଫର୍ଟ ଦେଇ ବମ୍ବେ ଫେରିବାର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୯୭୬ ମାର୍ଚ୍ଚ ୨୯ ତାରିଖ ଦିନ ସେ ଲଣ୍ଡନରୁ ବିଦାୟ ନେଇଥିଲେ ।

 

ଲଣ୍ଡନରୁ ପ୍ରତ୍ୟାବର୍ତ୍ତନ ବେଳେ ମାର୍ଚ୍ଚ ୨୯ ତାରିଖ ଦିନ ସେ ଫରାସୀ ରାଷ୍ଟ୍ରବିପ୍ଳବର ଜନ୍ମସ୍ଥଳୀ ଓ ମହାନ ବୀର ନେପୋଲିୟନଙ୍କ କୀର୍ତ୍ତିଭୂମି ୟୁରୋପର ନଗର-ରାଣୀ ପ୍ୟାରିସର ସୌନ୍ଦର୍ଯ୍ୟ ସ୍ଵଳ୍ପସମୟ ପାଇଁ ଉପଭୋଗ କରିବାର ସୁଯୋଗ ଲାଭ କରିଥିଲେ । ତୁଇଲେରୀ ବା ତୁଲ୍‌ରେଁ ଉଦ୍ୟାନରେ ବୁଲିଲାବେଳେ ଏକଦା ଉଦ୍ୟାନ ନିକଟରେ ଥିବା ଫରାସୀ ରାଜାମାନଙ୍କର ପ୍ରାସାଦ ନିକଟସ୍ଥ ‘ମିଳନ ସ୍ଥାନ’ ବା ‘ଗିଲୋନିଟ୍ ସ୍ଥଳୀ’ ଦେଖି ରାଜା ଷୋଡ଼ଶ ଲୁଇ, ରାଣୀ ମେରୀ ଏନ୍ତେଇନେତ୍ ଓ ବିପ୍ଲବିନୀ ମାଡାମ୍ ରୋଲାଁଙ୍କୁ ଗିଲୋଟିନ୍ ତଳକୁ ନିଆଯିବା ବେଳର ଦୃଶ୍ୟ ସ୍ମରଣ କରିଥିଲେ । ୧୯୭୬ ମାର୍ଚ୍ଚ ୩୦ ତାରିଖ ଦିନ ପ୍ୟାରିସ ବିମାନଘାଟୀରୁ ଫ୍ରାଙ୍କଫର୍ଟ ଅଭିମୁଖେ ଯାତ୍ରା କରି ସେଠାରୁ ଅଧ୍ୟାପକ ହାରେନ କୁଲ୍‌କେଙ୍କ କାର୍‌ ଯୋଗେ ହାଇଡେଲବର୍ଗ ଯାଇଥିଲେ । ହାଇଡେଲବର୍ଗରେ ଦୁଇଦିନ ରହଣୀ ସମୟରେ ଜର୍ମାନୀର ସର୍ବପ୍ରାଚୀନ ବିଶ୍ଵବିଦ୍ୟାଳୟ ହାଇଡେଲବର୍ଗ (ଚାରିଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିବା ଅପୂର୍ଣ୍ଣାଙ୍ଗ ମନୁଷ୍ୟ) ବିଶ୍ଵବିଦ୍ୟାଳୟ, ପବିତ୍ର ଆତ୍ମା ଗୀର୍ଜା ବା Holy Ghost Church, ହାଇଡେଲବର୍ଗ ଦୁର୍ଗ ଇତ୍ୟାଦି ଭ୍ରମଣ କରି ସେଠାରୁ ଫ୍ରାଙ୍କଫର୍ଟ ବାଟେ ବମ୍ବେ ଅଭମୁଖେ ବିମାନ ଧରି ଏପ୍ରିଲ ୩ ତାରିଖ ଦିନ ଭାରତରେ ପହଞ୍ଚିଥିଲେ ।

 

୧୯୭୯ ଜୁଲାଇ ମାସରେ ମିଳିତ ଜାତସଂଘ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ‘ଜଳବାୟୁର ପ୍ରଭାବ ଓ ମନୁଷ୍ୟ ଜାତିର ଇତିହାସ’ ଶୀର୍ଷକ ସପ୍ତାହବ୍ୟାପୀ ଆଲୋଚନାଚକ୍ରରେ ଯୋଗ ଦେବାପାଇଁ ସେ ଓଡ଼ିଶାର ଜଳବାୟୁ ବିଷୟ ଭିନ୍ନଭିନ୍ନ ଦିଗରୁ ଅନୁଧ୍ୟାନ କରି ପ୍ରବନ୍ଧଟିଏ ପ୍ରସ୍ତୁତ କରିଥିଲେ । ତାହା ନର୍‌ୱିଚ୍‌ ସ୍ଥିତ ଇଷ୍ଟଆଂଗ୍ଲିଆ ବିଶ୍ୱବିଦ୍ୟାଳୟର ଜଳବାୟୁ ଗବେଷଣା କେନ୍ଦ୍ରର ଏଚ୍‌.ଏଚ୍‌. ଲ୍ୟାମ୍ବଙ୍କ ନିକଟକୁ ପଠାଇ ତାହା ମନୋନୀତ ହେବାରୁ ଭାରତର ଅନ୍ୟ ଜଣେ ମାତ୍ର ପରିବେଶବିତ୍‌ଙ୍କ ସହ ସେ ସେଠାକୁ ଆମନ୍ତ୍ରିତ ହୋଇଥିଲେ । ଜୁଲାଇ ୮ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମ୍ମେଳନରେ ଯୋଗ ଦେବାପାଇଁ ଜୁଲାଇ ୫ ତାରିଖ ରାତିରେ ଦିଲ୍ଲୀ ବିମାନ ବନ୍ଦରରୁ ବ୍ରିଟିଶ ଏୟାରୱେଜ୍‌ ବିମାନରେ ପ୍ରଥମ ଶ୍ରେଣୀରେ ଲଣ୍ଡନ ଯାତ୍ରା କରିଥିଲେ । ଲଣ୍ଡନର ହିଥ୍ରୋ ବିମାନଘାଟୀରେ ବିମାନବନ୍ଦର ହୋଟେଲରେ ଗୋଟିଏ ଦିନ ରହି ୭ ତାରିଖ ଅପରାହ୍ନରେ ଏକ କ୍ଷୁଦ୍ରାକୃତି ଉଡ଼ାଜାହାଳରେ ନରଓ୍ୱିଚ୍‌ ଯାତ୍ରା କରି ସନ୍ଧ୍ୟାରେ ଇଷ୍ଟଆଂଗ୍ଲିଆ ବିଶ୍ଵବିଦ୍ୟାଳୟର ପରିସରରେ ପହଞ୍ଚିଥିଲେ । ତାଙ୍କ ଜୀବନକାଳରେ ଦେଶ ବିଦେଶରେ ଯୋଗଦେଇଥିବା ଆଲୋଚନାସଭା ଓ ସମ୍ମେଳନ ମଧ୍ୟରେ ନରଓ୍ୱିଚ୍‌ ଆନ୍ତର୍ଜାତିକ ସମ୍ମେଳନର ଅଭିଜ୍ଞତା ସର୍ବାଧିକ ମହତ୍ଵପୂର୍ଣ୍ଣ ଥିଲା ବୋଲି ମନ୍ମଥବାବୁ ନିଜେ ସ୍ଵୀକାର କରିଛନ୍ତି । ଯେଉଁ ବିଶିଷ୍ଠ ବୈଜ୍ଞାନିକ, ନୋବେଲ ପୁରସ୍କାର ବିଜେତା, ପରିବେଶବିତ୍‌ ଓ ଐତିହାସିକମାନେ ପ୍ରତିନିଧି ଭାବେ ଯୋଗ ଦେଇଥିଲେ ସେମାନଙ୍କର ସଂଖ୍ୟା ପ୍ରାୟ ଦୁଇଶହ ଥିଲା । ବିଭିନ୍ନ ଦେଶର ପ୍ରମୁଖ ପ୍ରତିନିଧିଙ୍କ ଗହଣରେ ନିଜର ମୌଳିକ ବକ୍ତବ୍ୟ ଉପସ୍ଥାପନ କରି ସେ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ । ଜୁଲାଇ ୧୪ ତାରିଖ ସନ୍ଧ୍ୟା ଅଧିବେଶନ ପରେ ସମ୍ମେଳନ ଶେଷ ହେଲା ପରେ ୧୫ ତାରିଖରେ ନରଓ୍ୱିଚ୍‌ରୁ ଲଣ୍ଡନ ଆସି ୧୬ ତାରିଖରେ ଦିଲ୍ଲୀ ଅଭିମୁଖେ ବିମାନ ଧରିଥିଲେ ।

 

୧୯୭୯ ଅଗଷ୍ଟ ମାସରେ ୟୁନିଭର୍ସିଟି ଗ୍ରାଣ୍ଡସ୍‌ କମିଶନ୍‌ରୁ ସେ ବର୍ଷର ଅଧ୍ୟାପକ ବିନିମୟ କାର୍ଯ୍ୟକ୍ରମ ଅନୁଯାୟୀ ତାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଯିବା ପାଇଁ ମନୋନୀତ କରାଯାଇଛି ଏବଂ ସେପ୍ଟେମ୍ବର ୩ ତାରିଖରେ ଆମେରିକାର ଓ୍ୱାସିଂଟନ ସହରରେ ପହଞ୍ଚିବା ଆବଶ୍ୟକ ବୋଲି ଚିଠି ପାଇଲେ । ୧୯୭୯ ଅଗଷ୍ଟ ୩୧ ରେ ବମ୍ବେଠାରେ ପହଞ୍ଚି ସେପ୍ଟେମ୍ବର ୪ ତାରିଖ ରାତିରେ ନ୍ୟୁୟର୍କ ଯିବାଲାଗି ବ୍ରିଟିଶ ବିମାନ ଧରିଥିଲେ । କାଇରୋ, ଜେନିଭା, ଆମ୍‌ଷ୍ଟରଡ୍ୟାମ୍‌, ଲଣ୍ଡନ ଓ ଆଟଲାଣ୍ଟିକ ମହାସାଗର ଅତିକ୍ରମ କରି ନ୍ୟୁୟର୍କ ଆନ୍ତର୍ଜାତିକ ବିମାନ ବନ୍ଦରରେ ଓହ୍ଲାଇଥିଲେ । ସେଠାରୁ ଛୋଟ ଉଡ଼ାଜାହାଜରେ ଲା ଗୁଆର୍ଡିଆରେ ପହଞ୍ଚି ଓ୍ଵାସିଂଟନ ଅଭିମୁଖେ ଅଗ୍ରସର ହୋଇଥିଲେ । ସେଠାରେ ପହଞ୍ଚିଲା ପରେ କଂଗ୍ରେସ ଲାଇବ୍ରେରୀରେ ଦୁଇମାସ ଗବେଷଣା ସହିତ ସେ କେତୋଟି ବକ୍ତୃତା ଦେବାପରେ ନ୍ୟୁୟର୍କରେ ମାସଟିଏ ରହଣୀ ଓ ଅନ୍ୟ କେତୋଟି ସହର ଭ୍ରମଣର ନିର୍ବାରିତ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ ହୋଇଥିଲେ । କଂଗ୍ରେସ ଭବନ ସନ୍ନିକଟ ପ୍ରସିଦ୍ଧ କ୍ୟାପିଟୋଲ ହିଲ୍‌ରେ ଥିବା’ କର୍ଣ୍ଣାଟ ହାଉସ’ ସରକାରୀ ଅତିଥି ଭବନରେ ସେ ଅବସ୍ଥାନ କରିଥିଲେ । ସେପ୍ଟେମ୍ବର ୮ ତାରିଖରେ ପୃଥିବୀର ଅନ୍ୟତମ ବୃହତ୍ତମ କଂଗ୍ରେସ ଲାଇବ୍ରେରୀର ଜେଫାରସନ୍‌ ବିଲିଡିଂରେ ତାଙ୍କର ତଥ୍ୟ ସଂଗ୍ରହ ଉଦ୍ୟମ ଆରମ୍ଭ କରିଥିଲେ । ସେଠାରେ ଗଚ୍ଛିତ ଥିବା ଅସଂଖ୍ୟ ପାଣ୍ଡୁଲିପି ଓ ଅପ୍ରକାଶିତ ଦଲିଲ ଦସ୍ତାବିଜ୍‌ ଦେଖି ସେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ-। ୯ ସେପ୍ଟେମ୍ବରରେ କଂଗ୍ରେସ ଭବନ ପରିଭ୍ରମଣ, ୧୧ ସେପ୍ଟେମ୍ବରରେ ଦଳାଇଲାମାଙ୍କ ଦର୍ଶନ ଲାଭ, ୧୬ ସେପ୍ଟେମ୍ବରରେ ସବୁଜ ପ୍ରାଙ୍ଗଣରେ ଦଣ୍ଡାୟମାନ ୫୫୫ ଫୁଟ ଉଚ୍ଚତାବିଶିଷ୍ଟ ସର୍ବୋଚ୍ଚ ସୌଧ ଜର୍ଜ ଓ୍ୱାସିଂଟନ ସ୍ମୃତି ସୌଧ ଦର୍ଶନ, ୧୯ ସେପ୍ଟେମ୍ବରରେ ଏଥେନ୍‌ସ ନଗରୀର ପାର୍ଥେନନ୍‌ ସୌଧ ଅନୁକରଣରେ ନିର୍ମିତ ଆମେରିକା ସୁପ୍ରିମକୋର୍ଟ ଓ ସନ୍ଧ୍ୟାରେ ପୃଥିବୀର ସର୍ବାଧୁନିକ ରେଳଷ୍ଟେସନ ନ୍ୟାସନାଲ ଭିଜିଟର୍‌ସ ସେଣ୍ଟର ସଂଦର୍ଶନର ବିରଳ ସୁଯୋଗ ପାଇଥିଲେ । ୨୦ ସେପ୍ଟେମ୍ବରରେ ସେ ଆମେରିକୀୟ ସିନେଟ ଅଧିବେଶନ ସମ୍ପର୍କରେ ମହାର୍ଘ ଅନୁଭୂତି ସଂଗ୍ରହ କଲାପରେ ୨୩ ସେପ୍ଟେମ୍ବରରେ ଜେଫାରସନ୍‌ ସ୍ମୃତିସ୍ତମ୍ଭ, ଜର୍ଜ ଓ୍ୱାସିଂଟନ ବିଶ୍ଵବିଦ୍ୟାଳୟ, ଓ୍ୱାଟରଗେଟ୍‌ ନାମକ ସ୍ଥାନରେ ଜଟିଳ ଆକାରର ପ୍ରକାଣ୍ଡ ଅଟ୍ଟାଳିକା ଦର୍ଶନ, ୨୫ ସେପ୍ଟେମ୍ବରରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରି କ୍ଷୁଦ୍ର ଓ ମାମୁଲି ଆମେରିକା, ରାଷ୍ଟ୍ରପତିଙ୍କ ବାସଭବନ ହ୍ଵାଇଟହାଉସ୍‌ ଦର୍ଶନ, ୪ ଅକ୍ଟୋବରରେ ଉଚ୍ଚକୋଟୀର ଶୈଳୀରେ ନିର୍ମିତ ଆମେରିକାର ଜାତୀୟ ଚିତ୍ରଶାଳା ପରିଭ୍ରମଣ ଇତ୍ୟାଦି ତାଙ୍କ ଭ୍ରମଣ ସୂଚୀରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ୭ ଅକ୍ଟୋବରରେ ଏକ ପ୍ରବଚନ କାର୍ଯ୍ୟକ୍ରମରେ କ୍ୟାଥଲିକ ଜଗତର ଧର୍ମଗୁରୁ ପୋପ୍‌ ଦ୍ୱିତୀୟ ଜନ୍‌ ପଲ୍‌କୁ ସେ ଦେଖିବାର ସୁଯୋଗ ପାଇଥିଲେ । ସେମିତି ୧୩ ଅକ୍ଟୋବରରେ ରାଷ୍ଟ୍ରପତି ପଦଲାଗି ଡେମୋକ୍ରାଟିକ ଦଳର ଦୁଇପ୍ରାର୍ଥୀ କ୍ଷମତାସୀନ ସଭାପତି ଜିମ୍ମି କାର୍ଟର ଓ ସିନେଟ ସଦସ୍ୟ ଏଡ୍‌ୱାର୍ଡ ଜେନେଡ଼ିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତାର ଏକ ଝଲକ ପାଇଥିଲାବେଳେ ୧୪ ଅକ୍ଟୋବରରେ ‘ଗେ’ ମାନଙ୍କ ଏକ ବିଶାଳ ଅସ୍ଵାଭାବିକ ସମାବେଶ ଦେଖି ସେ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ । ୧୫ ଅକ୍ଟୋବରରେ ମହାକାଶ ମିଉଜିୟମ, ୨୦ ଅକ୍ଟୋବରରେ ଜାତୀୟ ଗୀର୍ଜା ଓ ୱାସିଂଟନ ହସ୍‌ପିଟାଲ, ୨୧ ଅକ୍ଟୋବରରେ ଆମେରିକାର ପ୍ରତିରକ୍ଷା ବିଭାଗର କେନ୍ଦ୍ରସ୍ଥଳୀ ପେଣ୍ଟାଗନ୍‌ ପରିଦର୍ଶନ ତାଙ୍କ ଗସ୍ତର ସ୍ମରଣୀୟ ଘଟଣାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା-

 

୨୬ ଅକ୍ଟୋବରରେ ସେ ହପ୍‌କିନ୍‌ସ ବିଶ୍ଵବିଦ୍ୟାଳୟର ଆନ୍ତଃରାଷ୍ଟ୍ରୀୟ ସମ୍ପର୍କ ବିଭାଗରେ ଭାରତ ଯୁକ୍ତରାଷ୍ଟ୍ର ସମ୍ପର୍କ ବିଷୟରେ ଭାଷଣ ଦେଇଥିଲାବେଳେ ମାସାଚୁସେଟ୍‌ ଆଭେନ୍ୟୁରେ ଅନ୍ୟ ଏକ ସଭାରେ ଯୁବକମାନଙ୍କ ଅନୁରୋଧକ୍ରମେ ନିର୍ଦ୍ଧାରିତ ବକ୍ତୃତା ବଦଳରେ ମହାତ୍ମା ଗାନ୍ଧୀଙ୍କ ଜୀବନୀରୁ କାହାଣୀମାନ ଉପସ୍ଥାପନା କରିଥିଲେ । ୩୦ଅକ୍ଟୋବରରେ ସେ ଆମେରିକାର ଜନପ୍ରତିନିଧି ସଭା (House of Representatives)ର ଅଧିବେଶନ ଦେଖିବାକୁ ଯାଇଥିଲେ । ପୂର୍ବେ ଦେଖିଥିବା ସିନେଟର ଅଧିବେଶନ ସହ ଏହା ନୀରିକ୍ଷଣ କଲାପରେ ବ୍ରିଟିଶ ଓ ଆମେରିକା ପାଲିଆମେଣ୍ଟ ମଧ୍ୟରେ ପାର୍ଥକ୍ୟ ସେ ଅନୁଭବ କରିପାରିଥିଲେ । ଇଂଲଣ୍ଡର ପାର୍ଲିଆମେଣ୍ଟାରୀ ଗଣତନ୍ତ୍ରରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ପାର୍ଲିଆମେଣ୍ଟଠାରେ ଉତ୍ତରଦାୟୀ ଥିଲାବେଳେ ଆମେରିକା ଗଣତନ୍ତ୍ରରେ ପ୍ରେସିଡେଣ୍ଟ ଓ ତାଙ୍କ କ୍ୟାବିନେଟ ପ୍ରତିନିଧି‌ ସଭା ନିକଟରେ ଉତ୍ତରଦାୟୀ ନୁହନ୍ତି ବୋଲି ସେ ବୁଝି ପାରିଥିଲେ । ସେଇଦିନ ଅପରାହ୍ନରେ ସେ ‘ହୁଭାର ବିଲ୍‌ଡିଂ’ ବା ଏଫ୍‌ବିଆଇ ଗୋଇନ୍ଦା ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଦେଖିବାକୁ ଯାଇଥିଲେ । ନଭେମ୍ବର ୨ରେ କଂଗ୍ରେସ ଲାଇବ୍ରେରୀରେ ଶେଷଦିନ ଅତିବାହିତ କରି ୪ ନଭେମ୍ବରରେ ଜର୍ଜ ଓ୍ୱାସିଂଟନଙ୍କ ଜନ୍ମସ୍ଥାନ ଦେଖିବାକୁ ଯାଇଥିଲେ । ୭ ନଭେମ୍ବରରେ ସେ ଓ୍ୱାସିଂଟନରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲେ । ନ୍ୟୁୟର୍କରେ ହରେକୃଷ୍ଣ କେନ୍ଦ୍ର, ମିଳିତ ଜାତିସଂଘ କାର୍ଯ୍ୟାଳୟରେ ଜେନେରାଲ ଆସେମ୍ଲି ଅଧିବେଶନ, ଆମେରିକାର ସର୍ବୋଚ୍ଚ ସୌଧ (ତତ୍କାଳୀନ) ୧୦୨ ତାଲା ଓ ୧୪୭୨ ଫୁଟ ଉଚ୍ଚତା ବିଶିଷ୍ଟ ଏମ୍ପାୟାର ଷ୍ଟେଟ୍‌ ବିଲଡିଂ, ଓ୍ୱାଲ୍‌ଷ୍ଟ୍ରୀଟ୍ ଓ ନ୍ୟୁୟର୍କ ବିଶ୍ଵବିଦ୍ୟାଳୟ, ସ୍ଵାଧୀନତାର ଦ୍ଵୀପରେ ମୁକ୍ତି ଦେବୀ (State of liberty) ଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି, ମାନ୍‌ହାଟ୍ଟନ ଦ୍ଵୀପ, ସହରର ସର୍ବାଧିକ ବିଳାସପୂର୍ଣ୍ଣ ଛକ ରକ୍‌ ଫେଲର ସେଣ୍ଟର ଇତ୍ୟାଦି ଦର୍ଶନ କରି ସେ ବିମୁଗ୍ଧ ତଥା ଆତ୍ମବିସ୍ତୃତ ହୋଇଥିଲେ । ପେନ୍‌ସିଲ୍‌ଭାନିଆ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗରେ ଭାଷଣଦେବାର କାର୍ଯ୍ୟକ୍ରମ ଥିବାରୁ ୧୮ ନଭେମ୍ବରରେ ନ୍ୟୁୟର୍କ ସହରଠାରୁ ୧୦୦ ମାଇଲ ଦୂରବର୍ତ୍ତୀ ଆମେରିକା ସ୍ଵାଧୀନତା ସଂଗ୍ରାମର ପୀଠସ୍ଥଳୀ ଫିଲାଡେଲ୍‌ଫିଆ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ସିଟି ହଲ୍‌, ସ୍ଵାଧୀନତା ସଭା କକ୍ଷ (ଯେଉଁଠାରେ ଟମାସ୍‌ ଜେଫାରସନ୍‌ ସ୍ଵାଧୀନତାର ଘୋଷଣାପତ୍ର ଲେଖିଥିଲେ), ସ୍ଵାଧୀନତା ଘଣ୍ଟା (Liberty Bell) ଇତ୍ୟାଦି ଦେଖିଥିଲେ । ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ଙ୍କ ପ୍ରତିଷ୍ଠିତ ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟରେ ବକ୍ତୃତା ପ୍ରଦାନ କରିସାରିବା ପରେ ୨୦ ନଭେମ୍ବରରେ ବୋଷ୍ଟନ ଯାତ୍ରାକରି ଆମେରିକାର ସର୍ବପ୍ରସିଦ୍ଧ ହାଭାର୍ଡ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ । ନ୍ୟୁୟର୍କରେ ଥିଲାବେଳେ ସେଠାକାର ଜାତୀୟ ଉତ୍ସବର ଅନନ୍ୟ ଦୃଶ୍ୟ ନଭେମ୍ବର ୨୨ ତାରିଖ ଦିନ ଉପଭୋଗ କରିଥିଲେ । ତା’ପରେ ନଭେମ୍ବର ୨୮ ଓ ୨୯ ଦୁଇଦିନ କାନାଡ଼ାରେ ରହି ନାଏଗ୍ରା ଜଳପ୍ରପାତ ଦେଖିବାର ସୁଯୋଗ ନେଇଥିଲେ । ୩୦ ନଭେମ୍ବରରେ ସିକାଗୋ ସହରକୁ ଯାତ୍ରାକରି ସେଠାକାର ଏକଶତ ଦଶ ତାଲା ବିଶିଷ୍ଟ ସର୍ବୋଚ୍ଚ କୋଠା ସହ ଶହେତାଲା ବିଶିଷ୍ଟ ଅନ୍ୟ ଏକ କୋଠା ଦେଖିଥିଲେ । ୪ ଡିସେମ୍ବରରେ ସେଠାକାର ନିରାପତ୍ତା ପରିଷଦର ସଭାଗୃହକୁ ଯାଇଥିଲେ ଏବଂ ୫ ଡିସେମ୍ବରରେ ଆମେରିକାରୁ ବିଦାୟଘେନି ୭ ଡିସେମ୍ବରରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲେ ।

 

୧୯୭୬ ମସିହାରେ ଶେଷ ବ୍ରିଟିଶ୍‌ ବଡ଼ଲାଟ ଲର୍ଡ ମାଉଣ୍ଟବ୍ୟାଟ୍‌ନଙ୍କ ସହିତ ତାଙ୍କ ସାକ୍ଷାତର ତିନିବର୍ଷ ପରେ ୧୯୭୯ ଅଗଷ୍ଟ ୨୭ ତାରିଖ ଦିନ ଆଇରିସ୍‌ ଆତତାୟୀଙ୍କ ବୋମାମାଡ଼ରେ ସେ ନିହତ ହେଲାପରେ ତାଙ୍କ ନଥିଗୁଡ଼ିକର ଅନୁଧ୍ୟାନ ପାଇଁ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ କମିଶନ ଓ ବ୍ରିଟିଶ କାଉନ୍‌ସିଲ୍‌ ଆନୁକୁଲ୍ୟରେ ସେ ପୁନରାୟ ଲଣ୍ଡନ ଯିବାର ଉଦ୍ୟମ କରିଥିଲେ । ଦେଢ଼ବର୍ଷ ପରେ ତାଙ୍କ ଉଦ୍ୟମ ସଫଳ ହେଲା ୧୯୮୧ ମସିହା ପ୍ରାରମ୍ଭରେ ‘Indian Council for Cultural Relation’ ତାଙ୍କୁ ଉତ୍ତର ଆମେରିକାର ମେକ୍ସିକୋ ପ୍ରଦେଶକୁ ଦୁଇବର୍ଷ ନିମନ୍ତେ ପଠାଇବାକୁ ମନୋନୀତ କଲେ ମାତ୍ର ପାରିବାରିକ ସମସ୍ୟା ଯୋଗୁଁ ମେକ୍ସିକୋ ଯାତ୍ରା ସମ୍ଭବ ହୋଇନଥିଲା । ଏହାର ଅଳ୍ପ କିଛିଦିନ ମଧ୍ୟରେ ପୁଣିଥରେ ବିଲାତ ଯିବାର ସୁଯୋଗ ଆସିଥିଲା । ପତ୍ନୀଙ୍କୁ ସାଙ୍ଗରେ ନେଇ ସେ ‘ଭାରତ ବିଭାଜନ ଓ ସ୍ଵାଧୀନତା’ ପୁସ୍ତକ ରଚନା ପାଇଁ ବର୍ଷଟିଏ ନିମନ୍ତେ ୧୯୮୧ରେ ଲଣ୍ଡନ ଯାତ୍ରା କରିଥିଲେ । ପହଞ୍ଚିଲା ପରେ ସସ୍ତ୍ରୀକ ଯୁବରାଜ ଚାର୍ଲସ ଓ ଡାଏନାଙ୍କ ବିବାହ ଉତ୍ସବକୁ ପ୍ରତ୍ୟକ୍ଷ କରିବାର ସୁଯୋଗକୁ ହାତଛଡ଼ା କରି ନଥିଲେ । ମାଉଣ୍ଟବ୍ୟାଟନଙ୍କ କନ୍ୟା ଓ ଜାମାତାଙ୍କ ସହଯୋଗକ୍ରମେ ‘ମାଣ୍ଟବ୍ୟାଟନ ପେପର’ରୁ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିସାରିଲାପରେ ସେଠାରୁ ଆସି ସେପ୍ଟେମ୍ବର ୧୫ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇଲେ । ବାଣୀବିହାରରେ ଛାତ୍ର ଅଶାନ୍ତି ଯୋଗୁଁ ଉତ୍କଳ ବିଶ୍ଵବିଦ୍ୟାଳୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଥିବାରୁ ସେହି ସମୟରେ ଏହାର ସୁଯୋଗ ନେଇ ଦୁଇମାସ ଅକ୍ଳାନ୍ତ ପରିଶ୍ରମ କରି ‘ଭାରତ ବିଭାଜନ ଓ ସ୍ଵାଧୀନତା: ମାଉଣ୍ଟବ୍ୟାଟନ ସମୟର ଗୁପ୍ତ କାହାଣୀ’ ଶୀର୍ଷକ ପୁସ୍ତକ ରଚନା କରିଥିଲେ । ୧୯୮୨ ମାର୍ଚ୍ଚରେ ଇଂରାଜୀରେ ଲିଖିତ ସେହି ପୁସ୍ତକଟି ‘Vision Books’ ସୌଜନ୍ୟରୁ ପ୍ରକାଶ ପାଇଥିଲା । ୧୯୮୨ ଅକ୍ଟୋବର ମାସରେ ଆକସ୍ମିକତା କ୍ରମେ ପୁଣିଥରେ ତାଙ୍କୁ ଲଣ୍ଡନ ଯିବାକୁ ପଡ଼ିଥିଲା ।

 

୧୯୮୨ ସେପ୍ଟେମ୍ବର ୩ ତାରିଖ ଦିନ ଦିଲ୍ଲୀସ୍ଥିତ ଇତିହାସ ଗବେଷଣା ପରିଷଦର ନିର୍ଦ୍ଦେଶକ ବି.ଆର୍‌. ଗ୍ରୋଭର୍‌ଙ୍କଠାରୁ ସେପ୍ଟେମ୍ବର ୧୭ରୁ ୨୦ ଯାଏଁ ପ୍ୟାରିସ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଐତିହାସିକ-ବିଜ୍ଞାନ ସମ୍ମେଳନରେ ଭାରତୀୟ ପ୍ରତିନିଧିଭାବେ ଯୋଗଦେବା ନିମନ୍ତେ ସେ ନିର୍ବାଚିତ ହୋଇଛନ୍ତି ବୋଲି ଟେଲିଗ୍ରାମଟିଏ ପାଇଥିଲେ । ଇଂଲଣ୍ଡରେ ଏକମାସର ରହଣୀ ମଧ୍ୟରେ ପ୍ୟାରିସ ନଗରୀରେ ଦୁଇ ସପ୍ତାହ ବିତାଇବାର ସୁଯୋଗ ତାଙ୍କୁ ମିଳିଥିଲା । ଇତିହାସ ଗବେଷଣା ପରିଷଦ ପକ୍ଷରୁ ପ୍ରକାଶିତ ହେବାକୁ ଥବା ‘ସ୍ୱାଧୀନତା ପଥେ’ ପୁସ୍ତକ ପାଇଁ ଇଂଲଣ୍ଡର ଅଭିଲେଖାଗାରମାନଙ୍କରୁ କେତେକ ବିଶେଷ ତଥ୍ୟ ତାଙ୍କର ସଂଗ୍ରହ କରିବାର ଥିଲା । ପ୍ୟାରିସରେ ପ୍ୟାରିସ ବିଶ୍ଵବିଦ୍ୟାଳୟ, ଇନ୍‌ଷ୍ଚିଚ୍ୟୁଟ୍‌ ଡି ଫ୍ରାନ୍ସ, ଇତିହାସ ପ୍ରସିଦ୍ଧ ହୋଟେଲ ଡି’ଭିଲ୍ଲେ, ଭାର୍ସାଇ ରାଜପ୍ରାସାଦ, ନେପୋଲିୟନଙ୍କ ସମାଧି ସୌଧ, ଆଠଶହ ବର୍ଷର ପୁରାତନ ଗୀର୍ଜାଗୃହ ନଟ୍ରୋଭାମ ଗୀର୍ଜା, ଆଇଫେଲ ଟାୱାର, ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଯାଦୁଘର ଓ ଚିତ୍ରଶାଳା ଲୁଭ୍‌ରେ ଓ ତଥାକଥିତ ପୁଷ୍ପପ୍ରାନ୍ତର ନେପୋଲିୟନଙ୍କ ଦ୍ଵାରା ଭେଣ୍ଡୋମ ନାମକ ସ୍ଥାନରେ ସ୍ଥାପିତ ମହାନ ସେନାସ୍ତମ୍ଭ, କୁଖ୍ୟାତ ବନ୍ଦୀଶାଳା ବାସ୍ତିଲ ଦୁର୍ଗର ସ୍ମାରକୀ ବାସ୍ତିଲସ୍ତମ୍ଭ ଇତ୍ୟାଦି ସେ ଦର୍ଶନ କରିଥିଲେ । ନଭେମ୍ବର ୧ ତାରିଖ ଦିନ ପ୍ୟାରିସରୁ ଲଣ୍ଡନ ଯାଇ ସେହିଦିନ ଲଣ୍ଡନ ଛାଡ଼ି ୨ ତାରିଖ ମଧ୍ୟରାତ୍ରରେ ଦିଲ୍ଲୀ ବିମାନଘାଟୀରେ ପହଞ୍ଚିଥିଲେ ।

 

ସେ କୁଳପତି ପଦରେ ଥିଲାବେଳେ ଭାରତର ସ୍ଵାଧୀନତା ସଂଗ୍ରାମବେଳେ ସୃଷ୍ଟି ହୋଇଥିବା ହିନ୍ଦୁ-ମୁସଲମାନ ରାଜନୀତିକ ବିଭେଦ ବିଷୟରେ ତିନୋଟି ବକ୍ତୃତା ଦେବାଲାଗି ୧୯୮୪ ମାର୍ଚ୍ଚ ମାସରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ନିମନ୍ତ୍ରିତ ହୋଇଥିଲେ । ସାନ୍‌ ଫ୍ରାନ୍‌ସିସ୍କୋ ଓ ଲସ୍‌ ଆଞ୍ଜେଲସ୍‌ ଭଳି ସୁନ୍ଦରତମ ସହର ପରିଦର୍ଶନ ନିମନ୍ତେ ସେହି ଅବସରରେ ସେ ଆଗ୍ରହୀ ହୋଇଥିଲେ । ମାର୍ଚ୍ଚ ୨୭, ମଙ୍ଗଳବାର ଦିନ ଏୟାର ଇଣ୍ଡିଆ ବିମାନରେ କଲିକତାରୁ ଯାତ୍ରାକରି ତହିଁ ପରଦିନ ସେ ବ୍ୟାଙ୍କକ୍‌ରେ ପହଞ୍ଚିଥିଲେ । ୨୮ ତାରିଖ ଦିନ ସକାଳେ ଜାପାନ ଏୟାର୍‌ ଲାଇନ୍‌ସ ବିମାନରେ ସେ ଟୋକିଓ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ସନ୍ଧ୍ୟାରେ ଟୋକିଓ ଛାଡ଼ି ସାରାରାତି ପ୍ରଶାନ୍ତ ମହାସାଗର ଉପର ଦେଇ ଉଡ଼ୁଥିବା ବିମାନରୁ ଉଷାକାଳରେ ସେ ଦେଖିଥିଲେ ମହାସାଗରର ଶାନ୍ତିସ୍ନିଗ୍ଧ ରୂପ । ଦିନ ଦଶଟାରେ କାଲିଫର୍ଣ୍ଣିଆର ଲସ୍‌ଆଞ୍ଜେଲସ୍‌ ବିମାନବନ୍ଦରରେ ଅବତରଣ କଲାବେଳକୁ ସୁନାମଧନ୍ୟ ଅଧ୍ୟାପକ ଷ୍ଟାନ୍‌ଲି ଓଲପାର୍ଟ ତାଙ୍କୁ ସ୍ଵାଗତ କରିଥିଲେ । ‘ଭାରତ ଇତିହାସ’, ‘ତିଲକ୍‌ ଓ ଗୋଖଲେ’, ‘ଦକ୍ଷିଣ ଏସିଆର ସଂଘଟନ’, ‘Nine hours to Rama’ ଓ ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଗବେଷଣା ପ୍ରସୂତ ଜୀବନୀର ରଚନାକାର ଭାବେ ଓଲପାର୍ଟ ପରିଚିତ ଥିଲେ । ତାଙ୍କଠାରୁ ମୋରିସ ଜୋନ୍‌ସ ଓ ଜୁଡିଥ୍‍ ବ୍ରାଭନ ପ୍ରମୁଖ ଐତିହାସିକମାନେ ଭାରତ ସମ୍ପର୍କରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ଜାଣିବାକୁ ପାଇଥିଲେ । ସେଇଦିନ ଅପରାହ୍‌ଣ ଓ ସନ୍ଧ୍ୟାରେ ଓଲପାର୍ଟଙ୍କ ସହ ଲସ୍‌ଆଞ୍ଜେଲ୍‌ସ ପରିକ୍ରମା କଲାପରେ ମାର୍ଚ୍ଚ ୩୦ ତାରିଖ ଦିନ ସେ ହଲିଉଡ୍‌ ସହର ଭ୍ରମଣ କରିଥିଲେ । ମାର୍ଚ୍ଚ ୩୧ ତାରିଖ ସକାଳ ୯ ଟାରେ ତାଙ୍କର ଶେଷ ବକ୍ତବ୍ୟ ପ୍ରଦାନ କରିସାରି ଲସ୍‌ଆଞ୍ଜେଲସ୍‌ରୁ ସେ ଟୋକିଓ ଅଭିମୁଖେ ଯାତ୍ରା କରିଥିଲେ । ଜାପାନ ରାଜଧାନୀ ଟୋକିଓରେ ସେ ୩ ଦିନ ଅବସ୍ଥାନ କରିଥିଲେ-। ୧୯୪୫ରେ ପରମାଣୁ ବୋମା ପଡ଼ିବା ଯୋଗୁଁ ଧ୍ୱସ୍ତବିଧିସ୍ତ ହୋଇଥିବା ଦେଶଟି ମାତ୍ର ୪୦ ବର୍ଷ ମଧ୍ୟରେ ବାମନରୁ ‘ଶିଳ୍ପ-ରାକ୍ଷସ’ରେ ପରିଣତ ହୋଇସାରିଥିଲା । ସେଠାକାର ଶିବା ହୋଟେଲରେ ତାଙ୍କ ରହିବାର ବ୍ୟବସ୍ଥା ହୋଇଥିଲା । ଏପ୍ରିଲ ୧ ତାରିଖରେ ସେ ପ୍ୟାରିସର ସୁଉଚ୍ଚ ଆଇଫେଲ ଟାୱାର ଅନୁକରଣରେ ନିର୍ମିତ ଗଗନସ୍ପର୍ଶୀ ଗମ୍ବୁଳ’ ଟୋକିଓ ଟାୱାର’ ପରିଭ୍ରମଣ କରିଥିଲେ । ବିଶ୍ୱଯୁଦ୍ଧର ମାତ୍ର ୧୨ ବର୍ଷ ପରେ ନିର୍ମିତ ୧୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଗମ୍ବୁଜ ଦେଖି ସେ ବିସ୍ମୟାଭିଭୂତ ହୋଇଥିଲେ । ତା’ପରେ ମନ୍ମଥବାବୁ ଟୋକିଓର କେନ୍ଦ୍ରସ୍ଥଳରେ ଅବସ୍ଥିତ ‘କାସୁମିଗାସେକି’ ଠାରେ ଥିବା ଅତ୍ୟାଧୁନିକ ନିର୍ମାଣ କୌଶଳରେ ନିର୍ମିତ ଭୂକମ୍ପ ପ୍ରତିରୋଧକାରୀ ୪୮୨ ଫୁଟ ଉଚ୍ଚତା ବିଶିଷ୍ଟ ‘କାସୁମିଗାସେକି ସୌଧ’ ଦେଖିଲାପରେ ପାର୍ଲିଆମେଣ୍ଟ ଭବନ ସଂଦର୍ଶନ କରିଥିଲେ । ଜାପାନ ସମ୍ରାଟଙ୍କର ‘ପୂର୍ବ ଉଦ୍ୟାନ’ ନାମକ ଐତିହ୍ୟ ସମୃଦ୍ଧ ସ୍ଥାନ ଭ୍ରମଣର ସୁଯୋଗ ଦେଖିପାରି ନ ଥି‌ଲେ । ଏପ୍ରିଲ ୨ ତାରିଖ ଦିନ ମେଇଜି ଜିଙ୍ଗୁ ନାମକ ସ୍ଥାନରେ ଥିବା ଜାପାନୀ ସିଣ୍ଟଧର୍ମର ବୃହତ୍ତମ ମନ୍ଦିରକୁ ସେ ଯାଇଥିଲେ । ଜାପାନୀମାନେ ପ୍ରତିଦିନ ସେଠାରେ ଦେବାଦେବୀଙ୍କ ବଦଳରେ ସମ୍ରାଟଙ୍କ ପୂର୍ବପୁରୁଷଙ୍କ ପ୍ରେତାତ୍ମାମାନଙ୍କୁ ପ୍ରାର୍ଥନା କରିବାକୁ ଆସନ୍ତି ଜାଣି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥି‌ଲେ । ‘ଆସାକୁସା କାନ୍ନୋନ’ ବୌଦ୍ଧ ମନ୍ଦିର, ସୁମିଦା ନଦୀରେ ନୌବିହାର, କୃତ୍ରିମ ଉପାୟରେ ଶାମୁକା ଗର୍ଭରେ ମୁକ୍ତା ଉତ୍ପାଦନ ନିମନ୍ତେ ଉଦ୍ଦିଷ୍ଟ ବିଜ୍ଞାନାଗାର ‘ତାସାକି ମୁକ୍ତା କେନ୍ଦ୍ର’, ଗିଞ୍ଜାବଜାର, ଟୋକିଓ ବିଶ୍ୱବିଦ୍ୟାଳୟ ପରିସର ଓ ଶିବା ପାର୍କରେ ଭ୍ରମଣ ତାଙ୍କ ଟୋକିଓ ରହଣିର କେତୋଟି ସ୍ମରଣୀୟ ମୁହୂର୍ତ୍ତ ଥିଲା । ଏପ୍ରିଲ ୩ ତାରିଖ ମଧ୍ୟରାତ୍ରରେ ଟୋକିଓରୁ ବିମାନଧରି ସେ ବ୍ୟାକଂକ୍‌ ଓ କଲିକତା ଦେଇ ଏପ୍ରିଲ ୫ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚିଥିଲେ ।

 

ସେ କୁଳପତି ପଦରୁ ଅବ୍ୟାହତି ନେଲାପରେ ୧୯୮୫ ମେ ମାସରେ ଜବାହାରଲାଲ ନେହେରୁଙ୍କ ଜୀବନୀ ସମ୍ପର୍କରେ ଗବେଷଣା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ବିଶ୍ଵବିଦ୍ୟାଳୟ ମଞ୍ଜୁରୀ କମିଶନ ଅଧ୍ୟକ୍ଷା ମାଧୁରୀ ଶାହାଙ୍କ ସହ ସାକ୍ଷାତ ପରେ ନେହେରୁ ପରିବାରର ଜଣେ ସମ୍ପର୍କୀୟ ବ୍ୟକ୍ତି ‘ନେହେରୁ ମେମୋରିଆଲ ମ୍ୟୁଜିୟମ’ର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାରଙ୍କୁ ଭେଟିଥିଲେ । କିଛିଦିନ ମଧ୍ୟରେ ସେ ବୁଝିପାରିଥିଲେ ଯେ ‘ନେହେରୁ କାଗଜ’ ଦେଖିବା ସମ୍ଭବ ହେବନାହିଁ । ସେତିକିବେଳେ ଦିଲ୍ଲୀ କର୍ମକର୍ତ୍ତାମାନେ ତାଙ୍କୁ ଅନ୍ୟଭାବରେ ଉପଯୋଗ କରିବାକୁ ଚାହିଁଲେ । ୧୯୮୫ ଅଗଷ୍ଟ ମାସରେ ପଶ୍ଚିମ ଜର୍ମାନୀର ଷ୍ଟଟ୍‌ଗାର୍ଟ ସହରରେ ଅନୁଷ୍ଠିତ ହେବାକୁ ଥିବା ‘ଭାରତ ମହାସାଗର’ ବିଷୟକ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ପାଞ୍ଚଜଣିଆ ପ୍ରତିନିଧି ଦଳରେ ତାଙ୍କୁ ସାମିଲ କରାଯାଇଥିଲା । ଅଧ୍ୟାପକ ନୁରୁଲ ହାସାନ ଡ. ସତୀଶ ଚନ୍ଦ୍ର, ପ୍ରାଣନାଥ ଚୋପ୍ରା ଓ ତିଳକରାଜ ସାରୀନ୍‌ଙ୍କ ସହ ସେ ମନୋନୀତ ହୋଇଥିଲେ । ଅନେକ ପୁସ୍ତକ ଅଧ୍ୟୟନ କରି ଦୁଇ ସପ୍ତାହ ମଧ୍ୟରେ ଭାରତ ମହାସାଗର ସମ୍ପର୍କୀୟ ତଥ୍ୟମାନ ସେ ଆହରଣ କରିଥିଲେ । ଅଗଷ୍ଟ ୨୧ ତାରିଖ ଦିନ ଷ୍ଟଟ୍‌ଗାର୍ଟ ଅଭିମୁଖେ ସେ ଯାତ୍ରାରାମ୍ଭ କରିଥିଲେ । ରୋମ ସହରରେ ଗୋଟିଏ ଦିନ ଅବସ୍ଥାନ କରି ଫ୍ରାଙ୍କ୍‌ଫୋର୍ଟ ଦେଇ ୨୪ ତାରିଖ ସନ୍ଧ୍ୟାରେ ଜର୍ମାନୀର ବାଡ଼େନ-ଉଟେମ୍ବାର୍ଗ ରାଜ୍ୟର ରାଜଧାନୀ ଷ୍ଟଟ୍‌ଗାର୍ଟରେ ପହଞ୍ଚିଥିଲେ । ଷ୍ଟଟ୍‌ଗାର୍ଟ ବିଶ୍ଵବିଦ୍ୟାଳୟ ପ୍ରେକ୍ଷାଳୟରେ ବିଭିନ୍ନ ଦେଶର ୩୦୦ ପ୍ରତିନିଧିଙ୍କ ସମାବେଶରେ ୨୫ ତାରିଖ ପୂର୍ବାହ୍ଣରେ ସମ୍ମିଳନୀ ଉଦ୍‌ଘାଟିତ ହୋଇଥିଲା । ସମ୍ମେଳନରେ ଅଂଶଗ୍ରହଣ ପରେ ସେ ମର୍ସିଡିସ-ବେନ୍‌ଜ ଗାଡ଼ିର ଶିଳ୍ପାନୁଷ୍ଠାନ, ଜର୍ମାନୀର ସ୍ୱାସ୍ଥ୍ୟକେନ୍ଦ୍ର ରୂପେ ପ୍ରସିଦ୍ଧ ଜଳପ୍ରସ୍ରବଣ, ମୁଦ୍ରଣଯନ୍ତ୍ର ଉତ୍ପାଦନ ନିମନ୍ତେ ଖ୍ୟାତ ଷ୍ଟଟ୍‌ଗାର୍ଟର ଦର୍ଶନୀୟ ପୁସ୍ତକ ଭଣ୍ଡାର ଓ ଉନ୍ନତ ଧରଣର ମୁଦ୍ରଣ ଯନ୍ତ୍ର, ୨୦୦ ବର୍ଷରୁ ଅଧିକ ପୁରାତନ ‘ନିର୍ଜନ ରାଜପ୍ରାସାଦ’ ନାମକ ସୌଧ ଏବଂ ‘ହୋଲନହେମ୍‌’ ନାମକ ଅନ୍ୟଏକ ପ୍ରାଚୀନ ରାଜପ୍ରାସାଦ ଭ୍ରମଣର ସୁଯୋଗ ସେ ପାଇଥିଲେ । ସେପ୍ଟେମ୍ବର ୨ ତାରିଖ ଦିନ ଷ୍ଟଟ୍‌ଗାର୍ଟରୁ ଫ୍ରାଙ୍କପୋର୍ଟ ଯାଇ ସେଠାରୁ ରୋମବାଟେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ ।

 

ଭାରତୀୟ ଜାତୀୟ କଂଗ୍ରେସ ଗଠନର ଶତବାର୍ଷିକୀ ଉତ୍ସବ ପାଳନ ନିମନ୍ତେ ଭାରତ ସରକାର ଓ ଯୁକ୍ତରାଷ୍ଟ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆମେରିକାରେ ଭାରତ ଉତ୍ସବ ଆୟୋଜିତ ହେଲା । ଆମେରିକାର ଲଙ୍ଗବିଚ୍‌ ସହରରେ ୧୯୮୫ ଅକ୍ଟୋବର ୧୧ ତାରିଖରେ ବକ୍ତୃତାମାଳାର ଉଦ୍‌ଘାଟନ ଉତ୍ସବ ଲାଗି ଆମେରିକାର ଅନୁରୋଧକ୍ରମେ ଭାରତ ସରକାର ପ୍ରଫେସର ମନ୍ମଥନାଥ ଦାସଙ୍କୁ ପଠାଇବାକୁ ସ୍ଥିର କଲେ । ଅକ୍ଟୋବର ୭ ତାରିଖ ଦିନ ସେ ଭାରତ ସରକାରଙ୍କ ସାଂସ୍କୃତିକ ବିଭାଗ ସଚିବଙ୍କଠାରୁ ତିନିସପ୍ତାହ ପାଇଁ ପ୍ରସ୍ତୁତ ହୋଇ ଯିବାକୁ ସୂଚନା ପାଇଲେ । ୮ ତାରିଖ ମଧ୍ୟରାତ୍ର ପରେ ଦିଲ୍ଲୀରୁ ବ୍ୟାଙ୍କକ୍‌ ଯାଇ ଟୋକିଓ ବାଟେ ଆମେରିକାର ଲଙ୍ଗବିଚ୍‌ ବିମାନଘାଟୀରେ ସେ ୨୦ ତାରିଖ ରାତିରେ ପହଞ୍ଚିଥିଲେ । ତିନି ସପ୍ତାହ ମଧ୍ୟରେ ମନ୍ମଥବାବୁ ଲସ୍‌ ଆଞ୍ଜେଲସ୍‌, ସାନ୍‌ଫ୍ରାନ୍‌ସିସ୍କୋ, ଓ୍ୱାସିଂଟନ ଓ ନ୍ୟୁୟର୍କ ସହରରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସଭାସମିତିରେ କଂଗ୍ରେସର ଇତିହାସ ଓ ଗାନ୍ଧୀ ବିପ୍ଲବର ବିଶେଷତ୍ୱ ବର୍ଣ୍ଣନା କରିଥିଲେ । ନଭେମ୍ବର ୧ ତାରିଖ ଦିନ ନ୍ୟୁୟର୍କ ବିମାନଘାଟୀର ଆଟଲାଣ୍ଟିକ୍‌ ମହାସାଗର ଅତିକ୍ରମ କରି ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରେ କିଛି ସମୟ ବିତାଇ ଦିଲ୍ଲୀ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ବିମାନଯାତ୍ରା ସମୟରେ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ହାସିମ୍‌ ଅବ୍‌ଦୁଲ ହାଲିମଙ୍କ ସହ ପରିଚୟ ଓ ସାନ୍ନିଧ୍ୟ ତାଙ୍କ ପାଇଁ ଏକ ସ୍ମରଣୀୟ ଘଟଣା ଥିଲା । ତାଙ୍କ ସୌଜନ୍ୟରୁ ଦିଲ୍ଲୀର ପଶ୍ଚିମବଙ୍ଗ ସରକାରଙ୍କ ସ୍ଵତନ୍ତ୍ର ଅତିଥିଭବନରେ ଥିଲାବେଳେ ନେହେରୁ ଯୁଗର ନିର୍ଭୀକ ତରୁଣ ତୁର୍କ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା ।

 

୧୯୮୫ ନଭେମ୍ବର ପ୍ରଥମ ସପ୍ତାହରେ ଆମେରିକା ଗସ୍ତରୁ ଲେଉଟିବାର କିଛିଦିନ ପରେ ଇଂଲଣ୍ଡର ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ତାଙ୍କ ପାଖକୁ ନିମନ୍ତ୍ରଣ ଆସିଥିଲା ନଭେମ୍ବର ଶେଷ ସପ୍ତାହରେ ହେବାକୁ ଥିବା ‘ଜାତୀୟ କଂଗ୍ରେସ’ ଶୀର୍ଷକ ପାଠଚକ୍ରରେ ଅଂଶଗ୍ରହଣ ପାଇଁ । ନଭେମ୍ବର ୨୦ ତାରିଖରେ ଦିଲ୍ଲୀରୁ ଲଣ୍ଡନଯାତ୍ରା ଲାଗି ଏୟାର୍‌ ଇଣ୍ଡିଆରେ ଟିକେଟ୍‌ କିଣିଥିଲେ ମଧ୍ୟ ଆକସ୍ମିକ ଦାନ୍ତବିନ୍ଧାଜନିତ ଯନ୍ତ୍ରଣା ପାଇଁ ସେହି ଗସ୍ତ ସେ ବାତିଲ କରିଥିଲେ । ଏହାପରେ ୧୯୮୮ ସେ ହଙ୍ଗେରୀ ଯାତ୍ରାକରି ଏକ ପୂର୍ବ ଇୟୁରୋପୀୟ ଦେଶର ଅନୁଭୂତି ସଂଗ୍ରହ କରିଥିଲେ-। ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଓ ସାଂସ୍କୃତିକ ଭାବବିନିମୟ ପାଇଁ ଭାରତ ଓ ହଙ୍ଗେରୀ ମଧ୍ୟରେ ଏକ ବନ୍ଧୁତା-ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା । ତଦନୁଯାୟୀ ଉଭୟ ଦେଶର ଐତିହାସିକମାନଙ୍କର ଯେଉଁ ଗୋଲ୍‌ଟେବୁଲ ବୈଠକ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟ ସହରରେ ଆୟୋଜନ କରାଯାଇଥିଲା ସେଥିରେ ଯୋଗ ଦେବାଲାଗି ଭାରତରୁ ତାଙ୍କ ସହ ନେହେରୁ ମ୍ୟୁଜିୟମର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ଇତିହାସ ପ୍ରଫେସର ସୁମିତ ସରକାରଙ୍କୁ ରହିବାଲାଗି ପ୍ରସ୍ତୁତ ହେଇ ୧୬ ତାରିଖ ଦିନ ସେ ଦିଲ୍ଲୀରେ ପହଞ୍ଚିଥିଲେ । ନଭେମ୍ବର ୧୯ ତାରିଖ ରାତିରେ ଏୟାର ଇଣ୍ଡିଆ ବିମାନରେ ରୋମ ଯାତ୍ରାକରି ସେଠାରୁ ଏକ ପୂର୍ବ ୟୁରୋପୀୟ ବିମାନରେ ଯାଇ ୨୦ ତାରିଖ ରବିବାର ଅପରାହ୍‌ଣରେ ବୁଦାପେଷ୍ଟରେ ପହଞ୍ଚିଥିଲେ । ହଙ୍ଗେରୀ ସାଂସ୍କୃତିକ ବିଭାଗ ପକ୍ଷରୁ ମାଡାମ୍‌ ଜୁଡ଼ିଥ ଓଲଗାର ଓ ଭାରତୀୟ ଦୂତାବାସର ପ୍ରଥମ ସଚିବ ରାକେଶ ଶ୍ରୀବାସ୍ତବ ତାଙ୍କ ସହ ଅନ୍ୟ ପ୍ରତିନିଧିଦ୍ଵୟଙ୍କୁ ବିମାନଘାଟୀରେ ସ୍ଵାଗତ କରିଥିଲେ । ସନ୍ଧ୍ୟାରେ ବୁଦାପେଷ୍ଟ ବିଶ୍ଵବିଦ୍ୟାଳୟର ଇତିହାସ ଅଧ୍ୟାପକ ଆଟିଲ୍ଲାଆରା ମନ୍ମଥବାବୁ ତାଙ୍କ ରୁମ୍‌ରେ ସାକ୍ଷାତ କରି ହଙ୍ଗେରୀ ସମ୍ପର୍କରେ ଅନେକ କଥା ଜଣାଇଥିଲେ । ନଭେମ୍ବର ୨୧ ତାରିଖ ଦିନ ୧୦ଟା ବେଳେ ବୁଦାପେଷ୍ଟ ଏଓତ୍‌ବସ୍‌ ଲୋନାର୍ଡ଼ ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଥିବା ପାଠଚକ୍ରରେ ଭାରତୀୟ ରାଷ୍ଟ୍ରଦୂତ ଏସ୍‌.କେ.ଲାମ୍ବା, ଦୂତାବାସର ଦୁଇଜଣ ସଚିବ ତଥା ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଭାରତରେ ଥିବା ହଙ୍ଗେରୀର ପୂର୍ବତନ ରାଷ୍ଟ୍ରଦୂତ ବନ୍ଧୁତା-ଚୁକ୍ତିର ଗୁରୁତ୍ୱ ସମ୍ପର୍କରେ ସୂଚନା ଦେଲାପରେ ମାଡ଼ାମ ଭେରାପାଥି ଓ ଅଧ୍ୟାପକ ଆଟ୍ଟିଲାଆରା ସଂଦର୍ଭ ପାଠ କରିଥିଲେ । ଲାମ୍ବାଙ୍କ ଅନୁରୋଧକ୍ରମେ ମନ୍ମଥବାବୁ ସେହି ଉଦ୍‌ଘାଟନୀ ଉତ୍ସବରେ ସଭାପତିତ୍ୱ କରିଥିଲେ । ୨୩ ତାରିଖ ମଧ୍ୟାହ୍ନରେ ହଙ୍ଗେରୀର ନ୍ୟାୟ ବିଭାଗ ମନ୍ତ୍ରୀ ତକ୍ଟର କାଲମାନ୍‌ କୁଲେସାରଙ୍କ ସହିତ ସାକ୍ଷାତକାର, ନଭେମ୍ବର ୨୪ ତାରିଖରେ ବୁଦାପେଷ୍ଟଠାରୁ ୬୦ ମାଇଲ ଦୂରବର୍ତ୍ତୀ ଏଗାର ସହର ଭ୍ରମଣ, ୨୬ ତାରିଖ ସନ୍ଧ୍ୟାରେ ସେଠାକାର ଭାରତୀୟ ରାଷ୍ଟ୍ରଦୂତାବାସର ସଚିବ ରାକେଶ ଶ୍ରୀବାସ୍ତବଙ୍କ ବାସଭବନରେ ନୈଶଭୋଜି, ୨୭ ତାରିଖ ଦିନ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଏକ ସଭାରେ ଯୋଗ ଦେଲାପରେ ୟୁରୋପ୍‌ ମହାଦେଶର ଦୀର୍ଘତମ ନଦୀ ଡାନ୍ୟୁବର ସୌନ୍ଦର୍ଯ୍ୟ ଉପଭୋଗ ତାଙ୍କ ଭ୍ରମଣ କାଳର କେତୋଟି ବିଶେଷ ମୁହୂର୍ତ୍ତ ଥିଲା । ସେଠାକାର ସାଂସ୍କୃତିକ ବିଭାଗ ପକ୍ଷରୁ ତାଙ୍କର ଭିଏନା ଓ ପ୍ରାଗ୍‌ ଯିବାର ବନ୍ଦୋବସ୍ତ ହୋଇ ସାରିଥିଲେ ମଧ୍ୟ ହଙ୍ଗେରୀର ଖର୍ଚ୍ଚରେ ଅନ୍ୟ ଦେଶ ଭ୍ରମଣରେ ଯିବା ସଙ୍ଗତ ହେବନାହିଁ ମନେକରି ତାହା ସେ ପ୍ରତ୍ୟାଖାନ କରିଥିଲେ । ନଭେମ୍ବର ୩୦ ତାରିଖ ଦିନ ବୁଦାପେଷ୍ଟରୁ ବିଦାୟ ଘେନି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ।

 

ଜଣେ ଐତିହାସିକ ଭାବେ ମନ୍ମଥବାବୁ ଯେତେଥର ବିଦେଶ ଯିବାର ସୁଯୋଗ ପାଇଥିଲେ ଏବଂ ବିଦେଶରେ ଉତ୍କଳୀୟ ତଥା ଭାରତୀୟ ଐତିହ୍ୟ, ପରମ୍ପରା ଓ ଇତିହାସର ଜ୍ଵଳନ୍ତ ସ୍ଵାକ୍ଷରକୁ ତାଙ୍କ ସ୍ଵଭାବସୁଲଭ ଆକର୍ଷଣୀୟ ଢଙ୍ଗ ଓ ଶୈଳୀରେ ଉପସ୍ଥାପିତ କରି ନିଜ ପ୍ରଦେଶ ତଥା ଦେଶର ଗୌରବ ବୃଦ୍ଧି କରିଥିଲେ ସେପରି ଦୃଷ୍ଟାନ୍ତ ଖୁବ୍‌ ବିରଳ । ବାସ୍ତବରେ ସେ ଥିଲେ ଭାରତୀୟ ଇତିହାସ ଓ ପାଶ୍ଚାତ୍ୟ ପରମ୍ପରା ମଧ୍ୟରେ ଏକ ନମ୍ର କମନୀୟ ସଂଯୋଗ ସେତୁ ।

 

***

 

Unknown

ଇତିହାସର ଅନବଦ୍ୟ ବ୍ୟାଖ୍ୟାକାର

 

ଜଣେ ଐତିହାସିକଭାବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଡ. ମନ୍ମଥନାଥ ଦାସଙ୍କ ନାମ ବେଶ୍‌ ସୁପରିଚତି । ଇତିହାସ ବିଷୟରେ ସେ ଅନେକଗୁଡ଼ିଏ ଉପାଦେୟ ପୁସ୍ତକ ରଚନା କରିଯାଇଛନ୍ତି । ପ୍ରାଥମିକ ଅବସ୍ଥାରେ ତାଙ୍କ ରଚିତ ଇତିହାସ ସ୍କୁଲ ପାଠ୍ୟ ପୁସ୍ତକ ବିଦ୍ୟାପୁରୀ ଦ୍ଵାରା ପ୍ରକାଶିତ ହୋଇଥିଲା । ୪୬୮ ପୃଷ୍ଠା ସମ୍ବଳିତ ‘ଭାରତ ଇତିହାସ’ ପୁସ୍ତକଟି ନବମ, ଦଶମ ଓ ଏକାଦଶ ଶ୍ରେଣୀ ନିମନ୍ତେ ୧୯୬୯ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡଙ୍କ ଦ୍ଵାରା ଅନୁମୋଦିତ ହୋଇଥିଲା । ଏହି ବହିଟି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାର କାରଣ ଥିଲା କୌଣସି ଘଟଣାବସ୍ତୁର ସାରମର୍ମ ଗୋଟିଏ କିମ୍ବା ଦୁଇଟି ଶବ୍ଦରେ ବାମପାର୍ଶ୍ଵରେ ଲେଖା ଯାଇଥିଲା । ପିଲାମାନଙ୍କୁ କ୍ରମାନ୍ୱୟରେ ବିଷୟବସ୍ତୁକୁ ମନେରଖିବା ପାଇଁ ତାହା ସାହାଯ୍ୟ କରୁଥିଲା । ସେହିପରି ଅଷ୍ଟମ ଶ୍ରେଣୀ ନିମନ୍ତେ ତାଙ୍କ ରଚିତ ‘ପୃଥିବୀ ଇତିହାସ’ ପୁସ୍ତକଟି ମଧ୍ୟ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଲାଭ କରିଥିଲା । ବହି ଦୁଇଟିର ଭାଷା ଓ ରଚନାଶୈଳୀ ଆକର୍ଷଣୀୟ ହୋଇଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦ୍ଵାରା ତାହା ବହୁଳଭାବେ ଆଦୃତ ହୋଇଥିଲା-। ପାଠ୍ୟପୁସ୍ତକ ଜାତୀୟକରଣ ହେବା ପର୍ଯ୍ୟନ୍ତ ଏହି ବହି ଦୁଇଟି ହାଇସ୍କୁଲ ସ୍ତରରେ ପ୍ରଚଳିତ ଥିଲା ।

 

ପରବର୍ତ୍ତୀ କାଳରେ ଉଚ୍ଚ ମାଧ୍ୟମିକ ତଥା ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଇତିହାସ ପୁସ୍ତକମାନ ରଚନା କରିଥିଲେ, ଯାହା ଏପର୍ଯ୍ୟନ୍ତ ମଧ୍ୟ ପାଠ୍ୟପୁସ୍ତକଭାବେ ପ୍ରଚଳିତ ହେଉଛି । ସ୍ଵାଧୀନତା ପ୍ରାପ୍ତିର ଠିକ୍‌ ପରେ ପରେ ତାଙ୍କର ‘History of Orissa’ ପୁସ୍ତକ ପ୍ରକାଶ ପାଇଥିଲା । ଏହି ପୁସ୍ତକଟିର ଭାଷା ଓ ଭାବ ସରଳ, ଶୈଳୀ ଆକର୍ଷଣୀୟ । ସାଧାରଣ ବୋଧଗମ୍ୟ ଇଂରାଜୀ ଭାଷାରେ ସେ ଅତି ଚମତ୍କାର ଭାବରେ ପ୍ରତ୍ୟେକ ଅଧ୍ୟାୟକୁ ସୁସଜ୍ଜିତ ଢଙ୍ଗରେ ଉପସ୍ଥାପନ କରିଛନ୍ତି । ଇତିହାସକୁ ରୁଦ୍ଧିମନ୍ତ କରିବା ସହ ଓଡ଼ିଆମାନଙ୍କୁ ଅତୀତର ଗୌରବଗାଥା କହି ତାଙ୍କ ଭିତରେ ସ୍ଵକୀୟ ପ୍ରେରଣା ସୃଷ୍ଟିକରିବା ଏହି ପୁସ୍ତକଟିର ଅନ୍ୟତମ ଲକ୍ଷ୍ୟ ବୋଲି ମନେହୁଏ । ଏହି ବହିଟିରେ ଓଡ଼ିଶାର ଭୌଗୋଳିକ ସ୍ଥିତିର ମନୋଜ୍ଞ ବିଶ୍ଳେଷଣ କରାଯାଇଛି । ଲେଖକଙ୍କ ମତରେ, ଓଡ଼ିଶା ଉତ୍ତର ଭାରତ ଓ ଦକ୍ଷିଣ ଭାରତର ସନ୍ଧିସ୍ଥଳରେ ଅବସ୍ଥିତ । ଆର୍ଯ୍ୟମାନେ ଦାକ୍ଷିଣାତ୍ୟ ଯାତ୍ରା କଲାବେଳେ ଏହି କଳିଙ୍ଗ ମଧ୍ୟଦେଇ ଯାତ୍ରା କରିଥିଲେ । ଫଳସ୍ୱରୂପ ଉତ୍ତର ଭାରତୀୟ ରୀତି ଓ ଦକ୍ଷିଣ ଭାରତୀୟ ରୀତିନୀତିର ଅପୂର୍ବ ସମନ୍ୱୟରେ ଓଡ଼ିଶାର ଆଚାର ବ୍ୟବହାର ବିଶେଷଭାବରେ ରୂପାୟିତ ହୋଇଛି । ଆର୍ଯ୍ୟ ଓ ଦ୍ରାବିଡ଼ ସଂସ୍କୃତିର ସୁମଧୁର ମିଶ୍ରଣ ଘଟି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହୋଇଛି ଏହି କଳିଙ୍ଗ ଭୂମିରେ । ମନ୍ମଥବାବୁଙ୍କର ଏହି ଐତିହାସିକ ବିଶ୍ଳେଷଣ ଓଡ଼ିଶାର ଅତୀତ ଗୌରବ ଓ ଗାରିମା ସମ୍ପର୍କରେ ପ୍ରକୃଷ୍ଟ ସୂଚନା ଦିଏ ।

 

ପ୍ରଫେସର ଦାସ ଜଣେ ଛାତ୍ର ତଥା ଅଧ୍ୟାପକଭାବେ ଇତିହାସର ଗଭୀର ଅଧ୍ୟୟନ ଓ ଆକଳନ କରିଥିଲେ । ସେ ତିନିତିନିଥର ଇଂଲଣ୍ଡ ଯାଇ ସେଠାରେ ମୂଳ ଦସ୍ତାବିଜ୍‌ ଖୋଜି ବାହାରକରି ବ୍ରିଟିଶ୍‌ ଅମଳର ପ୍ରାମାଣିକ ଇତିହାସ ଲେଖିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ-। ମ୍ୟାକ୍‌ଲେଙ୍କ ତଥ୍ୟଭିତ୍ତିକ ଲେଖାମାନ ପ୍ରତ୍ୟକ୍ଷଭାବେ ଅଧ୍ୟୟନକରି ସେ ଅନେକ କିମ୍ବଦନ୍ତୀର ରହସ୍ୟ ଉନ୍ନୋଚନ କରିବାରେ ସଫଳ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟ ଏବେ ମଧ୍ୟ ବିଶ୍ୱାସନୀୟ ହୋଇ ରହିଛି ଏବଂ ଗବେଷକମାନଙ୍କୁ ମାର୍ଗଦର୍ଶନ କରାଉଛି । ଆଧୁନିକ ଭାରତର ଇତିହାସ ଉପରେ ତାଙ୍କର ମୌଳିକ ଗବେଷଣା (ଲର୍ଡ ଡେଲହାଉସୀଙ୍କ ଶାସନ କାଳରେ ସାମାଜିକ ଓ ଆର୍ଥିକ ପ୍ରଗତି, ମର୍ଲେ-ମିଣ୍ଟୋଙ୍କ କାର୍ଯ୍ୟକାଳ ସମୟରେ ରାଜନୀତି, ଜବାହରଲାଲ ନେହେରୁଙ୍କ ରାଜନୈତିକ ଦର୍ଶନ ଏବଂ ଭାରତର ବିଭାଜନ ଓ ସ୍ଵାଧୀନତା ସମ୍ବନ୍ଧୀୟ ରାଜନୀତି) ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ସ୍ଵୀକୃତିଲାଭ କରିଛି । କେବଳ ରାଜନୀତିକ ଇତିହାସ ନୁହେଁ, ଆଧୁନିକ ଭାରତର ସାଂସ୍କୃତିକ, ସାମାଜିକ ଏବଂ ଆର୍ଥନୀତିକ ଇତିହାସର ସେ ଥିଲେ ଜଣେ ଉଚ୍ଚାଙ୍ଗ ଗବେଷକ ଓ ପ୍ରବକ୍ତା । ସେ ସମ୍ପର୍କରେ ସେ ରଚନା କରିଥିବା Social Culture Economic History of India (Modern Period) ଗ୍ରନ୍ଥଟି ୧୯୭୧ରେ ଦିଲ୍ଲୀର ସୁନାମଧନ୍ୟ ମ୍ୟାକ୍‌ମିଲନ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ହୋଇଥିଲା । ଭାରତର ସ୍ଵାଧୀନତା ଓ ଦେଶ ବିଭାଜନର ରହସ୍ୟ ସେ ପାଠକଙ୍କ ସମ୍ମୁଖରେ ଉଦ୍‌ଘାଟନ କରିଛନ୍ତି ତାଙ୍କର ଅନ୍ୟତମ ପୁସ୍ତକ ‘Partition & Independence of India : Inside story of the Mountbatten days’ ମାଧ୍ୟମରେ । ତାଙ୍କର ଅନ୍ୟ ଏକ ପ୍ରସିଦ୍ଧ ପୁସ୍ତକ ହେଛି ‘Emperor Ashok Mourya; Kalinga War to Universal Peace’, ଯେଉଁ ବହିଟିକୁ ନେଇ ସେ ଏକ ସୁନ୍ଦର ଚଳଚିତ୍ର ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ ।

 

ଭାରତୀୟ ଜାତୀୟ କଂଗ୍ରେସର ଶତବାର୍ଷିକୀ ଉପଲକ୍ଷେ ଯେତେବେଳେ ପାଞ୍ଚଖଣ୍ଡରେ କଂଗ୍ରେସର ଇତିହାସ ରଚନା କରିବା ପାଇଁ ସ୍ଥିର ହେଲା, ସେତେବେଳେ ତୃତୀୟ ଖଣ୍ଡ (୧୯୩୫ ରୁ ୧୯୪୭)ର ସମ୍ପାଦନା ପାଇଁ ମନ୍ମଥବାବୁଙ୍କ ନାମ ସ୍ୱୟଂ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସୁପାରିଶ କରିଥିଲେ । ଆମ ରାଜ୍ୟର ପୂର୍ବତନ ରାଜ୍ୟପାଳ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ବିଶ୍ଵମ୍ଭରନାଥ ପାଣ୍ଡେଙ୍କ ସହଯୋଗିତାରେ ସେ ଜାତୀୟ ମୁକ୍ତି ସଂଗ୍ରାମ ତଥା ଜାତୀୟ କଂଗ୍ରେସର ଇତିହାସ ପ୍ରଣୟନ କରିଥିଲେ । ଏହି ପୁସ୍ତକର ତଥ୍ୟ ଉପସ୍ଥାପନ, ବିବେଚନା ଏବଂ ବିଶ୍ଳେଷଣ ଇତିହାସ ଅନୁରାଗୀ ପାଠକଙ୍କୁ ଅଭିଭୂତ କରିଦିଏ । କେବଳ ଜାତୀୟସ୍ତରରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ତାଙ୍କର ଗବେଷଣାତ୍ମକ ଲେଖାଗୁଡ଼ିକ ବହୁଳଭାବେ ଚର୍ଚ୍ଚିତ ଓ ପ୍ରଶଂସିତ । ଭାରତବର୍ଷର ସ୍ଵାଧୀନତା ସଂଗ୍ରାମର ଶତବାର୍ଷିକୀ ଉପଲକ୍ଷେ କଂଗ୍ରେସ ଦଳର ଭୂମିକା ଉପରେ ଶେଷ ଅଧ୍ୟାୟଟି ଲେଖିବା ପାଇଁ ସ୍ଵର୍ଗତ ରାଜୀବ ଗାନ୍ଧୀ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ଘଟଣା ଜଣେ ସତ୍ୟନିଷ୍ଠ ଐତିହାସିକଭାବେ ତାଙ୍କର ଗୁରୁତ୍ୱ ପ୍ରତିପାଦନ କରେ ।

 

ବ୍ରିଟିଶ ସରକାରଙ୍କ ରାଜତ୍ୱ କାଳରେ ଭୂମିଷ୍ଠ ହୋଇଥିବାରୁ ଜାତୀୟ ସ୍ଵାଧୀନତା ଆନ୍ଦୋଳନ ଦ୍ଵାରା ସେ ଖୁବ୍‌ ପ୍ରଭାବିତ ହୋଇଥିଲେ । ସ୍ଵାଧୀନତା ଆନ୍ଦୋଳନର ପଟ୍ଟଭୂମି ଉପରେ ରଚିତ ବିଭିନ୍ନ ତଥ୍ୟ ଓ ଗାନ୍ଧିଜୀଙ୍କର ନୀତି ଓ ଆଦର୍ଶକୁ ଭିତ୍ତି କରି ଇଂରାଜୀ । ଭାଷାରେ ବହୁ ଦେଶାତ୍ମବୋଧକ ରଚନା ପ୍ରକାଶକରି ସ୍ଵାଧୀନତା ଆନ୍ଦୋଳନକୁ ବ୍ୟାପକ କରିବାରେ ସେ ଇନ୍ଧନ ଯୋଗାଇଥିଲେ । ଇତିହାସକୁ ସାଧାରଣ ଅର୍ଥରେ ଗ୍ରହଣ ନ କରି ସ୍ଵକୀୟ ଗବେଷଣା ମାଧ୍ୟମରେ ସମାଜ ଓ ସଂସ୍କୃତିର ବିକାଶ ପାଇଁ ତାହାକୁ ଏକ ଅମୋଘ ଅସ୍ତ୍ରରୂପେ ବ୍ୟବହାର କରିଥିଲେ ଡକ୍ଟର ଦାସ । ରାଜ୍ୟସଭାର ସାଂସଦଭାବେ ନିଜର ସାଂସଦୀୟ, ଜୀବନକୁ ସେ ବୌଦ୍ଧିକ ସୃଜନର ମାଧ୍ୟମ କରିବାକୁ ଭୁଲିନଥିଲେ, ଯାହାର ଫଳଶୃତି ଥିଲା ‘Behind the dark curtain’ ଭଳି ଏକ ଉଚ୍ଚମାନର ଇଂରାଜୀ ଉପନ୍ୟାସ । ସାଂସଦ ଦାୟିତ୍ୱ ନିର୍ବାହ କରିବା ଭିତରେ ତତ୍କାଳୀନ ଭାରତୀୟ ଗଣତନ୍ତ୍ରର କାର୍ଯ୍ୟଧାରା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନକୁ ଭିତ୍ତିକରି ଏକ ପୁସ୍ତକ ଲେଖିବାକୁ ମନସ୍ଥ କରି ସେ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଶାରୀରିକ ଅସୁସ୍ଥତା ଯୋଗୁଁ ଏହି ପୁସ୍ତକ ଲେଖା ସମ୍ଭବ ହୋଇ ନ ଥିଲେ ମଧ୍ୟ ତାଙ୍କର ବହୁ ସନ୍ଦର୍ଭ ଓ ଆଲେଖ୍ୟ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ପତ୍ରପତ୍ରିକା ଏବଂ ଏନ୍‌ସାଇକ୍ଲୋପେଡ଼ିଆ ବ୍ରିଟାନିକାରେ ପ୍ରକାଶ ପାଇଥିଲା । ସହାୟକ ଇତିହାସ ପୁସ୍ତକଭାବେ ସେ ଅନେକଗୁଡ଼ିଏ ଇତିହାସ ବହି ରଚନା କରିଯାଇଛନ୍ତି । ସେଥିମଧ୍ୟରୁ ‘ବିଶ୍ଵ ଇତିହାସ ଓ ରାଜନୀତି: ବିଂଶ ଶତାବ୍ଦୀ, ଭାରତର ସ୍ଵାଧୀନତା ସଂଗ୍ରାମ ଓ ଜାତୀୟ ସଂହତିର ଇତିହାସ, ଭାରତର ସାମାଜିକ ଓ ସାଂସ୍କୃତିକ ଇତିହାସ, End of the British Indian Empire (Politics of Devide & Quit) ଏବଂ ସଂପାଦିତ ପୁସ୍ତକ ‘Side-lights on history & culture & Orissa’ ଓ ‘Orissa Bibliography’ ଅନ୍ୟତମ ।

 

ପ୍ରାକ୍‌ ସ୍ଵାଧୀନତା ସଂଗ୍ରାମ, ନେତାଜୀ ସୁଭାଷ ଓ ମହାତ୍ମା ଗାନ୍ଧୀଙ୍କ ଚମତ୍କାରୀ ଭୂମିକା, ଆପୋଷହୀନ ଧାରାରେ ଜୀବନ ଉତ୍ସର୍ଗ କରୁଥିବା ଅଗଣିତ ଶହିଦଙ୍କ ଜୀବନ କାହାଣୀ, ଦେଶ ମାତୃକାର ବିଭାଜନ, ସ୍ଵାଧୀନତା ପ୍ରାପ୍ତି ଓ ସ୍ଵାଧୀନୋତ୍ତର ଭାରତବର୍ଷର ରାଜନୈତିକ ଅଭ୍ୟୁଦୟ ପ୍ରଭୃତି ଯୁଗାନ୍ତକାରୀ ଘଟଣା ପ୍ରବାହକୁ ଅତ୍ୟନ୍ତ ନିଷ୍ଠା ଓ ଭାବାବେଗ ସହିତ ଅଧ୍ୟୟନ କରି ଅନ୍ତଃକରଣରେ ରୂପାୟିତ କରିବା କ୍ଷେତ୍ରରେ ସେ ହିଁ ବାସ୍ତବରେ ଅଗ୍ରଗଣ୍ୟ ଐତିହାସିକ । ଭାରତ ବିଭାଜନର ବହୁ ଅସ୍ପଷ୍ଟ ଓ ବିବାଦୀୟ କାହାଣୀ ତଥା ଘଟଣାବଳୀ ଉପରେ ପ୍ରାଞ୍ଜଳ ତଥ୍ୟ ଓ ପ୍ରମାଣ ସାହାଯ୍ୟରେ ଐତିହାସିକ ଗବେଷଣା କରି ସେ ଯେଉଁ ଦିଗ୍‌ଦର୍ଶନ ଦେଇଯାଇଛନ୍ତି ତାହା ଭାରତ ଇତିହାସ ପୃଷ୍ଠାରେ ଚିରକାଳ ସମୁଜ୍ଜ୍ୱଳ ହୋଇରହିବ । ସମ୍ରାଟ ଅଶୋକ ଓ କଳିଙ୍ଗ ଇତିହାସର ବହୁ ଅନାଲୋଚିତ ଘଟଣାବଳୀ ଉପରେ ସେ ବିଶେଷ ଆଲୋକପାତ କରିଛନ୍ତି ।

 

ଓଡ଼ିଶାର ଗୌରବୋଜ୍ଵଳ ଇତିହାସ ଓ ସଂସ୍କୃତିକୁ ଗବେଷଣା ଦ୍ଵାରା ଲୋକଲୋଚନକୁ ଆଣି ସାରା ବିଶ୍ଵରେ ପୁନଃ ପ୍ରତିଷ୍ଠିତ କରିବାକୁ ୧୯୬୯ ମସିହାରେ ସେ ‘ଓଡ଼ିଶା ଇତିହାସ କଂଗ୍ରେସ’ର ସ୍ଥାପନା କରିଥିଲେ । ୧୯୭୭ ମସିହାରେ ଭାରତୀୟ ଇତିହାସ କଂଗ୍ରେସ (Indian History Congress)ର ୩୮ତମ ଅଧିବେଶନର ସେ ଆୟୋଜନ କରିଥିଲେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ । ସେ ଏହାର ଅନ୍ୟତମ ଆୟୋଜକ ଥିଲେ ମଧ ‘Side lights on History and Culture’ ପୁସ୍ତକର ସମ୍ପାଦନା କରିଥିଲେ ଯାହା ଭାରତର ଇତିହାସ ଅନୁରାଗୀ ତଥା ବୁଦ୍ଧିଜୀବୀମାନଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହୋଇଥିଲା । ଓଡ଼ିଶାର ଇତିହାସ ତଥା ଓଡ଼ିଶାବାସୀଙ୍କ ବୀରତ୍ଵକୁ ସାର୍ବଜନୀନ କରିବାପାଇଁ ସେ ଅଶୋକ ଓ କଳିଙ୍ଗ ଯୁଦ୍ଧ ବିଷୟରେ ଆୟାସସାଧ୍ୟ ଏକ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ପ୍ରସ୍ତୁତ କରିଥିଲେ । ମାତ୍ର ବମ୍ବେର ଜନୈକ ପ୍ରଯୋଜକଙ୍କ ପ୍ରତାରଣା ଯୋଗୁଁ ତାଙ୍କର ସ୍ଵପ୍ନ ସାକାର ହୋଇପାରି ନ ଥିଲା ।

 

ଫକୀରମୋହନ କଲେଜରୁ ବଦଳିହୋଇ ସାମନ୍ତ ଚନ୍ଦ୍ରଶେଖର କଲେଜ ପୁରୀକୁ ସେ ଯାଇଥିଲେ ୧୯୫୩ରେ । ସେଠାରେ ମଧ୍ୟ ତାଙ୍କର ଲେଖନୀ ହୋଇ ଉଠିଥିଲା ଚଳଚଞ୍ଚଳ । ଗବେଷଣା ଉଦ୍ଦେଶ୍ୟରେ ଲଣ୍ଡନ ଯାଇ ପ୍ରବାସ କାଳରେ ସେ ଲେଖିଥିଲେ ‘Political Philosophy of Jawaharlal Neheru’ (ଜବାହାରଲାଲ ନେହେରୁଙ୍କ ରାଜନୈତିକ ଦର୍ଶନ) । ଗବେଷଣା ପାଇଁ କିଛିକାଳ ସିମଲା ଶୈଳନିବାସରେ ଅବସ୍ଥାନ କଲାବେଳେ ସେ ଲେଖିଥିଲେ ‘Indian National Congress Versus The British’ । ଅସୁମାରି ଐତିହାସିକ ତଥ୍ୟରାଜିକୁ ମନୋଜ୍ଞ ଢଙ୍ଗରେ ସେ ଆଲୋକକୁ ଆଣିଛନ୍ତି ଏହି ଗ୍ରନ୍ଥରେ । ୧୯୮୨ ବେଳକୁ ସେ ଲେଖିଲେ ‘Partition and Independence of India’ (ଦେଶ ବିଭାଜନ ଓ ସ୍ୱାଧୀନ ଭାରତ) । ଭାରତର ସର୍ବଶେଷ ଇଂରେଜ ପ୍ରତିନିଧି‌ ଓ ଶାସକ ମାଉଣ୍ଟବେଟେନ୍‌ଙ୍କ କୂଟନୀତି କିପରି ଏକ ବିଶାଳଦେଶକୁ ଖଣ୍ଡଖଣ୍ଡକରି ସାମ୍ପ୍ରଦାୟିକ ବୀଜବପନ କରିଯାଇଥିଲା ତାହାର ଅନେକ ରହସ୍ୟ ସେ ଉଦ୍‌ଘାଟନ କରିଯାଇଛନ୍ତି ‘Inside story of the Mountbatten day’s ପୁସ୍ତକରେ । ଭାରତ ବିଭାଜନ ତଥା ସ୍ଵାଧୀନତା ଉପରେ ପୌରୋହିତ୍ୟ କରିଥିବା ଭାରତର ଏହି ଶେଷ ବ୍ରିଟିଶ ବଡ଼ଲାଟଙ୍କ ସହ, ସେ ସନ୍ତ୍ରାସବାଦୀଙ୍କ ହାତରେ ନିହତ ହେବାର ଅଳ୍ପ କିଛିକାଳ ପୂର୍ବରୁ ଦୀର୍ଘ ସାକ୍ଷାତକାର ନେବାରେ ଡ. ମନ୍ମଥ ନାଥ ଦାସ ଥିଲେ ଶେଷ ଐତିହାସିକ । ମାଉଣ୍ଟବେଟେନଙ୍କ ମୃତ୍ୟୁ ପରେ ତାଙ୍କ କନ୍ୟାଙ୍କ ସୌଜନ୍ୟରୁ ସେ ମାଉଣ୍ଟବେଟେନ୍‌ଙ୍କ ୨୬୦ରୁ ଉର୍ଦ୍ଧ୍ୱ ଗୁପ୍ତ ଦଲିଲ ତଥା ଫାଇଲଗୁଡ଼ିକୁ ତନ୍ନ ତନ୍ନ କରି ପରଖିବାର ସୁଯୋଗ ପାଇଥିଲେ ।

 

ତୃତୀୟଥର ପାଇଁ ଗବେଷଣା ନିମନ୍ତେ ଇଂଲଣ୍ଡ ଯାଇ ତାଙ୍କ ପ୍ରଭାବଶାଳୀ ଗାଇଡ୍‌ଙ୍କ ଆନୁକୂଲ୍ୟରେ ସେଯାବତ୍‌ ଅନାଲୋଚିତ ଥିବା ଭାରତୀୟ ସ୍ଵାଧୀନତା ସଂଗ୍ରାମର ବହୁ ତଥ୍ୟ ରାତିରାତି ବସି ଲିପିବଦ୍ଧ କରିବାରେ ବ୍ୟସ୍ତ ରହିଥିଲେ । ଉଦ୍ଦେଶ୍ୟ ଥିଲା, ଯେତେଶୀଘ୍ର ସମ୍ଭବ ‘Freedom at Midnight’ ପୁସ୍ତକର ଲେଖାସାରି ତାହା ପ୍ରକାଶ କରିବା । ମାତ୍ର ଜଣେ ଭାରତୀୟ ଐତିହାସିକଙ୍କର ଏହି ଉଦ୍ୟମ ବିଷୟରେ ସମ୍ଭବତଃ ଅବଗତଥିବା ଦୁଇଜଣ ବୃତ୍ତିଧର୍ମୀ ଇଂରାଜୀ ଲେଖକ ହଠାତ୍‌ ନିଜ ସହକାରୀଙ୍କୁ ଧରି ଆଧୁନିକ ସାଜସରଞ୍ଜାମ ସହାୟତାରେ ତଥ୍ୟସବୁ ସଂଗ୍ରହ କରିନେଇ ସେହି ଶୀର୍ଷକର ବହିଟିକୁ ଲେଖିବାକୁ ବସିଗଲେ । ଫଳରେ ମନ୍ମଥ ଦାସଙ୍କର ପୁସ୍ତକଟିର ଲେଖାକାର୍ଯ୍ୟ ସମାପ୍ତ ହେଲାବେଳକୁ ସେମାନଙ୍କ ବହିଟି ଜାକଯମକ ସହକାରେ ପ୍ରକାଶ ପାଇଗଲା । ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରି ପରିଶ୍ରମ ବୃଥାଗଲା ବୋଲି ମନ୍ମଥବାବୁ ବିମର୍ଷରେ ଥିଲାବେଳେ ତାଙ୍କର ସାନଭାଇ ମନୋଜ ଦାସ ପାଣ୍ଡୁଲିପିଟି ଆଣି ଦିଲ୍ଲୀସ୍ଥିତ ତାଙ୍କ ପ୍ରକାଶକ ବନ୍ଧୁ ‘Vision Books ତଥା Orient Paper Backs’ ର ପରିଚାଳକ କପିଲ୍‌ ମାଲହୋତ୍ରାଙ୍କୁ ଦେଇଥିଲେ । ଦ୍ୱିଧା ସହକାରେ ଶ୍ରୀ ମାଲହୋତ୍ରା ପାଣ୍ଡୁଲିପିଟି ରଖିଥିଲେ ମଧ୍ୟ ପରଦିନ ମନୋଜ ଦାସଙ୍କୁ କହିଥିଲେ, ‘ମୁଁ ସାରାରାତି ଶୋଇ ନାହିଁ । ଏମିତି କାରଣରୁ ଆହୁରି କେତେରାତି ଅନିଦ୍ରା ରହିବାକୁ ପଡ଼ିଲେ ମଧ୍ୟ ମୁଁ ପ୍ରାଣବନ୍ତ ରହନ୍ତି । ସନ୍ଧ୍ୟାରେ ପଢ଼ିବା ଆରମ୍ଭ କଲି-। ଛାଡ଼ି ପାରିଲି ନାହିଁ । ନୈଶାହାର ବେଳେ ବି ପଢ଼ୁଥାଏଁ । ଭୋର୍‌ ହୋଇଗଲା ମୋ ଅଜାଣତରେ । ବର୍ତ୍ତମାନ ପ୍ରେସକୁ ପଠାଇ ଦେଉଛି । ପ୍ରକାଶ ପାଇଥିଲା ପୁସ୍ତକ ‘Freedom & partition of India’ । ଯେଉଁ ସଚେତନ ପାଠକମାନେ ପୂର୍ବରୁ ପ୍ରକାଶ ପାଇଥିବା ‘Freedom at Midnight’ ଏବଂ ମନ୍ମଥବାବୁଙ୍କର ଏହି ପୁସ୍ତକ - ଉଭୟକୁ ପଢ଼ିବେ ସେମାନେ ଡ. ଦାସଙ୍କ ବହିଟି ଅଧିକ ତଥ୍ୟ ସମୃଦ୍ଧ ତଥା ସୁଲିଖିତ ବୋଲି ନିଶ୍ଚୟ ଅନୁଭବ କରି ପାରିବେ । କୌଣସି ନାଟକୀୟତା ବା ଚାଞ୍ଚଲ୍ୟର ସ୍ପର୍ଶ ନ ଥିବା ଏହି ଅନନ୍ୟ ପୁସ୍ତକଟି ଗବେଷଣା ତଥା ସନ୍ଧାନୀମାନଙ୍କ ପାଇଁ ଉଦ୍ଦିଷ୍ଟ ।

 

ଶ୍ରୀଲଙ୍କା ପରିଭ୍ରମଣ କାଳରେ ସେ ସିଂହଳର ଇତିହାସ ସହ କଳିଙ୍ଗର ସମ୍ପର୍କକୁ ହୃଦୟଙ୍ଗମ କରିଥିଲେ । ବୁଦ୍ଧଙ୍କ ମହାପରିନିର୍ବାଣ ସମୟରେ ଜନୈକା କଳିଙ୍ଗ ରାଜକନ୍ୟାଙ୍କ ବଂଶଧର ବିଜୟସିଂହ ତାଙ୍କର ଦଳବଳ ସହ ଆସିଥିଲେ ଲଙ୍କାଦ୍ୱୀପକୁ । ତାଙ୍କ ପିତାଙ୍କ ନାମ ଥିଲା ସିଂହବାହୁ ଯିଏ କଳିଙ୍ଗର ଗୋଟିଏ ସ୍ଥାନରେ ନୂତନ ରାଜଧାନୀ ସ୍ଥାପନ କରି ତାହାର ନାମ ରଖିଥଲେ ସିଂହପୁର । ଦୁର୍ଦ୍ଦାନ୍ତ ସ୍ଵଭାବ ଯୋଗୁଁ ତରୁଣ ପୁତ୍ର ବିଜୟ ସିଂହ ସ୍ଵଦେଶକୁ ବିତାଡ଼ିତ ହୋଇ ଲଙ୍କା ଦ୍ଵୀପର ଜୟପୂର୍ବକ ସେଠାକାର ରାଜ୍ୟହେଲେ ଏବଂ ଜନ୍ମସ୍ଥାନ ସିଂହପୁର ନାମାନୁଯାୟୀ ଅଧିକୃତ ଦ୍ଵୀପର ନାମ ରଖିଥିଲେ ସିଂହଳ । ସିଂହଳ ଇତିହାସ ‘ଦ୍ଵୀପବଂଶ’ ଓ ‘ମହାବଂଶ’ ଅନୁସାରେ ସେ ହେଉଛନ୍ତି ସେ ଦେଶର ପ୍ରଥମ ଆର୍ଯ୍ୟ ନରପତି । ସିଂହଳରୁ ପ୍ରତ୍ୟାବର୍ତ୍ତନ ପରେ ମନ୍ମଥବାବୁ କଳିଙ୍ଗ ଇତିହାସ ଲେଖିଲାବେଳେ ପ୍ରାଚୀନ କଳିଙ୍ଗ ଓ ସିଂହଳ ମଧ୍ୟରେ ଥିବା ଏହି ସମ୍ପର୍କ ବିଷୟ ଉଲ୍ଲେଖ କରିଛନ୍ତି ।

 

ବିଜୟ ସିଂହଙ୍କ ସିଂହଳ ଅଧିକାର ସମୟରୁ ଉଭୟ ଦେଶ ମଧ୍ୟରେ ରହିଆସିଛି ଘନିଷ୍ଠ ସମ୍ପର୍କ । ଦିନେ କଳିଙ୍ଗର ତାମ୍ରଲିପି ବନ୍ଦରରୁ ସମ୍ରାଟ ଅଶୋକ କନ୍ୟା ସଂଘମିତ୍ରାଙ୍କୁ ସିଂହଳ ଦ୍ୱୀପରେ ବୌଦ୍ଧଧର୍ମ ପ୍ରଚାର ପାଇଁ ପଠାଇଥିଲେ । ସଂଘମିତ୍ରା ସାଙ୍ଗରେ ନେଇ ଯାଇଥିବା ବୋଧଦ୍ରୁମର ଶାଖାଟିକୁ ତତ୍କାଳୀନ ରାଜଧାନୀ ଅନୁରାଧାପୁରଠାରେ ମହାମେଘ ନାମକ ଉଦ୍ୟାନରେ ରୋପଣ କରିଥିଲେ, ଯାହା ସିଂହଳୀୟ ବୌଦ୍ଧମାନଙ୍କର ଏକ ମୁଖ୍ୟ ତୀର୍ଥସ୍ଥାନ । ଖ୍ରୀଷ୍ଟିୟ ୪ର୍ଥ ଶତାବ୍ଦୀରେ କଳିଙ୍ଗର ଦନ୍ତପୁରୀ ନାମକ ସ୍ଥାନରେ ସଂରକ୍ଷିତ ଥିବା ବୁଦ୍ଧଙ୍କର ପବିତ୍ର ଦନ୍ତ କଳିଙ୍ଗ ରାଜକନ୍ୟା ହେମମାଳା ଓ ତାଙ୍କ ସ୍ଵାମୀ ଦନ୍ତକୁମାର ସିଂହଳ ଦ୍ଵୀପକୁ ନେଇ ସେଠାକାର ରାଜାଙ୍କ ହସ୍ତରେ ଅର୍ପଣ କରିଥିଲେ । ସେହି ପବିତ୍ର ଦନ୍ତ ଏବେ କାଣ୍ଡି ନାମକ ସହରରେ ଥିବା ବୌଦ୍ଧ ମନ୍ଦିର ମଧ୍ୟରେ ପୂଜା ପାଉଛି । ଏହି ବିଷୟ ମଧ୍ୟ ସେ କଳିଙ୍ଗ ଇତିହାସରେ ଉଲ୍ଲେଖ କରିଛନ୍ତି । ୧୯୬୦ ମସିହାରେ ଲଣ୍ଡନରେ ସପରିବାର ବର୍ଷଟିଏ ରହଣୀ ସମୟରେ ଇଂରାଜୀରେ ‘ଜବାହାରଲାଲ ନେହେରୁଙ୍କ ରାଜନୀତିକ ଦର୍ଶନ’ ଶୀର୍ଷକ ବହିଟିଏ ରଚନା କରିଥିଲେ । ବହିଟିର ପାଣ୍ଡୁଲିପି ସେ ଆଲେନ୍‌ ଏଣ୍ତ ଆନ୍‌ଉଇନ୍‌ ନାମକ ପ୍ରସିଦ୍ଧ ପ୍ରକାଶନ ସଂସ୍ଥାର ଏକ ନିର୍ଦ୍ଦିଷ୍ଟ ଥାକ ଉପରେ ଥୋଇ ଦେଇ ଆସିଲେ ସେଠାକାର ନିୟମାନୁଯାୟୀ । ବହିଟି ପ୍ରକାଶନ ପାଇଁ ମନୋନୀତ ହେବ କି ନାହିଁ ଦ୍ୱନ୍ଦ୍ୱରେ ଥିଲାବେଳେ ଠିକ୍‌ ମାସେ ପରେ ଚିଠି ପାଇଥିଲେ ପାଣ୍ଡୁଲିପିଟି ମନୋନୀତ ହୋଇଛି ବୋଲି । ତା’ପରେ ପ୍ରକାଶକ ତାଙ୍କ ସହ ଚୁକ୍ତିପତ୍ର ସ୍ଵାକ୍ଷର କରିଥିଲେ ଯେ ବହିର ଦାମ୍‌ ରଖାଯିବ ୨୦ ଶିଲିଂ, ବହି ପିଛା ରୟାଲିଟି ୧ଟଙ୍କା ଏବଂ ପ୍ରଥମ ସଂସ୍କରଣରେ ବହିର ମୁଦ୍ରଣ ସଂଖ୍ୟା ରହିବ ୨୦ ବା ୨୫ ହଜାର ।

 

ବ୍ରିଟିଶ ଯୁଗରେ ପାଶ୍ଚାତ୍ୟ ଐତିହାସିକମାନେ ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳ ପ୍ରତି ଧ୍ୟାନ ଦେଇଥିଲାବେଳେ ଓଡ଼ିଶା ପ୍ରତି ଯଥେଷ୍ଟ ଅବହେଳା କରିଥିଲେ । ଓଡ଼ିଶାରେ ଐତିହାସିକ ଉପାଦାନର ପ୍ରାଚୁର୍ଯ୍ୟ ସତ୍ତ୍ୱେ ଓଡ଼ିଶାର ସୁମହାନ ଅତୀତ ଓ ଐତିହ୍ୟ ଅନ୍ଧକାର ଗର୍ଭରେ ଲୁଚି ରହିଥାଏ । ଅନ୍ୟପକ୍ଷରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଗଡ଼ଜାତ ମିଶ୍ରଣ ଓ ସ୍ଵାଧୀନତା ପ୍ରାପ୍ତି ପ୍ରଭୃତି ଘଟଣାବଳୀ ପରିପ୍ରେକ୍ଷୀରେ ଆଞ୍ଚଳିକ ଇତିହାସ ପ୍ରତି ଆଗ୍ରହ ବଢ଼ିଚାଲିଥାଏ । ଉତ୍କଳ ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ ନିଜ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ପ୍ରଫେସର ମନ୍ମଥନାଥ ଦାସ ନିଜ ତତ୍ତ୍ୱାବଧାନରେ କେତେକ ଅଧ୍ୟାପକଙ୍କୁ ଗବେଷଣାରେ ନିଯୁକ୍ତ କଲେ । ଫଳରେ ତରୁଣ ଅଧ୍ୟାପକଙ୍କ ମଧ୍ୟରେ ଗବେଷଣା ଲାଗି ଆଗ୍ରହ ବଢ଼ି ଚାଲିଲା ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଐତିହ୍ୟ ଉପରେ ଆଲୋକପାତ କରିବା ପାଇଁ ସଂଘବଦ୍ଧ ଉଦ୍ୟମ ଆବଶ୍ୟକ ହେଲା । ବିଶ୍ଵ ବିଦ୍ୟାଳୟ ଓ କଲେଜଗୁଡ଼ିକର ଅଧ୍ୟାପକ ତଥା ମ୍ୟୁଜିୟମ ଓ ଅଭିଲେଖାଗାରର କର୍ମକର୍ତ୍ତା ଏବଂ ପ୍ରତ୍ନତତ୍ତ୍ୱବିତ୍‌ ଓ ଶିଳାଲେଖବିତ୍‌ମାନଙ୍କୁ ନେଇ ସେ ଓଡ଼ିଶା ଇତିହାସ କଂଗ୍ରେସ ଗଠନର ପରିକଳ୍ପନା କଲେ । ଡ. କିଶୋରୀ ଚରଣ ପାତ୍ର ଓ ଅନ୍ୟ ସହକର୍ମୀମାନେ ତାଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିଲେ । ଓଡ଼ିଶା ତଥା ବାହାରର ବିଶିଷ୍ଟ ବ୍ୟକ୍ତି ଓ ଐତିହାସିକଙ୍କ ଗହଣରେ ୧୯୬୯ ଏପ୍ରିଲ ମାସରେ ବାଣୀବିହାରଠାରେ ଆନୁଷ୍ଠାନିକଭାବେ ଓଡ଼ିଶା ଇତିହାସ କଂଗ୍ରେସ ଉଦ୍‌ଘାଟିତ ହେଲା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଡ. ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦ୍ଵାରା । ପରବର୍ତ୍ତୀ ସମୟରେ ମହତ୍‌ ଉଦ୍ଦେଶ୍ୟ ନେଇ ଗଠିତ ଇତିହାସ କଂଗ୍ରେସର ଅଭିବୃଦ୍ଧି ସାଧିତ ହୋଇଥିଲା ।

 

୧୯୭୦ ଜୁଲାଇ ମାସରେ ସେ ଖବର ପାଇଲେ ଯେ ଐତିହ୍ୟସମ୍ପନ୍ନ ଆନ୍ତର୍ଜାତିକ ବିଶ୍ଵ ପ୍ରାଚ୍ୟ ବିଦ୍ୟାବିତ୍‌ କଂଗ୍ରେସ୍‌ (International Congress of World Orientalists)ର ପରବର୍ତ୍ତୀ ଅଧିବେଶନ ୧୯୭୧ ଜାନୁୟାରୀ ମାସରେ ଅଷ୍ଟ୍ରେଲିଆର ରାଜଧାନୀ କ୍ୟାନ୍‌ବେରା ସହରରେ ଅନୁଷ୍ଠିତ ହେବ । ପ୍ରାଚୀନ କଳିଙ୍ଗ-ସିଂହଳ ସମ୍ପର୍କ ବିଷୟରେ ମାସେ କାଳ ପରିଶ୍ରମ କରି ସେ ତଥ୍ୟଭିତ୍ତିକ ପ୍ରବନ୍ଧ ଲେଖି ତା’ର ସାରାଂଶ ପଠାଇଲେ ପ୍ୟାରିସ୍‌ ଅଫିସକୁ । ପ୍ରବନ୍ଧଟି ଗୃହୀତ ହୋଇଛି ବୋଲି ସମ୍ୱାଦ ପାଇଲାପରେ କୁଳପତିଙ୍କ ଅନୁମତି ସହ ଅଷ୍ଟ୍ରେଲିଆ ଯାତ୍ରାଲାଗି ସେ ଯୋଗାଯୋଗ ଆରମ୍ଭ କରିଥିଲେ ଏବଂ ଜାନୁଆରୀ ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସରେ ଯୋଗଦେବା ପାଇଁ ୧୯୭୧ ଜାନୁଆରୀ ୧ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ । ଉଚ୍ଚତର ଐତିହାସିକ ଗବେଷଣା ନିମନ୍ତେ ୧୯୭୧ ମାର୍ଚ୍ଚ ମାସରେ ସେ ସିମଳା ଶୈଳନିବାସ ବା ରାଷ୍ଟ୍ରପତି ନିବାସରେ ବର୍ଷଟିଏ ପାଇଁ ଯିବାକୁ ନିମନ୍ତ୍ରଣ ପାଇଥିଲେ । ସିମଳା ରହଣୀ ସମୟରେ ଭାରତ-ପାକିସ୍ତାନ ଯୁଦ୍ଧ ଆରମ୍ଭ ହେଲା ଏବଂ ଭାରତର ବିଜୟ ହେଲା । ଜାତୀୟ ଭାବଧାରାରେ ଉଦ୍‌ବୁଦ୍ଧ ମନ୍ମଥବାବୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପତ୍ରଲେଖି ସେ ଯୁଦ୍ଧର ଇତିହାସ ଲେଖିବା ନିମନ୍ତେ ପ୍ରାର୍ଥନା କରିଥିଲେ । ତାଙ୍କ ଅନୁରୋଧ କ୍ରମେ ତତ୍କାଳୀନ ନୌସେନାପତି ତାଙ୍କ ପାଖକୁ ଅନେକଗୁଡ଼ିଏ ଫଟୋ ପଠାଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଚିଠି ଆସିଲା ଯେ ପ୍ରଧାନମନ୍ତ୍ରୀ ଚାହାନ୍ତି ଏହି ଇତିହାସ ତରବରରେ ଲେଖାହେବା ଉଚିତ ନୁହେଁ, ଉତ୍ତେଜନା ପ୍ରଶମିତ ହେବା ପର୍ଯ୍ୟନ୍ତ ସେ ଦୟାକରି ଅପେକ୍ଷା କରନ୍ତୁ । ଭାରତ-ପାକିସ୍ତାନ ଯୁଦ୍ଧ ସମ୍ପର୍କରେ ସେ ଅନେକ ତଥ୍ୟ ସଂଗ୍ରହ କରିଥିଲେ । କିନ୍ତୁ ସିମ୍‌ଳାରେ ଲେଖିଥିବା ‘Indian National Congress Vrs. the British’ ପୁସ୍ତକ ଲେଖିବାକୁ ତାଙ୍କୁ ଅନେକ ସମୟ ଲାଗିଗଲା । ଫଳରେ ଯୁଦ୍ଧ ଇତିହାସ ଆଉ ସେ ଲେଖିପାରିଲେ ନାହିଁ ।

 

୧୯୭୨ରେ ସାରା ଭାରତରେ ସ୍ଵାଧୀନତା ପ୍ରାପ୍ତିର ରୌପ୍ୟଜୟନ୍ତୀ ପାଳନ ଅବସରରେ ପୁରୀ ସହରରେ ଓଡ଼ିଶା ଇତିହାସ କଂଗ୍ରେସର ଅଧିବେଶନ ଆହ୍ଵାନ କରିବାସହ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କର ଏକ ତ୍ରିଦିବସୀୟ ସମ୍ମେଳନ କରିବାକୁ ସେ ଯୋଜନା କଲେ । ଓଡ଼ିଶାର କୋଡ଼ିଏ ଜଣ ବୟୋଜ୍ୟେଷ୍ଠ ନେତା ଓ ନେତ୍ରୀଙ୍କ ସମେତ ଶତାଧିକ ସଂଗ୍ରାମୀଙ୍କୁ ଏହି ଅଧିବେଶନରେ ଯୋଗ ଦେବାକୁ ଓ ପ୍ରବନ୍ଧ ପାଠ କରିବାକୁ ସେ ଆମନ୍ତ୍ରଣ କରିଥିଲେ । ବୟୋଜ୍ୟେଷ୍ଠ ଅତିଥିମାନଙ୍କ ମଧ୍ୟରେ ଥିଲେ ବିଶ୍ଵନାଥ ଦାସ, ହରେକୃଷ୍ଣ ମହତାବ, ରାଧାନାଥ ରଥ, ରମାଦେବୀ, ସରଳାଦେବୀ, ନିତ୍ୟାନନ୍ଦ କାନୁନ୍‌ଗୋ, ନାରାୟଣ ବୀରବର ସାମନ୍ତ, ରତ୍ନମାଳୀ ଜେମା, ରମ୍ଭା ଦେବୀ, ନନ୍ଦକିଶୋର ଦାସ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ଶ୍ରଦ୍ଧାକର ସୂପକାର, ପବିତ୍ରମୋହନ ପ୍ରଧାନ ଓ ଅନ୍ନପୂର୍ଣ୍ଣା ମହାରାଣା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବୃନ୍ଦ । ଜନନାୟକମାନେ ଇତିହାସ ଅପେକ୍ଷା ସାମୂହିକ ଜନଇତିହାସ ରଚନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ ଇତିହାସ କଂଗ୍ରେସର କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଲେ ଯେ ତରୁଣ ଅଧ୍ୟାପକ ଓ ଗବେଷକମାନେ ନୂତନ ଦୃଷ୍ଟିଭଙ୍ଗୀରେ ଆଧୁନିକ ଓଡ଼ିଶା ଇତିହାସର ବିଭିନ୍ନ ଦିଗ ଅନୁଧ୍ୟାନ କରିବେ ।

 

୧୯୭୩ ମସିହା ଆରମ୍ଭରେ ବାଂଲାଦେଶ ଇତିହାସ ପରିଷଦରେ ଯୋଗଦାନ ପାଇଁ ସେ ନିମନ୍ତ୍ରଣ ପାଇଥିଲେ । ସେଠାରେ ସେ ବଙ୍ଗ ବିଭାଜନ କାଳରେ ‘ପୂର୍ବବଙ୍ଗର ଆର୍ଥିକ ଦୁର୍ଗତି’ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ମାତ୍ର ବାଂଲାଦେଶର ସ୍ଵାଧୀନତା ପ୍ରାପ୍ତିରେ ଭାରତର ମୁଖ୍ୟ ଭୂମିକା ଥିବା ସତ୍ତ୍ୱେ ଭାରତ ପ୍ରତି ବଙ୍ଗଳାଦେଶର ଅକୃତଜ୍ଞ ଭାବ ଦେଖି ସେ ଦୁଃଖିତ ହୋଇଥିଲେ । ଭାରତୀୟ ସ୍ଵାଧୀନତା ସଂଗ୍ରାମ ବିଷୟରେ ଇଂଲଣ୍ଡରୁ ତଥ୍ୟ ସଂଗ୍ରହ କରିବା ପାଇଁ British Council ତରଫରୁ ଆମନ୍ତ୍ରିତ ହୋଇ ୧୯୭୬ ଜାନୁଆରୀରେ ରୋମ ବାଟ ଦେଇ ସେ ଇଂଲଣ୍ଡରେ ପହଞ୍ଚିଥିଲେ । ମାର୍ଚ୍ଚ ୧୭ ତାରିଖରୁ ୪ ଦିନ ପାଇଁ ଭାରତର ଶେଷ ବଡ଼ଲାଟ ଲର୍ଡ ମାଉଣ୍ଟବ୍ୟାଟନଙ୍କ ସହିତ ସାକ୍ଷାତ୍‌କାରର ଅନୁମତି ପାଇଥିଲେ । ମାତ୍ର ତାଙ୍କ ଶାସନକାଳର ଗୋପନୀୟ ତଥ୍ୟାବଳୀ ଓ ବ୍ୟକ୍ତିଗତ ଚିଠିପତ୍ର ସବୁ ନିରୀକ୍ଷଣ କରିବାର ସୁଯୋଗ ସେ ପାଇ ନ ଥିଲେ । ମାଉଣ୍ଟ୍‌ବ୍ୟାଟନଙ୍କ ଅସହଯୋଗ ହେତୁ ମନ୍ମଥବାବୁଙ୍କ ସ୍ଵପ୍ନ ସାକାର ହୋଇପାରି ନ ଥିଲା ।

 

ମିଳିତ ଜାତି ସଙ୍ଗଠନ ପକ୍ଷରୁ ଜୁଲାଇ ୧୯୭୯ରେ ଅନୁଷ୍ଠିତ ହେବାକୁ ଥିବା ‘ଜଳବାୟୁର ପ୍ରଭାବ ଓ ମନୁଷ୍ୟ ଜାତିର ଇତିହାସ ମଧ୍ୟରେ ଥିବା ସମ୍ପର୍କ’ ଶୀର୍ଷକ ସପ୍ତାହବ୍ୟାପୀ ଆନ୍ତର୍ଜାତିକ ସମ୍ମେଳନରେ ଯୋଗଦେବା ପାଇଁ ସେ ଇଂଲଣ୍ଡର ନର୍‌ୱିଚ ଯାତ୍ରା କରିଥିଲେ । ସେଥିପାଇଁ ସୁମହାନ୍‌ କଳିଙ୍ଗର ଅଧୋଗତି ନିମନ୍ତେ ଜଳବାୟୁ କିପରି ଦାୟୀ, ଓଡ଼ିଶାର ସମୁଦ୍ରକୂଳ କାହିଁକି ନୌବାଣିଜ୍ୟ ପାଇଁ ଉପଯୋଗୀ ରହିଲା ନାହିଁ, ଏହାର ପ୍ରାଚୀନ ନଦନଦୀ କେମିତି ମଧ୍ୟଯୁଗର ଶେଷବେଳକୁ ପୂର୍ବ ପ୍ରଖରତା ହରାଇ ବସିଲେ ଓ ଶସ୍ୟ ଶ୍ୟାମଳା ଉପତ୍ୟକାମାନ କାହିଁକି ନିରସ ଆକାର ଧାରଣ କଲା- ଇତ୍ୟାଦି ପ୍ରସଙ୍ଗ ସହ ଅରଣ୍ୟାନୀର ଅବକ୍ଷୟ, ବୃଷ୍ଟିପାତର ହ୍ରାସ, ଜଳବାୟୁର ପରିବର୍ତ୍ତନ ଯୋଗୁଁ ଦେଖାଦେଇଥିବା ମରୁଡ଼ି, ବଙ୍ଗୋପସାଗରରେ ଲଘୁଚାପ ଓ ବାରମ୍ବାର ପ୍ରବଳ ବାତ୍ୟା ଓ ବନ୍ୟାର କାରଣ, ଓଡ଼ିଶାର ଆର୍ଥିକ ଦୁର୍ଦଶା ନିମନ୍ତେ ଜଳବାୟୁ କେତେଦୂର ଦାୟୀ ଇତ୍ୟାଦି ଅନେକ ପ୍ରସଙ୍ଗ ସେ ନିଜସ୍ଵ ଦୃଷ୍ଟିଭଙ୍ଗୀରେ ପ୍ରବନ୍ଧଟିରେ ଉଲ୍ଲେଖ କରିଥିଲେ । ସେଥିସହିତ ପ୍ରବନ୍ଧର ଆରମ୍ଭରେ ସେ ପ୍ରାଚୀନ କଳିଙ୍ଗର ଗୌରବରାଜି ବର୍ଣ୍ଣନା କରିଥିଲେ । ବିଶେଷଜ୍ଞ କମିଟି ପ୍ରବନ୍ଧଟିକୁ ମନୋନୀତ କରିବାସହ ତା’ର ଶିରୋନାମା ରଖିଲେ ‘ଜଳବାୟୁ ଏବଂ ଭାରତୀୟ କଳିଙ୍ଗ ଜାତିର ମହତ୍ୱ ଓ ଅଧୋଗତି’, ଭାରତରୁ ଅନ୍ୟଜଣେ ମାତ୍ର ପରିବେଶବିତ୍‌ଙ୍କ ସହ ସେ ଏହି ଆନ୍ତର୍ଜାତିକ ସମ୍ମେଳନରେ ଯୋଗଦେବାର ସୁଯୋଗ ପାଇଥିଲେ-। ସମ୍ମଳନୀରେ ଜନୈକ ଶ୍ରୋତା ତାଙ୍କୁ ପ୍ରଶ୍ନ କରିଥିଲେ ଋତୁର ନିମିଷକ ଖେଳରେ ଇତିହାସର ଗତି ଦୋହଲିଯିବା କ’ଣ ସମ୍ଭବପର ? ପ୍ରଫେସର ଦାସ ଭାରତ ଇତିହାସରୁ ଦୁଇଟି ଦୃଷ୍ଟାନ୍ତ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ ।

 

ଦିଗ୍‌ବିଜୟୀ ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର ଭାରତ ଆକ୍ରମଣ ସମୟରେ ଯେତେବେଳେ ଏକଲକ୍ଷ କୋଡ଼ିଏ ହଜାର ସୈନ୍ୟ ସହ ଝେଲମ୍‌ ନଦୀ କୂଳରେ ପହଞ୍ଚିଲେ ନଦୀ ଆରପାଖରେ ପୁରୁଙ୍କ ହସ୍ତୀବାହିନୀ ଦେଖି ସେ ଆଶଙ୍କିତ ହୋଇଥିଲେ । ଦିନପରେ ଦିନ ପ୍ରତୀକ୍ଷା ସତ୍ତ୍ୱେ ଶତୃପକ୍ଷକୁ ଆକ୍ରମଣ କରିବାର ସାହସ କଲେ ନାହିଁ । ଦିନେ ରାତିରେ ଅଚାନକ ପ୍ରଚଣ୍ଡ ମେଘ ଗର୍ଜନ ଓ ପ୍ରବଳ ବର୍ଷାର ସୁଯୋଗନେଇ ଗଭୀର ଅନ୍ଧାର ମଧ୍ୟରେ ପୁରୁଙ୍କ ସୈନ୍ୟଙ୍କୁ ପଶ୍ଚାତ୍‌ଭାଗରୁ ଆକ୍ରମଣ କଲେ । ବର୍ଷାଯୋଗୁଁ କର୍ଦ୍ଦମାକ୍ତ ନଦୀକୂଳରେ ହସ୍ତୀବାହିନୀ ଦୃତଗତିରେ ଅଗ୍ରସର ହୋଇପାରିଲା ନାହିଁ, ରଥଚକ କାଦୁଅରେ ପୋତି ହୋଇଗଲା ଏବଂ ଧନୁର୍ଦ୍ଧାରୀ ସୈନ୍ୟମାନେ ଭୂମି ଉପରେ ଶକ୍ତଭାବେ ଧନୁ ଚାପି ରଖି ତୀର ଚାଳନା କରି ପାରିଲେ ନାହିଁ । ଗୋଟିଏ ରାତିର ଅଦିନ ବର୍ଷା ଯୋଗୁଁ ବଦଳି ଯାଇଥିଲା ଇତିହାସର ଗତିପଥ । ଠିକ୍‌ ସେମିତି ଆଧୁନିକ ଯୁଗରେ ଇଂରେଜ କିରାଣୀ ରବର୍ଟ କ୍ଲାଇବ୍‌ ମାତ୍ର ତିନି ହଜାର ସୈନ୍ୟନେଇ ପଲାସୀ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଲେ । ଶତୃ ନବାବଙ୍କ ସୈନ୍ୟବାହିନୀର ବିଶାଳତା ଦେଖି ସେ ସ୍ତବ୍ଧ ହୋଇଯାଇଥଲେ । ଯୁଦ୍ଧର ପୂର୍ବରାତ୍ରରେ ଉତ୍ତର ଆକାଶରେ କ୍ଷୁଦ୍ର ଖଣ୍ଡିଏ କଳାମେଘ ଦେଖି ତାଙ୍କ ଗୋଳାବାରୁଦକୁ କ୍ୟାନ୍‌ଭାସ ତଳେ ଘୋଡ଼ାଇ ରଖିଲେ ଅଥଚ ଗ୍ରୀଷ୍ମକାଳରେ ବର୍ଷାର ସମ୍ଭାବନା ନାହିଁ ଭାବି ନବାବଙ୍କ ବାରୁଦଗଦା ପଡ଼ିରହିଲା ମୁକ୍ତ ଆକାଶ ତଳେ । ରାତିରେ ହେଲା ଅସରାଏ ମାତ୍ର ବର୍ଷା । ସକାଳେ ଯୁଦ୍ଧ ଆରମ୍ଭ ହେଲା ବେଳକୁ କ୍ଲାଇବ୍‌ଙ୍କ କମାଣରୁ ପ୍ରଚଣ୍ଡ ଗୋଳାବର୍ଷଣ ଚାଲିଲାବେଳେ ନବାବଙ୍କ କମାଣରୁ ଗୋଳା ବଦଳରେ ଧୂଆଁ ନିର୍ଗତ ହୋଇଥିଲା । ଇଂରେଜମାନଙ୍କ ବିଜୟ ଯୋଗୁଁ ପଲାସୀ ପ୍ରାଙ୍ଗଣରେ ସ୍ଥାପିତ ହେଲା ବ୍ରିଟିଶ ସାମ୍ରାଜ୍ୟର ମୂଳଭିତ୍ତି । ଶେଷରେ ସେ ଯୋଡ଼ିଥିଲେ ଇୟୁରୋପର ଭାଗ୍ୟାକାଶରେ ମଧ୍ୟ କିପରି ଦେଖିବାକୁ ମିଳିଛି ଅକାଳ ବର୍ଷାର ପରିଣତି । ଓ୍ୱାଟାର୍‌ଲୁ ଯୁଦ୍ଧର ପୂର୍ବରାତିରେ ଯଦି ଅସ୍ରାଏ ବର୍ଷା ଯୋଗୁଁ ରଣଭୂମିର ମାଟି ଓଦା ହୋଇନଥାନ୍ତା ଏବଂ ମାଟି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରି ନେପୋଲିୟନ ବିଳମ୍ବିତ ମଧ୍ୟାହ୍ନରେ ଯୁଦ୍ଧ ଆରମ୍ଭ କରି ନଥାନ୍ତେ କି ଶତୃପକ୍ଷ ଜର୍ମାନ ସୈନ୍ୟମାନେ ସନ୍ଧ୍ୟାପୂର୍ବରୁ ପହଞ୍ଚି ଫରାସୀମାନଙ୍କୁ ଆକ୍ରମଣ କରିନଥାନ୍ତେ ତେବେ ପଳାତକ ଓ ନିର୍ବାସିତ ସମ୍ରାଟ ବଦଳରେ ସେ ହୋଇଥାନ୍ତେ ୱାଟାର୍‌ଲୁ ବିଜେତା ନେପୋଲିୟନ । ଋତୁ ଓ ପାଣିପାଗର ଆକସ୍ମିକ ଖିଆଲ ଓ ମର୍ଜି ଯୋଗୁଁ ଜାତୀୟ ଇତିହାସ ପ୍ରଭାବିତ ହେବାର ଏହିପରି ବହୁ ଦୃଷ୍ଟାନ୍ତ ରହିଛି ବୋଲି ଦୃଢ଼ସ୍ଵରରେ ମନ୍ମଥବାବୁ ଉଦ୍‌ଘୋଷଣ କରିଥିଲେ ।

 

ଅଧ୍ୟାପକ ବିନିମୟ ପ୍ରୋଗ୍ରାମ ଅନୁଯାୟୀ ୧୯୭୯ରେ ତିନିମାସ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରିଥିଲାବେଳେ ସେଠାକାର କଂଗ୍ରେସ ଲାଇବ୍ରେରୀରେ ଆମେରିକା ସଭାପତିମାନଙ୍କର ବ୍ୟକ୍ତିଗତ କାଗଜପତ୍ର ଓ ଅନ୍ୟ ଦେଶରେ ରାଷ୍ଟ୍ର ନାୟକମାନଙ୍କ ସହ ଆଦାନ-ପ୍ରଦାନ ହୋଇଥିବା ଚିଠିପତ୍ର ଅନୁଧ୍ୟାନ କରିବା ସହ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଓ ଆମେରିକା ରାଷ୍ଟ୍ରପତି ରୁଜ୍‌ଭେଲ୍‌ଟଙ୍କ ଚିଠିପତ୍ରରୁ ଭାରତର ଛାଡ଼ ବିପ୍ଳବ କାଳର ଗୁରୁତ୍ୱପୂର୍ଣ୍ଣ ତଥ୍ୟମାନ ସେ ଆବିଷ୍କାର କରିଥିଲେ । ୧୯୮୧ରେ ପୁନଶ୍ଚ ଲଣ୍ଡନ ଯାତ୍ରା କରିଥିଲାବେଳେ ସେ ‘ଭାରତ ବିଭାଜନ ଓ ସ୍ଵାଧୀନତା’ ପୁସ୍ତକ ରଚନା ପାଇଁ ଲର୍ଡ ମାଉଣ୍ଟବ୍ୟାଟନ୍‌ ଇହଲୀଳା ସମ୍ବରଣ କରିସାରିଥିବାରୁ ତାଙ୍କ ବ୍ୟକ୍ତିଗତ ଦଲିଲ ଓ କାଗଜପତ୍ରମାନ ଅନୁଧ୍ୟାନ କରିବାର ମହାର୍ଘ ସୁଯୋଗ ପାଇପାରିଥିଲେ । ଭାରତ ପ୍ରତ୍ୟାବର୍ତ୍ତନ ପରେ ଛାତ୍ର ଆନ୍ଦୋଳନ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ ବନ୍ଦ ଥିବାରୁ ଏକାଗ୍ର ଚିତ୍ତରେ ଦୁଇମାସର ଅକ୍ଳାନ୍ତ ପରିଶ୍ରମ ପରେ ସେ ‘ଭାରତ ବିଭାଜନ ଓ ସ୍ଵାଧୀନତା : ମାଉଣ୍ଟବ୍ୟାଟନ ସମୟର ଗୁପ୍ତ କାହାଣୀ’ ଶୀର୍ଷକ ପୁସ୍ତକ ଲେଖା ଶେଷ କରିଥିଲେ । ଦିଲ୍ଲୀ ସ୍ଥିତ ‘Vision Books’ ପ୍ରକାଶନ ସଂସ୍ଥା ସୌଜନ୍ୟରୁ ୧୯୮୨ ମାର୍ଚ୍ଚ ମାସରେ ପ୍ରକାଶ ପାଇଥିଲା ପୁସ୍ତକ ‘Partition and Independence of India: Inside Stories of the Mountbatten Day’s ବହିଟି ବିଦେଶରେ ଆଲୋଡ଼ନ ସୃଷି କରିଥିଲା ଏବଂ ବହୁ ସଂଖ୍ୟାରେ ତାହା ବିକ୍ରି ହୋଇଥିଲା ।

 

୧୯୮୩ ଜୁନ୍‌ ୧୩ ତାରିଖରେ ଓଡ଼ିଶା ରାଜ୍ୟପାଳଙ୍କ ଦପ୍ତରରୁ ଖବର ଆସିଥିଲା ଅପରାହ୍ନ ୫ ଟାରେ ତାଙ୍କୁ ସାକ୍ଷାତ କରିବା ପାଇଁ । ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରଫେସର ଦାସ ଶୁଣିଥିଲେ ଯେ କଂଗ୍ରେସର ଶହେ ବର୍ଷର ପୂର୍ଣ୍ଣାଙ୍ଗ ଇତିହାସ ଯେଉଁ ପାଞ୍ଚଟି ଗ୍ରନ୍ଥରେ ସଂକଳିତ ହେବାକଥା ସ୍ଥିରୀକୃତ ହୋଇଛି ସେଥିମଧ୍ୟରୁ ୧୯୩୫ ମସିହାରୁ ୧୯୪୭ ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ସେଇ ବାରବର୍ଷର ଇତିହାସ ରଚନା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ମନୋନୀତ କରିଛନ୍ତି । ଅନ୍ୟାନ୍ୟ ପ୍ରସଙ୍ଗରେ ତତ୍କାଳୀନ ରାଜ୍ୟପାଳ ସି.ଏମ୍‌.ପୁନାଚାଙ୍କ ସହିତ ଆଲୋଚନାକାଳରେ ଏହି କଥା ମଧ୍ୟ ଉଠିଥିଲା, ସେହିବର୍ଷ ଜୁଲାଇ ୨୧ରେ ଦିଲ୍ଲୀରୁ ଡାକରାପାଇ ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଅବସରରେ ସେ ଏଥିନିମନ୍ତେ ସମ୍ମତି ଜଣାଇଥିଲେ ଏବଂ ପରବର୍ତ୍ତୀ ରାଜ୍ୟପାଳ ହେବାକୁ ଥିବା ବିଶ୍ଵମ୍ଭରନାଥ ପାଣ୍ଡେଙ୍କୁ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀଯୁକ୍ତ ପାଣ୍ଡେ କଂଗ୍ରେସ ଇତିହାସ ସଂକଳନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ପାଦନ କରିବା କଥା ସ୍ଥିର ହୋଇଥିଲା । ତାଙ୍କ ବାସଭବନରେ ସାକ୍ଷାତବେଳେ ସେ କହିଥିଲେ ଯେ ଦେଶ ବିଭାଜନ ସମ୍ପର୍କରେ ତାଙ୍କ ଲିଖିତ ବହିଟି ପଢ଼ି ଇନ୍ଦିରା ଗାନ୍ଧୀ ସ୍ଵାଧୀନତା କାଳର କଂଗ୍ରେସ ଇତିହାସ ପ୍ରଣୟନ ଲାଗି ତାଙ୍କୁ ମନୋନୀତ କରିଛନ୍ତି । ସେହି ଗ୍ରନ୍ଥ ଲେଖିବାକୁ ପ୍ରଫେସର ନୁରୁଲ ହାସାନ ଓ ପ୍ରଫେସର ସତୀଶ ଚନ୍ଦ୍ର ତାଙ୍କ ଉପରେ ଚାପ ପକାଇଥିଲେ ମଧ୍ୟ ସେଥିନିମନ୍ତେ ସେ ଜଣେ ନିଜ ଲୋକଙ୍କୁ ଠିକ୍‌ କରି ସାରିଛନ୍ତି ବୋଲି ରୋକଠୋକ୍‌ଭାବେ ଜଣାଇଥିଲେ । ସେ କୁଳପତି ପଦରେ ଥିଲାବେଳେ କଂଗ୍ରେସ ଇତିହାସ ଲେଖା ଆରମ୍ଭ କରିଥିଲେ । ଥରେ ଦିଲ୍ଲୀରେ ଇନ୍ଦିରା ଗାନ୍ଧୀଙ୍କ ମିଟିଂ ପ୍ରକୋଷ୍ଠରେ ସେ ସଂକ୍ରାନ୍ତୀୟ ବୈଠକରେ ଉପଦେଷ୍ଟା ମଣ୍ଡଳୀଙ୍କ ଉପସ୍ଥିତିରେ ଲେଖକମାନେ ଅଧ୍ୟାୟଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ପ୍ରଥମ ଦୁଇଜଣଙ୍କ ପରେ ପାଳି ପଡ଼ିଥିଲା ପ୍ରଫେସର ଦାସଙ୍କର । ସେ ଦଶଟି ଅଧ୍ୟାୟ ମଧ୍ୟରୁ ଗୋଟିଏ ଅଧ୍ୟାୟର ଶିରୋନାମା ରଖିଥିଲେ ‘ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ଆଜାଦ ହିନ୍ଦ୍‌ ଫୌଜ’ । ଅଧ୍ୟକ୍ଷ ଆସନରେ ଆସୀନ ଉମାଶଙ୍କର ଦୀକ୍ଷିତ ଆପତ୍ତି ଉଠାଇଥିଲେ । ପ୍ରଫେସର ଦାସ ଉତ୍ତର ଦେଇଥିଲେ, ‘ସେହି ସମୟର କଂଗ୍ରେସ ଇତିହାସର ଅର୍ଥ ଶେଷ ପର୍ଯ୍ୟାୟ ସ୍ଵାଧୀନତା ସଂଗ୍ରାମର ଇତିହାସ । ସଂଗ୍ରାମ ଯୁଗର ଅନ୍ତିମ ଭାଗରେ ନେତାଜୀଙ୍କ ବୀରତ୍ୱ କାହାଣୀର ସ୍ଵତନ୍ତ୍ର ମର୍ଯ୍ୟାଦା ରହିଛି । ସେ ବିଷୟ ବର୍ଣ୍ଣନା ନ କଲେ ଇତିହାସ ଅପୂର୍ଣ୍ଣାଙ୍ଗ ରହିଯିବ । ଦୀକ୍ଷିତ ମହାଶୟ ଯେତେବେଳେ ‘‘ସୁଭାଷ ବୋଷଙ୍କ ନୀତି କଂଗ୍ରେସ ଗ୍ରହଣ କରିନଥିଲା’’ ବୋଲି କହିଥିଲେ, ଦୃଢ଼ଭାବେ ପ୍ରଫେସର ଦାସ କହିଥିଲେ, ‘‘ତା’ ହୋଇପାରେ, କିନ୍ତୁ ସେତ ପୁଣି ଦୁଇଥର କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ! ତାହା ଛଡ଼ା ଆଜାଦ୍‌ ହିନ୍ଦ୍‌ ଫୌଜର ବୀରତ୍ୱ ଗାଥା ଓ ସେନାପତିମାନଙ୍କରେ ବିଚାର ଯୋଗୁଁ ସ୍ଵାଧୀନତାର ପ୍ରାକ୍‌ କାଳରେ ସାରା ଭାରତରେ ଯେଉଁ ଜାତୀୟ ଉନ୍ମାଦନା ପ୍ରକାଶ ପାଇଥିଲା, ତାହାର ପ୍ରଭାବ ଓ ପରିଣାମ ବିଷୟ ଉଲ୍ଲେଖ କରିବା ଏକାନ୍ତ ଆବଶ୍ୟକ ।’’ ବହୁ ଯୁକ୍ତିତର୍କ ପରେ ମଧ୍ୟ ସେ ନିଜ କଥାରେ ଅଟଳ ରହି କହିଲେ, ‘‘I am here as a Historian, not as a congress man. The Nationalist India would never forgive me if I donot devote a chapter to Netaji Bose and the Indian National Army.’’ ଶେଷରେ ନେତାଜୀଙ୍କ ସମ୍ପର୍କରେ ପୂରା ଅଧ୍ୟାୟ ନଲେଖି ଅଳ୍ପ କିଛି ଉଲ୍ଲେଖ କଲେ ଯଥେଷ୍ଟ ହେବ ବୋଲି ଅନ୍ୟମାନେ ମତ ଦେଇଥିଲେ । ବାଧ୍ୟ ହୋଇ ଇଚ୍ଛା ବିରୁଦ୍ଧରେ ସେ ପରାଜୟ ସ୍ଵୀକାର କରିଥିଲେ ।

 

ଏହି ବହିଟିର ଲେଖା ଶେଷ ହୋଇ ଆସୁଥିଲା ବେଳେ ୧୯୮୪ ଅକ୍ଟୋବର ୩୧ ତାରିଖରେ ଆତତାୟୀ ଗୁଳିରେ ଇନ୍ଦିରା ଗାନ୍ଧୀ ପ୍ରାଣ ହରାଇଥିଲେ । ୧୯୮୫ ମାର୍ଚ୍ଚ ତୃତୀୟ ସପ୍ତାହରେ ଦିଲ୍ଲୀଠାରେ ଆୟୋଜିତ ଏସୀୟ କୁଳପତି ସମ୍ମେଳନରେ ସେ ଯୋଗଦେବା ଅବସରରେ ମାଧୁରୀ ଶାହା ତାଙ୍କୁ କହିଥିଲେ ଯେ ମୃତ୍ୟୁ ପୂର୍ବରୁ ଇନ୍ଦିରା ଇଚ୍ଛା ପ୍ରକାଶ କରିଥିଲେ ତାଙ୍କ ପିତାଙ୍କ ସମ୍ପର୍କରେ ଉଚ୍ଚତର ଗବେଷଣା ନିମନ୍ତେ U.G.C. ଗୋଟିଏ ଜାତୀୟ ବୃତ୍ତି ପ୍ରଦାନ କରିବେ । ଯଦି ସେ ଇଚ୍ଛା କରନ୍ତି ଏହି ବୃତ୍ତିଟି ତାଙ୍କୁ ଦିଆଯିବ । କୁଳପତି ପଦରୁ ଅବ୍ୟାହତି ନେଲାପରେ ୧୯୮୫ ମେ ମାସରେ ଜବାହାର ଲାଲ ନେହେରୁଙ୍କ ଜୀବନୀ ସଂକ୍ରାନ୍ତରେ ଉଚ୍ଚତର ଗବେଷଣା ନିମନ୍ତେ ସେ ଦିଲ୍ଲୀରେ ପହଞ୍ଚିଥିଲେ । ମଞ୍ଜୁରୀ କମିଶନ୍‌ର ଅଧ୍ୟକ୍ଷା ମାଧୁରୀ ଶାହାଙ୍କ କଥାରୁ ସେ ଜାଣିଲେ ଯେ ପରଲୋକଗତା ପ୍ରଧାନମନ୍ତ୍ରୀଙ୍କ ମତରେ ତାଙ୍କ ପିତାଙ୍କ ବିଷୟରେ ଅନେକ ପୁସ୍ତକ ଲେଖାଯାଇଥିବା ସତ୍ତ୍ୱେ‌ ନୂତନ ତଥ୍ୟାବଳୀରୁ ଅନ୍ୟ ଏକ ଗବେଷଣାମୂଳକ ବହି ଲେଖାଯିବା ଆବଶ୍ୟକ । ଏହା ଶୁଣି ସେ ନେହେରୁଙ୍କ ସମସ୍ତ ବ୍ୟକ୍ତିଗତ କାଗଜପତ୍ର ଦେଖିବାର ସୁଯୋଗ ପାଇବେ ବୋଲି ଭାବିଥିଲେ । ମାତ୍ର ତାଙ୍କର ବହୁ ଚେଷ୍ଟା ପରେ ତାହା ସାକାର ହୋଇପାରି ନ ଥିଲା । ଦିଲ୍ଲୀ କର୍ମକର୍ତ୍ତାମାନେ ତାଙ୍କୁ ଅନ୍ୟ ଭାବରେ ଉପଯୋଗ କରିବାକୁ ଚାହିଁଥିଲେ । ୧୯୮୫ ଅଗଷ୍ଟ ମାସରେ ପଶ୍ଚିମ ଜର୍ମାନୀର ସ୍ଟୁଟଗାର୍ଟ ସହରରେ ଆୟୋଜିତ ‘ଭାରତ ମହାସାଗର’ ଶୀର୍ଷକ ଆନ୍ତର୍ଜାତିକ ସମ୍ମେଳନରେ ଯୋଗଦେବାକୁ ପାଞ୍ଚଜଣିଆ ଭାରତୀୟ ଦଳରେ ତାଙ୍କୁ ସାମିଲ କରାଗଲା । ସେହି ସମ୍ମେଳନ ପାଇଁ ପ୍ରସ୍ତୁତ ହେବାକୁ ଅନେକ ବହି ପଢ଼ି ତଥ୍ୟମାନ ସେ ସଂଗ୍ରହ କରିଥିଲେ । ଏବେ ଭାରତ ମହାସାଗରକୁ ଲାଗିଥିବା ଦେଶମାନଙ୍କର ସଂଖ୍ୟା ୩୭ ଓ ପୃଥିବୀର ଏକ ତୃତୀୟାଂଶ ମନୁଷ୍ୟ ସେହି ଦେଶଗୁଡ଼ିକର ଅଧିବାସୀ । ଦକ୍ଷିଣ ଆଫ୍ରିକାରୁ ଆରମ୍ଭକରି ଅଷ୍ଟ୍ରେଲିଆର ଦକ୍ଷିଣ ସୀମାପର୍ଯ୍ୟନ୍ତ ଭାରତ ମହାସାଗରର ଦୂରତ୍ୱ ହେଉଛି ଦଶହଜାର କିଲୋମିଟର । ଆକାରରେ ଆଟ୍‌ଲାଣ୍ଟିକ୍‌ ବା ପ୍ରଶାନ୍ତ ମହାସାଗରଠାରୁ କ୍ଷୁଦ୍ର ହେଲେ ସୁଦ୍ଧା ଆବହମାନକାଳରୁ ଏହି ମହାସାଗରର ଜଳରାଶି ବିଭିନ୍ନ ଦେଶ ଓ ଜାତିର ମନୁଷ୍ୟଙ୍କ ଦ୍ଵାରା ବ୍ୟବହୃତ ହୋଇଛି । ଜାତିଜାତି ମଧ୍ୟରେ ଭାବଗତ, ଧର୍ମଗତ ଓ ବାଣିଜ୍ୟଗତ ଆଦାନପ୍ରଦାନ ନିମନ୍ତେ ଏହି ମହାସାଗରର ଭୂମିକା ଗୁରୁତ୍ୱପୂର୍ଣ । ରାଜନୀତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ସମ୍ପର୍କ ରକ୍ଷା ଦୃଷ୍ଟିରୁ ମହାସାଗର କୂଳବର୍ତ୍ତୀ ଦେଶମାନ ଯେଭଳି ପରସ୍ପର ସହ ଘନିଷ୍ଠ ଭାବରେ ଜଡ଼ିତ ସେପରି ଦୃଷ୍ଟାନ୍ତ ଅନ୍ୟ କୌଣସି ମହାସାଗରରେ ଦେଖିବାକୁ ମିଳେ ନାହିଁ - ଏଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟର ଅବତାରଣା ସେ ଏହି ପ୍ରସଙ୍ଗରେ କରିଥିଲେ ।

 

୧୯୮୫ ମସିହାରେ ଜାତୀୟ କଂଗ୍ରେସର ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ସେଇବର୍ଷ ଅକ୍ଟୋବର ୧୧ ତାରିଖ ଦିନ ଆମେରିକାର ଲଙ୍ଗବିଚ୍‌ ସହରରେ ଉଭୟ ଦେଶର ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭାରତ ଉତ୍ସବ ପାଳିତ ହେବାକଥା ସ୍ଥିରୀକୃତ ହେଲା । ଆମେରିକାରୁ ଅନୁରୋଧ ଆସିଥାଏ ସେଥିରେ ଅଂଶଗ୍ରହଣ ନିମନ୍ତେ ଜଣେ ଭାରତୀୟ ଐତିହାସିକଙ୍କୁ ପଠାଇବାକୁ । ଅମଲାତାନ୍ତ୍ରିକ କଛପଗତି ଯୋଗୁଁ ଅକ୍ଟୋବର ୭ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଭାରତ ସରକାରଙ୍କ ସାଂସ୍କୃତିକ ସଚୀବ ଦିଲ୍ଲୀରୁ ଟେଲିଫୋନ୍‌ କରି ତାଙ୍କୁ ଜଣାଇଲେ - ପରଦିନ ସକାଳ ଆଠଟାରେ ତାଙ୍କ ଅଫିସରେ ପହଞ୍ଚି ରାତି ବିମାନରେ ଆମେରିକା ଯିବାକୁ ହେବ । ବହୁ କଷ୍ଟରେ କଲିକତା ବାଟେ ଆକାଶମାର୍ଗରେ ଦିଲ୍ଲୀଯାଇ ଦିବସର ଶେଷ ବେଳକୁ ଅନେକ ଉଦ୍ୟମ ପରେ ଭିସା ତାଙ୍କର ହସ୍ତଗତ ହେଲା । ଆଠ ତାରିଖ ମଧ୍ୟରାତ୍ର ପରେ ଦିଲ୍ଲୀରୁ ବ୍ୟାଙ୍କକ୍‌ ଓ ଟୋକିଓ ଦେଇ ଆମେରିକାର ଲଙ୍ଗ୍‌ବିଚ୍‌ ବିମାନଘାଟୀରେ ଅକ୍ଟୋବର ୧୦ ରାତିରେ ପହଞ୍ଚିଥିଲେ । ଭାରତ ଉତ୍ସବରେ ଅଂଶଗ୍ରହଣ ପୂର୍ବରୁ ଏକ ଟେଲିଭିଜନ ସାକ୍ଷାତ୍‌କାରରେ ବହୁ ଗୁରୁତ୍ଵପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିବାସହ ନିର୍ଭୀକ ଭାବେ କହିଥିଲେ ଯେ, ‘କଂଗ୍ରେସର ସ୍ଵଦେଶୀ ଆନ୍ଦୋଳନଠାରୁ ଭାରତଛାଡ଼ ଆନ୍ଦୋଳନ, ଅର୍ଥାତ୍‌ ରାଷ୍ଟ୍ରପତି ଥିଓଡ଼ର ରୁଜ୍‌ଭଲଟଙ୍କ ସମୟରୁ ଫ୍ରାଙ୍କଲିନ୍‌, ଡେଲାନୋ ରୁଜଭେଲ୍‌ଟଙ୍କ ପର୍ଯ୍ୟନ୍ତ, ଯୁକ୍ତରାଷ୍ଟ୍ର ସରକାର ଭାରତୀୟ ସ୍ଵାଧୀନତା ଆନ୍ଦୋଳନ ସଂଗ୍ରାମ ପ୍ରତି ଭୃକ୍ଷେପ କରି ନ ଥିଲେ, ସାହାଯ୍ୟ ଓ ସହାନୁଭୂତି ତ ଦୂରର କଥା ।’’ ତା’ପରେ ଅନୁଷ୍ଠିତ ଉତ୍ସବରେ ଯୁକ୍ତରାଷ୍ଟ୍ର କଂଗ୍ରେସର ଜନୈକ ସଦସ୍ୟ ଆମେରିକାର ସ୍ଵାଧୀନତା ସଂଗ୍ରାମ ଓ ଭାରତର ସ୍ଵାଧୀନତା ସଂଗ୍ରାମ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି ବୋଲି ମତ ଦେଲାପରେ ମନ୍ମଥବାବୁ ଉଭୟ ଦେଶର ସ୍ଵାଧୀନତା ସଂଗ୍ରାମ ମଧ୍ୟରେ କେତେକ ସାମଞ୍ଜସ୍ୟ ଥିଲାବେଳେ ଅନେକ ପାର୍ଥକ୍ୟ ରହିଛି ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ । ଆମେରିକୀୟମାନେ ମୁଖ୍ୟତଃ ଇଂରେଜମାନଙ୍କର ବଂଶଧର ଥିଲାବେଳେ ଭାରତୀୟମାନେ ଥିଲେ ସମ୍ପୂର୍ଣ୍ଣ ଏକ ପୃଥକ ଜାତି । ଆଟଲାଣ୍ଟିକ୍‌ ଉପକୂଳରେ ସ୍ଥାପିତ ୧୩ ଗୋଟି ଉପନିବେଶର ସୀମିତ ସୀମା ତୁଳନାରେ ଭାରତବର୍ଷ ଥିଲା ଏକ ସୁବିଶାଳ ଉପମହାଦେଶ । ଆମେରିକୀୟମାନଙ୍କ ଜାତି, ଧର୍ମ, ଭାଷା ଓ ସଂସ୍କୃତି ପ୍ରାୟତଃ ଏକ ଥିଲାବେଳେ ଭାରତୀୟ ଉପମହାଦେଶରେ ଥିଲା ବହୁ ପ୍ରକାର ଜାତି, ଉପଜାତି, ଧର୍ମ, ବିଶ୍ଵାସ, ଭାଷା, ଉପଭାଷା ଓ ସଂସ୍କୃତି । ଆମେରିକୀୟ ଉପନିବେଶଗୁଡ଼ିକରେ ପ୍ରଥମରୁ ନିଜନିଜର ଶାସନ ବ୍ୟବସ୍ଥା ଥିଲାବେଳେ ଭାରତରେ ଚାଲିଥିଲା ନିରଙ୍କୁଶ ବ୍ରିଟିଶ ଶାସନ-। ଆମେରିକୀୟମାନେ ଧନ ଓ ଅସ୍ତ୍ରବଳରେ ବଳୀୟାନ ଥିଲାବେଳେ ଭାରତୀୟମାନେ ଥିଲେ ନିଃସ୍ଵ ଓ ନିଷ୍ପେସିତ । ଆମେରିକା ସ୍ଵାଧୀନତା ସଂଗ୍ରାମର ଆୟୁକାଳ ମାତ୍ର ୭ ବର୍ଷ ଥିଲାବେଳେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନର ଅବଧି ଥିଲା ୬୨ ବର୍ଷ । ଜର୍ଜ ୱାସିଂଟନଙ୍କ ଭଳି ଯୋଦ୍ଧାଙ୍କ ନେତୃତ୍ୱରେ ଆମେରିକୀୟମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ, ମାତ୍ର ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତବାସୀ କରିଥିଲେ ଅହିଂସ ସଂଗ୍ରାମ । ଇଂଲଣ୍ଡ ବିରୁଦ୍ଧରେ ଆମେରିକୀୟମାନଙ୍କୁ ଯୁଦ୍ଧରେ ଅନ୍ୟ ଇୟୁରୋପୀୟ ଦେଶମାନେ ସହାୟତା କରିଥିଲାବେଳେ, ସଂଗ୍ରାମ କାଳରେ କୌଣସି ବିଦେଶୀ ରାଷ୍ଟ୍ର ଭାରତକୁ ସାହାଯ୍ୟ କରିନଥିଲେ । ଇଂଲଣ୍ଡ ବିପକ୍ଷରେ ସମଗ୍ର ଇୟୁରୋପ ସଂଗଠିତ ଥିଲାବେଳେ ଭାରତର କେହି ସାହାଯ୍ୟକାରୀ ନ ଥିଲେ । ଆମେରିକୀୟ ଉପନିବେଶଗୁଡ଼ିକର ବିଦ୍ରୋହକୁ ‘ମାତାଙ୍କ ସହ ଦୁହିତାମାନଙ୍କର କଳହ’ ବୋଲି କୁହାଯାଉଥିଲା ବେଳେ ଭାରତୀୟ ବିପ୍ଳବ ଥିଲା ଆଧୁନିକ ଯୁଗର ସର୍ବବୃହତ୍‌ ବୈଦେଶିକ ସାମ୍ରାଜ୍ୟ ବିରୋଧରେ ଏକ ନବଉତ୍ଥିତ ପୁରାତନ ଜାତିର ମୁକ୍ତି ସଂଗ୍ରାମ । ଏଇମିତି ଅନେକ ଆନ୍ତର୍ଜାତୀୟ ସମ୍ମେଳନରେ ଜଣେ ଭାରତୀୟ ଐତିହାସିକଭାବେ ସେ ନିଜ ବିଦ୍‌ବତ୍ତାର ପରିଚୟ ଦେଇଛନ୍ତି ।

 

୧୯୮୫ ନଭେମ୍ବର ପ୍ରଥମ ସପ୍ତାହରେ ଆମେରିକା ଗସ୍ତରୁ ଫେରିବାର କିଛିଦିନ ପରେ ଇଂଲଣ୍ଡ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରୁ ତାଙ୍କୁ ନିମନ୍ତ୍ରଣ ଆସିଲା ନଭେମ୍ବର ଶେଷ ସପ୍ତାହରେ ହେବାକୁ ଥିବା ‘ଜାତୀୟ କଂଗ୍ରେସ’ ଶୀର୍ଷକ ପାଠଚକ୍ରରେ ଅଂଶଗ୍ରହଣ କରିବା ପାଇଁ । ମାତ୍ର ଦନ୍ତରେ ଗଭୀର ଯନ୍ତ୍ରଣା ଯୋଗୁଁ ଟିକେଟ୍‌ କରିବା ସତ୍ତ୍ୱେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ । ୧୯୮୫ ଡିସେମ୍ବର ୨୮, ୨୯ ତାରିଖରେ ବମ୍ବେ ମହାନଗରୀରେ ଭାରତୀୟ ଜାତୀୟ କଂଗ୍ରେସର ଶତବାର୍ଷିକ ଅଧିବେଶନ ଅନୁଷ୍ଠିତ ହେଲା । କଂଗ୍ରେସ ଇତିହାସର ପ୍ରଥମ ତିନିଖଣ୍ଡ ଗ୍ରନ୍ଥ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଉନ୍ମୋଚନ କଲେ । ଶେଷ ମୁହୂର୍ତ୍ତରେ ୨୭ ତାରିଖ ସନ୍ଧ୍ୟାରେ ମନ୍ମଥବାବୁ ବାର୍ତ୍ତା ପାଇଲେ ୨୮ ତାରିଖ ଦିନ ଉତ୍ସବରେ ଯୋଗଦେବାଲାଗି । ସେ ଉତ୍ସବରେ ତ ଯୋଗଦେଇପାରି ନ ଥିଲେ, ତାଙ୍କ ପ୍ରଣୀତ ପୁସ୍ତକଟି ଦେଖିଲାପରେ ବିସ୍ମିତ ହୋଇଥିଲେ । ବହିର ପ୍ରଚ୍ଛଦପଟ ବା ପ୍ରଥମ ପୃଷ୍ଠାରେ ଲେଖକଙ୍କ ନାମ ନ ଥିଲା । ମୁଖବନ୍ଧ ଓ ଉପକ୍ରମଣିକା ଲେଉଟାଇଲା ପରେ ଅନେକ ପଛରେ ଛୋଟ ଅକ୍ଷରରେ ନିଜ ନାମଟିକୁ ଆବିଷ୍କାର କଲାପରେ ଏହାକୁ ସେ କଂଗ୍ରେସ ସଂସ୍କୃତିର ଅଂଶବିଶେଷ ବୋଲି ଧରିନେଲେ । ନିଜ ବୟସର ସାୟାହ୍ନ କାଳରେ ଐତିହାସିକ ଡକ୍ଟର ହରେକୃଷ୍ଣ ମହତାବ ନିଜ ବୟସକୁ ଭୃକ୍ଷେପ ନ କରି ‘While serving my Nation’ ଶୀର୍ଷକ ପୁସ୍ତକଟି ରଚନା କରିଥିଲେ, ଯାହା ୧୯୮୬ ନଭେମ୍ବର ୨୧ ତାରିଖରେ ଦିଲ୍ଲୀଠାରେ ଉନ୍ମୋଚିତ ହେବାକଥା ସ୍ଥିର ହୋଇଥିଲା । ଭର୍ତ୍ତୃହରି ମହତାବଙ୍କ ସହିତ ସାମିଲ ହୋଇ ମନ୍ମଥବାବୁ ବହୁ ଘାତ ପ୍ରତିଘାତ ମଧ୍ୟରେ ଏହି ଉତ୍ସବର ଆୟୋଜନ କରିଥିଲେ । ବିଠଲ ଭାଇ ପଟେଲ ହଲ୍‌ରେ ଦିଲ୍ଲୀର ବହୁ ବିଶିଷ୍ଟ ବୁଦ୍ଧିଜୀବୀଙ୍କ ଗହଣରେ ଯେଉଁ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେଲା ସେଥିରେ ପ୍ରାରମ୍ଭିକ ସୂଚନା ଦେବାକୁ ଯାଇ ସେ ମହାତାବ ଯୁଗର ରାଜନୀତି ଓ ଏବେକାର ରାଜନୀତି ମଧ୍ୟରେ ତୁଳନାତ୍ମକ ବିଶ୍ଳେଷଣ କଲାବେଳେ ପୂର୍ବକାଳର ନିର୍ଭୀକଚେତା ରାଜନୀତିଜ୍ଞ ଓ ଏ ଯୁଗର ଦୁର୍ବଳମନା ରାଜନେତାମାନଙ୍କ କଥା ପ୍ରାସଙ୍ଗିକତା କ୍ରମେ ଉଲ୍ଲେଖକରି ବିଚକ୍ଷଣ ଅତିଥିମାନଙ୍କୁ ମୁଗ୍ଧ କରିଥିଲେ ।

 

ସମ୍ରାଟ ଅଶୋକଙ୍କ ଉପରେ ଚଳଚ୍ଚିତ୍ରଟିଏ ପ୍ରସ୍ତୁତ କରିବାର ସ୍ଵପ୍ନ ଦେଖିବା ସେ ଆରମ୍ଭ କରିଥିଲେ ୧୯୭୧ ରେ । ସେ ପ୍ରସଙ୍ଗରେ ବଲରାଜ ସାହାଣୀ (ବିଖ୍ୟାତ ଚଳଚ୍ଚିତ୍ର ପ୍ରଯୋଜକ)ଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଚଣ୍ଡାଶୋକରୁ ଧର୍ମାଶୋକ, କଳିଙ୍ଗ ସମର, ବୌଦ୍ଧଧର୍ମର ପ୍ରସାର ଇତ୍ୟାଦି ପ୍ରସଙ୍ଗ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆସି ପାରିଲେ, ସ୍ୱପ୍ନ ବିଭୋର ମନ୍ମଥବାବୁ ପ୍ରାଚୀନ କଳିଙ୍ଗର ବୀରତ୍ୱ ଗାଥା ଓ ବିଶ୍ଵ ସଭ୍ୟତାକୁ ଭାରତର ଅବଦାନ ଦେଶବାସୀ ଜାଣି ପାରିବେ ବୋଲି ଭାବିଥିଲେ । ପରବର୍ତ୍ତି ସମୟରେ ଅବଶ୍ୟ ସେ ‘ଆହୁତି’ ଓ ‘ସୁନାସଂସାର’ ଚଳଚ୍ଚିତ୍ର କାହାଣୀ ରଚନା କରିଥିଲେ ଯାହାର ବିଷୟବସ୍ତୁ ଥିଲା ସାମାଜିକ । ଅଶୋକଙ୍କ ବିଷୟରେ ଗବେଷଣା କରି ସଂଗ୍ରହ କରିଥିବା ତଥ୍ୟକୁ ନେଇ ଏକ ତିନି ଘଣ୍ଟିଆ ଚଳଚ୍ଚିତ୍ର ନିମନ୍ତେ ସେ ଇଂରାଜୀରେ କାହାଣୀ ରଚନା କରିଥିଲେ । ତାଙ୍କର ଆଶା ଥିଲା ବମ୍ବେର ପ୍ରଯୋଜକମାନେ ହିନ୍ଦୀରେ ଅନୁବାଦକରି ବ୍ୟୟବହୁଳ ଚଳଚ୍ଚିତ୍ରଟି ପ୍ରଯୋଜନା କରିବେ । ୧୯୭୬ ନଭେମ୍ବରରେ ‘ଇଲ୍‌ଷ୍ଟ୍ରଟେଡ୍ ଉଇକ୍ଲି’ରେ ପଢ଼ିଲେ ଯେ ବମ୍ବେର ପ୍ରସିଦ୍ଧ ଚଳଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଓ. ପି.ରାଲାହାନ୍‌ ‘Ashok: The Great’ ନାମକ ଚଳଚିତ୍ର ନିର୍ମାଣ ଲାଗି ଯୋଜନା କରୁଛନ୍ତି । ତାଙ୍କସହ ଯୋଗାଯୋଗ କଲାପରେ ଆରମ୍ଭ ହୋଇଥିଲା ତାଙ୍କର ଅକଥନୀୟ ଦୁର୍ଦ୍ଦଶା । ରାଲାହାନ୍‌ଙ୍କ ଦ୍ଵାରା ମୋହାଚ୍ଛନ୍ନ ଅବସ୍ଥାରେ ଥିବା ମନ୍ମଥବାବୁ ବହୁଭାବେ ଶୋଷିତ ଓ ପ୍ରତାରିତ ହେଲାପରେ ରାଲ୍‌ହାନ୍‌ ବମ୍ବେ ଚଳଚ୍ଚିତ୍ର ଜଗତର ଏକ ଦୁଷ୍ଟଗ୍ରହ ବୋଲି ଜାଣିପାରିଥିଲେ । ୧୯୭୭ ରୁ ୧୯୯୦ ଯାଏଁ ରାଲ୍‌ହାନ୍‌ଙ୍କ ବ୍ୟକ୍ତିତ୍ୱ ଓ କାରନାମା ବିଷୟରେ ସମ୍ପୂର୍ଣ୍ଣ ଅବଗତ ହେଲାପରେ, ସେଇ ବିଷୟରେ ୭୦୦ ପୃଷ୍ଠାର ‘Emperor Ashok Mourya: Kalinga war to Universal peace’ ପୁସ୍ତକଟିର ଲେଖାସାରି ଦିଲ୍ଲୀର ରିମା ପ୍ରକାଶନକୁ ୧୯୯୧ରେ ଦେଲେ ଓ ବହିଟି ପ୍ରକାଶ ପାଇଗଲା । ଏଥିରେ ଉତ୍‌କ୍ଷିପ୍ତ ରାଲ୍‌ହାନ୍‌ ୧୯୯୨ ଏପ୍ରିଲ ମାସରେ ସେହି ପୁସ୍ତକର ମୁଦ୍ରଣ ଓ ପ୍ରକାଶନ ଉପରେ ଦିଲ୍ଲୀ ହାଇକୋର୍ଟରେ କେଶ୍‌ ଦାଏର କଲେ । ୧୯୯୬ ଯାଏଁ ଦିଲ୍ଲୀ ହାଇକୋର୍ଟରେ ସେ କେଶ୍‌ ଚାଲିଥିଲା । ସେଥିପାଇଁ ମନ୍ମଥବାବୁ ଅନେକ ମାନସିକ ଯନ୍ତ୍ରଣା ଭୋଗକଲେ ସିନା ରାଲ୍‌ହାନ୍‌ କିନ୍ତୁ କେଶ୍‌ରେ କୃତକାର୍ଯ୍ୟ ହୋଇ ନ ଥିଲେ ।

 

ଆରମ୍ଭରୁ ନାସ୍ତିକ ଥିବା ପ୍ରଫେସର ଦାସ ଅକସ୍ମାତ ଗୋଟିଏ ଅସ୍ଵାଭାବିକ୍‌ ଉପଲବ୍ଧିର ଦ୍ଵାରଦେଶରେ ପହଞ୍ଚିଥିଲେ । ଇଶ୍ଵରଙ୍କ ସମ୍ବନ୍ଧରେ କିଛି ନ ଜାଣିଲେ ମଧ୍ୟ ଦିବ୍ୟ ପୁରୁଷମାନଙ୍କଠାରେ ଐଶ୍ଵରିକ ଶକ୍ତି ରହିଥିବାର ଚାକ୍ଷୁସ ପ୍ରମାଣ ପାଇ ସେ ସ୍ତମ୍ଭିତ ହୋଇଥିଲେ । ୧୯୮୭ ଡିସେମ୍ବର ୭ରେ ପତ୍ନୀ, କନ୍ୟା ଓ ଦୁଇଜଣ ନାତି ନାତୁଣୀଙ୍କ ସହ ଜଣେ ବନ୍ଧୁଙ୍କ ପରିବାର ଗହଣରେ ପ୍ରଶାନ୍ତି ନିଳୟମ ଯାତ୍ରା କଲାପରେ ସତ୍ୟସାଇ ବାବାଙ୍କ ସହ ବ୍ୟକ୍ତିଗତ ସାକ୍ଷାତ ପରେ ଦିବ୍ୟଶକ୍ତିର ପ୍ରତ୍ୟକ୍ଷ ଅନୁଭୂତି ଅନୁଭବ କରିଥିଲେ । ପରେ ପରେ କେତେକ ଘଟଣାରୁ ତାଙ୍କର ସେହି ବିଶ୍ଵାସ ଦୃଢ଼ୀଭୂତ ହୋଇଥିଲା । ଥରକୁଥର ପ୍ରଶାନ୍ତି ଯାତ୍ରା ଓ ସେଠାରେ ସତ୍ୟସାଇ ବାବାଙ୍କର ଅଲୌକିକ କାର୍ଯ୍ୟ ସମ୍ପାଦନ ଦେଖି ଅତିପ୍ରାକୃତିକ ଓ ଆଧ୍ୟାତ୍ମିକ ଶକ୍ତି ପ୍ରତି ତାଙ୍କର ବିଶ୍ୱାସ ଜନ୍ମିଥିଲା । ମିରାକିଲ୍‌ ବା ଅଲୌକିକ କାଣ୍ଡ ସମ୍ପର୍କରେ ଐତିହାସିକମାନଙ୍କ ମନରେ ଥିବା ଧାରଣାର ପରିପ୍ରେକ୍ଷୀରେ ତାଙ୍କ ମନରେ ଆଲୋଡ଼ନ ସୃଷ୍ଟିହେଲା ସତ୍ୟସାଇ ବାବାଙ୍କର ଅଲୌକିକ କାର୍ଯ୍ୟମାନ ସ୍ୱଚକ୍ଷୁରେ ଦେଖିଲା ପରେ । ତା’ପରେ ସେ ପୁସ୍ତକଟିଏ ରଚନା ପାଇଁ ଅଧ୍ୟବସାୟ ଆରମ୍ଭ କରିଥିଲେ । ଜୋରଷ୍ଟାର, ବୁଦ୍ଧ, ଯୀଶୁଖ୍ରୀଷ୍ଟ, ମହମ୍ମଦ ଓ ନାନକ ପ୍ରମୁଖ ପାଞ୍ଚଜଣ ଧର୍ମ ପ୍ରବର୍ତ୍ତକ ତଥା ସାଇବାବାଙ୍କ ବିଷୟରେ ବିବରଣୀ ସଂଗ୍ରହ କଲାପରେ ସେ ଲେଖିଲେ ‘Miracles of mankind’s Great saviors: Zoroastar to Satyasai’ ୧୯୯୨ରେ ପ୍ରଥମ ସଂସ୍କରଣ ଦିଲ୍ଲୀରେ ପ୍ରକାଶିତ ହେଲା ପରେ ପରେ ଦ୍ୱିତୀୟ ସଂସ୍କରଣ ମୁଦ୍ରିତ ହେଲା ଏବଂ ଜଣେ ହଙ୍ଗେରୀୟ ଅଧ୍ୟାପକ ମଧ୍ୟ ସେହି ବହିର ଅନୁବାଦ କଲେ । ନାସ୍ତିକତାରୁ ଜଣେ ସମ୍ପୂର୍ଣ୍ଣ ଆସ୍ତିକ ପାଲଟିବା ଏବଂ ପୁସ୍ତକ ରଚନା କରିବା ଥିଲା ପ୍ରଫେସର ମନ୍ମଥନାଥ ଦାସଙ୍କର ବହୁବର୍ଣ୍ଣା ଜୀବନର ଏକ ବିଶେଷ ଅଧ୍ୟାୟ । ପରେ ସେ ‘Abode of Bliss’ ଓ ‘Saga of Joraster to Satyasai’ ନାମକ ଅନ୍ୟ ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ ରଚନା କରିଥିଲେ ।

 

***

 

ସାରସ୍ଵତ ସ୍ରଷ୍ଟା

 

ଜଣେ ସୃଜନଶୀଳ ଲେଖକଭାବେ ମଧ୍ୟ ମନ୍ମଥନାଥ ଦାସ ଚିର-ସ୍କରଣୀୟ ହୋଇ ରହିବେ । ତାଙ୍କ ସାରସ୍ଵତ କୃତୀଗୁଡ଼ିକ ମଧ୍ୟରେ ‘ଯୁଗେ ଯୁଗେ ଉତ୍କଳୀୟ ଧର୍ମ ଓ ସଭ୍ୟତା’ (୧୯୫୧), ‘ଅସ୍ତରାଗ’ (୧୯୫୩), ‘ଅସ୍ପଷ୍ଟ ଆଖ୍ୟାନ’ (୧୯୭୨), ‘ସମୟ ସାଗର ତୀରେ’ (୧୯୮୧), ‘ଜୀବନର ପଥପ୍ରାନ୍ତ ଦିଗନ୍ତର ଦୃଶ୍ୟ’ (୧୯୯୬) ଏବଂ ‘ହେ ବିଧାତା, ହେ ବସୁଧା’ ଇତ୍ୟାଦି ପୁସ୍ତକ ଓଡ଼ିଆ ଭାଷାସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲାବେଳେ ଇଂରାଜୀ ପୁସ୍ତକ ‘keep the story secret’ ଓ Behind the dark curtain ତାଙ୍କ ବହୁବର୍ଣ୍ଣା ସାରସ୍ଵତ ବ୍ୟକ୍ତିତ୍ଵର ପରିଚୟ ଦିଏ । ତାଙ୍କ ସାରସ୍ଵତ ସୃଷ୍ଟିଗୁଡ଼ିକ ସାଧାରଣ ମଣିଷ ଓ ପାଠକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ସମାଜର ଦଳିତ ଓ ନିଷ୍ପେଷିତ ଲୋକମାନଙ୍କୁ ତାଙ୍କ ସ୍ପଷ୍ଟିରାଜି ପ୍ରେରଣା ଯୋଗାଇବାକୁ ସମର୍ଥ ଥିଲା । ତାଙ୍କ ସୃଜନଶୀଳ ସୃଷ୍ଟି ପାଇଁ ତାଙ୍କ ଲେଖିକା ମାତା କାଦମ୍ବିନୀ ଦେବୀ ଓ କଥା ସାହିତ୍ୟର ଜନକ ଫକୀରମୋହନଙ୍କ ପ୍ରଭାବ ତାଙ୍କୁ ପ୍ରୋତ୍ସାହିତ କରିଥଲା ।

 

‘ହେ ବିଧାତା, ହେ ବସୁଧା’ ପୁସ୍ତକଟି ଇତିହାସର ପୃଷ୍ଠଭୂମିରେ ଲିଖିତ ସତେଅବା ଏକ ଅଧାଲେଖା କାହାଣୀ । ଏହି ଉପନ୍ୟାସଟି ୨୦୦୨ରେ ବିଦ୍ୟାପୁରୀ ପ୍ରକାଶନୀ ସଂସ୍ଥା ଦ୍ଵାରା ପ୍ରକାଶିତ ହୋଇଥିଲା । ଐତିହାସିକ ଡକ୍ଟର ଦାସ ଇତିହାସର ପ୍ରତିଲୋମ ଗତିରେ ଅଗ୍ରସର ହୋଇ ସମୟର ପ୍ରାଣସ୍ପନ୍ଦନକୁ ଧରିବାର ପ୍ରୟାସ କରିଛନ୍ତି ଏଇ ଉପନ୍ୟାସଟିରେ । ସମୟରୁ ସମୟାନ୍ତରକୁ ଅଗ୍ରସର ଦେଶ, ତା’ର ସ୍ଵପ୍ନ ଓ ସ୍ଵପ୍ନଭଙ୍ଗ, ଅବକ୍ଷୟିତ ମୂଲ୍ୟବୋଧ ଓ ଆତ୍ନିକ ସଂକଟ ପ୍ରଭୃତି ବିଭବ ଅତ୍ୟନ୍ତ ଚିନ୍ତାଦ୍ୟୋତକ ଓ ଭାବମୟ ଶୈଳୀରେ ପ୍ରକାଶିତ ହୋଇଛି ଉପନ୍ୟାସଟିରେ । ପୁସ୍ତକର ପ୍ରସ୍ତାବନାରେ ଲେଖକ ସ୍ପଷ୍ଟ କରିଛନ୍ତି ଯେ ଅଧ୍ୟୟନ ପ୍ରସୂତ କୌଣସି ଐତିହାସିକ ଘଟଣାର ବର୍ଣ୍ଣନା ନୁହେଁ, ବ୍ୟକ୍ତିଗତ ଉପଲବ୍‌ଧ ହିଁ ଏହି ପୁସ୍ତଳର ମୂଳଆଧାର । ଅପରପକ୍ଷେ ସମକାଳୀନ ପରିବେଶ ଓ ପାରିପାର୍ଶ୍ୱିକ ପରିସ୍ଥିତିର ପ୍ରେକ୍ଷାପଟରେ ଲିଖିତ ହୋଇଛି ଏହି ରାଜନୈତିକ ଓ ସାମାଜିକ ଉପନ୍ୟାସଟି ।

 

ପରାଧୀନ ଭାରତର ସର୍ବମାନ୍ୟ ଜନନାୟକ ଗାନ୍ଧିଙ୍କ ଅହିଂସ ନୀତିକୁ ଆଦର୍ଶ ଭାବେ ଗ୍ରହଣ କରିଥିଲେ ଭାରତର ବହୁ ଯୁବକ । ସେଇ ଆଦର୍ଶରେ ଅନୁପ୍ରାଣୀତ ତପସ୍ଵୀଙ୍କ ଜ୍ଵାଇଁଭାବେ ଗ୍ରହଣ କରିଛନ୍ତି ସ୍ଵାଧୀନତା ସଂଗ୍ରାମୀ ଶିବବାବୁ ଏବଂ ଝିଅ ମମତା ତଥା ଚାରି ନାତିନାତୁଣୀଙ୍କ ଦାୟିତ୍ୱ ନିଜେ ନେଇ ଦେଶକାମ ପାଇଁ ମୁକ୍ତ କରିଦେଇଛନ୍ତି ତପସ୍ଵୀଙ୍କୁ । ଉଚ୍ଚଶିକ୍ଷିତ ତପସ୍ଵୀ ଆଇନ ଅମାନ୍ୟ କରି କାରାବରଣ କରିଥିଲାବେଳେ ପୁତ୍ର ତେଜସ୍ଵୀ ବାପା ଓ ଅଜାଙ୍କ ଆଦର୍ଶରେ ସମାଜସେବା ପାଇଁ ଆଗୁସାର ହୋଇଛନ୍ତି । ରାଜଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଶିବବାବୁ ସ୍ଵାଧୀନତା ସଂଗ୍ରାମୀ ଦୀପ୍ତିମାନ ଓ ପତ୍ନୀ କବିତା ଦେବୀଙ୍କ ସହଯୋଗରେ ରାମକୃଷ୍ଣ ମିଶନ ପରିଚାଳିତ ଯକ୍ଷ୍ମାନିବାସରେ ରହିଛନ୍ତି । କନ୍ୟା ମମତା ପିତାଙ୍କ ସେବାପାଇଁ ଧାଇଁ ଆସିଛନ୍ତି କଲିକତା ଏବଂ କବିତା ମମତାଙ୍କ ଚାରିପିଲାଙ୍କର ଦାୟିତ୍ୱ ନେଇଛନ୍ତି । ତପସ୍ଵୀ ଓ ଦୀପ୍ତିମାନଙ୍କ ଆହ୍ୱାନରେ ଜନ ଜାଗରଣ ସୃଷ୍ଟି ହୋଇଛି ତପସ୍ଵୀର ଗାଁରେ, ମାତ୍ର ଜମିଦାରଙ୍କ ଗୁଣ୍ଡାମାନଙ୍କ ଅତ୍ୟାଚାର ଓ ମିଥ୍ୟା କେଶ୍‌ ଯୋଗୁଁ ତପସ୍ଵୀ ଓ ଦୀପ୍ତିମାନ କାରାଦଣ୍ଡରେ ଦଣ୍ଡିତ ହୋଇ ପ୍ରେରିତ ହୋଇଛନ୍ତି କଳାପାଣିର ସେଲ୍ୟୁଲାର ଜେଲକୁ । ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ତେଜସ୍ଵୀ ମଧ୍ୟ ଶହିଦ ହୋଇଛି ଜମିଦାରଙ୍କ ନିର୍ଦ୍ଦେଶରେ ହୋଇଥିବା ଗୁଳି ବିନିମୟରେ ।

 

ମମତା ସମୟ ସୁଅରେ ନିଆଁରେ ପୋଡ଼ିହୋଇ ଶାରୀରିକଭାବେ ବିକୃତ ହୋଇଛି, ଆଦିବାସୀ ତରୁଣୀ ଈଶା ଓ କରାଳୀଙ୍କ ସେବାଯତ୍ନରେ ଆରୋଗ୍ୟ ଲାଭ କଲାପରେ ପିଲାମାନଙ୍କୁ ଭେଟିବାକୁ ଯାଇଛନ୍ତି କଲିକତାର ଶିଶୁ ଶ୍ରମିକ କ୍ୟାମ୍ପକୁ । ମମତାରୁ ‘ଗେନ୍ଦୀ’ ନାଁରେ ରୂପାନ୍ତରିତ ହୋଇ ଭିକ ମାଗି ବୁଲିଛନ୍ତି କଲିକତାର ଗଳି ଉପଗଳିରେ । ମା’ କବିତାଙ୍କ ମୃତ୍ୟୁ ଖବର ଶୁଣିଲା ପରେ ନିଜ କନ୍ୟା କରୁଣା ଘରେ ‘ଗେନ୍‌ସୀ’ ନାଁରେ ଚାକରାଣୀ ଭାବେ ରହିଛନ୍ତି । ଆଇ.ଏ.ଏସ୍‌. ଓ ଏମ୍‌.ପି ଦୁଇ ଭାଇଙ୍କ ପ୍ରେରିତ ଅର୍ଥରେ ତା’ ପରିବାରର ସଦସ୍ୟମାନେ ମଉଜ କରନ୍ତି ସିନା କରୁଣା ବଞ୍ଚିରହେ କାରୁଣ୍ୟର ମୂର୍ତ୍ତିମନ୍ତ ବିଗ୍ରହଭାବେ । ମେଲେରିଆରେ ଅଭାଗିନୀ କରୁଣାର ମୃତ୍ୟୁ ହେଲାପରେ ମମତା ଓରଫ୍‌ ଗେନ୍ଦୀ ଓରଫ୍‌ ଗେନସୀ ଦିଲ୍ଲୀ ଯାତ୍ରା କରିଛନ୍ତି ନିଜ ପୁଅ ଦୁହିଁଙ୍କୁ ଖୋଜିବାକୁ । ପୁଅ ଏମ୍‌.ପି. ସ୍ୱରାଜବାବୁ ନିଜର ଦେଶପ୍ରେମୀ ବାପା ଓ ଭାଇଙ୍କ ନାଁ ନେଇ ରାଜନୀତି କରୁଥିଲେ ମଧ୍ୟ ଅସତ୍ୟ ଓ ଛଳନାର କୁହେଳୀ ଭିତରେ ବଡ଼ ହୋଇଥବା ଜାଣି ମମତା ଦିଲ୍ଲୀ ଛାଡ଼ି ବମ୍ବେ ଯାଇଛନ୍ତି ଆଇ.ଏ.ଏସ୍‌. ପୁଅ ସ୍ଵାଧୀନକୁ ଭେଟିବାକୁ । ସେଠାରେ ବି ପୁଅର ବ୍ୟକ୍ତିତ୍ୱ ତଥା ଚାରିତ୍ରିକ ସ୍ଖଳନ ଦେଖି ତାଙ୍କର ମୋହଭଙ୍ଗ ଘଟିଛି । ପୁଅର ବ୍ୟବହାରରେ ନିର୍ଯ୍ୟାତିତ ଓ ଅତିଷ୍ଠ ମମତାଦେବୀ ଗାଁକୁ ଫେରିଛନ୍ତି ପୁଅ ସ୍ଵରାଜର ବିପତ୍ତିକଥା ଶୁଣି । ମାତ୍ର ଗାଁରେ ପହଞ୍ଚିଲାବେଳକୁ ବଦଳିଯାଇଛି ତାଙ୍କ ଗାଁର ଚିତ୍ରପଟ ଏବଂ ମମତାଙ୍କର ଅନୁଶୋଚନାଭରା ‘ହେ ବସୁଧା !’ କ୍ଷୀଣ ସ୍ୱର ଭିତରେ ଯବନିକା ନଇଁ ଆସିଛି ଉପନ୍ୟାସଟିର ।

 

ପୁସ୍ତକଟିର ପ୍ରସ୍ତାବନାରେ ଲେଖକ ସୂଚନା ଦେଇଛନ୍ତି ଯେ ଏହା ଏକ ନାୟକହୀନ ଉପନ୍ୟାସ ମୁଖ୍ୟ ଭୂମିକାରେ ଅଛନ୍ତି କେବଳ ଜଣେ ନାୟିକା ଯିଏ ସାଙ୍କେତିକ ଅର୍ଥରେ ଦୁଇଟି ଯୁଗର ସାକ୍ଷାଦ୍ଦର୍ଶିନୀ । ସେଇ ମମତା ଦେବୀଙ୍କ ଭିତରେ ଅଛି ପତ୍ନୀତ୍ୱର ଗରିମା, ମାତୃତ୍ୱର ଦମ୍ଭ, ପିତାଙ୍କ ଆଦର୍ଶର ମମତାସିକ୍ତ ସେବା ଭାବନା । ସେଲ୍ୟୁଲାର ଜେଲ୍‌ରେ ସ୍ଵାମୀଙ୍କ ଫାଶୀପ୍ରାପ୍ତି ସମ୍ବାଦରେ ସେ ଭାଙ୍ଗି ପଡ଼ିନାହାନ୍ତି ବା ତେଜସ୍ଵୀର କଟାମୁଣ୍ତ ଦେଖିଲାପରେ ମଧ୍ୟ ବିଚଳିତ ହୋଇନାହାନ୍ତି । ବୀଭତ୍ସ ଚେହେରା ନେଇ ଆଦିବାସୀମାନଙ୍କ ପ୍ରାଣଦିଆ ସେବାଯତ୍ନରେ ବଞ୍ଚିରହିଛନ୍ତି ଯୁଗ ପରିବର୍ତ୍ତନକୁ ସାମ୍ନା କରିବାପାଇଁ । ନିଜର ସନ୍ତାନମାନଙ୍କୁ ବିଭିନ୍ନ ନାମଧାରଣକରି କଲିକତାରୁ ବମ୍ବେ ପର୍ଯ୍ୟନ୍ତ ଖୋଜିଲାବେଳେ ସେ ସତେଯେମିତି ପାଲଟିଯାଇଛନ୍ତି ସର୍ବଂସହା ଭାରତମାତା । ମାତ୍ର ନିଜ ସନ୍ତାନମାନଙ୍କ ପାଖରେ ସମୟର ପରିବର୍ତ୍ତିତ ପ୍ରେକ୍ଷାପଟରେ ବାସ୍ତବ ନଗ୍ନସ୍ଵରୂପକୁ ପ୍ରତ୍ୟକ୍ଷ କଲାବେଳେ ମୋହଭଙ୍ଗ ହୋଇଛି ତାଙ୍କର । ଉପନ୍ୟାସଟିରେ ନଗରବାସୀଙ୍କ ଦ୍ଵିଧାବିଭନ୍ତ ଜୀବନଯାପନ, ଗଣତନ୍ତ୍ର ଓ ରାଜନୀତିର ବାସ୍ତବ ରୂପରେଖ ସୁନ୍ଦର ଭାବରେ ଚିତ୍ରିତ ହୋଇଛି । ସତେଯେମିତି ସ୍ଵାଧୀନ ଭାରତର ଅଧୋଗତି ଦେଖି ବିବ୍ରତ ଓ କିଂକର୍ତ୍ତବ୍ୟ ବିମୂଢ଼ ପାଲଟି ଯାଇଛନ୍ତି ମୂଲ୍ୟବୋଧକୁ ନେଇ ବଞ୍ଚି ଆସିଥିବା ବିବ୍ରତ ଲେଖକ । ଉପନ୍ୟାସଟିରେ ଅନେକ ଦୃଶ୍ୟ ଓ ଦୃଶ୍ୟପଟର ଚମତ୍କାର ପରିପ୍ରକାଶ ଘଟିଛି ସ୍ଵପ୍ନ ଓ ସ୍ଵପ୍ନଭଙ୍ଗର ବିଚିତ୍ର ସମନ୍ୱୟରେ । ଜମିଦାରମାନଙ୍କର ନାମକରଣର ପ୍ରାସଙ୍ଗିକତା ପ୍ରମାଣିତ ହୋଇଛି । ଉପନ୍ୟାସଟିରେ ଅନେକ ମୃତ୍ୟୁ ସଂଘଟିତ ହୋଇଥିଲେ ହେଁ ତାହା ନଷ୍ଟ କରିପାରିନାହିଁ ମମତାଙ୍କ ମାନସିକ ଦୃଢ଼ତାକୁ । ଉପନ୍ୟାସର ପରିଣତିରେ ମମତା ଚାରୋଟି ସନ୍ତାନର ମା' ନ ହୋଇ ସତେ ଯେମିତି ପାଲଟି ଯାଇଛନ୍ତି ଅସଂଖ୍ୟ ନାମହୀନ ଜନତାର ଜନନୀ ! ଉପନ୍ୟାସଟିରେ ବହୁ ଘଟଣାର ବୈଚିତ୍ର୍ୟମୟ ସମାବେଶ ଘଟିଥିଲେ ମଧ୍ୟ ତାହା ମୂଲ୍ୟବୋଧ ଭ୍ରଷ୍ଟ ସ୍ଵାଧୀନ ଭାରତର ନିଖୁଣ ନକ୍ସା ତୋଳିଧରିବାରେ ସମର୍ଥ ହୋଇଛି । ନିମ୍ନ ଚିନ୍ତାଧାରା ଓ ହତାଶା ଯେ ଦିନେ ଦୂରୀଭୂତ ହେବ ଏବଂ ଆଶାର ନବାଲୋକରେ ଉଦ୍‌ଭାସିତ ହେବ ଏ ପୃଥ୍ୱୀ - ଏଇ ସମ୍ଭାବନାମୟ ବାର୍ତ୍ତାରେ ଶେଷ ହୋଇଛି ଉପନ୍ୟାସଟି । ଏହି ଉପନ୍ୟାସଟିର ପ୍ରଧାନ ଆଖ୍ୟାନ ଭାଗ ହେଲା ସ୍ଵାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ, ଭାରତଛାଡ଼ ଆନ୍ଦୋଳନ । ସଂଗ୍ରାମୀମାନଙ୍କୁ ଇଂରେଜ ପୋଲିସ ଓ ତାଙ୍କର ବଚସ୍କର ଜମିଦାରମାନଙ୍କର ଅତ୍ୟାଚାର, ସ୍ଵାଧୀନତାର ଅବ୍ୟବହିତ ପୂର୍ବର ସାମ୍ପ୍ରଦାୟିକ ନରସଂହାର ଇତ୍ୟାଦିର ନିଖୁଣଚିତ୍ର ଉଦ୍‌ଭାସି ଉଠିଛି ଉପନ୍ୟାସଟିର ବର୍ଣ୍ଣିଳ ପୃଷ୍ଠାମାନଙ୍କରେ । ଉପନ୍ୟାସଟିରେ ଦେଶ ଓ ଜାତି ପାଇଁ ମଣିଷର ଅକୁଣ୍ଠ ତ୍ୟାଗ ଓ ମର୍ମନ୍ତୁଦ ଦୁଃଖବରଣ ସହ ଅଭିଶପ୍ତ ଜୀବନଯାପନ ପ୍ରଭୃତି ପାଠକଲେ ହୃଦୟ ବିଗଳିତ ହୋଇଯାଏ ପାଠକଙ୍କର ।

 

ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ଛାତ୍ର ଥିଲାବେଳେ ଜୀବନର ପ୍ରଥମ ବହିଟି ସେ ଲେଖୁଥିଲେ ସେହି ହିନ୍ଦୁ ହଷ୍ଟେଲରେ ୧୯୪୬ ମସିହାରେ । ବହିଟିର ନାମ ଥିଲା ‘ପ୍ରାଚ୍ୟରେ ପାଶ୍ଚାତ୍ୟବାସୀ’ । ପୁସ୍ତକଟିକୁ ସେ ଉତ୍ସର୍ଗ କରିଥଲେ ହରେକୃଷ୍ଣ ମହତାବଙ୍କ ନାମରେ । ବଣିକ ଭାବରେ ଭାରତକୁ ଆସି ସାମ୍ରାଜ୍ୟ ସ୍ଥାପନ କରିଥିବା ଇଂରେଜ ଜାତି ପ୍ରତି ବିଷୋଦ୍‌ଗାର କରି କେତେକ କଥା ସେ ଲେଖୁଛନ୍ତି ପୁସ୍ତକଟିରେ । ସେଇ ବର୍ଷଟି ଭାରତ ଇତିହାସର ଥିଲା ଅତ୍ୟନ୍ତ ଦୁଃଖଦ ଏବଂ ସ୍ମରଣୀୟ ସମୟ । ମହମ୍ମଦ ଅଲ୍ଲି ଜିନ୍ନାଙ୍କ ଆହ୍ୱାନରେ ଭାରତର ମୁସଲମାନମାନେ ‘ପାକିସ୍ତାନ’ ଦାବିକରି କଲିକତା ନଗରୀରେ ଅସଂଖ୍ୟ ହିନ୍ଦୁଙ୍କୁ ହତ୍ୟା କଲେ । ଏହାର ପ୍ରତିକ୍ରିୟାରେ ସମଗ୍ର ଦେଶରେ ଆରମ୍ଭ ହେଲା ସାମ୍ପ୍ରଦାୟିକ ସଂଘର୍ଷ ଓ ରକ୍ତପାତ । ଏହି ଐତିହ୍ୟମୟ ବିଶାଳ ଦେଶକୁ ଦୁଇଭାଗକରି ଇଂରେଜମାନେ ‘ଦୁଇଜାତି ତତ୍ତ୍ୱ’ ଆଧାରରେ ସ୍ଵାଧୀନତା ଘୋଷଣା କଲେ । ଉଭୟ ସମ୍ପ୍ରଦାୟର ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କଲେ ଅଥବା ଜନ୍ମମାଟି ପରିତ୍ୟାଗ କରି ଜୀବନ ଘେନି ପଳାୟନ କଲେ । ସେ ପ୍ରତ୍ୟକ୍ଷ କରିଥବା ଜଣେ ବୃଦ୍ଧ ବଙ୍ଗାଳୀ ପଳାତକଙ୍କ ଅସହାୟତା ଏବଂ ଆହ୍ଲାବାଦ ସହରର ଶରଣାର୍ଥୀ ଶିବିରରେ ପଳାତକମାନଙ୍କର ଅବସ୍ଥା ସ୍ଵଚକ୍ଷୁରେ ଦେଖି ସେ ବିଚଳିତ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷା ପରେ ନିଜସ୍ଵ ଅନୁଭବ ଓ ଯନ୍ତ୍ରଣାକାତର ଅନୁଭୂତିକୁ ସେ ରୂପାୟିତ କରିଥିଲେ ‘ଅସ୍ତରାଗ’ ଉପନ୍ୟାସରେ । ଗୋଟିଏ ପଳାତକ ପରିବାରର କରୁଣ କାହାଣୀ ଥିଲା ସେଇ ଉପନ୍ୟାସଟି । ଶରଣାର୍ଥୀଙ୍କୁ ନେଇ ଓଡ଼ିଆ ସାହିତ୍ୟରେ ଲିଖିତ ସମ୍ଭବତଃ ପ୍ରଥମ ଉପନ୍ୟାସ ଥିଲା ‘ଅସ୍ତରାଗ’ । ୧୯୫୩ରେ କଟକର ଛାତ୍ରବନ୍ଧୁ ପୁସ୍ତକାଳୟ ପ୍ରଥମେ ପ୍ରକାଶ କରିଥିଲେ ଏଇ ଉପନ୍ୟାସଟିକୁ । ଅପରିଣତ ବୟସରେ ଲିଖିତ ଏହି ବହିଟି ଲେଖକଙ୍କ ସୃଜନକଳାର ସମୁଜ୍ଵଳ ସ୍ଵାକ୍ଷର ବହନ ନ କଲେ ମଧ୍ୟ ବେଶ୍‌ ମନୋଜ୍ଞ ଓ ସାର୍ଥକ । ସ୍ୱାଧୀନ ଭାରତ ଓ ପାକିସ୍ତାନ ଜନ୍ମଗ୍ରହଣ କରିବା ପୁର୍ବରୁ ସାମ୍ପ୍ରଦାୟିକ ଦଙ୍ଗା ଓ ନରସଂହାର ମାଧ୍ୟମରେ ଲୋକମାନେ କିପରି ଯୁଗଯୁଗର ସ୍ନେହ, ମମତା, ଆନ୍ତରିକତା ଓ ଭାଇଚାରା ଭଳି ଭାବନାକୁ ବିସ୍ମରି ଯାଇଥି‌ଲେ ଏବଂ ଧର୍ମାନ୍ଧମାନଙ୍କ ଯୋଗୁଁ ଅସଂଖ୍ୟ ଲୋକଙ୍କ ପ୍ରିୟ ଜନ୍ମମାଟି ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା- ସେଇ ମର୍ମନ୍ତୁଦ କାହାଣୀ ହେଉଛି ‘ଅସ୍ତରାଗ’ ।

 

୧୯୬୮ରେ ସେ ଲେଖିଥଲେ ଇଂରାଜୀ ଉପନ୍ୟାସ ‘Keep the story Secret’-। ଚିନ୍ତାମଣି ମହାପାତ୍ର ୧୯୯୪ରେ ଏହାର ଓଡ଼ିଆ ରୂପାନ୍ତର କରିଥିଲେ ‘କଥାଟି ଗୋପନୀୟ’ ଶୀର୍ଷକରେ । ଏହି ଉପନ୍ୟାସରେ ରହିଛି ଦେଶ ବିଭାଜନ ଓ ଅମାନୁଷିକ ନରସଂହାରର କରୁଣ ଇତିହାସ । ସ୍ଵାର୍ଥ ସାଧନ ପାଇଁ ମଣିଷ କିଭଳି ଭୟଙ୍କର ପାଲଟିଯାଏ ଓ ରାକ୍ଷସ ସୁଲଭ ଆଚରଣ କରିପାରେ ଅସଂଖ୍ୟ ଉଦାହରଣ ସହ ଚରିତ୍ର ଚିତ୍ରଣ ମାଧ୍ୟମରେ ଲେଖକ ରୂପାୟିତ କରିଛନ୍ତି ଉପନ୍ୟାସଟିରେ । ମନରେ, ରୁଚିରେ ଖୁବ୍‌ ସ୍ତମ୍ଭ୍ରାନ୍ତ ଅଥଚ କେତେ ଅସହାୟ ବ୍ୟକ୍ତିତ୍ୱ ଉପନ୍ୟାସଟିର ନାୟକଟିର ! ସେମିତି ୨୦୦୨ରେ ପ୍ରଥମରୁ ଇଂରାଜୀରେ ପ୍ରକାଶିତ ହୋଇଥିବା ଅନ୍ୟ ଏକ ଉପନ୍ୟାସ ହେଲା ‘Behind the dark curtain’ । ଏହି ଉପନ୍ୟାସଟିକୁ ଓଡ଼ିଆରେ ଅନୁବାଦ କରିଛନ୍ତି ଚନ୍ଦ୍ରଶେଖର ମହାପାତ୍ର ‘ଯବନିକା ଅନ୍ତରାଳେ’ ଶୀର୍ଷକରେ । ଉପନ୍ୟାସଟିର ପୃଷ୍ଠଭୂମି ଦେଶଦ୍ରୋହୀମାନଙ୍କର ଚକ୍ରାନ୍ତ ଓ ଅନ୍ତର୍ଘାତୀ କାର୍ଯ୍ୟାବଳୀର ଏକ ରୋମାଞ୍ଚକାରୀ କାହାଣୀ । ଏଥିରେ ଚରିତ୍ର ଭାବରେ ଦୃଶ୍ୟମାନ ହୁଅନ୍ତି ଦେଶଦ୍ରୋହୀ ଜନନେତା, ନୀତିହୀନ ମଠ ମହନ୍ତ ଓ କପଟୀ ସନ୍ନ୍ୟାସୀ । ନିଜର ହୀନ ସ୍ଵାର୍ଥ ପାଇଁ ବିଦେଶୀ ଶତ୍ରୁମାନଙ୍କ ହାତବାରିଶି ହେଇ ସେମାନେ ସାମିଲ ହୁଅନ୍ତି ଦେଶଦ୍ରୋହର ନାରକୀୟ ଚକ୍ରାନ୍ତରେ । ଏହା ଏକ ରହସ୍ୟମୟ ବାସ୍ତବଧର୍ମୀ ଉପନ୍ୟାସ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ତାଙ୍କ ସାଂସଦୀୟ ଜୀବନର ଅନୁଭୂତିକୁ ଏହି ରାଜନୀତିକ ଇଂରାଜୀ ଉପନ୍ୟାସରେ ପ୍ରତୀକାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି ।

 

‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’ ପ୍ରକାଶ ପାଇଥିଲା ୧୯୯୬ରେ, ଯାହା ଏକାଧାରରେ ଏକ ସୁନ୍ଦର ଆତ୍ମଚରିତ ତଥା ଅନନ୍ୟ ଭ୍ରମଣ କାହାଣୀ । ଭାବସଂପଦ ଓ ଲୋକପ୍ରିୟତାରେ ପୁସ୍ତକଟି ଅତ୍ୟନ୍ତ ସାର୍ଥକ ପ୍ରମାଣିତ ହୋଇଛି । ତାଙ୍କର ବଂଶ ଇତିହାସ ଓ ସାଧନାପୂତ ଜୀବନର ଚମତ୍କାର ଆଲେଖ୍ୟ ବହନ କରିଛି ୧୯୯୬ରେ ପ୍ରକାଶିତ ଏହି ପୁସ୍ତକଟି । ବାଲ୍ୟକାଳର ସ୍ମରଣୀୟ ମୁହୂର୍ତ୍ତ, ନିଜର ଶୈକ୍ଷିକ ଜୀବନ, ବିଭିନ୍ନ ଦେଶ ଭ୍ରମଣ ଅବସରରେ ବହୁ ଚିନ୍ତାନାୟକମାନଙ୍କ ସହ ସାକ୍ଷାତ, ବହୁ ଐତିହାସିକ ସ୍ଥାନର ଭ୍ରମଣାନୂଭୂତି, ନିଜର ବୃତ୍ତିଗତ, ପ୍ରବୃତିଗତ ରାଜନୈତିକ ତଥା ଆଧ୍ୟାତ୍ମିକ ଜୀବନ ଆଦି ବିଭିନ୍ନ ପ୍ରସଙ୍ଗକୁ ସୁନ୍ଦରଭାବରେ ତୋଳିଧରି ପୁସ୍ତକଟି ପାଲଟିଛି ବେଶ୍‌ ରସାଳ ଓ ମନୋଜ୍ଞ । ଏହା କେବଳ ଜଣେ ବ୍ୟକ୍ତିର ଜୀବନଲିପି ନୁହେଁ, ଏଥରେ ରହିଛି ସମଗ୍ର ପୃଥିବୀର ବର୍ଣ୍ଣିଳ ସମାବେଶ ଏବଂ ତା’ରି ଭିତରେ ପ୍ରଫେସର ଦାସ୍‌ଙ୍କର ଦେଶ ବିଦେଶରେ ଐତିହାସିକ ରହସ୍ୟର ଉଦ୍‌ଘାଟନ । ନାନା ସ୍ଥାନର ରାଜନୀତିକ, ଐତିହାସିକ ଓ ସାଂସ୍କୃତିକ ପରିଚୟ ସହ ନିଜର ସାଧନାପୂତ ଜୀବନର କାହାଣୀ ଓ ଈଶ୍ଵର ଅନ୍ୱେଷା ଜୀବନ୍ତ ଭାବେ ପ୍ରକାଶ ପାଇଛି ଏଥିରେ । ଓଡ଼ିଶା, ଭାରତ ଓ ବିଦେଶ ସମ୍ପର୍କରେ ଅନେକ ଅନାଲୋଚିତ ଦିଗ ସହିତ ପାଠକଙ୍କୁ ପରିଚିତ କରାଇବାକୁ ଆନ୍ତରିକ ପ୍ରୟାସ ସେ କରିଛନ୍ତି ଏହି ଭିନ୍ନ ସ୍ଵାଦର ପୁସ୍ତକଟିରେ । ଏହି ପୁସ୍ତକଟି ଏକ ବିଶାଳ ସମୟଖଣ୍ଡର ଦସ୍ତାବିଜ, ଯାହା ମଧ୍ୟଦେଇ ପ୍ରାକ୍‌ ସ୍ଵାଧୀନତା ଓ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶା, ଭାରତ ଓ ବିଶ୍ଵ ପ୍ରେକ୍ଷାପଟକୁ ଜାଣିହୁଏ । ନିଜର ଜନ୍ମମାଟି ପ୍ରତି ତାଙ୍କର ଥିବା ଦୁର୍ବାର ଆକର୍ଷଣ ବାରିହୁଏ ତାଙ୍କର ଅନେକ ଲେଖାରୁ । ଯେମିତି ୨୦୦୮ରେ ‘ଭୋଗରାଇ ଉତ୍ସବ’ ଉପଲକ୍ଷେ ପ୍ରକାଶିତ ‘ଭୋଗରାଇ’ ପୁସ୍ତକର ଅଗ୍ରଲେଖରେ ସେ ଲେଖୁଛନ୍ତି, ‘ଜୀବନର ପଥପ୍ରାନ୍ତେ ଶୈଶବର ଏକ ବିମୁଗ୍ଧ ଦୃଶ୍ୟ ଆଜିବି ମନ ଭିତରେ ଏକ ଶିହରଣ ସୃଷ୍ଟି କରେ । ବଙ୍ଗୋପସାଗର ବେଳାଭୂମିକୁ ଲାଗି ଦିଗନ୍ତବିସ୍ତାରି ବାଲୁକା ପ୍ରାନ୍ତର ମଧ୍ୟଭାଗରେ ସବୁଜ ଝାଉଁ ବିଥିର ମର୍ମର ଧ୍ଵନି ଆଜି ଜୀବନର ସାୟାହ୍ନରେ କୌତୁହଳ ସ୍ପୃଷ୍ଟି କରେ । ଚତୁର୍ଦ୍ଦିଗରେ ନାରିକେଳ ବୃକ୍ଷରାଜିର ଗର୍ବୋନ୍ନତ ଆସ୍ଫାଳନ, ପାନ ବରଜର ଲଟାରେ ଲଟାରେ ସଂସ୍କୃତି ଓ ପରମ୍ପରାର ସ୍ଵାଦ, ସେପଟେ ସୁବର୍ଣ୍ଣରେଖା, ଏପଟେ ବଙ୍ଗୋପସାଗର ମଝିରେ ଚିତେଇ, ସୀମାନ୍ତରେ ଧନଧାନ୍ୟଭରା ବଙ୍ଗଳାର ସୁନାର ବସୁନ୍ଧରାର ଅପୂର୍ବ ସମାବେଶ । ଏହା ହିଁ ମୋ ଜନ୍ମମାଟି ଭୋଗରାଇର ଏକ ସଜଳ ସ୍ମୃତି । ଜୀବନର ପଥପ୍ରାନ୍ତେ, ଧୀରେଧୀରେ ଧୂମ୍ରାଭ ହେଇ ଆସୁଥିବା ଏକ ସମ୍ମୋହନ କାହିଁକି କେଜାଣି ମୋତେ ଆଜିବି ଅଥୟ ଓ ଉଦ୍‌ବେଳିତ କରୁଛି ।” ଏହି କେତୋଟି ଧାଡ଼ିରୁ ଡକ୍ଟର ଦାସଙ୍କର ଜନ୍ମମାଟି ପ୍ରତି ମମତା ସହ ସାରସ୍ଵତ ପ୍ରତିବଦ୍ଧତା ବାରିହେଇ ପଡ଼େ । ପୁସ୍ତକର ନାମକରଣଟି ଅତ୍ୟନ୍ତ କାବ୍ୟିକ । ୭୦୦ ପୃଷ୍ଠାରୁ ଉର୍ଦ୍ଧ୍ୱ ଏହି ପୁସ୍ତକଟି ପାଠକଙ୍କୁ ଏକ ସଙ୍ଗେ ସ୍ମୃତିକଥା ଓ ଭ୍ରମଣ କଥାର ରସାନନ୍ଦ ଦେବାରେ ସମର୍ଥ । ଶେଷ ପରିଛେଦ ସାୟାହ୍ନ ଶୋଚନା । ଦାର୍ଶନିକ ସୁଲଭ ଆତ୍ମଚିନ୍ତନରେ ମଗ୍ନ ହେବାକୁ ମଧ୍ୟ ବାଧ୍ୟ କରିବ ପାଠକଙ୍କୁ ।

 

୧୯୮୧ରେ ପ୍ରକାଶିତ ‘ସମୟ ସାଗର ତୀରେ’ ଡକ୍ଟର ଦାସଙ୍କର ଓଡ଼ିଆ ଭାଷା ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ । ସାହିତ୍ୟ ଓ ଇତିହାସ ସତେ ଯେମିତି ଏକାକାର ହୋଇଯାଇଛି ଏହି ପୁସ୍ତକଟିରେ ତାଙ୍କ ଲେଖନୀ ମୂନରେ । ପୃଥିବୀ ଇତିହାସର ମୋଡ଼ ବଦଳାଇଥିବା ବିଭିନ୍ନ ମହାନାୟକମାନଙ୍କ ଜୀବନ ଏବଂ କୃତିତ୍ଵକୁ ନେଇ ଏଭଳି ଏକ ଐତିହାସିକ ଉପନ୍ୟାସ କ୍ୱଚିତ୍‌ ଦେଖିବାକୁ ମିଳେ, ଯାହାର ଉପସ୍ଥାପନା ଶୈଳୀ ଅନନ୍ୟ । ଏହି ପୁସ୍ତକର ସୂଚନାରେ ସେ ଲେଖିଛନ୍ତି, “ସମୟର ପ୍ରଖର ସ୍ରୋତରେ ଅତୀତ ଗର୍ଭରୁ ଭାସି ଆସୁଛି ବର୍ତ୍ତମାନ ଏବଂ ବର୍ତ୍ତମାନ ଗର୍ଭରୁ ଭାସି ଚାଲିବ ଭବିଷ୍ୟତ । ବିଗତ ଦିନର ପ୍ରଭାବ ଆଜି ଉପରେ ଏବଂ ଆଜିର ପ୍ରଭାବ ଆଗାମୀ ଉପରେ ପ୍ରତିଫଳିତ ହେବା ହିଁ ସମୟ ସ୍ରୋତର ତାତ୍ପର୍ଯ୍ୟ । ପଶ୍ଚାତ୍‌ରେ ହଜିଯାଇଥିବା ଘଟଣାରାଜି ନିରର୍ଥକ ନୁହେଁ କାରଣ ‘ତାହା ମଧ୍ୟରେ ନିହିତ ରହିଛି ଚିରନ୍ତନ ଶିକ୍ଷା । ସେହି ଶିକ୍ଷା ମଧ୍ୟରୁ ନିଃସୃତ ହୁଏ ଶାଶ୍ୱତ ଜ୍ଞାନ ଓ ପ୍ରଜ୍ଞା ।’ ବାସ୍ତବିକ ଏହା ହିଁ ଇତିହାସବିତ୍‌ ଲେଖକଙ୍କର ବ୍ୟାପକ ଦୃଷ୍ଟିକୋଣ, ଯାହା ଇତିହାସ ସହ ସାହିତ୍ୟକୁ, ସାହିତ୍ୟ ସହ ଇତିହାସକୁ, ଅତୀତ ସହ ବର୍ତ୍ତମାନକୁ ଓ ବର୍ତ୍ତମାନ ସହ ଭବିଷ୍ୟତକୁ ଏକାକାର କରିଦେଇଛି ଅତି ବିସ୍ମୟକର ଭାବରେ ।

 

ସମୟ ସାଗର ତୀରେ’ରେ ପାଠକ ପଢ଼ିବାକୁ ପାଇବେ ପ୍ରାଚୀନତମ ସଭ୍ୟଦେଶ ମିଶରର ରାଜା ଖୁଫୁ ଓ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ସର୍ବୋତ୍ତମ କୃତି ପିରାମିଡ୍‌, ଅନ୍ୟଏକ ପ୍ରାଚୀନ ସଭ୍ୟତାର ଭୂମି ଟାଇଗ୍ରୀସ୍‌ ନଦୀ ସଭ୍ୟତା ଓ ରାଜା ଅସୁରବାନି ପଲ, ନରମୁଣ୍ଡ ଓ ସିଂହ ଦେହ ସମ୍ବଳିତ ସ୍ପିଙ୍କସ୍‌, ମାଟିତୋଟର ପ୍ରାଚୀନତମ ପୁସ୍ତକାଳୟ, ମହାତ୍ମା ବୁଦ୍ଧଦେବ, ଗ୍ରୀସର ସକ୍ରେଟିସ, ଦିଗ୍‌ବିଜୟୀ ଆଲେକ୍‌ଜାଣ୍ଡାର ଓ ବ୍ୟାବିଲୋନ୍‌ ନଗରୀ ଏବଂ ସର୍ବୋପରି ମହାତ୍ମା ଗାନ୍ଧୀଙ୍କୁ । ଏହା ନିଛକ ଜୀବନ-ଚରିତର ବର୍ଣ୍ଣନା ବିଳାସ ନୁହେଁ, ଏଥିରେ ଉଦ୍‌ଘାଟିତ ହୋଇଛି ପୃଥ୍ଵବୀର ବିଭିନ୍ନ ଦେଶର ବର୍ଣ୍ଣିଳ ଇତିହାସ ଓ ଲୁକ୍‌କାୟିତ ରହସ୍ୟରାଜି । ଲେଖକ ଜଣେ ଅନନ୍ୟ ପ୍ରାବନ୍ଧିକର ସ୍ଵାକ୍ଷର ଛାଡ଼ି ଯାଇଛନ୍ତି ପୁସ୍ତକଟିରେ । ମାନବ ଇତିହାସର ଯାତ୍ରାକୁ ଆଧାର କରି ତାଙ୍କ ରଚିତ ‘ସମୟ ସାଗର ତୀରେ’ ଏକ ସଫଳ ଐତିହାସିକ ଉପନ୍ୟାସ କହିଲେ ଭୁଲ ହେବନାହିଁ । ତଥ୍ୟାତ୍ମକ ରମ୍ୟ - ଇତିହାସ ଭାବରେ ଏହି ଗ୍ରନ୍ଥ ଅସାଧାରଣ ରୂପେ ବିରଳ । ଉପନ୍ୟାସଟିରେ ‘ଇତି’କୁ ନାୟିକା କରି ସେ ଭ୍ରମଣ କରିଛନ୍ତି ସ୍ଥାନ ପରେ ସ୍ଥାନ । ସତେ ଯେମିତି ଐତିହାସିକଙ୍କର ହାତଧରି ସମୟ ସାଗର ତୀରେ ଜୀବନର କେଉଁ ଏକ ତରଙ୍ଗକୁ ଅପେକ୍ଷା କରିଥିବା ନାୟିକା ହେଉଛି ଇତି । ଅତୀତ ଓ ବର୍ତ୍ତମାନର ସଂଗମସ୍ଥଳରେ ଠିଆହେଇ ଅକ୍ଷର-ଅତରରେ ମତ୍ସ୍ୟଗନ୍ଧାକୁ ପଦ୍ମଗନ୍ଧା ବୋଲି ମାନିନେବାର ବ୍ୟାକୁଳ ବଶମ୍ବଦତା ସୃଷ୍ଟିକରେ କଥାରାଣୀ-ଇତି । ଇତି ହିଁ ଇତିହାସର ଡାକ ନାଁ ।

 

ଉପନ୍ୟାସଟିର ଅନ୍ତିମ ପୃଷ୍ଠାର ସାରସ୍ଵତ ବର୍ଣ୍ଣନାକୁ ଲକ୍ଷ୍ୟ କରାଯାଇପାରେ । ‘ଅସରନ୍ତି - ଯାତ୍ରା, ସମୟ ସୀମାନ୍ତ ଦିଗକୁ ଭାସି ଯାଉଚି ଆମର ତରୀ, ଇତିର ମୃଦୁ ସଙ୍ଗୀତ ମଧ୍ୟରେ କେତେବେଳେ ମୋ ଆଖି ଦୁଇଟି ବୁଜିହୋଇ ଆସିଥିଲା । ତା’ ପରେ ଗଭୀର ନିଦ୍ରା । ଜାଣି ପାରିଲି ନାହିଁ କେତେ ସମୟ ପାଇଁ’ରୁ ବାରିହୁଏ ଉପନ୍ୟାସଟିର ଗତିଶୀଳତା ସହ ଲେଖକଙ୍କ ଗଭୀର ଜୀବନାନୂଭୂତି ଓ ଦାର୍ଶନିକତା । ତାଙ୍କର ସାରସ୍ଵତ କୃତୀଗୁଡ଼ିକ ମଧ୍ୟରୁ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’ ଓ ‘ସମୟ ସାଗରତୀରେ’ ବାସ୍ତବରେ ଅନନ୍ୟତା ଦାବି କରନ୍ତି ।

 

ସତ୍ୟର ଅନୁସନ୍ଧାନ ଓ ଐତିହାସିକ ରହସ୍ୟର ଉଦ୍‌ଘାଟନ ପାଇଁ ଡକ୍ଟର ଦାସଙ୍କର ନିଷ୍ଠା ଓ ସାଧନା ସାହିତ୍ୟ ସଂସାରକୁ ପ୍ରଦାନ କରିଛି ଅନେକ ଅମୂଲ୍ୟ ଗ୍ରନ୍ଥ ମାତ୍ର ୨୫/ ୨୬ ବର୍ଷ ବୟସରେ ସେ ଲେଖୁଥିଲେ ‘ଯୁଗେ ଯୁଗେ ଉତ୍କଳୀୟ ଧର୍ମ ଓ ସଭ୍ୟତା’, ଯାହା ତାଙ୍କର ବାଲେଶ୍ଵର ଫକୀରମୋହନ କଲେଜରେ ଅଧ୍ୟାପନା କାଳରେ ୧୯୫୨ ମସିହାରେ ପ୍ରକାଶ ପାଇଥିଲା । ବାଲେଶ୍ଵର ଟାଉନ୍‌ ପ୍ରେସ୍‌ରୁ ମୁଦ୍ରିତ ଏହି ପୁସ୍ତକଟିର ପ୍ରକାଶକ ଥିଲେ ତାଙ୍କ ସାନଭାଇ ମନୋଜ ଦାସ । ଏହି ପୁସ୍ତକଟିର କେବଳ ପ୍ରଥମ ଭାଗ ହିଁ ପ୍ରକାଶ ପାଇଥିଲା ଏବଂ ବିଖ୍ୟାତ ଜନନେତା ଡକ୍ଟର ହରେକୃଷ୍ଣ ମହତାବ ଏହାର ମୁଖବନ୍ଧରେ ଲେଖିଥିଲେ, ‘‘ମୋର ଯୁବକବନ୍ଧୁ ‘ଯୁଗେଯୁଗେ ଉତ୍କଳୀୟ ଧର୍ମ ଓ ସଭ୍ୟତା’ ନାମକ ଯେଉଁ ପୁସ୍ତକ ଲେଖିଛନ୍ତି ତା’ର ବିଚାର କରିବାକୁ ହେବ । ବହିଟି ବିଷୟ ସମ୍ବନ୍ଧରେ ଏକ ସାଧାରଣ ଧାରଣା ଦେବ- ଏଥରେ ସନ୍ଦେହ ନାହିଁ । ସାହିତ୍ୟ ହିସାବରେ ପୁସ୍ତକଟି ସୁଲିଖିତ । ଇତିହାସର ସାଧାରଣ ଆଲୋଚନା ଛଡ଼ା ନିର୍ଦ୍ଦିଷ୍ଟ ବିଷୟର ପୁଙ୍ଖାନୁପୁଙ୍ଖ ଗବେଷଣା ଓ ଆଲୋଚନା ତାଙ୍କଠାରୁ ଆଶା କରାଯାଉଛି ।” ପ୍ରାୟ ତିନିଶହ ପୃଷ୍ଠା ବିଶିଷ୍ଟ ଏହି ଗ୍ରନ୍ଥର ଉପକ୍ରମଣିକାରେ ଲେଖକ ଲେଖୁଥିଲେ, “ଉତ୍କଳୀୟ ଧର୍ମ ଓ ସଭ୍ୟତାର ଇତିହାସ ଲେଖିବା ପାଇଁ ଚେଷ୍ଟା କରିବା କେବଳ ଦୁଃସାହସ ବ୍ୟତୀତ ଆଉ କିଛି ନୁହେଁ । ଐତିହାସିକ ବିଷୟବସ୍ତୁ ପ୍ରଚୁର ପରିମାଣରେ ଉତ୍କଳର ବିଭିନ୍ନ ସ୍ଥାନରେ ପଡ଼ିରହିଛି, କିନ୍ତୁ ସେ ସବୁରୁ ତଥ୍ୟ ସଂଗହ କରି ଇତିହାସ ଆକାରରେ ଲେଖିବା ପାଇଁ ଯେତିକି ଶକ୍ତି ଓ ସାମର୍ଥ୍ୟ ଆବଶ୍ୟକ, ତାହା ଏ ପ୍ରଦେଶର ଲେଖକଙ୍କର ନାହିଁ । ଓଡ଼ିଶାର ଲେଖକମାନଙ୍କର ଦୁର୍ଦ୍ଦଶା କେବଳ ସେଇ ଲେଖକମାନଙ୍କୁ ଜଣା, ଅନ୍ୟମାନଙ୍କୁ ନୁହେଁ ।” ଏହି ଅପ୍ରୀତିକର ସ୍ଵୀକାରୋକ୍ତି ସତ୍ତ୍ୱେ‌ ସେ ସମଗ୍ର ଜୀବନ ଇତିହାସର ତଥ୍ୟ ସଂଗ୍ରହ ଓ ସତ୍ୟ ସନ୍ଧାନରେ ବିନିଯୋଗ କରି ଅନେକାଂଶରେ ସଫଳ ହୋଇଛନ୍ତି ।

 

ଏହି ପୁସ୍ତକଟିରେ ଉତ୍କଳର ଧର୍ମ, ସଭ୍ୟତା ଓ ସଂସ୍କୃତି ସମ୍ପର୍କରେ ଯେଉଁ ତଥ୍ୟ ଓ ବିଷୟ ସମୂହର ସେ ଅବତାରଣା କରିଛନ୍ତି ସେଥିରୁ ତାଙ୍କ ମନନ ଓ ଚିନ୍ତନର ମୌଳିକତା ସ୍ପଷ୍ଟ ବାରିହୁଏ । ଉପସ୍ଥାପନାର ଶୈଳୀ ଓ ଭାଷାର ଚମତ୍କାରିକା ବିଦଗ୍ଧ ପାଠକଙ୍କୁ ମୁଗ୍ଧ କରେ, ବାଛି ରଖେ । ଉତ୍କଳର ଲୋକବସତି, ଚଳଣି, ଧର୍ମ, ସଭ୍ୟତା, ସଂସ୍କୃତି, ଅନ୍ୟ ସଭ୍ୟତାର ପ୍ରବେଶ ଓ ପ୍ରସାର, ଓଡ଼ିଶାର କୀର୍ତ୍ତିରାଜ, ସ୍ଥାପତ୍ୟ, ଚାରୁ ଓ କାରୁକଳା, ଐତିହ୍ୟ ଓ ପରମ୍ପରା ଉପରେ ଲିଖିତ ଏହି ପୁସ୍ତକଟି ଏକ ଅମୂଲ୍ୟ ଦସ୍ତାବିଜ କହିଲେ ଅତ୍ୟୁକ୍ତି ହେବନାହିଁ । ଏଥିରେ ପ୍ରାଗୈତିହାସିକ ଆଦିମ ଜନଜାତି, ଦ୍ରାବିଡ଼ ଜାତି ଓ ଉତ୍କଳ ଖଣ୍ଡରେ ଦ୍ରାବିଡ଼ୀୟ ପ୍ରଭାବ, ଆର୍ଯ୍ୟଜାତି, ବୈଦିକ ସଭ୍ୟତା ଓ ପୌରାଣିକ ଯୁଗ ଉତ୍କଳ ଖଣ୍ଡରେ ଜୈନ ଓ ବୋଦ୍ଧଧର୍ମ, ସମ୍ରାଟ ଅଶୋକ, କଳିଙ୍ଗ ମହାସମର ଓ ବୌଦ୍ଧଯୁଗ, ମୌର୍ଯ୍ୟ ସଭ୍ୟତା, ସମ୍ରାଟ ଖାରବେଳ ଓ ଜୈନଧର୍ମ, ଖ୍ରୀଷ୍ଟଯୁଗର ପ୍ରଥମପାଦରେ କଳିଙ୍ଗ, ଗୁପ୍ତଯୁଗର ଧର୍ମ ଓ ସଭ୍ୟତା, ଶ୍ରୀହର୍ଷ ଓ ହୁଏନ୍‌ସାଂ ଶୀର୍ଷକ ଦଶଗୋଟି ପ୍ରବନ୍ଧ ସନ୍ନିବେଶିତ ହୋଇଛି । ପ୍ରଫେସର ଦାସ ପ୍ରାଗୈତିହାସିକ ଯୁଗଠାରୁ ୬୦୦ ଖ୍ରୀ.ଅ. ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଓ ତହିଁରେ ଓଡ଼ିଶା ବା ଉତ୍କଳ ଅଥବା କଳିଙ୍ଗର ଭୂମିକାକୁ ଅତି ସଂକ୍ଷିପ୍ତ ଓ ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି, ଯାହା ସମସ୍ତଙ୍କ ପାଇଁ ସୁଖପାଠ୍ୟ ଓ ବିଶେଷକରି ଇତିହାସ ଛାତ୍ରଛାତ୍ରୀଙ୍କ ପାଇଁ ଅପରିହାର୍ଯ୍ୟ । ଉତ୍କଳ ଖଣ୍ଡର ଅଧିବାସୀମାନେ ପରାକ୍ରମୀ, ସାହସୀ, ସମରକୁଶଳୀ ହେବା ସହ ଗଭୀର ସମୁଦ୍ରରେ ନୌଚାଳନାକରି ଦେଶ ବିଦେଶ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ନିଜର ପାରମ୍ପରିକ ଶିଳ୍ପ, କୃଷି ଓ କାରିଗରୀ ଯୋଗୁଁ ଉତ୍କଳ ଅନ୍ୟ ରାଜ୍ୟର ଅଧିବାସୀମାନଙ୍କ ଦ୍ଵାରା ପ୍ରଶଂସିତ ଓ ଗୌରବାନ୍ୱିତ ହୋଇଥଲା । ସମୟକ୍ରମେ ଖାଇବର ଗିରିସଂକଟ ବାଟେ ଶ୍ଵେତାଙ୍ଗ ଓ କୃଷ୍ଣାଙ୍ଗ ଅଧିବାସୀମାନେ ଉତ୍ତର ଭାରତକୁ ମାଡ଼ିଆସିଲେ ଏବଂ ମିଆଁମାର ବାଟ ଦେଇ ମଙ୍ଗୋଲୀୟ ବା ପୀତାଙ୍ଗ ଅଧିବାସୀମାନେ ଉତ୍ତର ପୂର୍ବ ଭାରତକୁ କିପରି ଅଗ୍ରସର ହେଲେ ଏହି ପୁସ୍ତକରେ ତାହା ସୁନ୍ଦରଭାବେ ବର୍ଣ୍ଣନା କରାଯାଇଛି । ଉତ୍ତର ଭାରତରେ ଶ୍ଵେତାଙ୍ଗ ଓ କୃଷ୍ଣାଙ୍ଗଙ୍କ ମଧ୍ୟରେ ସଂଘର୍ଷ ଓ କୃଷ୍ଣାଙ୍ଗ ଅଧିବାସୀଙ୍କ ଦାକ୍ଷିଣାତ୍ୟ ପଳାୟନ ଆଦି ଅନେକ ତଥ୍ୟ ଆମେ ଏହି ପୁସ୍ତକରୁ ପାଇଥାଉଁ ।

 

ଡକ୍ଟର ଦାସ ପ୍ରଥମେ ଅଧ୍ୟାପକ ଜୀବନ ଫକୀରମୋହନ କଲେଜରେ ଆରମ୍ଭକଲା ପରେ ବାଲେଶ୍ୱର ସହରସ୍ଥ ମଲ୍ଲିକାଶପୁରରେ ଥବା ଫକୀରମୋହନଙ୍କ ଜରାଜୀର୍ଣ୍ଣ ବାସଭବନରେ କିଛିବର୍ଷ ରହିଥିଲେ । ଥରେ ଶାନ୍ତିକାନନରେ ଅନୁଷ୍ଠିତ ସାହିତ୍ୟିକ ସମାବେଶରେ କବି ସଚ୍ଚି ରାଉତରାୟ ଉଦ୍‌ବୋଧନ ଦେଲାପରେ ଫକୀରମୋହନଙ୍କ ବାସଭବନ ଦେଖିବାକୁ ଆସି ତାଙ୍କୁ କହିଥିଲେ, “ଯେଉଁ ଘରେ ଅଛନ୍ତି, ସେଠାରେ ସ୍ଵୟଂ ବ୍ୟାସକବି ସାହିତ୍ୟ ସାଧନା କରୁଥିଲେ । ଆପଣ ଲେଖନୀ ଚାଳନା କରନ୍ତୁ ।” ମନ୍ମଥବାବୁ ଉତ୍ତର ଦେଇଥିଲେ, ‘କାହିଁ ପାହାଡ଼, ଆଉ କାହିଁ ଉଇ ହୁଙ୍କା !’ ମାତ୍ର ସେଇ କୋଠାରେ ଥିଲାବେଳେ ସେ ରଚନା କରିଥିଲେ ତିନିଗୋଟି ପୁସ୍ତକ । ‘କଳିଙ୍ଗ ଇତିହାସ’ (Glimpses of kainga History), ‘ଯୁଗେ ଯୁଗେ ଉତ୍କଳୀୟ ଧର୍ମ ଓ ସଭ୍ୟତା’ ଏବଂ ‘ଭାରତ ସମ୍ବିଧାନର ସାରାଂଶ’ । ଫକୀରମୋହନ କଲେଜର ଅଧ୍ୟାପକ ଭାବେ ଛାତ୍ରମାନଙ୍କୁ ନେଇ ଶୈକ୍ଷିକ ଭ୍ରମଣରେ ଯିବା ଅବସରରେ ସେ ସୁଯୋଗ ପାଇଥିଲେ ସିଂହଳ ଦେଶ ଭ୍ରମଣ କରିବାପାଇଁ । ସେଠାରେ କଳିଙ୍ଗ ରାଜବଂଶର ନିବିଡ଼ ସମ୍ପର୍କ ଓ ଧର୍ମର ସ୍ମୃତି ତାଙ୍କୁ ପ୍ରେରଣା ଯୋଗାଇଥିଲା ‘କଳିଙ୍ଗ ଇତିହାସ’ର ରଚନା ପାଇଁ । ମାତ୍ର ଦୁର୍ଭାଗ୍ୟବଶତଃ ସେହି ପୁସ୍ତକର ଅଧିକାଂଶ କପି ଉଈମାନଙ୍କ ଉଦରସ୍ଥ ହୋଇଥିଲା । ସେ ବହିଟିର ଦ୍ୱିତୀୟ ମୁଦ୍ରଣ ସମ୍ଭବତଃ ଆଉ ହୋଇନାହିଁ । ସେଇ ସମୟରେ ସେ ଏକ ଛୋଟ ଇଂରାଜୀ ପୁସ୍ତକ ‘Democracy vrs. commnisim’ ମଧ୍ୟ ରଚନା କରିଥିଲେ, ଯେଉଁଥିରେ ସେ ଗଣତାନ୍ତ୍ରିକ ଶାସନ ପଦ୍ଧତିର ଜୟଗାନ କରିଛନ୍ତି । ୧୯୯୨ ମସିହାରେ ପ୍ରକାଶ ପାଇଥିଲା ତାଙ୍କ ରଚିତ ପୁସ୍ତକ ‘Miracles of Mankind: Great Saviors....’ । ଏହି ଇଂରାଜୀ ଗ୍ରନ୍ଥକୁ ଓଡ଼ିଆ ଅନୁବାଦ କରିଛନ୍ତି ଚନ୍ଦ୍ରଶେଖର ମହାପାତ୍ର ୨୦୦୨ରେ । ଏହା ମଧ୍ୟ ହଙ୍ଗେରୀୟ ଭାଷାର ଅନୁଦିତ ହୋଇ ଏକାଧିକ ସଂସ୍କରଣ ହୋଇସାରିଛି । ଏହା ଏକ ମାମୁଲି ଜୀବନୀ ଗ୍ରନ୍ଥ ନୁହେଁ ବରଂ ଆଲୋଡ଼ିତ କଲାଭଳି ପୁସ୍ତକଟିଏ । ଏଥିରେ ପୃଥିବୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଜୀବନକୁ ଆଲୋକିତ କରିଥିବା ଜୋରାସ୍ତର, ବୁଦ୍ଧ, ଯୀଶୁ, ମହମ୍ମଦ, ନାନକ ଓ ସର୍ବୋପରି ଆମ ସମୟର ସାଇବାବାଙ୍କ ପରି ମହାପୁରୁଷମାନଙ୍କର ଜୀବନଚରିତ ସହିତ ଆଧ୍ୟାତ୍ମିକ ଓ ଐଶ୍ଵରିକ ବାର୍ତ୍ତା ଅତ୍ୟନ୍ତ ପ୍ରାମାଣିକ ଭାବରେ ଆଲୋଚିତ ହୋଇଛି । ସେମିତି ୨୦୦୬ରେ ପ୍ରକାଶ ପାଇଥିଲା ‘ଜୀବନର ପଥପ୍ରାନ୍ତେ ଆଧ୍ୟାତ୍ମିକ ଆଭା ।’ ଏଥିରେ ରହିଛି ପୃଥିବୀର ବହୁ ବରେଣ୍ୟ ବ୍ୟକ୍ତିଙ୍କର ଦାର୍ଶନିକ ଅନୁଚିନ୍ତା, ଯାହା ସଂପୂର୍ଣ୍ଣ ଗଳ୍ପ ଛଳରେ ପ୍ରକାଶ କରିଛନ୍ତି ଲେଖକ । ଏହି ପୁସ୍ତକଟି ଏକାଧାରରେ ସୁଖପାଠ୍ୟ ଓ ଗଭୀର ଚେତନା ଦ୍ୟୋତକ । ପ୍ରବନ୍ଧକଳା ଯେ କେତେ ଆକର୍ଷଣୀୟ ତଥା ମନୋମୁଗ୍ଧକର ହୋଇପାରେ ଏହି ପ୍ରବନ୍ଧ ସଂକଳନ ତାହାର ଏକ ଚମତ୍କାର ଉଦାହରଣ । ଐତିହାସିକ ଚେତନାରୁ ଆଧ୍ୟାତ୍ମିକ ଭାବନା ଓ ତାଙ୍କ ବୌଦ୍ଧିକ ଚିନ୍ତାର ବିବର୍ତ୍ତନ ଏହି ଗ୍ରନ୍ଥରେ ପ୍ରତିବିମ୍ବିତ ହୋଇଛି ।

 

୨୦୦୨ରେ ପ୍ରକାଶ ପାଇଥିଲା ତାଙ୍କର ଭିନ୍ନ ସ୍ଵାଦର ଉପନ୍ୟାସ ‘ଯାତ୍ରୀ’ । ସମସାମୟିକ ଯୁଗଧର୍ମ ଓ ଶାଶ୍ୱତ ଲୋକଧର୍ମ ମଧ୍ୟରେ ସଂଘଟିତ ସଂଘର୍ଷର ସଫଳ ରୂପାୟନ ଘଟିଛି ଉପନ୍ୟାସଟିରେ । ଯେକୌଣସି ଉପାୟରେ ଭୌତିକ ସମୃଦ୍ଧ ହାସଲ ପାଇଁ ଏ ଯୁଗର ମଣିଷ ଅଣନିଶ୍ୱାସୀ ହେଇ ଦୌଡ଼ୁଛି । ସେହି କାରଣରୁ ସଜୀବ ହୋଇଉଠିଛି ମଣିଷର ଜାନ୍ତବ ପ୍ରକୃତି, ତା’ ହୃଦୟରେ ଆଜି ଦୟା ନାହିଁ, ମାୟା ନାହିଁ, ପ୍ରେମ ନାହିଁ କି ସହାନୁଭୂତି ନାହିଁ କାରୁଣ୍ୟ ମଧ୍ୟ ହଜିଯାଇଛି । ସେଇଥିପାଇଁ ତ କେତେ ହତ୍ୟା, କେତେ ଷଡ଼ଯନ୍ତ୍ର ଓ କପଟତା । ମାତ୍ର ତାହା କେବେ ଚିରନ୍ତନ ନୁହେଁ । ଏଣୁ ଉପନ୍ୟାସର ପରିଣତିରେ କାହାଣୀର ନାୟକ ଏହି ଧନ ପାଗଳ, ସ୍ଵାର୍ଥସର୍ବସ୍ଵ ତଥା ଅବିଶ୍ଵାସୀ ସାଂସାରିକ ଜୀବନକୁ ଜଳାଞ୍ଜଳି ଦେଇ ହିମାଳୟର ଅଗମ୍ୟ ଅଞ୍ଚଳରେ ନିଜକୁ ହଜାଇ ଦେଇଛି କେବଳ ଟିକେ ମାନସିକ ଶାନ୍ତି ପାଇବା ପାଇଁ ଆଉ ସେ ପାଲଟିଯାଇଛି ଅସରନ୍ତି ପଥର କ୍ଳାନ୍ତିହୀନ ଯାତ୍ରୀ ।

 

ଆଜୀବନ ନାସ୍ତିକ ଥିଲେ ପ୍ରଫେସର ଡକ୍ଟର ଦାସ । ମଠ, ମନ୍ଦିର ଓ ଭଣ୍ଡ ସନ୍ନ୍ୟାସୀମାନଙ୍କଠାରୁ ନିଜକୁ ସେ ଯେମିତି ଦୂରେଇ ରଖୁଥିଲେ, ପୂଜା ପଦ୍ଧତିର ଦୁର୍ବୋଧ୍ୟ ପଦ୍ଧତିରେ ସେମିତି ବିଶ୍ଵାସ କରୁ ନଥିଲେ । ମାତ୍ର ଆକସ୍ମିକ ଭାବରେ ଜୀବନର ଶେଷଭାଗରେ ପୁଟ୍ଟପର୍ତ୍ତିଠାରେ ଏ ଯୁଗର ପ୍ରସିଦ୍ଧ ମହାତ୍ମା ଶ୍ରୀ ସତ୍ୟସାଇ ବାବାଙ୍କ ସଂସ୍ପର୍ଶରେ ଆସିଲାପରେ ତାଙ୍କ ହୃଦୟରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା । କଠୋର ନାସ୍ତିକ ମନ୍ମଥବାବୁ ପାଲଟିଯାଇଥଲେ ସାଇବାବାଙ୍କର ପରମଭକ୍ତ ଏବଂ ତାଙ୍କର ଅଲୌକିକ ବିଭୂତି ସମ୍ପର୍କରେ ଗ୍ରନ୍ଥ ରଚନା କରିଥିଲେ । ତାଙ୍କରି ଉଦ୍ଦେଶ୍ୟରେ ଇଂରାଜୀରେ ରଚନା କରିଥିଲେ ଏକ ଚମତ୍କାର ପ୍ରାର୍ଥନା ସଙ୍ଗାତ Songs on the Abode of Bliss.’ (ପ୍ରଶାନ୍ତି ନିଳୟମ୍‌) । ତାହା ପ୍ରକାଶ ପାଇଥିଲା ୧୯୮୯ ରେ । ତାଙ୍କ ‘ଆଧ୍ୟାତ୍ମିକ ଆଭା’ ପୁସ୍ତକଟିରେ ଆଧ୍ୟାତ୍ମିକ ଚିନ୍ତା ଓ ଦର୍ଶନ ସମ୍ବଳିତ ସୁଖପାଠ୍ୟ ଗଳ୍ପମାନ ସ୍ଥାନିତ ହୋଇଛି । ଗପଗୁଡ଼ିକର ତାତ୍ପର୍ଯ୍ୟ ଯୁଗୋପଯୋଗୀ ଏବଂ ଭବିଷ୍ୟତ ପୀଢ଼ି ପାଇଁ ସୁନ୍ଦର ବାର୍ତ୍ତାମାନ ବହନ କରନ୍ତି । ସେଥିରେ ସ୍ଥାନିତ ‘କିଏ ହୋଇପାରିବ ମହୀୟାନ ପଦବାଚ୍ୟ’ ଗଳ୍ପଟିରେ କର୍ତ୍ତବ୍ୟ ପାଳନ ଏବଂ ଅନ୍ୟ ଉପକାର ପାଇଁ ମଣିଷର ଜନ୍ମ ହୋଇଥିଲେ ମଧ୍ୟ ସାମ୍ପ୍ରତିକ ସମୟରେ ଅହିତ ସାଧନ, ବ୍ୟକ୍ତି ବିଶେଷଙ୍କର ପ୍ରାଧାନ୍ୟ ଏବଂ ମୁଣ୍ଡନ କରିବାର ପ୍ରବୃତ୍ତି ମଣିଷ ସମାଜକୁ କିପରି ଗ୍ରାସ କରିଛି- ତା’ର ନିଖୁଣ ଚିତ୍ର ଦେଖୁବାକୁ ମିଳିଥାଏ ।

 

ଶ୍ରୀ ସତ୍ୟସାଇ ବାବାଙ୍କୁ ନେଇ ସେ ଆଉ ଗୋଟିଏ ବହି ଲେଖିଥିଲେ, ‘The Saga of Satyasai’ । ଏହାର ପ୍ରକାଶକ ଥିଲେ କୋଣାର୍କ ପ୍ରକାଶନୀ (ଦିଲ୍ଲୀ, ଚଣ୍ଡୀଗଡ଼) । ‘ଜୀବନର ପଥପ୍ରାନ୍ତେ ଆଧ୍ୟାତ୍ମିକ ଆଭା’ ବହିଟି ପରେ ସେ ଆଉ ପ୍ରାୟ କିଛି ଲେଖିପାରି ନ ଥଲେ । ରାଜ୍ୟସଭାର ସଦସ୍ୟତା ଦାୟିତ୍ୱ ତାଙ୍କ ସାରସ୍ଵତ ସାଧନାକୁ ସ୍ତୀମିତ କରିଦେଇଥିଲା । ସେଇ ସମୟରେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ ତରଫରୁ କେତେଜଣ ସାହିତ୍ୟିକ ବନ୍ଧୁ ମିଶି ସବୁ ଜିଲ୍ଲା ପାଇଁ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସଂକଳନ ପ୍ରକାଶନର ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ ସେଥିରେ ବାରଖଣ୍ଡ ସଂକଳନର ଅଗ୍ରଲେଖ ଲେଖଥିଲେ ଡକ୍ଟର ମନ୍ମଥ ନାଥ ଦାସ । ଡକ୍ଟର ଦାସ ଜଣେ ପ୍ରଖ୍ୟାତ ଐତିହାସିକ ତଥା ଲେଖକ ଭାବେ ପରିଚିତ ହେଲେ ମଧ୍ୟ ତାଙ୍କ ଭିତରେ ଲୁଚି ରହିଥିଲା ଏକ ସମ୍ବେଦନଶୀଳ କବିର ହୃଦୟ । ସେଇ କାବ୍ୟିକତା ମଧ୍ୟ ତାଙ୍କର ବିଭିନ୍ନ ଗଦ୍ୟ ରଚନାରେ ଫୁଟି ଉଠିଥିଲା । ୧୯୯୩ରେ ତାଙ୍କର ଏକମାତ୍ର କବିତା ସଂକଳନ ‘ଅସବର୍ଣ୍ଣା’ ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାରୁ ପ୍ରକାଶିତ ହେଲା । ସଂକଳନଟିର ସରଳ ଭାବବୋଧ, କାବ୍ୟିକତା ଓ ଦାର୍ଶନିକ ଦୃଷ୍ଟିଭଙ୍ଗୀ ବେଶ୍‌ ହୃଦ୍ୟ । ଉତ୍ସର୍ଗ ପତ୍ରରେ ସେ ଲେଖିଛନ୍ତି - ‘ଧର୍ମପତ୍ନୀ ରାଜଶ୍ରୀ ଦାସଙ୍କ ହାତରେ ଅର୍ପିତ - ଜୀବନ ସାୟାହ୍ନରେ ରଚିତ ବିକ୍ଷିପ୍ତ ଚିନ୍ତାର କେତୋଟି ଅସଂଲଗ୍ନ କବିତା ।’ ଧର୍ମପତ୍ନୀ ରାଜଶ୍ରୀ ମଧ୍ୟ ଥିଲେ ଜଣେ କବି ଯାହାଙ୍କର ଅପୂର୍ବ ଛନ୍ଦୋବଦ୍ଧ ଓ ରୋମାଣ୍ଟିକ ଚେତନାଧର୍ମୀ କବିତା ସଂକଳନ ପ୍ରକାଶ ପାଇଥିଲା ୧୯୪୭ରେ । ସମ୍ଭବତଃ ଧର୍ମପତ୍ନୀ ରାଜଶ୍ରୀ ଓ କନିଷ୍ଠଭ୍ରାତ୍ରା ମନୋଜ ଦାସଙ୍କର ପ୍ରଭାବ ଶେଷଜୀବନରେ ତାଙ୍କୁ କବିତା ରଚନା ପାଇଁ ଅନୁପ୍ରାଣିତ କରିଥଲା । ହୃଦୟର ଝଂକୃତ ସୂକ୍ଷ୍ମ ଅନୁଭବଗୁଡ଼ିକୁ ଏହି ସଂକଳନରେ ସରଳ ଓ ସାବଲୀଳ ଢଙ୍ଗରେ କାବ୍ୟରୂପ ଦେବାର ଅନ୍ତରଙ୍ଗ ପ୍ରୟାସ ସେ କରିଛନ୍ତି । ମୌଳିକ ପ୍ରେରଣାରେ ଛଳଛଳ ହେଇ ଉତୁରି ଆସିଥିବା କବିତାଗୁଡ଼ିକରେ ତଥାକଥିତ ଆଧୁନିକ କବିତାରେ ଅବୋଧ୍ୟତା ଓ ଅସଂଲଗ୍ନତା ଦେଖିବାକୁ ମିଳେନାହିଁ । ଭାବ ଗାମ୍ଭୀର୍ଯ୍ୟ ତଥା ଭାଷା ମାଧୁର୍ଯ୍ୟ ସମ୍ବଳିତ ଏହି ସଂକଳନର ମନଛୁଆଁ କବିତାଗୁଡ଼ିକ ପାଠକର ହୃଦୟକୁ ମଧ ଉଚ୍ଚାଟିତ କରିବାର ସାମର୍ଥ୍ୟ ତୋଳିଧରନ୍ତି ।

 

ସଂକଳନର ପ୍ରଥମ କବିତାର ଶୀର୍ଷକ ‘କବି’ । ସେଥିରେ ସେ ଲେଖିଛନ୍ତି, “ବସି ଏକ ଦୂରସ୍ଥାନେ, ଏକାକୀ ନିର୍ଜ୍ଜନେ/ଭାବୁଛି ମୁଁ ମନେମନେ ଜୀବନ ସାୟାହ୍ନେ/କାହିଁକି ମୁଁ ହେଲିନାହିଁ କବି/ନ ଗାଇଲି ତାରୁଣ୍ୟର ଉନ୍ନେଷକାଳରୁ ଗୀତ ପରେ ଗୀତ/ସତ୍ୟଶିବ ସୁନ୍ଦର ସନ୍ଧାନେ !... ସବୁତ ପାରିଲି ଦେଖି ଜନମ ଆଖିରେ/ନପାରିଲି ଦେଖି କିଛି କବିର ଦୃଷ୍ଟିରେ/ବୁଝିଲି ମୁଁ ସୃଷ୍ଟିର ତାତ୍ପର୍ଯ୍ୟ/ପ୍ରକୃତିର ମଧୁରତା, ସଂସାର ସୌନ୍ଦର୍ଯ୍ୟ/ଯାହା ସବୁ ଦେଖିଗଲି ସବୁ ନିରର୍ଥକ/ନିତ୍ୟ, ସଦା ପରିଚୟ ବିନା/ଦୃଷ୍ଟିଶକ୍ତି ନ ହେଲା ସାର୍ଥକ ।”

 

ଜୀବନର ପ୍ରାରମ୍ଭ କାଳରୁ କବି ନ ହେଇ ପାରିବାର ଦୁଃଖ ଓ ଆତ୍ମଗ୍ଳାନିରେ ସେ ଘାରି ହେଇଛନ୍ତି । ଜୀବନର ସାୟାହ୍ନ କାଳରେ ଜଣେ ଇତିହାସବିତ୍‌, ଲେଖକ, ଉଚ୍ଚକୋଟୀର ବକ୍ତା ଓ ରାଜନୀତିଜ୍ଞ ହେଲା ପରେ ମଧ୍ୟ ଏହି ଅବଶୋଷ ତାଙ୍କୁ ବ୍ୟଥା ଦେଇଛି । ସେ ଅନୁଭବ କରିଛନ୍ତି, ବାହ୍ୟ ଦୃଷ୍ଟିରେ ଯାହା ପରିଦୃଷ୍ଟ ହୁଏ, କବିର ଦୃଷ୍ଟି ତା’ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କବିର ଦୃଷ୍ଟିନେଇ ସେ ନିଜର ଆତ୍ମପରିଚୟ ଜାଣିବାକୁ ଚାହିଁଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ତା’ ଜାଣିପାରି ନାହାନ୍ତି । ଯେଉଁଥିପାଇଁ ସଂକଳନର ‘ପରିଚୟ’ କବିତାରେ ସେ କହିଛନ୍ତି, ‘ଜାଣି ନାହିଁ ମୁଁ ନିଜକୁ/ ଜାଣିନାହିଁ ଅନ୍ୟ କାହାରିକୁ/ଜାଣି ନାହିଁ ବନ୍ଧୁ ପ୍ରିୟ ସଖା/ଜାଣିନାହିଁ ସେମାନଙ୍କ ସଙ୍ଗେ ସଦାଦେଖା ! ଜାଣିନାହିଁ ପାଖ ପଡ଼ିଶାଙ୍କୁ/ଜାଣିନାହିଁ ମୋ ଦେଶବାସୀଙ୍କୁ/... ଯଦି ନପାରିଲି ଜାଣି ନିଜକୁ ମୁଁ ନିଜେ/ଜାଣିବି ବା କିପରି ମୁଁ ଅନ୍ୟ ବହୁଜନେ/ଅଜ୍ଞାତ ଅଛନ୍ତି ସର୍ବେ, ରହିବେ ଅଜ୍ଞାତ/ଜାଣିବା ପ୍ରୟାସ ହେବ ସ୍ଵତଃ ପରାହତ ।’’

 

ଏହି ଆତ୍ମଉପଲବ୍ଧି ମଧ୍ୟରେ ସେ ଖୋଜିଛନ୍ତି କବିତାର ‘ମହାନିଶା’କୁ, ସେହି ପ୍ରେୟସୀ, ଅପରୂପା ସୁନ୍ଦରୀ ରୂପସୀକୁ ଏବଂ ବ୍ୟାକୁଳ କଣ୍ଠରେ ନିବେଦନ କରିଛନ୍ତି, ‘ତୁମେ ମୋର ଜୀବନ ସଙ୍ଗିନୀ/ଜୀବନର ହୁତାଶନେ ତୁମେ ମନସ୍ୱିନୀ/ତୃଷାର୍ତ୍ତ ମୋ ପ୍ରାଣ ପାଇଁ ତୁମେ ମନ୍ଦାକିନୀ... ଜାଣେ ମୁହିଁ, ଆଣି ଦେବ ଦିନେ/କାଳେ ବା ଅକାଳେ ଶେଷେ ମହାନିଦ୍ରା ନିଶା ପରେ ନିଶା ଭେଦି/ତୁମ ସଙ୍ଗେ ଦେଖୁବି ମୁଁ ଦିନେ ମହାନିଶା ।’ ସେଇ ମହାନିଶାରେ ରହିଛି କବିତା ଓ ଜୀବନ ପ୍ରତି ଅଫୁରନ୍ତ ଆକର୍ଷଣ, ପୁଣି ସେଇ ମୋହଗ୍ରସ୍ତ ଅବସ୍ଥାରେ ମୃତ୍ୟୁକୁ କୋଳେଇ ନେବାର ଦୂରନ୍ତ ଇଚ୍ଛା-

 

୧୯୮୨-୮୩ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟର ମୁଖପତ୍ର ‘ବାଣୀ ବିକାଶ’ରେ ଯେଉଁ ‘ନକ୍ଷତ୍ର, ନୟନ’ ଶୀର୍ଷକ କବିତାଟି ପ୍ରକାଶ ପାଇଥିଲା ସେଥିରୁ ତାଙ୍କ ଦାର୍ଶନିକ ସୁଲଭ କବିପଣିଆ ବେଶ୍‌ ବାରିହୋଇପଡ଼େ । ‘ପିଲାଦିନେ ତୁଳନା ଛଳରେ ପଚାରିଲେ ଦିନେ ମୋର ପ୍ରଥମ ଶିକ୍ଷକ ଆକାଶର ଉଜ୍ୱଳ ନକ୍ଷତ୍ର, ମନୁଷ୍ୟର ସୁନ୍ଦର ନୟନା ଉଭୟେ କି ଧରିନାହିଁ ଏକାପରି ରୂପ !/ସେହିଦିନୁଁ ଦେଖୁଅଛି ତାରକା ଓ ଆଖି/ପାଇନାହିଁ କିନ୍ତୁ ସେହି ପ୍ରଶ୍ନର ଉତ୍ତର ସ୍ଵୀକାର କରୁଛି ତେଣୁ ଉଭୟେ ଉଜ୍ୱଳା ଏବଂ ଉଭୟେ ସୁନ୍ଦର.. ତାରକାରୁ ଝରେ ନାହିଁ ବିନ୍ଦୁ ମାତ୍ର ଲୁହ/ ଆଖିଜଳ କହିଯାଏ ଅସରନ୍ତି କଥା/ମାନ ଅଭିମାନ କିମ୍ବା ବ୍ୟବଧାନ ବ୍ୟଥା/ସେଇ ଏକାଭାଷା କହେ ପୁଣି ଅଶ୍ରୁହୀନ ନେତ୍ର/ଦୁଃଖ ଶୋକ କାତରତା ନାହିଁ ଯା’ର ଶେଷ !.. . ଲେଖିସାରି ଏ କବିତା କବିତ୍ୱର କୃତିତ୍ୱ ଗର୍ବରେ/ମୁକୁର ଆଗରେ ଯେବେ ହେଲି ଯାଇ ଛିଡ଼ା/ଚମକି ଉଠିଲି ଦେଖି ନିଜ ଦୁଇ ଆଖି ଖାଲି ନାଲି ନୁହେଁ ରକ୍ତ ରଙ୍ଗ ଜବା ଫୁଲ ପରି ।’’

 

ପ୍ରକୃତରେ ତାଙ୍କର ସାରସ୍ଵତ ପ୍ରତିଭା ଓ ଦିଗନ୍ତ ଥିଲା ସୁଦୂର ପ୍ରସାରୀ । ଉପର ଆଲୋଚିତ ସାହିତ୍ୟ ପୁସ୍ତକଗୁଡ଼ିକ ବ୍ୟତୀତ ‘ଅସ୍ପଷ୍ଟ ଆଖ୍ୟାନ’ (୧୯୭୨) ଓ ଇଂରାଜୀରେ ଲିଖି‌ତ ଶିଶୁ ସାହିତ୍ୟ ପୁସ୍ତକ ‘Some of india’s Famous freedom Fighters’ ମଧ୍ୟ ଓଡ଼ିଆ ସାହିତ୍ୟକୁ ତାଙ୍କର ବିଶେଷ ଅବଦାନ । ପରିତାପର ବିଷୟ ଯେ ଜଣେ ଐତିହାସିକ ଭାବେ ତାଙ୍କର ପରିବ୍ୟାପ୍ତି ଏତେ ଉଜ୍ୱଳ ଥିଲା ଯେ ତାଙ୍କ ସାରସ୍ଵତ ପ୍ରତିଭା ସେହି ଅନୁସାରେ ଆଲୋଚିତ ହୋଇ ପାରିନାହିଁ । ଯେଉଁଥିପାଇଁ ‘ସମୟ ସାଗରତୀରେ’ ଭଳି ଉପନ୍ୟାସ ବା ଆତ୍ମଜୀବନୀ ଓ ଭ୍ରମଣ କାହାଣୀ ଭଳି କେତୋଟି ପୁସ୍ତକର ଓଡ଼ିଆ ସାହିତ୍ୟର ଯେକୌଣସି ସମ୍ମାନଜନକ ପୁରସ୍କାର ପାଇବାର ଯଥେଷ୍ଟ ଯୋଗ୍ୟତା ଥିଲେ ମଧ୍ୟ ସେ ସେଥିରୁ ବଞ୍ଚିତ ହୋଇଥିଲେ । ଇତିହାସ ଓ ସାହିତ୍ୟ ଉଭୟକୁ ସେ ସମାନୁପାତିକଭାବେ ଭଲ ପାଉଥିଲେ ଓ ଶ୍ରଦ୍ଧା କରୁଥିଲେ । ତାଙ୍କ ସାହିତ୍ୟ କୃତୀଗୁଡ଼ିକର ଉପଯୁକ୍ତ ମୂଲ୍ୟାୟନ ନ ହେବା ଆମ ଓଡ଼ିଆ ସାହିତ୍ୟ ପାଇଁ ଅତ୍ୟନ୍ତ ପରିତାପର ବିଷୟ । ଜଣେ କୃତବିଦ୍ୟ ଇତିହାସକାର ଭାବେ ଡକ୍ଟର ଦାସ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ । ସୃଜନାତ୍ମକ ସାହିତ୍ୟ ମଧ୍ୟ ତାଙ୍କ ପ୍ରତିଭାର ଅନ୍ୟ ଏକ ବଳିଷ୍ଠ ବିଭବ । ମାତ୍ର ତାଙ୍କର କୃତୀମାନଙ୍କ ସମ୍ପର୍କରେ ଯଥାର୍ଥ ଆଲୋଚନା କାଳରେ ଆଉ ଏକ ସଫଳ କୀର୍ତ୍ତି ପ୍ରାୟତଃ ଆମମାନଙ୍କ ଦୃଷ୍ଟିର ଅନ୍ତରାଳରେ ରହିଯାଇଛି । ବହୁବର୍ଷତଳେ ୧୯୭୬ରେ ଅନେକ ହୁଏତ ଭୁଲି ନ ଥିବେ ‘ସୁନା ସଂସାର’ ନାମକ ସଫଳ ସାମାଜିକ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଆମୋଦିତ କରିଥିଲା, ଯାହାର କାହାଣୀ ଥିଲା ଡକ୍ଟର ଦାସଙ୍କର । ଚଳଚ୍ଚିତ୍ରଟି ମୌଳିକ ଓଡ଼ିଆ କାହାଣୀ ଆଧାରିତ ଏକ ବଳିଷ୍ଠ ଚଳଚ୍ଚିତ୍ର ଭାବେ ସେ ବର୍ଷର ବହୁ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲା-। ଏତଦ୍‍ଭିନ୍ନ ଡ. ଦାସ ବିକ୍ଷିପ୍ତ ଭାବେ ଅନେକ ଉଚ୍ଚକୋଟୀର ଇଂରାଜୀ କବିତା ମଧ୍ୟ ରଚନା କରିଥିଲେ ।

 

***

 

କ୍ଷେପଣାସ୍ତ୍ର ବିରୋଧୀ ଆନ୍ଦୋଳନରେ ସମ୍ପୃକ୍ତି

 

ମା’ ଓ ମାଟିର ସ୍ଵାଭିମାନ, ସମ୍ମାନ ତଥା ସାତପୁରୁଷର ଭିଟାମାଟିର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରି ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଭଳି ସରକାରୀ ଉଚ୍ଚପଦବୀରେ ଥାଇ ମଧ୍ୟ ସରକାରୀ କଟକଣାକୁ ବେଖାତିର କରି ସମୟର ଆହ୍ୱାନରେ ସେ ଝାସ ଦେଇଥିଲେ । ମାଟିର ମହାସଂଗ୍ରାମରେ ନିଜକୁ ଜଣେ ସଚ୍ଚା ସଂଗ୍ରାମୀ ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ । ପ୍ରାୟ ସତେଇଶ ବର୍ଷ ତଳେ ସର୍ବଗ୍ରାସୀ କ୍ଷେପଣାସ୍ତ୍ର ଘାଟିର ପ୍ରସ୍ତାବରେ ସାତପୁରୁଷର ଭିଟାମାଟି ଯିବାର ଆଶଙ୍କା ଦେଖାଦେଇଥିଲା । ଏକ ଶସ୍ୟ ଶ୍ୟାମଳା ସମ୍ପୃଦ୍ଧ ଇଲାକାର ଲକ୍ଷାଧିକ ଅଧିବାସୀଙ୍କ ଭବିଷ୍ୟତ ପ୍ରତି ଭୂକ୍ଷେପ ନକରି ଭାରତ ସରକାର ସେଠାରେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ । ସେତେବେଳର ଆକଳନ ଅନୁଯାୟୀ ବାଲିଆପାଳ ଓ ଭୋଗରାଇର ସ୍ଵର୍ଣ୍ଣପ୍ରସୂ ମାଟିର ୧୩୨ ଖଣ୍ଡ ଗାଁର ଦେଢ଼ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାସ୍ତୁହରା ହୋଇ ଜୀବନ ଜୀବିକା ଉଜାଡ଼ି ଦାଣ୍ଡର ଭିକାରି ହେବାର ଆତଙ୍କ ଜନମାନସରେ ଖେଳି ଯାଇଥିଲା । ତାହାର ପ୍ରତିରୋଧ ନିମନ୍ତେ ସଂକଳ୍ପବଦ୍ଧ ହୋଇ ଦଳମତ ନିର୍ବିଶେଷରେ ବାଲିଆପାଳ - ଭୋଗରାଇ ମାଟିର ଲକ୍ଷାଧିକ ଜନଗଣ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ ଲଢ଼େଇ କରିଥିଲେ ତାହା ସ୍ଵାଧୀନତା ପରବର୍ତ୍ତୀ ଭାରତବର୍ଷର ଜନ ଆନ୍ଦୋଳନ ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥିଲା । ସେଦିନ ସେହି ଗଣସଂଗ୍ରାମର ନାରା ଥିଲା, “ଘାଟି ନୁହେଁ ମାଟି ଚାହୁଁ, ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ଶପଥ କରିଛୁ ମରିବୁ ପଛେ ମାଟି ପାଇଁ, ଇଞ୍ଚେ ଜମି ଛାଡ଼ିବୁ ନାହିଁ ।” ଐତିହାସିକ କାଳିପଦା ଗେଟ୍‌ ଓ ସେଠାକାର ଆବାଳବୃଦ୍ଧବନିତା ବହୁବାର ରାଜରାସ୍ତାକୁ ଓହ୍ଲାଇ ପୋଲିସ ଓ ସେନାବାହୀନି ଆଗରେ ଜନତାର ଅଭେଦ୍ୟ ପ୍ରାଚୀର ଛିଡ଼ା କରାଇ ବ୍ଲକ, ତହସିଲ୍‌, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ବିଧାନସଭା ଓ ଭାରତର ପାର୍ଲ୍ୟାମେଣ୍ଟ ଘେରାଉକରି ବିଭିନ୍ନ ମାର୍ଗରେ ଆନ୍ଦୋଳନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୋହଲାଇ ଦେଇଥିଲେ । ୧୯୮୫-୧୯୯୦ ଯାଏଁ ସେ ମହାସଂଗ୍ରାମର ଘଡ଼ିସନ୍ଧି ମୁହୂର୍ତ୍ତରେ ଡ. ଦାସଙ୍କର ସମ୍ପୃକ୍ତି ତାଙ୍କୁ ବିଜୟୀ ବାଲିଆପାଳ ଜନଆନ୍ଦୋଳନ ଭଳି ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଗଣସଂଗ୍ରାମର ଇତିହାସରେ ଜଣେ ସଚ୍ଚା ସଂଗ୍ରାମୀର ପରିଚୟ ଦିଏ । ୧୯୯୦ ଦଶକର ଶେଷାର୍ଦ୍ଧରେ ଏକ ବିଶାଳ ଧ୍ଵଂସମୁଖୀ ମେଗାସାମରିକ ପ୍ରକଳ୍ପର ଭୟାବହତା ଓ ଆଣବିକ ଯୁଦ୍ଧର ଘନଘଟାକୁ ଆମନ୍ତ୍ରଣ କରୁଥିବା ସର୍ବଗ୍ରାସୀ କ୍ଷେପଣସ୍ତ ଘାଟି, ଯାହାପୁଣି ହେବ ସୁବର୍ଣ୍ଣରେଖା ଉପକୂଳର ବିସ୍ତୀର୍ଣ୍ଣ ଜନାକୀର୍ଣ୍ଣ କୃଷି ସମୃଦ୍ଧ; ଧାନ, ମୀନ, କାଜୁ, ନଡ଼ିଆ ଆଦି ଶସ୍ୟସମ୍ଭାରରେ ଭରପୁର ରତ୍ନଗର୍ଭା ମାଟି ଭୋଗରାଇ-ବାଲିଆପାଳ ଅଞ୍ଚଳରେ । ଏହାର ସମ୍ଭାବ୍ୟ ପରିଣତି ଡ. ମନ୍ମଥନାଥ ଦାସଙ୍କ ହୃଦୟ, ମନ ଓ ପ୍ରାଣରେ ଗଭୀର ଭାବାବେଗ ସୃଷ୍ଟି କରିଥିଲା । ଏଭଳି ଏକ ଜନାକୀର୍ଣ୍ଣ ଶସ୍ୟଶ୍ୟାମଳା କୃଷି ସମୃଦ୍ଧ ଇଲାକାରେ ବାଲାଷ୍ଚିକ୍‌ କ୍ଷେପଣାସ୍ତ୍ର ଘାଟି ସ୍ଥାପନ କରି ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍‌ବାସ୍ତୁ କରିବା ଭାରତବର୍ଷ ପରି ଏକ ଜନମଙ୍ଗଳ, ବିଶ୍ୱଶାନ୍ତିର ଅଗ୍ରଦୂତ ରାଷ୍ଟ୍ର ଗାନ୍ଧୀ-ବୁଦ୍ଧଙ୍କର ଦେଶରେ ଆଦୌ ସ୍ପୃହଣୀୟ ନୁହେଁ ବୋଲି ସେ ମତ ଦେଇଥିଲେ ଓ ଘାଟି ପ୍ରତିଷ୍ଠାକୁ ତୀବ୍ର ବିରୋଧ କରିଥିଲେ । ସରକାରୀ ପଦବୀରେ ଥାଇ ମଧ୍ୟ ସ୍ଥାପନର କୁପରିଣାମ ବର୍ଣ୍ଣନା କରି ସେ ପ୍ରବନ୍ଧ ଲେଖିଲେ ଓ ସଭାସମିତିରେ ଭାଷଣ ଦେଲେ ।

 

ଏଥିପାଇଁ ସେତେବେଳର ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀ, ପ୍ରତିରକ୍ଷା ମନ୍ତ୍ରୀସ୍ଵର୍ଗତ ଅରୁଣ ସିଂ, ତତ୍କାଳୀନ ବିରୋଧଦଳର ନେତା ଏବଂ ମହାମହିମ ରାଷ୍ଟ୍ରପତିଙ୍କୁ ବାରମ୍ବାର ଚିଠି ଲେଖି କ୍ଷେପଣାସ୍ତ୍ର ଘାଟି ପ୍ରକଳ୍ପକୁ ଜନ ମାନବଶୂନ୍ୟ ଦେଶର ଅନ୍ୟ କୌଣସି ଇଲାକାରେ ପ୍ରତିଷ୍ଠା ପାଇଁ ଅନୁରୋଧ ଓ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଦିଲ୍ଲୀଠାରେ କେତେକ ପାର୍ଲିଆମେଣ୍ଟ ସଦସ୍ୟଙ୍କ ଆଗରେ ତଥ୍ୟଭିତ୍ତିକ ମତାମତ ଉପସ୍ଥାପନ କରିଥିଲେ । ତାଙ୍କ ପ୍ରେରଣା ଓ ପରାମର୍ଶକ୍ରମେ ୧୯୮୫ ମସିହା ଅକ୍ଟୋବର ମାସରେ ବାଣୀବିହାର ଓ ରେଭେନ୍ସା କଲେଜର ଦୁଇଶହରୁ ଉର୍ଦ୍ଧ୍ୱ ଯୁବଛାତ୍ର ବାଲିଆପାଳବାସୀଙ୍କ ଗଣସଂଗ୍ରାମକୁ ସମର୍ଥନ ଜଣାଇ ଭୁବନେଶ୍ୱରରୁ ବାଲିଆପାଳ ୨୬୦ କି.ମି. ପଥ ସାଇକେଲ ଶୋଭାଯାତ୍ରାରେ ଯାଇଥିଲେ । ସେତେବେଳର ଛାତ୍ରନେତା ଆଜିର ସାଂସଦ ମୋହନ ଜେନା, ରାଜନେତା ମାୟାଧର ନାୟକ, ରବି ବେହେରା, ଅରୁଣ ଜେନା ଓ ନାରୀନେତ୍ରୀ ଛବି ମହାନ୍ତି ପ୍ରମୁଖ ସାଇକେଲ ଯାତ୍ରାର ନେତୃତ୍ୱ ନେଇଥିଲେ । ଡ. ଦାସ ବାଣୀବିହାର ଛାତ୍ରଙ୍କୁ ସମ୍ମିଳିତ କରି କ୍ଷେପଣାସ୍ତ୍ର ଘାଟୀ ବିରୋଧରେ ଏକ ବଳିଷ୍ଠ ଯୁବଛାତ୍ର ସଙ୍ଗଠନ ଗଢ଼ି ପରବର୍ତ୍ତୀ ସମୟରେ ଉତ୍ତର ବାଲେଶ୍ଵରର ସବୁ କଲେଜ, ହାଇସ୍କୁଲ ଓ ଏମ୍‌.ଇ, ସ୍କୁଲର ଛାତୃଛାତ୍ରୀଙ୍କୁ ନେଇ ଘାଟି ବିରୋଧୀ ଛାତ୍ର ସାମୁଖ୍ୟ ବାଜିରାଉତ ବାଳକସେନା, ମରଣସେନା, ମତ୍ସଜୀବୀ ଗଣ ସାମ୍ମୁଖ୍ୟ, ମହିଳା ସାମ୍ମୁଖ୍ୟ ଆଦି ଗଠନ କରିବାରେ ପ୍ରେରଣାର ଉତ୍ସ ହୋଇଥିଲେ । ୧୯୮୫ ମସିହା ନଭେମ୍ବର ୭ ତାରିଖ ଦିନ ଜଗାଇଠାରେ କ୍ଷେପଣାସ୍ତ୍ର ଘାଟି ବିରୋଧରେ ପ୍ରାୟ ପାଞ୍ଚ ସାତ ହଜାର ଛାତ୍ରଛାତ୍ରୀଙ୍କୁ ନେଇ ଯେଉଁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେଠାକୁ ଆସିପାରିନଥିଲେ ମଧ୍ୟ ତାଙ୍କର ମୂଲ୍ୟବାନ ବାର୍ତ୍ତା ପଠାଇବା ସହ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରନେତାମାନଙ୍କୁ ପଠାଇଥିଲେ ।

 

ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ତାଙ୍କର ସୁସମ୍ପର୍କ ଥିବାରୁ ଆନ୍ଦୋଳନର ଯଥାର୍ଥତା ବିଷୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ସେ ଅବଗତ କରାଇଥିଲେ । ୧୯୮୬ ମସିହା ମାର୍ଚ୍ଚ ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣକ୍ରମେ କ୍ଷେପଣାସ୍ତ୍ର ଘାଟି ପ୍ରତିରୋଧ କମିଟିର ୨୧ ଜଣିଆ ପ୍ରତିନିଧି ଦଳ ସ୍ଵର୍ଗତ ମଧୁ ଦଣ୍ଡବତେ, ଜୟପାଲ ରେଡ୍ଡୀ, ସ୍ଵର୍ଗତ ସମରେନ୍ଦ୍ର କୁଣ୍ଡୁ, ସ୍ଵର୍ଗତ ଗଦାଧର ଗିରି, ସ୍ଵର୍ଗତ ବୃନ୍ଦାବନ ରାଜ, ସ୍ଵର୍ଗତ ଭଗବାନ ଦତ୍ତ ଆଦିଙ୍କ ନେତୃତ୍ଵରେ ଭେଟିବାକୁ ଯାଇଥିଲେ । ୧୯୮୬ ସେପ୍ଟେମ୍ବର ୨୧ ଓ ୨୨ ଦୁଇଦିନ ବ୍ୟାପି କ୍ଷେପଣାସ୍ତ୍ର ଘାଟି ବିରୋଧି ଗଣଆନ୍ଦୋଳନ ସମ୍ପର୍କରେ ଜାତୀୟ ଆଲୋଚନା ଚକ୍ର ‘ଓଡ଼ିଶା ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ’ ଅନୁଷ୍ଠିତ ହୋଇଥିଲା । ସ୍ଵର୍ଗତା ମାଳତୀ ଚୌଧୁରୀଙ୍କ ଦ୍ଵାରା ଉଦ୍‌ଘାଟିତ ଆଲୋଚନା ସଭାରେ ବହୁ ବୈଜ୍ଞାନିକ, ଅର୍ଥନୀତିଜ୍ଞ, ସମାଜବିତ୍‌, ଶିଷାବିତ୍‌ ତଥା ଅନ୍ୟ ରାଜ୍ୟମାନଙ୍କର ବହୁ ବିଶିଷ୍ଟ ବ୍ୟକ୍ତି ଭାଗ ନେଇଥିଲେ । ଏହି ସେମିନାରରେ ଓଡ଼ିଶାର ବହୁ ଜନନେତା ଓ ଚିନ୍ତାନାୟକଙ୍କ ଗହଣରେ ଡ. ମନ୍ମଥନାଥ ଦାସ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ୧୯୮୬ ମସିହା ଜୁଲାର ୧୭ ତାରିଖ ଦିନ ଭୋଗରାଇ ଥାନାଛକ ଓ ଜୁଲାଇ ୧୮ ତାରିଖରେ ବାଲିଆପାଳର ଜଗାଇ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ବିଶାଳ ସମାବେଶରେ ସେ ବକ୍ତବ୍ୟ ଦେଇ କହିଥିଲେ, “କ୍ଷେପଣାସ୍ତ୍ର ଘାଟି ହେଲେ ପୋଲିସର ଗୁଳି ଆଗରେ ଛାତି ଦେଖାଇ ପ୍ରଥମେ ମୁଁ ସହିଦ ହେବି ତାଙ୍କର ସେହି ବକ୍ତବ୍ୟକୁ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ଭଳି ପ୍ରମୁଖ ଖବରକାଗଜ ସ୍ଵତନ୍ତ୍ର କ୍ୟାପ୍‌ସନ୍‌ କରି ଛପାଇଥିଲେ । ଚନ୍ଦନେଶ୍ଵର ସଭାରେ ଉପସ୍ଥିତ ଥିବା ମଧୁ ଦଣ୍ଡବତେଙ୍କୁ ପାର୍ଲ୍ୟାମେଣ୍ଟ କକ୍ଷରେ ବିପକ୍ଷ ଦଳର ଶକ୍ତି ପ୍ରଦର୍ଶନ ପୂର୍ବକ ସରକାରଙ୍କୁ ନିଷ୍ପତ୍ତି ପ୍ରତ୍ୟାହାର ଲାଗି ପ୍ରଭାବିତ କରିବାକୁ ସେ ଅନୁରୋଧ କରିଥିଲେ । ଭୋଗରାଇର ବିଧାୟିକା ଉମାରାଣୀ ପାତ୍ର ଓ ଜନନେତା କାର୍ତ୍ତିକେଶ୍ଵର ପାତ୍ରଙ୍କୁ ଭୁବନେଶ୍ୱରର ପି.ଏମ୍‌. ଜି. ଛକରେ ନେତୃତ୍ୱ ନେଇ ରାସ୍ତାରୋକୋ କରି ଧାରଣା ଦେବାକୁ ସେ ପ୍ରେରଣା ଦେଇଥିଲେ । ଡ. ମହତାବଙ୍କ ସହିତ ପରାମର୍ଶ କରିବାଠାରୁ ଆରମ୍ଭକରି ଘାଟି ସାତଭାୟା (ହୁଇଲର ଦ୍ଵୀପ)କୁ ସ୍ଥାନାନ୍ତରିତ କରିବା ପାଇଁ ସମ୍ବାଦପତ୍ରରେ ସେ ଯୁକ୍ତି ବାଢ଼ିଥିଲେ । ଦିଲ୍ଲୀର ନେତୃସ୍ଥାନୀୟ ବ୍ୟକ୍ତି ଓ ସାଂସଦମାନଙ୍କ ସମ୍ମୁଖରେ ତାଙ୍କର ଯୁକ୍ତି ଥିଲା, ଯଦି ନିକୋବର ଦ୍ଵୀପପୁଞ୍ଜରେ ଥିବା ଜନଶୂନ୍ୟ ସ୍ଥାନରେ ଘାଟି ସ୍ଥାପନ ସମ୍ଭବପର, ତେବେ ଜନବହୁଳ ଶସ୍ୟ ଶ୍ୟାମଳା ବାଲିଆପାଳ ଅଞ୍ଚଳକୁ ଧ୍ୱଂସମୁଖକୁ ଠେଲିଦେବା ଅନ୍ୟାୟ ଓ ଅଯୌକ୍ତିକ । ଏ ସମ୍ପର୍କରେ ତଥ୍ୟ ସଂଗ୍ରହ ପୂର୍ବକ ବଳିଷ୍ଠ ଯୁକ୍ତିମାନ ସେ ଦିଲ୍ଲୀ ମହଲରେ ଉପସ୍ଥାପନ କରିଥିଲେ ।

 

୧୯୮୫-୧୯୦ ମଧ୍ୟରେ ଏହି ଆନ୍ଦୋଳନ ପ୍ରେକ୍ଷାପଟରେ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ସମେତ ସ୍ଵର୍ଗତ ଭି. ପି. ସିଂହ, ଏଚ୍‌.ଡି.ଦେବଗୌଡ଼ା ଓ ସ୍ୱର୍ଗତ ଚନ୍ଦ୍ରଶେଖର ଆଦି ଚାରିଚାରିଜଣ ପ୍ରଧାନମନ୍ତ୍ରୀଙ୍କୁ ସେ ପତ୍ର ଲେଖିବା ସହ ସାକ୍ଷାତ ମଧ୍ୟ କରିଥିଲେ । ସେତେବେଳର ଆସାମ ଗଣ ପରିଷଦର ତୁଙ୍ଗ ନେତା-ଆସାମ ଛାତ୍ର ଆନ୍ଦୋଳନର ଅଗ୍ରଦୂତ ପ୍ରଫୁଲ୍ଲ ମହାନ୍ତଙ୍କ ଦୁର୍ବାର ଆନ୍ଦୋଳନକୁ ବାଲିଆପାଳ ଗଣଆନ୍ଦୋଳନ ସହ ତୁଳନାକରି ବିଭିନ୍ନ କ୍ଷେତ୍ରରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ । ୧୯୮୪ ଡିସେମ୍ବର ୨ର ଭୋପାଳ ଗ୍ୟାସ ଦୁର୍ଘଟଣା ଓ ୧୯୮୬ର ରୁଷିଆର ଚେର୍ଣ୍ଣୋଭିଲ୍‌ଠାରେ ଘଟିଥିବା ଆଣବିକ ରିଆକ୍ଟର ଦୁର୍ଘଟଣାର ଜନିତ ମୃତ୍ୟୁ ବିଭିଷିକାର ନଜିର ଦେଇ ଘାଟି ହେବାର ଭୟାବହତା ପ୍ରମାଣିତ କରିଥିଲେ । ତେଣୁ ତାଙ୍କ ମାଟିର ମହାସଂଗ୍ରାମରେ ସେ ଜଣେ ମହାରଥୀର ଭୂମିକା ନିର୍ବାହ କରିଥଲେ କହିଲେ ଅତ୍ୟୁକ୍ତି ହେବ ନାହିଁ-। ବାଲିଆପାଳର ଆବାଳ ବୃଦ୍ଧବନିତା ଯେଭଳି ଭାବେ ଆନ୍ଦୋଳନ କରିଥିଲେ, ସ୍ଵାଧୀନତା ପ୍ରାପ୍ତି ପରେ ସାରାଦେଶରେ ସେପରି ଶାନ୍ତିପୂର୍ଣ୍ଣ ଗଣବିକ୍ଷୋଭର ପଟାନ୍ତର ନ ଥିଲା । ଜନଶକ୍ତି ସମ୍ମୁଖରେ ଶେଷରେ ସରକାର ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ । ସମୟ ଗଡ଼ିଚାଲିଲା । ବାଲେଶ୍ଵର ସମୁଦ୍ର ତଟସ୍ଥ ଚାନ୍ଦିପୁରଠାରେ କ୍ଷେପଣାସ୍ତ୍ର ଘାଟି ସ୍ଥାପିତ ହେଲାପରେ ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ଲାଗି ସମର୍ଥ ହୋଇଥିଲେ ।

 

***

 

Unknown

ରାଜନୈତିକ ଜୀବନ

 

ମନୁଷ୍ୟ କେବଳ ସାମାଜିକ ପ୍ରାଣୀ ନୁହେଁ, ଏକ ରାଜନୈତିକ ପ୍ରାଣୀ ହୋଇଥିବାରୁ ସ୍ଵାଭାବିକ ଭାବେ ମନ୍ମଥବାବୁଙ୍କର ରାଜନୀତି ପ୍ରତି କିଛିଟା ଆକର୍ଷଣ ଥିଲା । ରେଭେନ୍ସା କଲେଜରୁ ବି.ଏ.ପାସ୍‌ କଲାପରେ ବୀରେନ୍‌ ମିତ୍ର ତାଙ୍କୁ କଂଗ୍ରେସ ରାଜନୀତିରେ ଯୋଗଦେବାକୁ ବାରମ୍ବାର କହିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତ୍ଵ ନ ଦେଇ ଏମ୍‌.ଏ. ପଢ଼ିବା ପାଇଁ ସେ ଏହ୍ଲାବାଦ ଚାଲିଯାଇଥିଲେ । ୧୯୪୮ରେ ଏମ୍‌.ଏ. ପାସ କଲାପରେ ଡ.ହରେକୃଷ୍ଣ ମହତାବ ତାଙ୍କୁ ପ୍ରଜାତନ୍ତ୍ର ପରିବାରରେ ମିଶିବାଲାଗି ଇଙ୍ଗିତ ଦେଇଥିଲେ ବି ସେ ଅଧ୍ୟାପକତ୍ଵ ଗ୍ରହଣ କରି ରାଜନୀତି ଠାରୁ ଦୂରେଇ ରହିଥିଲେ । ଚାକିରିରୁ ଅବ୍ୟାହତି ନେଲା ପର୍ଯ୍ୟନ୍ତ ୩୮ ବର୍ଷ ଅଧ୍ୟାପକ ଜୀବନକାଳରେ ରାଜନୀତିରେ ପ୍ରବେଶ କରିବା କଥା କେବେହେଲେ ସେ ଭାବି ନ ଥିଲେ । ବିଭିନ୍ନ ସମୟରେ ‘ନେହେରୁଙ୍କ ରାଜନୀତିକ ଦର୍ଶନ’, ‘ଜାତୀୟ କଂଗ୍ରେସ ବନାମ ବ୍ରିଟିଶ’, ‘ଭାରତ ବିଭାଜନ ଓ ସ୍ଵାଧୀନତା’ ଶୀର୍ଷକ ବହି ଲେଖିବା ଓ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ ଶତବାର୍ଷିକ ଇତିହାସର ତୃତୀୟ ଖଣ୍ଡ ସଂକଳନ କରିବା ସତ୍ତ୍ଵେ କଂଗ୍ରେସ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲା ।

 

୧୯୮୫ରେ କୁଳପତି ପଦରୁ ଅବସର ନେଲାପରେ ତାଙ୍କ ହାତରେ ପ୍ରାୟ କିଛି କାମ ନ ଥିଲା । ଦିଲ୍ଲୀ ରହଣୀ କାଳରେ ରାଜନେତାମାନଙ୍କ ସହ ସାକ୍ଷାତ ବେଳେ କେହିକେହି ରାଜନୀତିରେ ପଶିବା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ରାଜନୀତିଜ୍ଞମାନଙ୍କ ସ୍ଵଭାବ, ଚରିତ୍ର ଓ କାର୍ଯ୍ୟକଳାପ ଦେଖି ପ୍ରତ୍ୟକ୍ଷ ରାଜନୀତି ପ୍ରତି ତାଙ୍କର ଆକର୍ଷଣ ଆସି ନ ଥିଲା । ମହତାବବାବୁଙ୍କ ସହ ଆଲୋଚନା ବେଳେ ରାଜନୀତିରେ ପ୍ରବେଶ କରିବା ସହଜ କିନ୍ତୁ ପାହାଚ ପରେ ପାହାଚ ଉଠିବା କଷ୍ଟସାଧ୍ୟ ଓ ଅସମ୍ଭବ ବୋଲି ତାଙ୍କର ଧାରଣା ହୋଇଥିଲା । ୧୯୮୭ ମସିହା ଶେଷ ବେଳକୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିପକ୍ଷରେ ସ୍ଵର ଉତ୍ତୋଳନ କରି ବିଶ୍ଵନାଥ ପ୍ରତାପ ସିଂ ଓ ଆଉ କେତେକ ବରିଷ୍ଠ କଂଗ୍ରେସୀ ନେତା ଜନମୋର୍ଚ୍ଚା ନାମକ ଦଳ ଗଢ଼ିଲେ । ଓଡ଼ିଶାର ପାର୍ଲିଆମେଣ୍ଟ ସଦସ୍ୟ ଅନାଦି ଚରଣ ଦାସ ଓ ଭଜମନ ବେହେରା ତାଙ୍କୁ ସେଥିରେ ଯୋଗ ଦେବାଲାଗି ବାରମ୍ବାର ପ୍ରୋତ୍ସାହିତ କଲେ ମଧ୍ୟ ସେ ରାଜିହୋଇ ନ ଥିଲେ । ୧୯୮୯ ନଭେମ୍ବର ସାଧାରଣ ନିର୍ବାଚନରେ ଭାରତୀୟ ଜନତା ଦଳ ସହଯୋଗରେ ଜାତୀୟ ସାମ୍ମୁଖ୍ୟ ସରକାର ଗଠନ କଲା ଓ ବିଶ୍ଵନାଥ ପ୍ରତାପ ସିଂ ପ୍ରଧାନମନ୍ତ୍ରୀ ହେଲେ । ଦିଲ୍ଲୀରେ ନୂତନ ସରକାର ଗଠନ ପରେ ଓଡ଼ିଶାରେ ବିଧାନସଭା ପାଇଁ ଯେଉଁ ନିର୍ବାଚନ ହେଲା ସେଥିରେ ତାଙ୍କର କକା ପୁଅଭାଇ ଡକ୍ଟର କାଳୀ କୁମାର ଦାସଙ୍କ ପତ୍ନୀ ଡାକ୍ତର କମଳା ଦାସ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାପାଇଁ ଇଚ୍ଛା କରିଥିଲେ । ବିଜୁ ପଟ୍ଟନାୟକ ପ୍ରଥମେ ତାଙ୍କୁ ଭୋଗରାଇରୁ ଛିଡ଼ା ହେବାପାଇଁ ଟିକେଟ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ପରେ ସ୍ଥାନୀୟ କର୍ମୀମାନଙ୍କ ଚାପରେ ମତ ପରିବର୍ତ୍ତନ କରି ମନା କରିଦେଲେ । ଆକସ୍ମିକତା କ୍ରମେ ଲୋକସଭାର ନବନିର୍ବାଚିତ ବାଚସ୍ପତି ଓଡ଼ିଶାର ଜନତା ଦଳ ନେତା ରବି ରାୟଙ୍କ ସଂବର୍ଦ୍ଧନା ନିମନ୍ତେ ସୂଚନା ଭବନରେ ଯେଉଁ ସର୍ବଦଳୀୟ ସଭା ଅନୁଷ୍ଠିତ ହେଲା ତହିଁରେ ସଭାପତିତ୍ୱ କରିବା ଲାଗି ମନ୍ମଥବାବୁ ଆମନ୍ତ୍ରିତ ହୋଇଥିଲେ । ସୁଯୋଗ ବଶତଃ ସେଠାରେ ବିଜୁବାବୁଙ୍କ ସହ ସେଇ ପ୍ରସଙ୍ଗରେ ଆଲୋଚନା ପରେ ସେ ପଚାରିଥିଲେ, ‘ତା’ ଜିଣିବା କଥା ତୁମେ ଗ୍ୟାରେଣ୍ଟି ଦେବ ?’ ମନ୍ମଥବାବୁ ଉତ୍ତରରେ କହିଥିଲେ, ‘ପ୍ରଥମେ ଦଳୀୟ ଟିକଟ ଦିଅନ୍ତୁ, ତା’ପରେ ମୋର ଗ୍ୟାରେଣ୍ଟି ।’’ ବିଜୁବାବୁ ଟିକଟ ଦେବାକୁ ରାଜିହେଲେ ଓ କମଳା ଜନତାଦଳରୁ ନିର୍ବାଚନରେ ଠିଆହେଲେ । ନିଜର ବିବେକ ବିରୁଦ୍ଧରେ କଂଗ୍ରେସର ନିର୍ମଳ ବ୍ୟକ୍ତିତ୍ୱ ଓ ନିଷ୍ଠାପର କର୍ମୀ ପ୍ରାର୍ଥୀ ହୋଇଥିବା ବିଜୟ କୁମାର ପତିଙ୍କ ବିପକ୍ଷରେ ଭୋଗରାଇର ଅନେକ ସଭା ସମିତିରେ ତାଙ୍କୁ ଭାଷଣ ଦେବାକୁ ହୋଇଥିଲା । କମଳା ବହୁସଂଖ୍ୟକ ଭୋଟରେ ନିର୍ବାଚନ ଜିଣି ବିଜୁବାବୁଙ୍କ ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ।

 

ମାତ୍ର ଏଗାର ମାସ ପରେ ବିଶ୍ଵନାଥ ପ୍ରତାପ ସିଂ ସରକାରର ପତନ ଘଟିଲା ଓ ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ପଦ ହାସଲ କଲେ । ତାଙ୍କର ସଂଖ୍ୟା ଗରିଷ୍ଠତାର ପ୍ରଶ୍ନ ନ ଥିବା ବଳେ ବାହାରୁ କଂଗ୍ରେସ ସମର୍ଥନରେ ସେ କୌଣସି ପ୍ରକାରେ ଚାରିବର୍ଷ ପ୍ରଧାନମନ୍ତ୍ରୀ ରହିଯିବେ ବୋଲି ଭାବିଥିଲେ । କିନ୍ତୁ ତାଙ୍କ ଆଶା ଦିବାସ୍ୱପ୍ନରେ ପରିଣତ ହେଲା । କଂଗ୍ରେସର ସମର୍ଥନ ପ୍ରତ୍ୟାହାର ପରେ ପୁନର୍ବାର ସାଧାରଣ ନିର୍ବାଚନ ହେବା ଅନିବାର୍ଯ୍ୟ ହୋଇଉଠିଲା । ଏବଂ ୧୯୯୧ ବେଳକୁ ପରବର୍ତ୍ତୀ ନିର୍ବାଚନ ନିମନ୍ତେ ଜାତୀୟ ଦଳଗୁଡ଼ିକ ପ୍ରସ୍ତୁତ ହେଲେ । ଏପ୍ରିଲ ପ୍ରଥମ ସପ୍ତାହରେ ସେ ଶୁଣିବାକୁ ପାଇଲେ ଯେ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ସଭାପତି ରାଜୀବ ଗାନ୍ଧୀ ତାଙ୍କୁ ପ୍ରାର୍ଥୀ କରିବାକୁ ଚାହାନ୍ତି । ମାତ୍ର ସେ ରାଜନୀତି କରିବେ ନାହିଁ କି ପ୍ରାଥୀ ହେବେନାହିଁ ବୋଲି ମନେମନେ ସ୍ଥିର କଲେ । ଏହାପରେ ପରେ ବାଲେଶ୍ଵର ନିର୍ବାଚନମଣ୍ଡଳୀ ଲାଗି କାର୍ତ୍ତିକେଶ୍ଵର ପାତ୍ରଙ୍କ ନାମ ସୁପାରିଶ କରିବା ପାଇଁ ଓଡ଼ିଶା କଂଗ୍ରେସ ସଭାପତି ଗିରିଧର ଗମାଙ୍ଗ ଓ ନିର୍ବାଚନ ଦାୟିତ୍ୱରେ ଥିବା ବସନ୍ତ କୁମାର ବିଶ୍ଵାଳ ଓ କାହ୍ନୁଚରଣ ଲେଙ୍କାଙ୍କୁ ସେ ଅନୁରୋଧ କରିଥିଲେ । ତାଙ୍କ କଥା ରଖି ସେମାନେ ତିନିଜଣିଆ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ କାର୍ତ୍ତିକେଶ୍ଵରଙ୍କ ନାମ ସାମିଲ କରିଥିଲେ । ତାଙ୍କ ତତ୍ତ୍ଵାବଧାନରେ କାର୍ତ୍ତିକେଶ୍ଵର ପି.ଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ ତଥା ପୂର୍ବରୁ ଓଡ଼ିଶା ବିଧାନସଭାର ସଦସ୍ୟ ଥିଲେ ।

 

୧୯୯୧ ଏପ୍ରିଲ ୨୦ ତାରିଖ ଦିନ ସନ୍ଧ୍ୟା ୬ଟାରେ ପୁରୀର ଏକ ସର୍ବଭାରତୀୟ ଯୁବ ସମ୍ମିଳନୀରେ ଉଦ୍‌ବୋଧନ ଦେବାଲାଗି ନିମନ୍ତ୍ରିତ ହୋଇଥିବାରୁ ସେ ସପରିବାର ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଯାଇଥିଲେ । ସାଢ଼େ ସାତଟା ବେଳେ ସଭା ଶେଷ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁରୀଗସ୍ତ ଯୋଗୁଁ ଗାଡ଼ି ଚଳାଚଳ ବ୍ୟାହତ ହେବା କାରଣରୁ ରାତି ଏଗାରଟା ପାଖାପାଖି ଭୁବନେଶ୍ୱରରେ ପହଞ୍ଚିଥିଲେ । ପହଞ୍ଚୁ ପହଞ୍ଚୁ ପୁଅ ସିଦ୍ଧାର୍ଥ ଖବର ଦେଲା ଯେ ସନ୍ଧ୍ୟା ଆଠଟାରୁ ଦିଲ୍ଲୀରୁ ରାଜୀବ ଗାନ୍ଧୀଙ୍କ ବାସଭବନରୁ ବାରମ୍ବାର ଫୋନ୍‌ କଲ୍‌ ଆସୁଛି । ତା’କଥା ନ ସରୁଣୁ ଫୋନ୍‌ ବାଜିଲା ଓ ସେ ଉଠାଇଲା ପରେ ଜଣେ କିଏ କହିଲେ, ‘please hold on. Rajivji will talk to you.’ ମୃଦୁ ସ୍ୱରରେ ରାଜୀବ ଗାନ୍ଧୀ କହିଲେ, 'Dasji, you are my personal candidate to Loksabha from Bhubeneswar. Please, give your concent. I shall take charge of your election.' ହତବମ୍ଭ ଅବସ୍ଥାରେ ମନ୍ମଥବାବୁ କହିଥିଲେ, ‘Sir, kindly excuse me, I can't fight any election. I beg your forgiveness.’ ତାଙ୍କୁ ବାକ୍ୟ ଶେଷ କରିବାକୁ ନଦେଇ ରାଜୀବ ଗାନ୍ଧୀ ପୁଣିଥରେ ତାଙ୍କ କଥା ଦୋହରାଇଲା ପରେ ବାଧ୍ୟ ହୋଇ ମନ୍ମଥବାବୁ କହିଥିଲେ, ‘Sir, I leave it to you’ ତା’ପରେ ବାରମ୍ୱାର ଫୋନ୍‌ ଆସିଲା । ରାତି ବାରଟାବେଳେ ହଂସପାଲ ନାମକ ନେତା ଜଣାଇଲେ, ରାଜୀବଜୀ ଆପଣଙ୍କ ନାମ ଘୋଷଣା କରି ସାରିଛନ୍ତି । ତାଙ୍କୁ କାହିଁକି ବାଛିଲେ ବୋଲି ବ୍ୟସ୍ତ ହୋଇ ସେ ପଚାରିବାରୁ ଇଣ୍ଟେଲିଜେନ୍‌ସ ରିର୍ପୋଟ ତାଙ୍କୁ ପ୍ରଭାବିତ କରିଛି ବୋଲି ସେ ଉତ୍ତର ଦେଇଥିଲେ । ତା’ପରେ ଝିଅ ସଂଘମିତ୍ରା ଫୋନ୍‌ ଉଠାଇ ତଳେ ରଖିଦେଲା ଏବଂ ନିଦବଟିକା ଖାଇ ସେ ଶୋଇପଡ଼ିଥିଲେ ।

 

ଅଧ୍ୟାପକ ଭାବେ ଦୀର୍ଘବର୍ଷ କାର୍ଯ୍ୟକରିବା ଭିତରେ ନିଜର ଘର, ଶ୍ରେଣୀକକ୍ଷ ଓ ପାଠାଗାରରେ ତାଙ୍କର ସମୟ ଅତିବାହିତ ହେଉଥିଲା । ଦୂରଦୂରାନ୍ତର ପୁରପଲ୍ଲୀ, ଦୁର୍ଗମ ଓ ଅଗମ୍ୟ ଅଞ୍ଚଳର ଜନସାଧାରଣଙ୍କ ଅବସ୍ଥା ଓ ଜୀବନଧାରା ସମ୍ପର୍କରେ ତାଙ୍କର ସାମାନ୍ୟତମ ଧାରଣା ନ ଥିଲା । କିନ୍ତୁ ନିର୍ବାଚନ ଲଢ଼ିଲା ପରେ ଯେଉଁ ପ୍ରକାର ଦୁଃଖ ଦୈନ୍ୟର ଦୃଶ୍ୟ ସେ ଦେଖିବାକୁ ପାଇଲେ ତାହା ବିଶ୍ଵାସ କରିବା ତାଙ୍କ ପକ୍ଷରେ କଷ୍ଟକର ହୋଇଥିଲା । ଗ୍ରାମ୍ୟ ଜୀବନର ପରିଚୟ ସ୍ପଷ୍ଟ ହେଲାବେଳକୁ ନିର୍ବାଚନ କ୍ରିୟା ପ୍ରକ୍ରିୟା ସମ୍ପର୍କରେ ତାଙ୍କର କିଛିଟା ଧାରଣା ହୋଇଥିଲା । ରାଜନୀତି କେଉଁ ସ୍ତରରେ ପହଞ୍ଚିଲାଣି ତାହାର ବାସ୍ତବ ଚିତ୍ର ସେ ଦେଖିବାକୁ ପାଇଥିଲେ । ବ୍ୟକ୍ତିଗତ ନିଷ୍ଠାର ପ୍ରମାଣ ଦେବା ନିମନ୍ତେ ପ୍ରାର୍ଥୀରୂପେ ତାଙ୍କ ନାମ ଘୋଷଣା ପରେ ପରେ କଂଗ୍ରେସ କର୍ମକର୍ତ୍ତାମାନଙ୍କୁ ତାଙ୍କର ଦୁଇଟି ନୀତି ସେ ସ୍ପଷ୍ଟ କରିଦେଇଥିଲେ । ପ୍ରଥମରେ କଂଗ୍ରେସ ଦଳ ତାଙ୍କ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିବେ ସେକଥା ସେ ଜାଣିବେ ନାହିଁ ଏବଂ ସେ ଟଙ୍କା ଗ୍ରହଣ କରିବେ ନାହିଁ । ଦଳୀୟ ନେତାମାନେ ତାହା ବ୍ୟୟ କରିବେ । ଦ୍ଵିତୀୟତଃ କୌଣସି ପୁଞ୍ଜିପତି, ଶିଳ୍ପପତି, ବ୍ୟବସାୟୀ ବା କଂଗ୍ରେସ ସମର୍ଥକଙ୍କ ପାଖରୁ ଗୋଟିଏ ପଇସା ମଧ୍ୟ ସେ ଚାନ୍ଦା ନେବେନାହିଁ । ଏହି ଦୁଇ ନୀତିରେ ଶେଷପର୍ଯ୍ୟନ୍ତ ସେ ଅଟଳ ରହିଥିଲେ । ଜାତୀୟ ସମ୍ବାଦପତ୍ରରେ ମଧ୍ୟ ଏହି ବିଷୟ ପ୍ରକାଶ ପାଇଥିଲା । ଜଣେ ଅଭିଜ୍ଞ ବନ୍ଧୁ କହିଥିଲେ, ‘‘ନିଜ ହାତରେ ଟଙ୍କା ନ ଧରି ନିର୍ବାଚନ ବୈତରଣୀ ପାର ହେବାର ଅର୍ଥ ମଝି ନଈରେ ବୁଡ଼ି ମରିବା ।’’ ଅବଶ୍ୟ ସେଥିପାଇଁ ସେ ପ୍ରସ୍ତୁତ ଥିଲେ ଏବଂ ପ୍ରଥମରୁ ଦିଲ୍ଲୀ ମହଲକୁ ଜଣାଇ ଦେଇଥିଲେ, ସେ କୌଣସି ଚଳଚ୍ଚିତ୍ର ଅଭିନେତା ନୁହନ୍ତି ଯେ ନିଜ ହାତରୁ କୋଟିଏ ଦୁଇକୋଟି ଖର୍ଚ୍ଚକରି ନିର୍ବାଚନ ଲଢ଼ିବେ । ତାଙ୍କର ଏକମାତ୍ର ସାର୍ଟିଫିକେଟ ଥାଏ, ସେ ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିଗତ ପ୍ରାର୍ଥୀ । ସେଥିପାଇଁ ଓଡ଼ିଶା କଂଗ୍ରେସର ତୁଙ୍ଗ ନେତାମାନଙ୍କ ପାଖରୁ ଗ୍ରାମାଞ୍ଚଳର କର୍ମୀମାନଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ସ୍ଵତଃପ୍ରବୃତ୍ତିଭାବେ ତାଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଥିଲେ । ଜଣେ ଅଣରାଜନୈତିକ ବ୍ୟକ୍ତି ତଥା ଅବସରପ୍ରାପ୍ତ ଶିକ୍ଷକଭାବେ ଜନସାଧାରଣଙ୍କର ତାଙ୍କ ପ୍ରତି ଆକର୍ଷଣ ଥାଏ । ଅନେକ ସ୍ଥାନରେ ସ୍କୁଲ ଛାତ୍ରମାନେ ଶୋଭାଯାତ୍ରାରେ ‘ସ୍ୱାଗତମ୍‌ ଗୁରୁଜୀ’ ଧ୍ୱନି ଦେଉଥିଲେ-। ଭୁବନେଶ୍ୱରଠାରୁ ଦୂରବର୍ତ୍ତୀ ଦଶପଲ୍ଲା ପର୍ଯ୍ୟନ୍ତ ନିର୍ବାଚନୀ ସଭାରେ ତାଙ୍କୁ ଶୁଣିବାଲାଗି ହଜାର ହଜାର ଲୋକ ସମବେତ ହେଉଥିଲେ । ତାଙ୍କ ଭାଷଣର କିମିଆ ଲୋକଙ୍କୁ ମୁଗ୍ଧ କରୁଥିଲା । ଯଦିଓ ତାଙ୍କୁ ଶୁଣିବାକୁ ଆସୁଥିବା ସବୁଲୋକ ତାଙ୍କୁ ଭୋଟ ଦେବେ ବୋଲି ସେ ଭାବୁ ନ ଥିଲେ ।

 

ତାଙ୍କ ସହିତ ଲଢ଼ୁଥିବା ବିପକ୍ଷ ଦଳର ପ୍ରାର୍ଥୀମାନେ ଥିଲେ ଜନତା ଦଳ ସମର୍ଥିତ ସି.ପି.ଏମ୍‌. ପ୍ରାର୍ଥୀ ଶିବାଜୀ ପଟ୍ଟନାୟକ, ଭାରତୀୟ ଜନତା ଦଳର ଶାନ୍ତି ଦାସ ଓ ଚନ୍ଦ୍ରଶେଖରଙ୍କ ଦଳର ବାଙ୍କ ବିହାରୀ ଦାସ । ସମସ୍ତେ ତାଙ୍କର ଅନ୍ତରଙ୍ଗ ବ୍ୟକ୍ତି ଓ ପୁରାତନ ବନ୍ଧୁ ହୋଇଥିବାରୁ ଅଧିକାଂଶ ସଭାରେ ସେମାନଙ୍କ ପ୍ରଶଂସା ଗାନ ପରେ ସେ କଂଗ୍ରେସ ପାଇଁ ଭୋଟ ପ୍ରାର୍ଥନା କରୁଥିଲେ । ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ସବୁ ବିଧାନସଭା ମଣ୍ଡଳୀ ଜନତା ଦଳର ଦଖଲରେ ଥିବା ସତ୍ତ୍ୱେ ଗୋଟିଏ ସଭାରେ ପ୍ରାୟ ଦଶହଜାର ଲୋକଙ୍କ ସମାବେଶ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ । ସ୍ଥାନୀୟ ମାଇନର ସ୍କୁଲ, ହାଇସ୍କୁଲ ଓ କଲେଜ ଛାତ୍ରମାନେ ନିଜେ ନିଜେ ଚାନ୍ଦା ଦେଇ ଏହାର ଆୟୋଜନ କରିଛନ୍ତି ଶୁଣି ତାଙ୍କ ଆଖିକୁ ଲୁହ ଆସିଯାଇଥିଲା । ବିରୋଧୀ ଦଳ କିନ୍ତୁ ବାହାରର ଲୋକ ବୋଲି ତାଙ୍କ ବିରୋଧରେ ପ୍ରଚାର ଚଳାଇଥିଲେ । ଅପର୍ଯ୍ୟାପ୍ତ ଅର୍ଥବ୍ୟୟ ହେଉଥିବାର ସେ ଖବର ପାଉଥିଲେ । ତାଙ୍କ ପାଖକୁ ଆସୁଥିବା କର୍ମୀମାନଙ୍କୁ ସେ କାହ୍ନୁଚରଣ ଲେଙ୍କା ଓ ବସନ୍ତ କୁମାର ବିଶ୍ୱାଳଙ୍କ ପାଖକୁ ପଠାଇ ଦେଇ ନିଜେ ସକାଳୁ ଏକାକୀ ଖଣ୍ଡିଏ ଗାଡ଼ିରେ ବାହାରିଯାଇ ସଭାସମିତିରେ ଯୋଗ ଦେଇ ଗାଁ ଗଣ୍ଡା ବୁଲି ମଧ୍ୟରାତ୍ର ବେଳକୁ ଭୁବନେଶ୍ଵର ଫେରୁଥିଲେ । ଆଇନ ଅନୁଯାୟୀ ପୋଲିସ ସାହେବ ବାରମ୍ବାର ବନ୍ଧୁକଧାରୀ ଦେହରକ୍ଷୀ ତାଙ୍କ ସାଙ୍ଗରେ ପଠାଇବେ ବୋଲି ଜିଦ୍‌ ଧରିଥିଲେ ମଧ୍ୟ ସେ ମନା କରିଥିଲେ । ବିପକ୍ଷ ପ୍ରାର୍ଥୀ ଓ ସେମାନଙ୍କ ପ୍ରଚାରକମାନେ ବି ତାଙ୍କୁ ସମ୍ମାନ ଦେଉଥିଲେ ।

 

ତାଙ୍କ ନିର୍ବାଚନ ପ୍ରକ୍ରିୟା ଉପରେ ରାଜୀବ ଗାନ୍ଧୀ ପ୍ରଥମରୁ ଧ୍ୟାନ ରଖିଥିଲେ । ଅଜିତ୍‌ କୁମାର ପାଞ୍ଜା, ରାଜୁ ପାର୍‌ମାର୍‌ ଓ ହଂସପାଲ୍‌ ପ୍ରମୁଖ ନେତାମାନେ ଭୁବନେଶ୍ଵରରେ ଡେରା ପକାଇ ରହୁଥିଲେ । ୧୯୯୧ ମେ ୨୦ ତାରିଖ ଦିନ ରାଜୀବ ଗାନ୍ଧୀ ନିଜେ ଏକ ଜନସମାବେଶରେ ଉଦ୍‌ବୋଧନ ଦେବେ ବୋଲି ଖବର ଆସିଲା । କ୍ୟାପିଟାଲ ହାଇସ୍କୁଲ୍‌ ପଛ ବିସ୍ତୃତ ଖେଳପଡ଼ିଆରେ ସୁସଜ୍ଜିତ ମଞ୍ଚ ତିଆରି ହେଲା ଓ ପଚାଶ ହଜାରରୁ ଉର୍ଦ୍ଧ୍ୱ ଲୋକ ସମବେତ ହେବେ ବୋଲି ଆକଳନ କରାଯାଇଥିଲା । ସନ୍ଧ୍ୟା ୭ଟାରେ ସ୍ଵତନ୍ତ୍ର ବିମାନ ଯୋଗେ କଂଗ୍ରେସ ସଭାପତି ଭୁବନେଶ୍ୱର ବିମାନଘାଟିରେ ପହଞ୍ଚିବାର କଥା ଥାଏ । ରାତି ୮ଟା ସମୟରେ ରାଜୀବ ଗାନ୍ଧୀ ବିମାନରୁ ଓହ୍ଲାଇ ତାଙ୍କ ସହ ଯାଇଥିବା ଦୁଇ ନାତୁଣୀ ବିଦିଶା ଓ ସତ୍ୟଶ୍ରୀଙ୍କ ହାତରୁ ଫୁଲନେଇ ସେମାନଙ୍କ ମୁଣ୍ଡ ଉପରେ ଦୁଇ ତିନିଥର ଚୁମ୍ବନ ଦେଇଥିଲେ । ପ୍ରତିକୂଳ ପାଗ ଯୋଗୁଁ କିଛିଲୋକ ଚାଲିଯାଇଥିଲେ ବି ପ୍ରାୟ ଚାଳିଶ ହଜାର ଜନତା ଉପସ୍ଥିତ ଥା’ନ୍ତି । ମନ୍ମଥବାବୁ ସଭାରେ ତାଙ୍କୁ ସ୍ଵାଗତ କଲାପରେ ଚେୟାରରେ ବସିଲାବେଳେ ରାଜୀବ ଗାନ୍ଧୀ ତାଙ୍କ ହାତଧରି ଆସନରୁ ଉଠାଇ ତାଙ୍କ ନିକଟରେ ଛିଡ଼ା କରାଇ ରଖିଲେ । ରାଜୀବ ଗାନ୍ଧୀ ହିନ୍ଦୀରେ ୩୦ ମିନିଟ୍‌ ସମୟ ଭାଷଣ ଦେଇ ଜନତାଙ୍କ ମନ୍ତ୍ରମୁଗ୍ଧ କରିଦେଇଥିଲେ । ସଭା ସ୍ଥଳରୁ ତାଙ୍କ ସାଙ୍ଗରେ ମନ୍ମଥବାବୁ ରାଜ୍ୟ ଅତିଥି ଭବନକୁ ଯାଇଥିଲେ । କଥାବାର୍ତ୍ତା ପ୍ରସଙ୍ଗରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ଏତେଗୁଡ଼ାଏ ବିକ୍ଷିପ୍ତ ଅଞ୍ଚଳରେ ତାଙ୍କୁ ବୁଲିବାକୁ ପଡୁଥିବାରୁ ରାଜୀବ ଗାନ୍ଧୀ ଚିନ୍ତା ପ୍ରକଟ କରିଥିଲେ । ରାତି ୧୦ଟା ୩୫ରେ ରାଜୀବ ଗାନ୍ଧୀଙ୍କ ପାଖରୁ ସେ ବିଦାୟ ନେଇ ଆସିଲା ବେଳେ ସହାସ୍ୟ ବଦନରେ ସେ କହିଥିଲେ, ‘Hope to see you in Delhi’. ପରେ ରାଜୁ ପରମାର୍‌ଙ୍କ ଠାରୁ ସେ ଶୁଣିଥିଲେ ଯେ ସେଦିନ ରାତି ଗୋଟାଏ ପର୍ଯ୍ୟନ୍ତ ସେ ଲୋକମାନଙ୍କୁ ସାକ୍ଷାତ ଦେଇସାରି ଅତିଥି ଭବନର ଛାତ ଉପରେ ଏକାକୀ କିଛି ସମୟ ପଦଚାରଣ କରିଥିଲେ ।

 

୩୧ ତାରିଖ ପ୍ରଭାତରେ ମନ୍ମଥବାବୁ ପ୍ରଚାର ଲାଗି ଖଣ୍ଡପଡ଼ା ଅଞ୍ଚଳକୁ ବାହାରି ଯାଇଥିଲେ । ସକାଳୁ ସନ୍ଧ୍ୟା ଯାଏଁ କର୍ମୀମାନଙ୍କ ଗହଣରେ ଗାଁଗଣ୍ଡା ବୁଲି, ଦୁଇଟି ସାଧାରଣ ସଭାରେ ଭାଷଣ ଦେଇ ସନ୍ଧ୍ୟା ୬ଟା ବେଳେ କଣ୍ଟିଲୋ ଠାରେ ଆୟୋଜିତ ବଡ଼ ଧରଣର ସମାବେଶରେ ଯୋଗ ଦେଇସାରି ଭୁବନେଶ୍ୱରରେ ପହଞ୍ଚୁଥିଲେ ରାତି ୧୦ ଟା ୨୦ ମିନିଟ୍‌ରେ । ହାତ ଗୋଡ଼ ଧୋଇ ରୁଟି ଖଣ୍ଡିଏ ପାଟିରେ ଦେଲାବେଳକୁ ଫୋନ ବାଜି ଉଠିଥିଲା । ସେତେବେଳକୁ ରାତି ୧୦ଟା ୪୦ ମିନିଟ୍‌ । ସାନଭାଇ ମନୋଜ ଦାସ ପଣ୍ଡିଚେରୀରୁ ଜଣାଇଲେ ଯେ ମାତ୍ର ଅଳ୍ପ ସମୟ ପୂର୍ବରୁ ରାଜୀବ ଗାନ୍ଧୀ ମାନ୍ଦ୍ରାଜ ଠାରୁ କିଛି ଦୂରରେ ଶ୍ରୀପେରୁମ୍ବୁଦୁର ଠାରେ ବୋମା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଖାଇବା ଥାଳି ଠେଲି ଦେଇ ବ୍ୟଥିତ ଚିତ୍ତରେ ପରିବାର ଲୋକଙ୍କୁ ସେ ଜଣାଇଲେ ଯେ ରାଜୀବ ଗାନ୍ଧୀ ଆଉ ସଂସାରରେ ନାହାନ୍ତି, ଶତ୍ରୁମାନେ ତାଙ୍କୁ ମାରିଦେଇଛନ୍ତି । ବିକଳ ଭାବରେ ସମସ୍ତେ କାନ୍ଦି ଉଠିଥିଲେ ।

 

ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ଯୋଗୁଁ ଭୋଟ ତାରିଖ ୩ ସପ୍ତାହ ଘୁଞ୍ଚି ଯାଇଥିଲା । ପ୍ରଚାର କାର୍ଯ୍ୟ ଲାଗି ତାଙ୍କର ଆଉ ପୂର୍ବ ଉତ୍ସାହ ନ ଥିଲା । ଯେଉଁ ବ୍ୟକ୍ତି ତାଙ୍କୁ ରାଜନୀତିକୁ ଟାଣିନେଇଥିଲେ ତାଙ୍କ ଅକାଳ ବିୟୋଗରେ ସେ ହତାଶ ବୋଧ କରିଥିଲେ । ନବନିର୍ବାଚିତ କଂଗ୍ରେସ ସଭାପତି ପି.ଭି.ନରସିଂହ ରାଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ତାଙ୍କ ପ୍ରଚାର ଅଭିଯାନ ଆରମ୍ଭ କରିବେ ବୋଲି ଖବର ଆସିଲା ଓ ସହର ଉପକଣ୍ଠ ତମାଣ୍ଡୋଠାରେ ଜନସମାବେଶ ପାଇଁ ଆୟୋଜନ ଚାଲିଥିଲେ ବି ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବଦଳି ଯାଇଥିଲା । ନିର୍ବାଚନ ଫଳ ପ୍ରକାଶ ପାଇଲା । ସେ ଦୁଇଲକ୍ଷ ସାତ ହଜାର ଭୋଟ ପାଇଥିଲେ, ଆଉ ମାତ୍ର ଚାରିହଜାର ଭୋଟ ପାଇଥିଲେ ସେ ନିର୍ବାଚିତ ହୋଇଥାନ୍ତେ । ଭୁବନେଶ୍ୱର ସହରର ବହୁସଂଖ୍ୟକ କଂଗ୍ରେସ ଭୋଟଦାତା କେଉଁ ନିଗୂଢ଼ ରହସ୍ୟ ଯୋଗୁଁ ବୁଥ୍‌ ନମ୍ବର ଜାଣିବା ଲାଗି ଚିର୍‌କୁଟ୍‌ ପାଇଲେ ନାହିଁ, ତାହା ସେ ବୁଝିପାରିନଥିଲେ। ତାଙ୍କର ପ୍ରିୟ ଛାତ୍ରମାନଙ୍କୁ ନିର୍ବାଚନ ପ୍ରଚାରରେ ସମୟ ନଷ୍ଟ ନ କରି ପଢ଼ାପଢ଼ି ପ୍ରତି ଧ୍ୟାନ ଦେବାକୁ ତାଙ୍କର ପରାମର୍ଶ ଯୋଗୁଁ ସେ ନିର୍ବାଚନରେ ହାରିଲେ ବୋଲି କେହି କେହି କହିଲେ । ଫଳ ଜାଣିଲା କ୍ଷଣି ପରିବାର ଲୋକଙ୍କୁ କହିଥିଲେ, ‘‘This is the happiest moment of my life.’’ ପରାଜୟ ସମ୍ବାଦ ପାଇ ଦିନକ ମଧ୍ୟରେ ମନୋଜ ଦାସ ପଣ୍ଡିଚେରୀରୁ ସାନ୍ତ୍ଵନା ଦେବାକୁ ଆସି ଦେଖିଲାବେଳକୁ ସେ ପରମ ଆତ୍ମସନ୍ତୋଷ ଉପଭୋଗ କରୁଛନ୍ତି । ନିର୍ବାଚନ ପରେ ସର୍ବମୋଟ ଦୁଇଲକ୍ଷ ଏଗାର ହଜାର ଟଙ୍କା ବିଲ୍‌ ତାଙ୍କ ପାଖରେ ପହଞ୍ଚୁଥିଲା । ରାଜୀବ ଗାନ୍ଧୀଙ୍କ ତିରୋଧାନ ପରେ ତାଙ୍କ ସ୍ଵାମୀଙ୍କ ମନୋନୀତ ପ୍ରାର୍ଥୀଙ୍କୁ ସାହାଯ୍ୟ କରିବାଲାଗି କାହ୍ନୁଚରଣ ଲେଙ୍କାଙ୍କ ହାତରେ ଯେଉଁ ଏକ ଲକ୍ଷ ଟଙ୍କା ସୋନିଆ ଗାନ୍ଧୀ ପଠାଇଥିଲେ, ନିର୍ବାଚନରେ ଜିତିଲା ପରେ ତାଙ୍କୁ ଫେରାଇ ଦେବେ ବୋଲି ଭାବିଥିଲେ । ମାତ୍ର ପରାଜିତ ହୋଇଥିବାରୁ ତାହା ସମ୍ଭବ ହୋଇନଥିଲା । ସେତକ ଟଙ୍କା ସହ ବାକି ଟଙ୍କା କରଜ କରି ସେ ନିର୍ବାଚନ ରଣ ପରିଶୋଧ କରିଥିଲେ । ନିଜେ ଗୋଟିଏ ଟଙ୍କା ହାତରେ ଧରି ନ ଥିଲେ ମଧ୍ୟ ଲକ୍ଷଲକ୍ଷ ସଂଖ୍ୟାର ପ୍ରଚାରପତ୍ର ମୁଦ୍ରଣ, ରଙ୍ଗିନ୍‌ ପୋଷ୍ଟର ଛପା, ଅଫିସ୍‌ ଖର୍ଚ୍ଚ, କଟଆଉଟ୍‌ ଇତ୍ୟାଦିର ବିଲ୍‌ ତାଙ୍କୁ ଦେବାକୁ ପଡ଼ିଥିଲା ।

 

ସପ୍ତାହକ ମଧ୍ୟରେ ଦିଲ୍ଲୀସ୍ଥିତ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ ବି ସାକ୍ଷାତ ଲାଗି ଆବେଦନ ନ କରି ପ୍ରିୟଙ୍କା ଓ ରାହୁଲଙ୍କ ଲାଗି ତାଙ୍କର ଦୁଇଖଣ୍ଡ ବହି ଉପହାର ଦେଇ ସେ ଫେରିଆସିଥିଲେ । ଗାନ୍ଧୀ ପରିବାରର ଜଣେ ନିକଟତମ ବ୍ୟକ୍ତି ତାଙ୍କ ଲାଗି ଯଥାଯୋଗ୍ୟ ପଦ ପଦବୀ ବନ୍ଦୋବସ୍ତ କରିବେ ବୋଲି କହିଥିଲେ ମଧ୍ୟ ସେ ବିନମ୍ରତାର ସହିତ ସେସବୁରେ ତାଙ୍କର ଆଗ୍ରହ ନାହିଁ ବୋଲି ଜଣାଇ ଫେରିଆସିଥିଲେ । ଜଣକ ପରେ ଜଣେ ତୁଙ୍ଗ ନେତାଙ୍କୁ ଭେଟି ରାଜନୀତି ପ୍ରତି ପ୍ରଣାମ ଜଣାଇ ସେଥିରୁ ମୁକ୍ତିଲାଭ କଲେ ବୋଲି ଦୃଢ଼ ଭାବରେ ଘୋଷଣା କରିଥିଲେ । ମନ୍ତ୍ରୀ ଅଜିତ୍‌ କୁମାର ପାଞ୍ଜା ଓ ପଞ୍ଜାବୀ ଶିଖ୍‌ ନେତାଙ୍କ ବାସଭବନରେ ଶିଖ୍‌ ବନ୍ଧୁମାନଙ୍କ ସହିତ ଖୋଲାଖୋଲି ଆଲୋଚନାରୁ ସାମ୍ପ୍ରତିକ ରାଜନୀତିର ପ୍ରକୃତ ସ୍ଵରୁପ ସେ ବୁଝିପାରିଥିଲେ । ଝୁଟ୍‌, ଲୁଟ୍‌, ବେଇମାନୀ ଓ ସଇତାନୀ ଏହି ଚାରି ବିଦ୍ୟାର ମହତ୍ତ୍ଵ ଉପଲବ୍‌ଧି ପୂର୍ବକ ରାଜନୀତିରୁ ସେ ଚିରଦିନ ପାଇଁ ବିଦାୟ ନେବାକୁ ମନୋବଳ ଦୃଢ଼ କରିଥିଲେ ।

 

ସେ ରାଜନୀତିରୁ ବିଦାୟ ନେଇଥିଲେ ମଧ୍ୟ ରାଜନୀତି ତାଙ୍କୁ ଛାଡ଼ି ନ ଥିଲା । ୧୯୯୫ ମସିହାରେ କଂଗ୍ରେସ ଦଳ ପୁଣି ଥରେ ଶାସନକୁ ଆସିଥିଲା ଏବଂ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୮ ମସିହାରେ ତିନିଟି ରାଜ୍ୟସଭା ସ୍ଥାନ ଖାଲି ପଡ଼ିଥିଲା । ସଂଖ୍ୟାଗରିଷ୍ଠ ଦଳ ଭାବରେ ଦୁଇଜଣ ପ୍ରାର୍ଥୀଙ୍କ ପାଇଁ କଂଗ୍ରେସ ଦଳର ଆବଶ୍ୟକୀୟ ଭୋଟ ଥିଲେ ମଧ୍ୟ ଅନ୍ୟଜଣେ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ଥିଲା । କଂଗ୍ରେସ ଦଳର ଦୁଇଜଣ ପ୍ରାର୍ଥୀଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ ପରେ ମାତ୍ର ନଅଟି ଭୋଟ ବଳକା ଦେଉଥିଲା । ମାତ୍ର ଆଉ ଅଠେଶଟି ଭୋଟ ସେଥିପାଇଁ ଆବଶ୍ୟକ ପଡ଼ୁଥିଲା । କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷ ଦୁଇଜଣଙ୍କୁ ମନୋନୀତ କରିଥିଲେ । ସେମାନେ ହେଲେ ରାମଚନ୍ଦ୍ର ଖୁଣ୍ଟିଆ ଓ ରଙ୍ଗନାଥ ମିଶ୍ର । ସେତେବେଳେ ବିରୋଧୀ ଜନତା ଦଳ ମଧ୍ୟରେ ପ୍ରବଳ ବିବାଦ ଓ ମତଭେଦ ଥିବାରୁ ତା’ର ସୁଯୋଗ ନେଇ କଂଗ୍ରେସ ପକ୍ଷରୁ ଜଣେ ତୃତୀୟ ପ୍ରାର୍ଥୀ ଦେବାପାଇଁ ମୁଖ୍ୟମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରଭାବିତ କରିପାରିଥିଲେ । ବିରୋଧୀ ଜନତା ଦଳର ଏକ ଗୋଷ୍ଠୀ ଚାହୁଁଥିଲେ ଯେ କଂଗ୍ରେସ ଦଳଭୁକ୍ତ ହୋଇନଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ବଛାଗଲେ ସେମାନେ ତାଙ୍କୁ ସମର୍ଥନ କରିବେ । ତଦନୁଯାୟୀ ଜାନକୀବାବୁ ମନ୍ମଥନାଥ ଦାସଙ୍କୁ ଠିଆ ହେବା ପାଇଁ ରାଜି କରାଇଥିଲେ । ନିର୍ବାଚନ ପୂର୍ବଦିନ ମନ୍ମଥବାବୁ ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କୁ କହିଥିଲେ ଯେ ନିର୍ବାଚନ ଦିନ ସେ ରୁଦ୍ଧଦ୍ଵାର କକ୍ଷରେ ରହିଥିବେ । ଯଦି ହାରିବା କଥା ଶୁଣିବେ ତାହାଲେ ଲଜ୍ଜାରେ ଆତ୍ମହତ୍ୟା କରିବାକୁ ବାଧ୍ୟହେବେ । ମାତ୍ର କଂଗ୍ରେସର ତୃତୀୟ ପ୍ରାର୍ଥୀଭାବେ ସେ ଅଦ୍ଭୁତ ଭାବେ ବିଜୟ ଲାଭ କରିଥିଲେ ।

 

ସେ ଯେ ନିଜର ଲାଭ ଓ ଲୋଭ ପାଇଁ ରାଜ୍ୟସଭାର ସଦସ୍ୟ ପଦ ବରଣ କରିନଥିଲେ ତାହା ତାଙ୍କର ଛଅ ବର୍ଷ କାର୍ଯ୍ୟକାଳର କ୍ରିୟାକଳାପ ସୂଚନା ଦେଇଥିଲା । ଜଣେ ରାଜନୀତିକ ବ୍ୟକ୍ତିଭାବରେ ନୁହେଁ ବରଂ ଜଣେ ସଚ୍ଚା ବୁଦ୍ଧିଜୀବୀ ଓ ସମାଜସେବୀ ଭାବରେ ଲୋକମାନଙ୍କର ସେବା ଓ ସାମାଜିକ ସ୍ଵାର୍ଥ ସାଧନ ପାଇଁ ସେ ନିଜ ପଦ ଓ ସାଂସଦ ପାଣ୍ଠିର ସଦୁପଯୋଗ କରିଥିଲେ । ଆଜିର ଅଧିକାଂଶ ରାଜନେତା ଓ ଲୋକ ପ୍ରତିନିଧିଙ୍କ ଭଳି ବ୍ୟକ୍ତିଗତ ସ୍ୱାର୍ଥହାସଲ ତାଙ୍କର ଉଦ୍ଦେଶ୍ୟ ନ ଥିଲା । ତେଣୁ ଛଅବର୍ଷ ମଧ୍ୟରେ ସେ ତାଙ୍କର ସାଂସଦ ପାଣ୍ଠିକୁ ମୁଖ୍ୟତଃ ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟ ଓ ଶିକ୍ଷାର ଉନ୍ନତିରେ ବିନିଯୋଗ କରିଥିଲେ । ତାଙ୍କ ପ୍ରଦତ୍ତ ଅର୍ଥରାଶିର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ଏବଂ ଠିକାଦାରମାନେ ଠିକ୍‌ ଭାବେ କାମ କରୁଛନ୍ତି କି ନାହିଁ, ସେ ନିଜେ ଗୋପନରେ ଆସି ତଦାରଖ କରୁଥିଲେ, ଯାହା ଅଧିକାଂଶ ଲୋକ ପ୍ରତିନିଧି କରି ନ ଥାନ୍ତି । ତାଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ସେ କୌଣସି ଭିତ୍ତି ସ୍ଥାପନ ଉତ୍ସବ କିମ୍ବା ଶୁଭ-ଉଦ୍‌ଘାଟନ ଉତ୍ସବକୁ ଯାଉ ନ ଥିଲେ । ଅନ୍ୟାନ୍ୟ ଜିଲ୍ଲାରେ କେତେକ ଉନ୍ନୟନମୂଳକ କାର୍ଯ୍ୟସହ ବାଲେଶ୍ୱର ଜିଲ୍ଲାର ଉନ୍ନତି କଳ୍ପେ ସେ ଅଧିକ ଧ୍ୟାନ ଦେଇଥିଲେ । ବିଶେଷକରି ରାଜ୍ୟସଭା ସଦସ୍ୟଭାବେ ବନ୍ୟାପୀଡ଼ିତ ଏବଂ ବିକାଶ କ୍ଷେତ୍ରରେ ଅନୁନ୍ନତ ଭୋଗରାଇ ଅଞ୍ଚଳର ରାସ୍ତାଘାଟ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବହୁବିଧ ଉନ୍ନତି ସାଧନ କରିବାରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ । ତାଙ୍କ ସାଂସଦୀୟ ପାଣ୍ଠିରୁ ଅନୁଦାନ ମଞ୍ଜୁର କଲାବେଳେ ସେ କୌଣସି ସଂକୀର୍ଣ୍ଣ ରାଜନୀତିକ ବାଛବିଚାର କରୁ ନ ଥିଲେ । ତାଙ୍କର ଏତାଦୃଶ ଉଦାର ମନୋଭାବକୁ କିଛି ରାଜନେତା ନାପସନ୍ଦ କରୁଥିଲେ ମଧ୍ୟ ସେ ନିଜ ନୀତିରେ ଅଟଳ ଥିଲେ । ଉତ୍ତର ଭୋଗରାଇର ଭଗ୍ନପ୍ରାୟ ଅବସ୍ଥାରେ ଥିବା ସମସ୍ତ ହାଇସ୍କୁଲ ଓ ଡାକ୍ତରଖାନାକୁ ବିପୁଳ ଅନୁଦାନ ପ୍ରଦାନ କରିଥିଲେ । କମର୍ଦ୍ଦା ହାଇସ୍କୁଲକୁ ଦଶଲକ୍ଷ ଟଙ୍କା ମଞ୍ଜୁର କରି ଏକ ଦୁଇ ମହଲା ବିଦ୍ୟାଳୟ ଗୃହ ନିର୍ମାଣ କରାଇଥିଲେ । ତାଙ୍କ ସଂସଦୀୟ ଅନୁଦାନରେ ନିର୍ମିତ ହୋଇଥିବା କୌଣସି କାର୍ଯ୍ୟରେ ତାଙ୍କ ନାମଫଳକ ଲଗାଯିବାକୁ ସେ ବିରୋଧ କରୁଥିଲେ, ନିଜେ ମଧ୍ୟ ତାହା ଉଦ୍‌ଘାଟନ କରିବାକୁ ଯାଉ ନ ଥିଲେ । କୌଣସି ବ୍ୟକ୍ତି ତାଙ୍କୁ ଫୁଲତୋଡ଼ା ବା ଫୁଲମାଳ ଦେଲେ ସେ ତା’ର ଘୋର ପ୍ରତିବାଦ କରୁଥିଲେ, ଯେଉଁଥିରୁ ତାଙ୍କର ଆତ୍ମପ୍ରଚାର ବିମୁଖତା ଓ ସ୍ଵାଭିମାନ ସ୍ପଷ୍ଟ ପ୍ରତୀୟମାନ ହୁଏ । ତାଙ୍କ ସାଂସଦ ପାଣ୍ଠିରୁ କଟକ, ଖୋର୍ଦ୍ଧା, ଫୁଲବାଣୀ ଆଦି ଜିଲ୍ଲାରେ ମଧ୍ୟ ଜନହିତକର କାର୍ଯ୍ୟମାନ ସମ୍ପାଦିତ ହୋଇଥିଲା । ବାଲେଶ୍ଵର ସ୍ଥିତ ଶକୁନ୍ତଳା ବାଳିକା ଉଚ୍ଚବିଦ୍ୟାଳୟର ଦ୍ୱିତଳ ଅଟ୍ଟାଳିକା ପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ପ୍ରଦାନ କରିବା ସହ ବାଲେଶ୍ଵର ଛତୁଆ ପୋଖରୀ କୂଳରେ ଥିବା ବ୍ୟାସକବି ଫକୀରମୋହନଙ୍କ ଦାହସ୍ଥଳୀରେ ସମାଧିମନ୍ଦିର ନିର୍ମାଣ ପାଇଁ ସେ ଅର୍ଥ ମଞ୍ଜୁର କରିଥିଲେ ।

 

ଅନୁନ୍ନତ ଜଳେଶ୍ଵର-ଚନ୍ଦନେଶ୍ୱର ରାସ୍ତାର ମରାମତି ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ପଚାଶଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ସେଥିପାଇଁ କେନ୍ଦ୍ର ସରକାରଙ୍କ ପାଣ୍ଠିରୁ ମଧ୍ୟ ପାଞ୍ଚକୋଟି ଟଙ୍କା ଆଣିବାରେ ଗୁରୁତ୍ୱପୂର୍ଣ ଭୂମିକା ବହନ କରିଥିଲେ । ଏଥିସହିତ ଭୁଷଣ୍ଡେଶ୍ଵର ମନ୍ଦିର ପାଖକୁ ରାସ୍ତା ଓ ପୋଲ ନିର୍ମାଣ, ଏ.ଏନ୍‌.ଏମ୍‌.ସେଣ୍ଟରମାନ ସ୍ଥାପନ ଓ ଜଳେଶ୍ଵରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ବହୁବିଧ ଉନ୍ନତି ସହ ଆମ୍ବୁଲାନ୍‌ସ ଯୋଗାଣ, କେତେକ ଗ୍ରାମକୁ ବିଦ୍ୟୁତ ଯୋଗାଣ ପ୍ରଭୃତି ବହୁ ଲୋକହିତକର କାର୍ଯ୍ୟ ସେ କରିପାରିଥିଲେ । ଚନ୍ଦନେଶ୍ୱରଠାରେ ପ୍ରାୟ ୬୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୁବୃହତ ଯାତ୍ରୀନିବାସ ନିର୍ମାଣ ତାଙ୍କ ସାଂସଦୀୟ ଜୀବନର ଅନ୍ୟତମ କୃତିତ୍ୱ, ଯାହା ତାଙ୍କ ମା’- ମାଟି ପ୍ରତି ମମତ୍ୱବୋଧକୁ ପ୍ରମାଣିତ କରିଥାଏ । ଖବରକାଗଜରେ କୁକୁର କାମୁଡ଼ା ଭେକ୍‌ସିନ୍‌ଟିଏ ଜଳେଶ୍ଵରପୁର ଡାକ୍ତରଖାନାରେ ମିଳୁନଥିବାର ସମ୍ବାଦ ପ୍ରକାଶ ପାଇଲାପରେ ସେ ଭୋଗରାଇର ସମସ୍ତ ଡାକ୍ତରଖାନାରେ ଭେକ୍‌ସିନ୍‌ ରଖିବା ଲାଗି ଫ୍ରିଜ୍‌ର ବ୍ୟବସ୍ଥା କରିବା ସହ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସେ କେତୋଟି ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ କରାଇଥିଲେ ।

 

ଥରେ ପାର୍ଲିଆମେଣ୍ଟରେ ସାଂସଦମାନଙ୍କର ଦରମା ବଢ଼ିବା ବିଷୟରେ ତର୍କ ଚାଲିଥିବାବେଳେ ସେ ତାହାର ବିପକ୍ଷରେ ସ୍ୱର ଉତ୍ତୋଳନ କରି କହିଥିଲେ, ‘‘ଆମେ ହେଉଛୁ ଏ ଦେଶର ସେବକ । ସେବା ଆମର ଧର୍ମ । ଅର୍ଥ ଆମର କାମ୍ୟ ହେବା ଉଚିତ ନୁହେଁ ।’’ ଏଭଳି ଉଦାହରଣ ତଥା ମହାନତା କ୍ୱଚିତ୍ ରାଜନୀତିଜ୍ଞଙ୍କ ପାଖରେ ଦେଖିବାକୁ ମିଳେ । ରାଜନୀତିର ପଙ୍କିଳ ପରିବେଶରେ ବୁଡ଼ି ରହି ମଧ୍ୟ ଜଣେ କିପରି ସମ୍ପୂର୍ଣ୍ଣ ନିଷ୍କଳଙ୍କ ରହିପାରେ ସେ ତା’ର ଜ୍ୱଳନ୍ତ ନିଦର୍ଶନ । କଂଗ୍ରେସ ପ୍ରାର୍ଥୀରୂପେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ଓଡ଼ିଶାର ଅନ୍ୟତମ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା । ୧୯୯୧ ଲୋକସଭା ନିର୍ବାଚନରେ ମନ୍ମଥନାଥ ଦାସଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବିରୋଧରେ ସେ କୌଣସି ସଭାରେ ମୁହଁ ଖୋଲି ନ ଥିଲେ । ଭୁବନେଶ୍ୱରରେ ଗୋଟିଏ ହେଲେ ନିର୍ବାଚନୀ ସଭାରେ ଯୋଗଦେଇ ନ ଥିଲେ ବା ଗଣମାଧ୍ୟମରେ ମନ୍ମଥବାବୁଙ୍କ ବିରୁଦ୍ଧରେ ବିବୃତ୍ତି ଦେଇ ନଥିଲେ । ୧୯୯୪ ମସିହାରେ ଯେତେବେଳେ ଜାତୀୟ ଅଭିଲେଖାଗାର ତରଫରୁ ତାଙ୍କ ଜୀବନଦର୍ଶନ ଓ ରାଜନୀତିଜ୍ଞ ଅଭିଜ୍ଞତା ଉପରେ ଏକ ଅଡ଼ିଓ-ଡକ୍ୟୁମେଣ୍ଟାରୀ କରାଯିବାର ଯୋଜନା ହେଲା, ବିଜୁବାବୁ ତାଙ୍କ ସାକ୍ଷାତକାର ନେବାପାଇଁ ମନ୍ମଥନାଥ ଦାସଙ୍କୁ ପସନ୍ଦ କରିଥିଲେ, ଯାହା ଉଭୟଙ୍କ ସମ୍ପର୍କର ଗଭୀରତାକୁ ପ୍ରମାଣିତ କରେ । ମନ୍ମଥବାବୁ ବିଜୁ ପଟ୍ଟନାୟକଙ୍କୁ ଯେକୌଣସି ଅନୁରୋଧ କରୁଥିଲେ ସେ ତାହା ନିର୍ଣ୍ଣୟ ରଖୁଥିଲେ, ତାହା କାହାପାଇଁ ବିଧାୟକ ଟିକଟ ନିମନ୍ତେ ହେଉ ବା ଅନ୍ୟ କାହାପାଇଁ ମନ୍ତ୍ରୀପଦ ପାଇଁ ହେଉ । ରାଜଧାନୀରେ ଯେଉଁ ସଭା ସମିତିକୁ ବିଜୁବାବୁଙ୍କୁ ନିମନ୍ତ୍ରଣ କରାଯାଉଥିଲା ସେ ଆୟୋଜକମାନଙ୍କୁ ମନ୍ମଥବାବୁଙ୍କୁ ଆମନ୍ତ୍ରଣ କରିବାକୁ ଉପଦେଶ ଦେଉଥିଲେ । କଳିଙ୍ଗର ଇତିହାସ ତଥା ଗାରିମା ମନ୍ମଥବାବୁ ସଭା ସମିତିରେ ବଖାଣୁଥିବା ବେଳେ ବିଜୁବାବୁ ତନ୍ମୟ ହୋଇ ଶୁଣୁଥିଲେ । ବୌଦ୍ଧିକ ସ୍ତରରେ ଉଭୟଙ୍କର ସମ୍ପର୍କ ଖୁବ୍ ଘନିଷ୍ଠ ଥିଲା । ଏଥିରୁ ରାଜନୀତିର ସଂକୀର୍ଣ୍ଣତାରୁ ଉଭୟେ ମୁକ୍ତ ଥିଲେ ବୋଲି ବେଶ୍ ପ୍ରତିପାଦିତ ହୁଏ । ବିଭିନ୍ନ ସମୟରେ ମନ୍ମଥବାବୁ ରାଜନୀତିରେ ମଞ୍ଚ ପ୍ରବେଶ କରିଛନ୍ତି ସତ, ମାତ୍ର ଏହା ତାଙ୍କର ଜୀବନାଦର୍ଶ ହୋଇପାରି ନାହିଁ । ବରଂ ନିଜର ଉଚ୍ଚାଭିଳାଷ, ଆକାଂକ୍ଷା ଇତ୍ୟାଦିକୁ ସେ ତାଙ୍କ ରାଜନୈତିକ ପୃଷ୍ଠଭୂମିରେ ପ୍ରତିଫଳିତ କରିବାର ଚେଷ୍ଟା କରିଛନ୍ତି । ଯାହା ତାଙ୍କୁ ଅନ୍ୟ ସମସାମୟିକ ରାଜନେତାମାନଙ୍କଠାରୁ ଭିନ୍ନ ଏକ ପରିଚୟ ଦେଇଥାଏ । ତାହା ହିଁ ତାଙ୍କର ଅନନ୍ୟତା ଓ ବୈଶିଷ୍ଟ୍ୟ ମଧ୍ୟ ।

 

୧୯୯୮ ରୁ ୨୦୦୪ ଯାଏଁ ସେ ରାଜ୍ୟସଭାର ସଦସ୍ୟ ଥିଲେ । ଜୁନ୍ ୨୦୦୦ରେ ଭାରତର ପ୍ରତିନିଧିଭାବେ ସେ ଜୋର୍ଡାନ୍ ଠାରେ ଅନୁଷ୍ଠିତ ଆନ୍ତଃପାର୍ଲିଆମେଣ୍ଟ ଇୟୁନିୟନ୍ ସମ୍ମିଳନୀରେ ଯୋଗ ଦେବାର ସୌଭାଗ୍ୟ ଲାଭ କରିଥିଲେ । ରାଜ୍ୟସଭା ସଦସ୍ୟଭାବେ (୧୯୯୮-୯୯) ଜଙ୍ଗଲ ଓ ପରିବେଶ ଷ୍ଟାଣ୍ଡିଂ କମିଟି, ୨୦୦୦ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ପରାମର୍ଶଦାତା କମିଟି, ୨୦୦୦ରେ ଯୋଗାଯୋଗ ଷ୍ଟାଣ୍ଡିଂ କମିଟି, ୨୦୦୦ରେ ପାଟେଣ୍ଟ ଯୁଗ୍ମ କମିଟି ଏବଂ ୨୦୦୦ରେ ଜବାହରଲାଲ ବିଶ୍ୱବିଦ୍ୟାଳୟ କୋର୍ଟ ପ୍ରଭୃତିର ସଦସ୍ୟ ହେବାର ଗୌରବ ଅର୍ଜନ କରିଥିଲେ । ଓଡ଼ିଶାର ହୋମିଓପ୍ୟାଥିକ ଶିକ୍ଷାକୁ ଏକ ନୂତନ ଦିଶା ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସରକାରୀ ହୋମିଓପ୍ୟାଥିକ କଲେଜ, ଭୁବନେଶ୍ୱରରେ କେବଳ ଡିପ୍ଲୋମା କୋର୍ସ ଥିବା ସମୟରୁ ହିଁ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ସିଣ୍ଡିକେଟ ସଦସ୍ୟଭାବେ ତାଙ୍କର ତହିଁରେ ସଂପୃକ୍ତି ରହିଥିଲା । ଭୁବନେଶ୍ୱର ସରକାରୀ କଲେଜରେ ହୋମିଓପ୍ୟାଥିରେ ଡିଗ୍ରୀ କୋର୍ସ ଖୋଲିବା ପାଇଁ ପ୍ରସ୍ତାବ ଗୃହୀତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଯୁକ୍ତି ସାମ୍ନାରେ ସିଣ୍ଡିକେଟର ଚେୟାରମ୍ୟାନ ଥିବା ପ୍ରସିଦ୍ଧ ଏଲୋପ୍ୟାଥିକ ଡାକ୍ତରଙ୍କୁ ମଧ୍ୟ ତାଙ୍କ ସହ ଏକମତ ହେବାକୁ ପଡ଼ିଥିଲା । ରାଜ୍ୟସଭାର ସଦସ୍ୟ ଥିଲାବେଳେ ଭୁବନେଶ୍ୱର ହୋମିଓପ୍ୟାଥି କଲେଜରେ ଏକ ଫିଜିଓଥେରାପି ଇଉନିଟ୍ ଖୋଲିବା ପାଇଁ ତାଙ୍କ ପାଣ୍ଠିରୁ ସେ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ରାଜ୍ୟ ପୂର୍ତ୍ତି ବିଭାଗ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରି ସ୍ୱଳ୍ପ ସମୟ ମଧ୍ୟରେ ସେ ଅର୍ଥର ସଦୁପଯୋଗ କରାଇ ପାରିଥିଲେ । ତାଙ୍କ ସାଂସଦ ପାଣ୍ଠିରୁ ଅନୁଦାନ ଦେଇ କଲେଜରେ ମହିଳା ଛାତ୍ରୀନିବାସର ସମ୍ପ୍ରସାରଣ କରାଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଥିବାବେଳେ କେନ୍ଦ୍ରୀୟ ଅନୁଦାନର ବନ୍ଦୋବସ୍ତ କରି କଲେଜରେ ପ୍ରଥମ କମ୍ପ୍ୟୁଟରାଇଜଡ୍ ପରୀକ୍ଷାଗାର ଖୋଲାଇଥିଲେ । ଏଥିରୁ ରାଜ୍ୟରେ ହୋମିଓପ୍ୟାଥିକ ଚିକିତ୍ସାର ବିକାଶ ପାଇଁ ତାଙ୍କର ଆନ୍ତରିକତା ସ୍ପଷ୍ଟ ଜଣାଯାଏ ।

୨୦୦୪ ମସିହାରେ ସେ ବିଭିନ୍ନ ସଭା ସମିତିରେ ରାଜନୀତି ଓ ରାଜନେତା କିପରି କଳୁଷିତ ଅବସ୍ଥାକୁ ପର୍ଯ୍ୟାୟକ୍ରମେ ଆସିଯାଇଛନ୍ତି ତାହା ପ୍ରକାଶ କରିଥିଲେ । ପରିସ୍ଥିତିକୁ ଲକ୍ଷ୍ୟ କରି ଜନ୍ମାନ୍ତରବାଦରେ ବିଶ୍ୱାସୀ ମନ୍ମଥବାବୁ ଏକଦା କହିଥିଲେ, ‘‘ହେ ପ୍ରଭୁ ! ମୋତେ ସାତ ଜନ୍ମ ପାଇଁ ରାଜନୀତି କରିବାର ସୁଯୋଗ ଦିଅନା ।’’ ଏହା ସାମ୍ପ୍ରତିକ ରାଜନେତାମାନଙ୍କ ପ୍ରତି ଏକ ଚେତାବନୀ । ଅନୁଭୂତିସିଦ୍ଧ ଡକ୍ଟର ଦାସ ଭାରତୀୟ ଗଣତନ୍ତ୍ରରେ ସଂଘୀୟ ବ୍ୟବସ୍ଥା ବାମପନ୍ଥୀ, ଦକ୍ଷିଣପନ୍ଥୀ ଓ ମଧ୍ୟମପନ୍ଥୀ ଭଳି ତିନି ପ୍ରକାରର ହେବା ବୋଲି ମତ ଦେଇଥିଲେ । ତାଙ୍କ ଦୃଷ୍ଟିରେ ବହୁଦଳୀୟ ବ୍ୟବସ୍ଥା ଓ ଆଞ୍ଚଳିକ ଦଳ ଦ୍ୱାରା ଗଣତନ୍ତ୍ର କ୍ରମଶଃ ଭୁଶୁଡ଼ି ପଡ଼ୁଛି ପୁଣି ସଂଘୀୟ ବ୍ୟବସ୍ଥାରେ ଜଣେ ପ୍ରାର୍ଥୀ ପଚାଶ ଭାଗ ଭୋଟ ନ ପାଇ ନିର୍ବାଚିତ ହେବା - ଗଣତାନ୍ତ୍ରିକ ପଦ୍ଧତିର ଏକ ତୃଟିପୂର୍ଣ୍ଣ ବ୍ୟବସ୍ଥା ବୋଲି ସେ ମତବ୍ୟକ୍ତ କରିଥିଲେ । ବାସ୍ତବରେ ସେ ଥିଲେ ଏକ ଅନନ୍ୟ ରାଜନୀତିଜ୍ଞ ଓ ଚିନ୍ତାନାୟକ । ଜଳେଶ୍ୱରଠାରେ କବି ଦୀନକୃଷ୍ଣ ପାଠାଗାର, ବାଲେଶ୍ୱରଠାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଶ୍ରାମଗୃହ ଓ ପାଠାଗାର ସ୍ଥାପନ, ଭୋଗରାଇ ଅଞ୍ଚଳରେ ବ୍ୟାପକ ବିଦ୍ୟୁତୀକରଣ ଇତ୍ୟାଦି ଉଲ୍ଲେଖନୀୟ କାର୍ଯ୍ୟ ତାଙ୍କ ସାଂସଦ ପାଣ୍ଠି ଅନୁଦାନରେ ସମାହିତ ହୋଇଥିଲା । ସାଂସଦଭାବେ ସାଧାରଣ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ଶିକ୍ଷା ଓ ସ୍ୱାସ୍ଥ୍ୟକୁ ସେ ସର୍ବାଧିକ ଗୁରୁତ୍ୱ ଦେଇ ଆସିଥିଲେ । ଜଣେ ନିଷ୍ଠାପର ସାଂସଦରୂପେ ତାଙ୍କର ନିସ୍ୱାର୍ଥପର, ଏକନିଷ୍ଠ, ଆନ୍ତରିକ ପ୍ରୟାସ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । କାରଣ କେବଳ ନିଜ ନିର୍ବାଚନମଣ୍ଡଳୀ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ବହୁ ଜନହିତକର କାର୍ଯ୍ୟରେ ତାଙ୍କର ଆଗ୍ରହ ସହଯୋଗ ରହିଥିଲା- ଯାହା ପ୍ରାୟତଃ ଦେଖାଯାଏ ନାହିଁ ।

 

***

 

ଆଧ୍ୟାତ୍ମିକ ଉପଲବ୍ଧି

 

ବିଳମ୍ବରେ ମନ୍ମଥବାବୁ ଆଧ୍ୟତ୍ମିକତା ଆଡ଼କୁ ଆକର୍ଷିତ ହୋଇଥିଲେ । ତାଙ୍କ ସାନଭାଇ ମନୋଜ ଦାସ ଆରମ୍ଭରୁ ବାମପନ୍ଥୀ ଥିବା ଓ ଈଶ୍ୱର ବିଶ୍ୱାସୀ ନ ଥିଲାବେଳେ ସେ ଥିଲେ ଖୁବ୍ ଈଶ୍ୱର ବିଶ୍ୱାସୀ । ମାତ୍ର ପରବର୍ତ୍ତୀ ସମୟରେ ସାନଭାଇ ପଣ୍ଡିଚେରୀ ଆଶ୍ରମର ସାଧକ ଓ ପ୍ରଗାଢ଼ ଭଗବତ ବିଶ୍ୱାସୀ ପାଲଟିଥିଲା ବେଳେ ମନ୍ମଥବାବୁ ଥିଲେ ବିଦ୍ରୋହୀ ଓ ନାସ୍ତିକ । ସମାଜର ଅବସ୍ଥା ଦେଖି ନକ୍ସଲପନ୍ଥୀ ଆନ୍ଦୋଳନରେ ଯୋଗ ଦେବାକୁ ସେ ଇଚ୍ଛା କରିଥିଲେ । ନିଜେ ନକ୍ସଲପନ୍ଥୀ ହୋଇ ନ ପାରିଲେ ମଧ୍ୟ ସେମାନଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଥିଲେ-। ସେ ନିଜେ ଈଶ୍ୱର ବିଶ୍ୱାସୀ ନ ଥିଲେ ମଧ୍ୟ ତାଙ୍କ ଘରେ ସତ୍ୟସାଇ ବାବାଙ୍କ ଫଟୋ ରଖି ପୂଜା କରାଯାଉଥିଲା । ସାନଭାଇ ମନୋଜଙ୍କ ଆଧ୍ୟାତ୍ମିକ ମାର୍ଗ ଓ ତ୍ୟାଗ ପ୍ରତି ତାଙ୍କର ଥିଲା ଅସୀମ ଶ୍ରଦ୍ଧା ଓ ସଙ୍ଗୋପିତ ସମ୍ମାନ । ପ୍ରତି ମାସରେ ସାନଭାଇଙ୍କ ପାଖକୁ କିଛିକିଛି ଟଙ୍କା ପଣ୍ଡିଚେରୀ ଆଶ୍ରମ ପାଇଁ ସେ ପଠାଉଥିଲେ । ଜୀବନର ଅପରାହ୍ନରେ କୌଣସି ସାଧୁ ସନ୍ନ୍ୟାସୀଙ୍କୁ ବିଶ୍ୱାସ କରୁନଥିବା ମନ୍ମଥବାବୁ ଶ୍ରୀ ସତ୍ୟସାଇ ବାବାଙ୍କୁ ଅତିମାନବ ରୂପେ ଅନ୍ତରରେ ଗ୍ରହଣ କରିଥିଲେ ।

 

ସେ ମେଟ୍ରିକ୍ ପଢ଼ିଲାବେଳେ ଦିନେ ଜଣେ ସାଧୁ ପୁରୁଷ କାଶୀ ଧାମରୁ ତାଙ୍କ ଘରକୁ ଆସିଥିଲେ । ତାଙ୍କ ବାପା ସାଧୁଙ୍କୁ ଭଗବାନଙ୍କ ସମ୍ବନ୍ଧରେ କିଛି କହିବାକୁ ଅନୁରୋଧ କଲାପରେ ଈଶ୍ୱରଙ୍କ ମାହାତ୍ମ୍ୟ ପ୍ରସଙ୍ଗରେ ସେ ଗୋଟିଏ ବାକ୍ୟ କହିଥିଲେ, ‘‘ଭଗବାନଙ୍କ ପ୍ରତି ବିଶ୍ୱାସ ଥିଲେ, ଗ୍ରହ ନକ୍ଷତ୍ରର ଜ୍ୟୋତି କିମ୍ବା ସୂର୍ଯ୍ୟଚନ୍ଦ୍ରର କିରଣଠାରୁ ଆରମ୍ଭ କରି ଫୁଲର ସୌରଭ ବା ଫଳର ସ୍ୱାଦ ସବୁଥିରେ ତାଙ୍କରି ଲୀଳା ଅନୁଭବ କରିହେବ ।’’ ସେ କଥା ଶୁଣିଲାପରେ ମଧ୍ୟ ଭଗବାନଙ୍କ ଶକ୍ତି ଓ ଦୟା ଦ୍ୱାରା ମନୁଷ୍ୟର କିଛି ଉପକାର ହୁଏ କି, ସେ ଦୁଃଖୀର ଦୁଃଖ ନେଇ ପାରନ୍ତି କି, ଆତୁରର କରୁଣ ପ୍ରାର୍ଥନା ଶୁଣନ୍ତି କି ଭଳି ପ୍ରଶ୍ନମାନ ତାଙ୍କ ମନରେ ଉଙ୍କି ମାରିଥିଲା । ଯଦି ନୁହେଁ, ତେବେ ତାଙ୍କୁ ପୂଜା ଆରାଧନା କରି ଲାଭ କ’ଣ ଏବଂ ସ୍ୱାର୍ଥଲାଗି ବିପଦବେଳେ ତାଙ୍କୁ ସ୍ମରଣ କରିବାର ଫଳ କ’ଣ ଇତ୍ୟାଦି ପ୍ରସଙ୍ଗ ଉପରେ ସେ ଅନେକ ଚିନ୍ତା କରିଥିଲେ । ଦିନେ କଟକ ମେଡ଼ିକାଲ କଲେଜ ହଷ୍ଟେଲରେ ଜଣେ ଆତ୍ମୀୟଙ୍କ ରୋଗ ଶଯ୍ୟା ପାଖରେ ସେ ଛିଡ଼ା ହୋଇଥିଲାବେଳେ ଗୋଡ଼ ପାଖରେ ତାଙ୍କ ଚାରିବର୍ଷର ଝିଅଟିକୁ ଦେଖିଥିଲେ । ହାତରେ ଶ୍ରୀକୃଷ୍ଣଙ୍କର ଛବିଟିକୁ ଧରି ବିକଳ ଭାବରେ କାନ୍ଦି କାନ୍ଦି ସେ କହୁଥିଲା, ‘‘ଭଗବାନ ମୋ ବାବୁଙ୍କୁ ଭଲ କରିଦିଅ ।’’ ତାକୁ କୁହାଯାଇଥାଏ ଯେ ଭଗବାନ କେବଳ ତା‘ରି ଡାକ ଶୁଣିବେ । ସେହି ରୋଗୀର ମୃତ୍ୟୁ ସମୟରେ ଶିଶୁଟିର ଯେଉଁ କରୁଣ କ୍ରନ୍ଦନ ଦେଖିଥିଲେ ତାହା ସେ ଭୁଲି ପାରି ନ ଥିଲେ । ନିର୍ଦ୍ଦୋଷର କଷ୍ଟ, ଅସହାୟର ଦୁଃଖ, ଏତିକି ନିରୀହ ପଶୁପକ୍ଷୀଙ୍କ ଯନ୍ତ୍ରଣା ଦେଖିଲେ ତାଙ୍କ ମନ ବିଷାକ୍ତ ହୋଇଉଠୁଥିଲା । ଭଗବାନଙ୍କ ବିରୁଦ୍ଧରେ ତାଙ୍କର କ୍ଷୋଭ ସୃଷ୍ଟି ହେଉଥିଲା ।

 

କ୍ରମେ କ୍ରମେ ତାଙ୍କ ମନରୁ ଈଶ୍ୱର ବିଶ୍ୱାସ ଉଭେଇ ଯାଇଥିଲା । ସେ ଅନୁଭବ କରିଥିଲେ, ଅବିଶ୍ୱାସ ମଧ୍ୟରେ ଯେଉଁ ଆତ୍ମତୃପ୍ତି ରହିଛି, ବିଶ୍ୱାସ ମଧ୍ୟରେ ତାହା ନାହିଁ । ନିଜର କ୍ଷୁଦ୍ର ବୁଦ୍ଧିରେ ସେ ନିଜକୁ ନାସ୍ତିକ ବୋଲି ଭାବି ଆନନ୍ଦ ପାଉଥିଲେ । ସେତିକିରେ ସନ୍ତୁଷ୍ଟ ନ ହୋଇ ସମୟକ୍ରମେ ଭଗବାନ ଓ ଦେବଦେବୀଙ୍କୁ ନିନ୍ଦାକରି ସେ ଗର୍ବ ଅନୁଭବ କରିଥିଲେ । କ୍ଲାସରେ ପଢ଼ାଇଲା ବେଳେ ବିଭିନ୍ନ ଐତିହାସିକ ଘଟଣାକୁ ଆଳକରି ଈଶ୍ୱର ନିନ୍ଦାକୁ ଅଭ୍ୟାସରେ ପରିଣତ କରିଥିଲେ । ସାଧାରଣ ସଭା ସମିତିରେ ମଧ୍ୟ ଈଶ୍ୱରଙ୍କ ନିନ୍ଦା କରିବାକୁ ସେ ପଛାଉ ନଥିଲେ । ଥରେ ଥରେ ଅହଂଭାବର ସୀମାଲଂଘନ କରି ମନୁଷ୍ୟର ଦୁର୍ଭାଗ୍ୟ ଓ ଦୁଃଖ ଦୈନ୍ୟ ନିମନ୍ତେ ପରମେଶ୍ୱର ଦାୟୀ ଏବଂ ପାପୀ ଓ ଦୁରାଚାରୀମାନଙ୍କର ରକ୍ଷାକର୍ତ୍ତା ଓ ତ୍ରାଣଦାତା ମଧ୍ୟ ସେହି ଭଗବାନ ବୋଲି ସେ ମତ ଦେଉଥିଲେ । ଆଧୁନିକ ଯୁଗର ସାଧୁ ସନ୍ଥ ଓ ମହାପୁରୁଷମାନଙ୍କୁ ନିନ୍ଦା ମଧ୍ୟ କରିବାକୁ ଲାଗିଲେ । ସେମାନଙ୍କ ଆଲୌକିକତା ଓ ଅତିମାନବତାକୁ ସେ ପ୍ରବଞ୍ଚନା, ପ୍ରତାରଣା, କପଟତା ଓ ଚଞ୍ଚଳତା ଇତ୍ୟାଦି ରୂପରେ ସାହସିକତାର ସହ ବ୍ୟାଖ୍ୟା କଲେ ।

 

ସମସାମୟିକ ଦିବ୍ୟ ପୁରୁଷଙ୍କ ମଧ୍ୟରେ ପ୍ରଖ୍ୟାତ ଥିବା ସତ୍ୟସାଇ ବାବାଙ୍କ ଐଶ୍ୱରିକ ଶକ୍ତି ସମ୍ବନ୍ଧରେ ସେ ଅନେକ କଥା ଶୁଣିଥିଲେ । ବିମୋହିତ ଭକ୍ତଙ୍କ ନିକଟରୁ ତାଙ୍କ ଆଲୌକିକ କାର୍ଯ୍ୟକଳାପ ବିଷୟକ ଗଳ୍ପମାନ ଶୁଣି ଶେଷରେ ତାଙ୍କର ନିନ୍ଦା ପ୍ରଚାର ଆରମ୍ଭ କରିଥିଲେ । ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସୁଦ୍ଧା ଛଳନାପୂର୍ଣ୍ଣ ଆଚରଣ ବଳରେ ସାଇବାବା କିପରି ଭାବରେ ଅସଂଖ୍ୟ ନରନାରୀଙ୍କୁ ବଶୀଭୂତ କରିପାରୁଛନ୍ତି, ସେହି ପ୍ରଶ୍ନ ବିଭିନ୍ନ ସଭା ସମିତିରେ ଉଠାଇଥିଲେ-। ଲୋକଙ୍କ ଅଜ୍ଞତା ଓ ଅନ୍ଧବିଶ୍ୱାସର ସୁଯୋଗ ନେଇ ସେ ସମ୍ମୋହନ ବିଦ୍ୟା ପ୍ରୟୋଗ କରୁଛନ୍ତି ବୋଲି ଶ୍ରୋତାମାନଙ୍କୁ ବୁଝାଇଥିଲେ । ଡ. ଶ୍ରୀରାମଚନ୍ଦ୍ର ଦାଶଙ୍କ ଭଳି ବିଜ୍ଞ ଅଧ୍ୟାପକଙ୍କ ମୁଖରୁ ତାଙ୍କ ଗୁଣ କୀର୍ତ୍ତନ ଶୁଣି ‘ଶ୍ରୀରାମବାବୁଙ୍କ ମସ୍ତିସ୍କ-ବିକୃତି ଘଟିଛି’ ବୋଲି ସମାଲୋଚନା କରିଥିଲେ-। ନାସ୍ତିକତା ମଧ୍ୟରେ ଅନେକ ବର୍ଷ ବୁଡ଼ି ରହିଲା ପରେ ଅକସ୍ମାତ ସେ ଗୋଟିଏ ଅସ୍ୱାଭାବିକ ଉଲବ୍ଧିର ଦ୍ୱାରଦେଶରେ ପହଞ୍ଚିଥିଲେ । ଈଶ୍ୱରଙ୍କ ସମ୍ପର୍କରେ କିଛି ନ ଜାଣିଲେ ମଧ୍ୟ, ଦିବ୍ୟପୁରୁଷମାନଙ୍କ ନିକଟରେ ଐଶ୍ୱରୀକ ଶକ୍ତି ରହିଥିବାର ଚାକ୍ଷୁଷ ପ୍ରମାଣ ପାଇ ସ୍ତମ୍ଭିତ ହୋଇଯାଇଥିଲେ । ୧୯୮୭ ମସିହାରେ ଏକ ଘଟଣା କ୍ରମେ ଝିଅ ସଂଘମିତ୍ରାର ଜିଦ୍‌ରେ ଜନୈକ ବନ୍ଧୁଙ୍କ ପରିବାର ସହ ଝିଅ, ପତ୍ନୀ ଓ ଦୁଇନାତି ରାଣା ଓ ସମ୍ରାଟଙ୍କୁ ନେଇ ଡିସେମ୍ବର ୭ ତାରିଖ ଦିନ ସନ୍ଧ୍ୟାରେ ସିକନ୍ଦରାବାଦ ଅଭିମୁଖେ ଯାତ୍ରା କରିଥିଲେ । ପରଦିନ ସନ୍ଧ୍ୟାରେ ଅନ୍ୟ ଏକ ଟ୍ରେନ୍ ଧରି ୯ ତାରିଖ ମଧ୍ୟାହ୍ନରେ ଧର୍ମାବରମ୍ ଷ୍ଟେସନରେ ପହଞ୍ଚିଥିଲେ । ସେଠାରୁ ବସ୍‌ରେ ପ୍ରଶାନ୍ତି ଆଶ୍ରମ ଯାଉଥିଲା ବେଳେ ତାଙ୍କ ବନ୍ଧୁଙ୍କ ସମେତ ସହଯାତ୍ରୀମାନଙ୍କ ସାଇ ସଙ୍ଗୀତ ଗାନ ବେଳେ ମନ୍ମଥବାବୁ ଦୁଇକାନରେ ଆଙ୍ଗୁଳି ଦେଇ ହସ ସମ୍ଭାଳି ନ ପାରି ପାଟିରେ ରୁମାଲ ଭର୍ତ୍ତି କରିଥିଲେ । ତାଙ୍କ ଆଚରଣରେ ଝିଅ ସଂଘମିତ୍ରା କ୍ଷୁବ୍ଧ ହୋଇଥିଲା । ପ୍ରାୟ ଘଣ୍ଟାଏ ପରେ ଦୂରରୁ ପୁଟପର୍ତ୍ତୀ ଅଞ୍ଚଳର ଦୃଶ୍ୟ ଦିଶିଥିଲା । ଚିତ୍ରାବତୀ ନଦୀ ଉପତ୍ୟକାକୁ ଘେରି ରହିଥିବା କେତେଗୁଡ଼ିଏ ପାହାଡ଼, ଆଶ୍ରମ ଆଡ଼କୁ ବହି ଯାଉଥିବା ନଦୀର ଧାର, ପାହାଡ଼ର ଶୀର୍ଷ ଦେଶରେ ତାଜମହଲ ସଦୃଶ ନିର୍ମିତ ବିଶ୍ୱବିଦ୍ୟାଳୟ ସୌଧ, ନୀଳ ଆକାଶକୁ ଘେରି ରହିଥିବା ଗମ୍ବୁଜର ଉପରିଭାଗରେ ଭାସିଯାଉଥିବା ଖଣ୍ଡଖଣ୍ଡ ଧଳା ମେଘ ଦେଖି ସେ ମୁଗ୍ଧ ହୋଇଥିଲେ ।

 

ଆଶ୍ରମରେ ପହଞ୍ଚିଲା ପରେ ରହିବା ଲାଗି ‘ସାଇ ସଦନ’ ନାମକ ଅତିଥି ଭବନରେ ତାଙ୍କ ଦଳକୁ ଗୋଟିଏ ମାତ୍ର କୋଠରି ମିଳିଥିଲା । ଶକ୍ତ ମେଜିଆରେ ଶୋଇବାକୁ ହେବ ଜାଣି ମନ୍ମଥବାବୁଙ୍କ ଚିନ୍ତା ବଢ଼ି ଯାଇଥିଲା । ଭକ୍ତି ବା ବିଶ୍ୱାସ ବଦଳରେ ତାଙ୍କ ଭିତରେ ଥିଲା ପ୍ରବଳ କୌତୁହଳ । ସେ ବୁଲିବୁଲି ଭିନ୍ନଭିନ୍ନ ଦେଶ, ଧର୍ମ ଓ ଜାତି ହଜାର ହଜାର ଭକ୍ତଙ୍କୁ କେବଳ ନୀରିକ୍ଷଣ କରିବାରେ ଲାଗିଥିଲେ । ଅପରାହ୍ଣ ସାଢ଼େ ତିନିଟା ବେଳକୁ ମନ୍ଦିର ନିକଟସ୍ଥ ମୁକ୍ତ ପ୍ରାଙ୍ଗଣରେ ଶହଶହ ନରନାରୀ ଧାଡ଼ିଧାଡ଼ି ହୋଇ ବସିଥିଲେ । ବନ୍ଧୁ ହରିରାମଙ୍କ କହିବା ଅନୁସାରେ ଦୁଇନାତିଙ୍କ ସହ କଷ୍ଟ ହେଲେ ମଧ୍ୟ ସେ ଚକାମାଡ଼ି ବସିପଡ଼ିଥିଲେ । ଟୋକନ୍ ନମ୍ବର ଅନୁସାରେ ତାଙ୍କୁ ସେଦିନ ବହୁ ପଛରେ ବସିବାକୁ ପଡ଼ିଥିଲା । ପୁରୁଷ ବିଭାଗରେ ପ୍ରାୟ ତିନି ହଜାର ଲୋକ ଓ ମହିଳା ବିଭାଗରେ ପ୍ରାୟ ଚାରି ହଜାର ଲୋକଙ୍କ ସମାଗମ ହୋଇଥିଲା । ହଠାତ୍ ବାରଣ୍ଡାରେ ସତ୍ୟସାଇ ବାବାଙ୍କ ମୁଖମଣ୍ଡଳ ମୁହୂର୍ତ୍ତକ ପାଇଁ ଦର୍ଶନ କଲାପରେ ସେ ନିଜ ଭିତରେ କ୍ଷଣକ ଲାଗି ଅସ୍ୱାଭାବିକ ଶିହରଣ ଅନୁଭବ କରିଥିଲେ । ଦର୍ଶନାଭିଳାଷୀ ସମବେତ ଜନତାଙ୍କ ଦିଗକୁ ବାବା ଯନ୍ତ୍ରଚାଳିତ ମୂର୍ତ୍ତି ଭଳି ଆଗେଇ ଆସିଥିଲେ । ତାଙ୍କର ପ୍ରତ୍ୟେକ ପଦପାତରେ ଥିଲା ଏକ ପ୍ରକାର ବିଚିତ୍ର ଶୈଳୀ । ଗାଢ଼ ଲାଲ୍ ରଙ୍ଗର ପରିଚ୍ଛଦ ତଳେ ସମଗ୍ର ଦେହ ଲୁଚି ରହିଥିଲା ବେଳେ ଦେଖାଯାଉଥିଲା କେବଳ ତାଙ୍କ ହାତ ପାପୁଲି, ମସ୍ତକରେ ଶୋଭା ପାଉଥିଲା ଅସାଧାରଣ ଢଙ୍ଗର ଘନ କେଶରାଶି । କ୍ଷୁଦ୍ର କଳେବର ବିଶିଷ୍ଟ ତାଙ୍କର ରୂପ ଦେଖି ମନ୍ମଥବାବୁଙ୍କ ଭିତରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା, ଏ କ’ଣ ଗଡ଼ମ୍ୟାନ ! ମୃଦୁ ପଦକ୍ଷେପରେ ଚାଲିଯାଉଥିବା ବେଳେ ବାବା ହଠାତ୍ ଅଟକିଯାଇ କେତେଗୁଡ଼ିଏ ଲାଇନ ପଛରେ ବସିଥିବା ଜଣେ ଲୋକ ଦିଗକୁ ଅଙ୍ଗୁଳି ଦେଖାଇ ପଚାରିଲେ, ’’ତୁମେ ଭେନେଜୁଏଲାରୁ ଆସିଛ !’’ସେ ହଁ କହିବା କ୍ଷଣି ସାଇବାବା ତାଙ୍କୁ ସବାନ୍ଧବ ମନ୍ଦିର ଦିଗକୁ ଅଗ୍ରସର ହେବାଲାଗି ଇଙ୍ଗିତ ଦେଇଥିଲେ । ତାଙ୍କ ମନ ଭିତରେ କିନ୍ତୁ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ, ଏହା କ’ଣ ସାଇବାବାଙ୍କ ଦିବ୍ୟଶକ୍ତିର ନିଦର୍ଶନ ! ରାତି ଦଶଟା ବେଳେ ଆଶ୍ରମ ଭୋଜନାଳୟରେ ଶହଶହ ଲୋକଙ୍କ ସଙ୍ଗରେ ବସି ରାତ୍ରିଭୋଜନ କଲାପରେ ରାତି ଏଗାରଟାରେ ସେ ରୁମ୍‌କୁ ଯାଇଥିଲେ । ଆଠଜଣିଆ କୋଠରୀରେ ସୁଖନିଦ୍ରା ସମ୍ଭବ ନ ଥିବାରୁ ଅଯଥା ଅର୍ଥ ଓ ସମୟ ବ୍ୟୟ ତଥା ଶାରୀରିକ ପରିଶ୍ରମ ପାଇଁ ନିଜକୁ ସେ ଧିକ୍କାରି ଥିଲେ । ସମସ୍ତେ ଶୋଇଗଲାପରେ ଉନ୍ନିଦ୍ର ରଜନୀରେ ନବବର୍ଷର ପ୍ରଥମ ଦିନରେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜନୀତିରେ ଯୋଗଦେବା ବିଷୟରେ ଘୋଷଣା କରିବେ ବୋଲି ସେ ଶପଥ ନେଇଥିଲେ ।

 

ରାତିର ଶେଷ ପ୍ରହରରେ ନିଶବ୍ଦରେ ବାହାରକୁ ଆସି ନଗର ସଂକୀର୍ତ୍ତନରେ ଯୋଗ ଦେବାପାଇଁ ବାହାରୁଥିବା ଭକ୍ତଜନଙ୍କୁ ଦେଖିଥିଲେ । ପାହାଚ ଶେଷରେ ପ୍ରଶସ୍ତ ପ୍ରବେଶ କକ୍ଷରେ ଥିବା ସତ୍ୟସାଇ ବାବାଙ୍କ ଫଟୋଚିତ୍ରଆଡ଼କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁରହି ଯେତେ ଇଚ୍ଛା ସମ୍ଭବ ନିନ୍ଦା ବର୍ଷଣ କରିବାର ପ୍ରବୃତ୍ତି ଅନୁଭବ କରିଥିଲେ । ତାଙ୍କ ମନରୁ ନିର୍ଗତ ହୋଇଥିଲା ନାନା ପ୍ରକାର ପ୍ରଶ୍ନ ବାଣ-ମନୁଷ୍ୟର ଅଜ୍ଞତା ଓ ଅନ୍ଧବିଶ୍ୱାସର ସୁଯୋଗ ନେଇ ପ୍ରହେଳିକା ସୃଷ୍ଟି କରିବା ଉଚିତ କି ? ମିଥ୍ୟା ପ୍ରଚାର ବଳରେ ଦେଶ ବିଦେଶର ସହସ୍ର ସହସ୍ର ନରନାରୀଙ୍କୁ ଆକର୍ଷିତ କରି ଖର୍ଚ୍ଚାନ୍ତ କରାଇବାର ପ୍ରହସନ କାହିଁକି ! ଶେଷରେ, ଚିତ୍ରପଟ୍ଟରେ ବାବାଙ୍କ ଉଜ୍ଜ୍ୱଳ ଆଖିଦୁଇଟି ଉପରେ ନିଜର ଦୁଇଆଖି ନିବଦ୍ଧ ରଖି ଅସ୍ପଷ୍ଟ ସ୍ୱରରେ ସେ ଉଚ୍ଚାରଣ କରିଥିଲେ, ‘‘ଆଜି ଦିନକ ପାଇଁ ମୁଁ ଏଠାରେ ରହିବି । ଯଦି ଆପଣଙ୍କ ଆଲୌକିକ ଶକ୍ତି ରହିଛି, ତାହାର ପ୍ରମାଣ ଆଜି ଓ କେବଳ ଆଜି ମଧ୍ୟରେ ପାଇ ପାରିବି କି ?’’

 

ଡିସେମ୍ବର ୧୦ ତାରିଖ ସକାଳେ ଦର୍ଶନ ସମୟରେ ବାବା ଦୁଇ ସପ୍ତାହଧରି ସ୍ୱତନ୍ତ୍ର ଦର୍ଶନ ଆଶାରେ ଅପେକ୍ଷା କରିଥିବା ଦଳେ ପ୍ରବାସୀ ଭାରତୀୟଙ୍କୁ ତାଙ୍କ କକ୍ଷକୁ ଆମନ୍ତ୍ରଣ କଲେ । ନିରାଶ ହୋଇ ଉଠିଲାବେଳେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହ୍ୟ ନ କରିପାରି ନାତି ଦୁହିଁଙ୍କୁ କହିଲେ, ‘‘ବେଳଓଳି ଦର୍ଶନ ପାଇଁ ଆସିବି ନାହିଁ । ଦୁଇଥର ବାବାଙ୍କୁ ଦେଖିଲାପରେ ଆଉ ଥରେ ଦେଖିବାପାଇଁ ଇଚ୍ଛା ନାହିଁ । ‘‘Enough is enough ।’’ ଦିନ ବାରଟାବେଳେ ମଧ୍ୟାହ୍ନ ଭୋଜନ ସାରି ଶୋଇଲାବେଳେ ବିରକ୍ତ ଭାବ ଦେଖାଇ ଝିଅକୁ କହିଲେ, ‘ଗତ ରାତିରେ ଗୋଟିଏ ମିନିଟ୍ ଶୋଇନାହିଁ । ବର୍ତ୍ତମାନ ପାଖରୁ ଏକାଥରେ ଶୋଇଯିବି ରାତି ଦଶଟାଯାଏଁ । ସନ୍ଧ୍ୟା ଦର୍ଶନକୁ ଯିବି ନାହିଁ, ତୁମେ ସମସ୍ତେ ଯାଅ । ମୁଁ ରାତିରେ ଖାଇଲା ବେଳକୁ ନିଦରୁ ଉଠିବି ।’’ ତାଙ୍କ ମନୋଭାବ ସଂଘମିତ୍ରା ବୁଝିପାରିଲା, ଯୋଉ ନାସ୍ତିକକୁ ସେଇ ନାସ୍ତିକ । ପ୍ରାୟ ଘଣ୍ଟେ ପରେ ହଠାତ୍ ଏକ ଅଜ୍ଞାତ ପ୍ରେରଣା ଅନୁଭବ କରି ତାଙ୍କର ନିଦ ଭାଙ୍ଗିଗଲା । ନାତି ଦୁହିଁଙ୍କୁ ନିଃଶବ୍ଦରେ ଉଠାଇ କହିଲେ, ‘‘ଚାଲ, ଆଗରୁ ଯାଇ ଲାଇନ୍‌ରେ ବସିଯିବା । ଯଦି ଭାଗ୍ୟରେ ଥିବ ଭଲ ଟୋକନ ନମ୍ବର ମିଳିଯାଇପାରେ । ସାଢ଼େ ଦୁଇଟାବେଳେ ଗୋଟିଏ ଲାଇନ୍‌ରେ ସବା ଆଗରେ ନାତି ଦୁହିଁଙ୍କୁ ବସାଇ ତା’ପରେ ସେ ନିଜେ ବସିଗଲେ । ସାଢ଼େ ତିନିଟା ବେଳକୁ ଭିଡ଼ ଲାଗିଗଲା ଓ ଟୋକନ ଥଳି ଧରି ସ୍ୱେଚ୍ଛାସେବୀମାନେ ଆସିଗଲେ । ସମ୍ରାଟ ହାତ ପୂରାଇ ଉଠାଇଲା ଟୋକନ -ଛଅ । ତେଣୁ ଷଷ୍ଠ ଧାଡ଼ିରେ ବସିବାର ସୁଯୋଗ ମିଳିଲା । ଠିକ୍ ଚାରିଟା ତିରିଶ ମିନିଟ୍‌ରେ ସତ୍ୟସାଇ ବାବା ମନ୍ଦିରରୁ ବାହାରି ପୁରୁଷ ବିଭାଗ ଦିଗକୁ ଆସିଲେ । ଚିରଚରିତ ଢଙ୍ଗରେ ଧୀର ପଦକ୍ଷେପରେ ଅଗ୍ରସର ହେଉଥିବା ବାବା ସମସ୍ତଙ୍କଆଡ଼କୁ ଚାହିଁ ହସ୍ତ ଉତ୍ତୋଳନପୂର୍ବକ ଆଶୀର୍ବାଦ ସଂକେତ ହେଉଥାନ୍ତି । ତାଙ୍କଆଡ଼କୁ ହଠାତ୍ ଅଙ୍ଗୁଳି ନିର୍ଦ୍ଦେଶ ଦେଖି ଅନ୍ୟମନସ୍କ ଥିବା ମନ୍ମଥବାବୁ ଚମକି ଉଠିଥିଲେ । ହସହସ ମୁଖ ଅଥଚ ଚତୁର ଦୃଷ୍ଟିଭଙ୍ଗୀରେ ଚାହିଁ ତାଙ୍କୁ ଇଂରାଜୀରେ ପାରିଲେ, କେଉଁ ସ୍ଥାନରୁ ଆସିଛ ? ସାଙ୍ଗରେ କେତେଜଣ ଅଛନ୍ତି ! ମନ୍ମଥବାବୁ ଉତ୍ତର ଦେଇଥିଲେ, ଓଡ଼ିଶାର ଭୁବନେଶ୍ୱରରୁ ଏବଂ ଆଠ ଜଣ ଅଛନ୍ତି । ‘ଆସ’ ବୋଲି କହି ବାବା ମନ୍ଦିର ଦିଗକୁ ଯିବାଲାଗି ଇଙ୍ଗିତ ଦେଲେ । ମନ୍ଦିର ପଥରେ ଆଗେଇଲାବେଳେ ସେ ଭାବିଲେ, ସାଇବାବାଙ୍କ ମୂର୍ତ୍ତି ଆଗରେ ଯୋଉ ଚ୍ୟାଲେଞ୍ଚ ଦେଇଥିଲେ ସେକଥା କ’ଣ ସେ ଜାଣିପାରିଲେ । ବାବାଙ୍କ ବ୍ୟକ୍ତିଗତ ସାକ୍ଷାତକାର କକ୍ଷର ଦ୍ୱାରଦେଶରେ ବସିଥିଲାବେଳେ ବନ୍ଧୁ ହରିରାମବାବୁ ବାବାଙ୍କ ସାକ୍ଷାତ ପାଇବା କଥା ଚିନ୍ତାକରି ଆତ୍ମହରା ଓ ବିହ୍ୱଳ ଅବସ୍ଥାରେ ପିଲାଙ୍କ ପରି କାନ୍ଦିବା ଆରମ୍ଭ କରିଦେଲେ-

 

କିଛି ସମୟ ପରେ ବାବା ଆସିଲା ପରେ ତାଙ୍କଆଡ଼କୁ କଟାକ୍ଷପାତ ପୂର୍ବକ ଯେମିତି ହସିଦେଲେ, ସେଥିରୁ ସେ ଅନୁମାନ କଲେ ଶେଷ ରାତ୍ରିର ଆହ୍ୱାନ ବୋଧହୁଏ ବାବା ଜାଣିପାରିଛନ୍ତି । ରୁଦ୍ଧ କକ୍ଷର ଦ୍ୱାର ଫିଟିଲା । କ୍ଷୁଦ୍ର ପ୍ରବେଶ କକ୍ଷ ଭିତରେ ସେମାନେ ଆଠଜଣ ବାବାଙ୍କ ସମ୍ମୁଖରେ ଧାଡ଼ିବାନ୍ଧି ଠିଆହେଲେ । ତାଙ୍କ ପତ୍ନୀଙ୍କ ସମ୍ମୁଖରେ ହାତ ଉର୍ଦ୍ଧକୁ ଉଠାଇ ନିମିଷକ ମଧ୍ୟରେ ବିଭୂତି ଆଣି ତାଙ୍କ ହାତରେ ଲଗାଇ ଦେଲେ । ତା’ପରେ ସଂଘମିତ୍ରା ଆଗରେ ଠିଆହେଲାବେଳେ ବିଭୂତି ସୃଷ୍ଟି କରିବାର ଦୃଶ୍ୟ ଭଲଭାବରେ ଦେଖିବା ଲାଗି ମନ୍ମଥବାବୁ ତୀକ୍ଷ୍ଣ ଦୃଷ୍ଟିରେ ଶୂନ୍ୟକୁ ତଥା ତାଙ୍କ ପାପୁଲିକୁ ଚାହିଁ ରହିଲେ । ଶୂନ୍ୟରୁ ବିଭୂତି ଝରିଲା ଓ ବାବା ଝିଅ ହାତରେ ସେତକ ରଖିଦେଲେ । ତା’ପରେ ମନ୍ମଥବାବୁଙ୍କ ମନରୁ ସନ୍ଦେହ ମୋଚନ ପାଇଁ ବାବା ତାଙ୍କ ମୁଣ୍ଡ ଉପରେ ପାପୁଲି ଦୁଇଟି କିଛିସମୟ ରଖିଲେ ଏବଂ ଡାହାଣ ପାପୁଲି ତାଙ୍କ ଆଖି ସାମ୍ନାରେ ଶୂନ୍ୟକୁ ଉଠାଇଲେ । କରପୃଷ୍ଠରେ ଶୂନ୍ୟରୁ ଝରିଆସୁଥିବା ବିଭୂତିକୁ ତାଙ୍କ ହାତରେ ନ ଦେଇ ବାବା କପାଳ ଓ ମୁଣ୍ଡରେ ବୋଳି ଦେଇଥିଲେ । ଜଣେ ନିନ୍ଦୁକ ପ୍ରତି ବାବାଙ୍କ ସ୍ନେହ ଭାବପ୍ରବଣ ଝିଅ ଆଖିରୁ ଲୁହ ଝରି ପଡ଼ିଥିଲା ।

 

ପ୍ରବେଶ କକ୍ଷକୁ ଲାଗିକରି ଥିବା ନିଭୃତ କକ୍ଷକୁ ବାବା ସେମାନଙ୍କୁ ଡାକି ନେଇଥିଲେ । ସିଂହାସନ ସଦୃଶ ଚେୟାରରେ ସେ ଉପବେଶନ କଲାପରେ ତାଙ୍କ ପାଦତଳେ ଦଳକଯାକ ମେଜିଆରେ ବସିଥିଲେ । ଅହଂଭାବ ପ୍ରଦର୍ଶନପୂର୍ବକ ସଦର୍ପରେ ସେ ନିଜର ପରିଚୟ ଦେଇଥିଲେ- ମୁଁ ଜଣେ କୁଳପତି ଥିଲି । ଇତିହାସ ପୁସ୍ତକମାନ ଲେଖିଛି ଏବଂ ମୁଁ ଜଣେ ନାସ୍ତିକ । ତାଙ୍କ ବାକ୍ୟ ଶେଷ ନହେଉଣୁ ବାବା ହସିଦେଇ କହିଲେ, ‘ମୁଁ ଜାଣେ’ । କଠୋର ଦୃଷ୍ଠିରେ ତାଙ୍କ ମୁହଁକୁ ଚାହିଁ କହିଲେ, ‘‘ରାଜନୀତିରେ ପ୍ରବେଶ କରିବ ଭାବିଛ, ସେଥିରେ ନୈତିକତା, ସାଧୁତା ଓ ଶିଷ୍ଟାଚାର ଅଛି କି ? ତା’ କରନା ।’’ (Is there morality, virtue & ethics in it ? Don’t do it.) ତାଙ୍କ ମନକଥା କିପରି ଜାଣିଲେ ଭାବି ମନ୍ମଥବାବୁ ସ୍ତମ୍ଭିତ ହୋଇଥିଲେ । ତା’ପରେ ସଂଘମିତ୍ରାକୁ ଚାହିଁ କହିଲେ, ‘‘ତୁ ଗତ ଉଣେଇଶି ବର୍ଷ ଧରି ମୋ ନିକଟକୁ ଆସିବୁ ବୋଲି ଇଚ୍ଛା କରୁଥିଲୁ ଏବଂ ଶେଷରେ ଏତେଦିନ ପରେ ଆସିଲୁ ।’’ ଭ୍ୟାନିଟି ବ୍ୟାଗ୍ ଆଡ଼କୁ ଠାରି କହିଲେ, ‘‘ତା’ ଭିତରେ ମୋ ପାଇଁ ଜିନିଷ ରଖିଛୁ, ବାହାରକରି ମୋତେ ଦେ’ ।’’ ଅପ୍ରସ୍ତୁତ ହେଇ ଖୋଜାଖୋଜି କରି ବ୍ୟକ୍ତିଗତ ଦୁଃଖ ଜଣାଇ ଲେଖିଥିବା ଚିଠିଖଣ୍ଡକ ସଂଘମିତ୍ରା ତାଙ୍କୁ ବଢ଼ାଇଲା ବେଳେ ବାବା ହସିଦେଇ କହିଥିଲେ, ‘‘ତୋର ତ ଦୁଇଟି ପୁଅ ଓ ଗୋଟିଏ ଉତ୍ତମ ଝିଅ ଅଛି । ଆଉ ଚିନ୍ତା କ’ଣ ?’’ ତାଙ୍କ ସ୍ତ୍ରୀ ଓ ଝିଅକୁ ଉପଦେଶ ଦେଲାବେଳେ ମନ୍ମଥବାବୁ ଭାବୁଥିଲେ, ଏ କ’ଣ ସର୍ବଜ୍ଞ, ସମସ୍ତଙ୍କର ସବୁକଥା ଜାଣିପାରୁଛନ୍ତି ! ଅଧଘଣ୍ଟାର ସାକ୍ଷାତ ଭିତରେ ସେ ସାଇବାବାଙ୍କ ଅଲୌକିକ ଶକ୍ତିର ପରିଚୟ ପାଇଯାଇଥିଲେ । ସସ୍ନେହରେ ବାବା ଦ୍ୱାର ପର୍ଯ୍ୟନ୍ତ ଛାଡ଼ିବାକୁ ଆସି ତାଙ୍କ ମଥାରେ ହାତରଖି ଶେଷ ଉପଦେଶ ଦେଇଥିଲେ, ‘Have Faith, Feel happy.’ ଭକ୍ତିଭରେ ସେ କହିଲେ, ‘‘ବାବା, ସମ୍ପୂର୍ଣ୍ଣ ଜଣେ ଅବିଶ୍ୱାସୀକୁ ଆପଣ କ୍ଷଣିକରେ ବିଶ୍ୱାସୀ କରିଦେଲେ ।’’ ସେଠାରୁ ଆସିଲାପରେ ଅପାର ସନ୍ତୋଷ ଅନୁଭବ କରିଥିଲେ, ସତେଯେପରି ମସ୍ତିଷ୍କରୁ ଅନେକ ଦୁଃସହ ବୋଝ ଖସି ଯାଇଥିଲା । ସଂଘମିତ୍ରା ଅଙ୍ଗୁଳି ରେଖା ଗଣିସାରି କହିଲା, ‘ଠିକ୍ ଉଣେଇଶି ବର୍ଷ ଆଗେ ପ୍ରଥମେ ବାବାଙ୍କ ଫଟୋ ଦେଖିଲା ପରଠାରୁ ତାଙ୍କୁ ଦର୍ଶନ କରିବାକୁ ଆସିବ ବୋଲି ମନେମନେ ସେ ଆଶା କରିଥିଲା । ତା’ର ଦୁଇଟି ପୁଅ ଓ ଗୋଟିଏ ଝିଅ ଥିବା କଥା ବାବା କିପରି ଜାଣିଲେ ବୋଲି ମନ୍ମଥବାବୁ ବିସ୍ମୟ ପ୍ରକାଶ କରିଥିଲେ । ତା’ ପରଦିନ ସେମାନେ ପ୍ରଶାନ୍ତି ନିଳୟମରୁ ବିଦାୟ ନେଇଥିଲେ ।

 

ଆଶ୍ରମ ଦୋକାନରୁ ସଂଘମିତ୍ରା ସାଇବାବାଙ୍କର ଦୁଇଟି ବଡ଼ବଡ଼ ଫ୍ରେମ୍ ଓ କାଚ ବନ୍ଧେଇ ଚିତ୍ର କିଣି ଆଣିଥିଲା । ତାଙ୍କ ଘର ପ୍ରାର୍ଥନା କକ୍ଷରେ ସେଇ ଛବି ଆଗରେ ପ୍ରତିଦିନ ସକାଳ ସନ୍ଧ୍ୟାରେ ସଂଘମିତ୍ରାର ପୁଅଝିଅମାନେ ଆଳତି କରୁଥିଲେ । ପ୍ରଶାନ୍ତିରୁ ଫେରିବାର ସପ୍ତାହଟିଏ ଯାଇ ନ ଥାଏ ସଂଘମିତ୍ରା ଦିନେ ତାଙ୍କୁ ଉଚ୍ଚସ୍ୱରରେ ଡାକି ପ୍ରାର୍ଥନା ଘରକୁ ନେଇ ଦେଖାଇଲା -ସତ୍ୟସାଇବାବାଙ୍କ ଫଟୋ ଦୁଇଟି ଉପରେ ଥିବା କାଚରୁ ଧାରଧାର ହୋଇ ମହୁ ଝରି ପିମ୍ପୁଡ଼ି ଧାଡ଼ି ଲାଗିଛନ୍ତି । ତାଙ୍କୁ ଖଣ୍ଡିଏ ପରିଷ୍କାର କନା ଆଣିବାକୁ କହି ମନ୍ମଥବାବୁ କାଚ ଉପରୁ ମହୁ ପୋଛି ଦେବାକୁ ନିର୍ଦ୍ଦେଶ ଦେଲେ । କାଚ ସ୍ୱଚ୍ଛ ଦିଶିଲା ପରେ ପୁଣି ଥରେ ସେଇ କାଚ ଉପରେ ଝରିଆସିଲା ଆଉ ଟୋପାଏ ମହୁ । ଆଙ୍ଗୁଳିରେ ନେଇ ସୁମିଷ୍ଟ ମହୁର ଅଫୁରନ୍ତ ସ୍ୱାଦ ଅନୁଭବ କଲେ ମନ୍ମଥବାବୁ । ଆଉ କିଛି ସପ୍ତାହ ପରେ ତିନିବର୍ଷର ନାତୁଣୀ ବିଦିଶା ଖେଳିଲାବେଳେ ପଡ଼ିଯାଇ ତା’ ଡାହାଣ ହାତର ମଣିବନ୍ଧ ଭାଙ୍ଗିଗଲା । ଡାକ୍ତରଙ୍କ ପରାମର୍ଶକ୍ରମେ ତାକୁ କୋଳରେ ବସାଇ ଏକ୍ସ-ରେ କରିବା ପାଇଁ ଡାକ୍ତରଖାନାକୁ ନେଲାବେଳେ ଝିଅର ଅକଥନୀୟ କଷ୍ଟ ଦେଖି ତା’ ମା’ ସାଇବାବାଙ୍କୁ ସ୍ମରଣ କରି ବ୍ୟାଗରୁ ବିଭୂତି କାଢ଼ି ଜଖମ ଜାଗାରେ ଲଗାଇ ଦେଲା । ଆଶ୍ଚର୍ଯ୍ୟଜନକ ଭାବେ ବିଦିଶାର ବିଳାପ ବନ୍ଦ ହୋଇଗଲା ଓ ସେ ହାତ ବୁଲାଇ ଘରକୁ ଗାଡ଼ି ଫେରାଇବାକୁ ତା’ ମା’କୁ ବାଧ୍ୟ କଲା । ଏହାର କିଛିଦିନ ପରେ ନଅବର୍ଷ ବୟସର ନାତି ସମ୍ରାଟ ସାଇବାବାଙ୍କ ଫଟୋ କାର୍ଡ଼ଗୁଡ଼ିକ ଧରି ଖେଳୁଖେଳୁ ହଠାତ୍ ଚିତ୍କାର କଲା ଖଣ୍ଡିଏ ଛବିରୁ ମହୁ ଝରୁଛି । ମନ୍ମଥବାବୁ ଦେଖିଲାବେଳକୁ ଶୁଖିଲା କାର୍ଡ ଉପରେ ଝରି ଆସିଛି ବହଳ ମହୁର ଧାର । ସେତେବେଳକୁ ତାଙ୍କର ବିଶ୍ୱାସ ଦୃଢ଼ ହେବାରେ ଲାଗିଥିଲା । ଅସମ୍ଭବ କ୍ରୋଧ ବେଳେ ଅକସ୍ମାତ ବାବାଙ୍କ ମୂର୍ତ୍ତିକୁ ମନେପକାଇ ରାଗିବା ପରିବର୍ତ୍ତେ ସେ ଦୟା ଓ କୋମଳତା ଉପଲବ୍ଧି କରୁଥିଲେ ।

 

ଦିନେ ସେ ଭୁବନେଶ୍ୱରସ୍ଥିତ ପଦାର୍ଥ ବିଦ୍ୟା ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଅନୁରୋଧକ୍ରମେ ଏକ ବୈଜ୍ଞାନିକ ସମ୍ମିଳନୀ ଉଦଘାଟନ କରିବାକୁ ଯାଇଥିଲେ । ସମ୍ମତି ପ୍ରଦାନ ସହ ‘Signs Beyond Science’ ଶୀର୍ଷକରେ ବକ୍ତବ୍ୟ ଦେବାକୁ ସ୍ଥିର କରିଥିଲେ । ସଭାକୁ ବାହାରିଲା ବେଳକୁ ପଣ୍ଡିଚେରୀରୁ ମନୋଜ ଦାସ ଫୋନ୍‍କରି ଗୁରୁତର ଅସୁସ୍ଥ ମା’ଙ୍କ ସାକ୍ଷାତ ପାଇଁ ତୁରନ୍ତ ଯିବାକୁ ହେବ ବୋଲି ଜଣାଇଲେ । ରାତି ଗାଡ଼ିରେ ମାନ୍ଦ୍ରାଜ ଯିବାର ଟିକେଟ ବ୍ୟବସ୍ଥା କରି ମିଟିଂ ଯାଇ ଉଦ୍‌ଘାଟନୀ ଭାଷଣରେ ସେ କହିଥିଲେ ଯେ, ବିଜ୍ଞାନସମ୍ମତ ଜ୍ଞାନ ପ୍ରତି ଧ୍ୟାନ ଦେଲାବେଳେ, ଅପ୍ରାକୃତିକ ଦୃଶ୍ୟମାନ ବସ୍ତୁ ଓ ବ୍ୟାପାର ବିଷୟରେ ମଧ୍ୟ ବୈଜ୍ଞାନିକ ମାର୍ଗରେ ଅନୁସନ୍ଧାନ କରାଯିବା ଉଚିତ । କଥା ପ୍ରସଙ୍ଗରେ ଝିଅ ଘର କାଚରେ ବାହାରିଥିବା ମହୁ ବିଷୟ ଉଲ୍ଲେଖ କଲାବେଳେ ଜଣେ ବୈଜ୍ଞାନିକ କହିଥିଲେ- ପ୍ରଶାନ୍ତି ନୀଳୟମ୍‌ରୁ କିଣାଯାଇଥିବା କାଚ ଦେହରେ କୌଣସି ଅଦୃଶ୍ୟ ରସାୟନିକ ପ୍ରଲେପ ଦିଆଯାଇଥାଇପାରେ । ଏବଂ ସେଇ କାଚଗୁଡ଼ିକୁ ତାଙ୍କ ବିଜ୍ଞାନାଗାରରେ ପରୀକ୍ଷା ଲାଗି ଦେବାକୁ ସେ ପ୍ରସ୍ତାବ ଦେଲେ । ମନ୍ମଥବାବୁ ମା’ଙ୍କ ପାଖରୁ ଫେରିଲାପରେ ଫଟୋର କାଚଗୁଡ଼ିକ ତାଙ୍କ ପରୀକ୍ଷାଗାରରେ ଦାଖଲ କରାଇବାକୁ ସମ୍ମତି ଦେଇଥିଲେ । ଦୁଇ ସପ୍ତାହ ପରେ ମା’ ଆରୋଗ୍ୟଲାଭ କଲାପରେ ସେ ଫେରିଆସିଲେ ଏବଂ ବିଳମ୍ବିତ ରାତିରେ ପହଞ୍ଚି ଶୋଇଥିଲାବେଳେ ସୂର୍ଯ୍ୟୋଦୟ ପୂର୍ବରୁ ବୋହୂ ରଞ୍ଜିତା ତାଙ୍କୁ ନିଦରୁ ଉଠାଇ ପ୍ରାର୍ଥନା ଘରକୁ ଡାକି ନେଇଥିଲା । ସତ୍ୟସାଇ ବାବାଙ୍କ ଚାରୋଟି ଫଟୋର କାଚରୁ ଧାରଧାର ମହୁ ଝରି ରହିଥାଏ, ଆଉ ସବୁ କାଚରେ ଲାଗିଥାନ୍ତି ପିମ୍ପୁଡ଼ି ଧାଡ଼ି । ବୈଜ୍ଞାନିକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କଥା ତାଙ୍କର ମନେ ପଡ଼ିଯାଇଥିଲା । ସେ ନଥିବା ସମୟରେ ପତ୍ନୀ ଓ ବୋହୂ ପ୍ରାର୍ଥନା କକ୍ଷଟି ସଜାଡ଼ିଥିବା କଥା ସେ ଜାଣିବାକୁ ପାଇଥିଲେ । ଏତେଗୁଡ଼ିଏ ଫ୍ରେମ୍ ଓ କାଚ କେଉଁଠାରୁ କିଣାଯାଇଛି ବୋଲି ପ୍ରଶ୍ନ କରିଥିଲେ । ପତ୍ନୀଙ୍କ ଉତ୍ତର ଥିଲା, ତୁମର ପୁରୁଣା ଗ୍ରୁପ୍ ଫଟୋଗୁଡ଼ିକ କାଢ଼ିଦେଇ ସେଇ ଫ୍ରେମ୍‌ରେ କ୍ୟାଲେଣ୍ଡରରେ ଥିବା ବାବାଙ୍କ ଚିତ୍ରଗୁଡ଼ିକ ଭର୍ତ୍ତି କରାଯାଇଛି । ସେ ନିଶ୍ଚିତ ହେଲେ ଯେ, ସବୁଗୁଡ଼ିକ କୀଟ ଓ ପୋକଖିଆ ଫଟୋଗୁଡ଼ିକର ଫ୍ରେମ୍ ଓ କାଚ, କୌଣସିଟି ପୁଟ୍ଟପର୍ତ୍ତୀରୁ ଆସିନାହିଁ । ଫ୍ରେମ୍ ତଳେ ଲେଖାଥିବା ବିଭିନ୍ନ ବର୍ଷର ଅଙ୍କ ମଧ୍ୟ ସେ ନୀରିକ୍ଷଣ କଲେ । ଅତିପ୍ରାକୃତିକ ଶକ୍ତି ପ୍ରତି ବିଶ୍ୱାସ ରଖିବାପାଇଁ ଏହା ଥିଲା ତାଙ୍କ ପ୍ରତି ସାଇବାବାଙ୍କର ଆଉ ଏକ ଶିକ୍ଷା । ଏମିତି ଅନେକ ମିରାକିଲ୍‌ର ଅନୁଭୂତି ସେ ଉପଲବ୍ଧି କରିଥିଲେ-। ରାଜନୀତିରେ ପ୍ରବେଶ କରିବାକୁ ବାବାଙ୍କର ବାରଣ ସତ୍ତ୍ୱେ ଘଟଣାଚକ୍ରରେ ଯେତେବେଳେ ସେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଲେ, ସେତେବେଳେ ତାଙ୍କ କଥା ସ୍ମରଣପୂର୍ବକ ଜଣେ ନୀତିବାଦୀ ରୂପେ ରାଜନୀତି କରିବେ ବୋଲି ସଂକଳ୍ପ ନେଇଥିଲେ । ଗୋଟିଏ ଟଙ୍କା ହାତରେ ଧରି ନ ଥିଲେ କି କାହାଠୁ ଚାନ୍ଦା ଗ୍ରହଣ କରିନଥିଲେ । ପରାଜୟ ପରେ ଯେଉଁ ପରମ ସନ୍ତୋଷ ଲାଭ କରିଥିଲେ ତାହାକୁ ସେ ବାବାଙ୍କ ଅନୁଗ୍ରହ ବୋଲି ଧରି ନେଇଥିଲେ । ୟା’ପରେ ବାରମ୍ବାର ପ୍ରଶାନ୍ତି ଯାଇ ପ୍ରତ୍ୟେକ ଥର ଦିବ୍ୟଶକ୍ତିର ପ୍ରଭାବ ସେ ଅନୁଭବ କରି ପାରିଥିଲେ । ବିଭିନ୍ନ ଦେଶର ବହୁ କିସମର ଲୋକଙ୍କୁ ଦେଖି ବାବାଙ୍କ ସାର୍ବଜନୀନ ପ୍ରଭାବ ସେ ଅନୁଭବ କରିଥିଲେ ।

 

ଥରକୁ ଥର ପ୍ରଶାନ୍ତି ଯାତ୍ରା କଲାପରେ ସେଠାରେ ସତ୍ୟସାଇ ବାବାଙ୍କର ନାନାବିଧି ଅଲୌକିକ କାର୍ଯ୍ୟ ସମ୍ପାଦନ ଦେଖି ଅତିପ୍ରାକୃତିକ ଓ ଆଧ୍ୟାତ୍ମିକ ଶକ୍ତି ପ୍ରତି ତାଙ୍କର ବିଶ୍ୱାସ ଜନ୍ମିଥିଲା । ଇତିହାସ ସର୍ବଦା ବିଜ୍ଞାନ ସମ୍ମତ ଓ ସତ୍ୟ-ପ୍ରତିଷ୍ଠିତ ହେବା ଉଚିତ ବୋଲି ତାଙ୍କ ଧାରଣାରେ ଦ୍ୱନ୍ଦ ପ୍ରବେଶ କରିଥିଲା । ବିଭିନ୍ନ ଯୁଗର ଧର୍ମ ପ୍ରବର୍ତ୍ତକ ଓ ସାଧୁପୁରୁଷମାନଙ୍କ ବିଷୟରେ ବର୍ଣ୍ଣିତ କଥାସବୁ ତାଙ୍କୁ ଅବାନ୍ତର ମନେ ହୋଇଥିଲା । ବିଶିଷ୍ଟ ଫରାସୀ ଦାର୍ଶନିକ ଭଲଟେୟାରଙ୍କ ଉକ୍ତି ‘ଧର୍ମଗୁରୁମାନେ ପ୍ରତାରକ, ଅଲୌକିକତା ହେଉଛି ପ୍ରହେଳିକା ଏବଂ ଐଶ୍ୱରିକ ସତ୍ୟ ପ୍ରଘଟନ ମଣିଷର ମିଥ୍ୟା ରଚନା ।’ ଏହି ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ ଏ ଯୁଗର ଐତିହାସିକ । ଐତିହାସିକମାନେ ଧର୍ମ ପ୍ରବର୍ତ୍ତକ ଆଧ୍ୟାତ୍ମିକ ପୁରୁଷ ଓ ଦିବ୍ୟଦର୍ଶୀ ସାଧୁ ସନ୍ଥମାନଙ୍କ ଜୀବନ ଓ କାର୍ଯ୍ୟକଳାପ ଉପରେ ଆଲୋକପାତ କଲାବେଳେ ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଫଳରେ ଅତୀତ ଯୁଗର ଜୋରାଷ୍ଟାର, ବୁଦ୍ଧ, ଯୀଶୁ, ମହମ୍ମଦ, ଶଙ୍କର ବା ମଧ୍ୟଯୁଗର ନାନକ କିମ୍ବା ଆଧୁନିକ ଯୁଗର ରାମକୃଷ୍ଣ ପରମହଂସଙ୍କ ଭଳି ମହାପୁରୁଷଙ୍କ ଜୀବନୀ ପ୍ରତି ଗୁରୁତ୍ୱ ନ ଦେଇ ଐତିହାସିକମାନେ ସେମାନଙ୍କ ପ୍ରଚାରିତ ଧର୍ମ ବା ନୀତି ପ୍ରତି ଗୁରୁତ୍ୱ ଦେଇ ଇତିହାସ ରଚନା କରନ୍ତି । ରାମକୃଷ୍ଣଙ୍କର ଯେଉଁ ପ୍ରକାର ଅଲୌକିକ ଶକ୍ତି ବଳରେ ସ୍ୱାମୀ ବିବେକାନନ୍ଦ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ତାହା ବିଜ୍ଞାନ ସମ୍ମତ ହୋଇନଥିବାରୁ ଅଧ୍ୟାପକମାନେ ସେକଥା ଛାତ୍ରଙ୍କୁ କହିବା ପାଇଁ ଭୟ କରିଥାନ୍ତି ବରଂ ଆଧୁନିକ ଐତିହାସିକମାନେ ଅତୀତର ଧର୍ମ ପ୍ରବର୍ତ୍ତକମାନଙ୍କୁ ପାର୍ଥିବ ଜଗତର ‘ଛଳନାକାରୀ’ ବୋଲି ବର୍ଣ୍ଣନା କରି ସେମାନଙ୍କ ଅନୁଗାମୀ ଅନ୍ଧବିଶ୍ୱାସୀ ଓ ଦୁର୍ବଳ ଚେତା ବୋଲି ସମାଲୋଚନା କରିଥିଲେ ।

 

ଏସବୁ ସନ୍ଦେହର ମୂଳ କାରଣ ହେଲା ଅତି ପ୍ରାକୃତିକ ‘ମିରାକିଲ’ ବା ଚମତ୍କାରିତା କ’ଣ ସତ୍ୟ ବା ସମ୍ଭବ ହୋଇପାରେ । ଯଦି ନୁହେଁ ତେବେ ବୁଦ୍ଧ ବା ଯୀଶୁ, ମହମ୍ମଦ ବା ନାନକଙ୍କ ଭଳି ମଣିଷ ଏ ଯୁଗରେ ଜନ୍ମଲାଭ କରିପାରିବେ କି ଉନବିଂଶ ଶତାବ୍ଦୀର ଜଣେ ପାଶ୍ଚାତ୍ୟ ପଣ୍ଡିତ ‘False Divinities’ ନାମକ ଗ୍ରନ୍ଥରେ ଯୀଶୁଖ୍ରୀଷ୍ଟ ଓ ମହମ୍ମଦ କଠୋର ଭାଷାରେ ନିନ୍ଦାକରି ସେମାନଙ୍କର ଯଦି ଆଲୌକିକ ଶକ୍ତି ରହିଛି, ତେବେ ସେମାନେ ବନ୍ଦୀ ହେଲେ କିପରି ବୋଲି ପ୍ରଶ୍ନ ଉଠାଇଛନ୍ତି । ଜଣେ ଫରାସୀ ଗବେଷକ ଅର୍ଣ୍ଣେଷ୍ଟ ରେନାଲ ଯୀଶୁଖ୍ରୀଷ୍ଟଙ୍କ ଜୀବନୀ ଲେଖି ତାଙ୍କୁ ‘ଈଶ୍ୱରଙ୍କ ପୁତ୍ର’ ବଦଳରେ ଜଣେ ମନୁଷ୍ୟ ରୂପେ ବର୍ଣ୍ଣନା କରି ତାଙ୍କୁ ପ୍ରତାରକ ଶଠ ଓ ଛଳନାକରୀ କହି ତାଙ୍କ ମିରାକିଲ୍‌କୁ ମିଥ୍ୟା ବୋଲି ବୈଜ୍ଞାନିକ ପ୍ରଣାଳୀରେ ପ୍ରମାଣ କରିଛନ୍ତି । ଅଲୌକିକ କାଣ୍ଡ ସମ୍ପର୍କରେ ଐତିହାସିକମାନଙ୍କ ମନରେ ଥିବା ଧାରଣା ପରିପ୍ରେକ୍ଷୀରେ ମନ୍ମଥବାବୁଙ୍କ ମନରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସତ୍ୟସାଇ ବାବାଙ୍କର ବିସ୍ମୟକର କାର୍ଯ୍ୟମାନ ଦେଖିଲା ପରେ ତାଙ୍କ ମନରେ ପ୍ରଶ୍ନ ଆସିଲା ଯଦି ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସାଇବାବା ଲକ୍ଷ ଲକ୍ଷ ନରନାରୀଙ୍କ ସାମ୍ନାରେ ଅବିରତ ଭାବେ ଅତିମାନବୀୟ ଶକ୍ତି ପ୍ରଦର୍ଶନ କରିନଥିବେ । ଅତୀତ ଯୁଗର ଧର୍ମଗୁରୁମାନଙ୍କ ପ୍ରଦର୍ଶିତ ସମସ୍ତ ପ୍ରକାର ମିରାକିଲ୍‌କୁ ଅସ୍ୱୀକାର କରାଯାଇପାରିବି କି ? ପାଶ୍ଚାତ୍ୟର ହେତୁବାଦୀ ଯୁକ୍ତିନିଷ୍ଠ ବୁଦ୍ଧିବାଦୀ ଓ ନାସ୍ତିବାଦୀ ଜନତା ଯଦି ସତ୍ୟସାଇଙ୍କ ମିରାକିଲକୁ ସତ୍ୟ ବୋଲି ସ୍ୱୀକାର କରୁଛନ୍ତି ତେବେ ଅତୀତର ମହାପୁରୁଷମାନେ ଅଜ୍ଞ, ନିରକ୍ଷର ଓ ସରଳମନା ଲୋକମାନଙ୍କୁ ଦେଖାଇଥିବା ଆଶ୍ଚର୍ଯ୍ୟଜନକ କାର୍ଯ୍ୟଗୁଡ଼ିକୁ ସମାଲୋଚନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ତାଙ୍କର ଦୃଢ଼ ଧରଣା ହୋଇଥିଲା ।

 

ସେ ଏକ ପୁସ୍ତକ ରଚନା ନିମନ୍ତେ ଅଧ୍ୟବସାୟ ଆରମ୍ଭ କରିଥିଲେ । ଜୋରାଷ୍ଟାର, ବୁଦ୍ଧ, ଯୀଶୁଖ୍ରୀଷ୍ଟ, ମହମ୍ମଦ ଓ ନାନକଙ୍କ ଭଳି ପାଞ୍ଚଜଣ ଧର୍ମ ପ୍ରବର୍ତ୍ତକଙ୍କ ସମ୍ବନ୍ଧରେ ଶାସ୍ତ୍ର ବର୍ଣ୍ଣିତ ମିରାକିଲ୍‌ଗୁଡ଼ିକର ବିବିରଣୀ ସେ ସଂଗ୍ରହ କରିଥିଲେ । ବହିର ପ୍ରଥମ ଭାଗରେ ସେଗୁଡ଼ିକ ଉଲ୍ଲେଖ କରିଥିଲେ । ଗୁରୁ ନାନକଙ୍କ ଅଲୌକିକତା ବିଷୟରେ ସେ ଅବତାରଣା କରିଛନ୍ତି - ଗୁରୁ ନାନକ ତାଙ୍କ ଶିଷ୍ୟଙ୍କ ସହ ଚାଲିଛନ୍ତି, ଶିଷ୍ୟ କିଛି ସମୟ ପରେ କ୍ଷୁଧାତୁର ହେଲେ । କହିଲେ, ‘‘ଗୁରୁଦେବ-! ଭୀଷଣ ଭୋକ ଲାଗୁଛି ।’’ ଗୁରୁ ନାନକ ରାସ୍ତାକଡ଼ର ଏକ ଫଳନ୍ତି ଗଛକୁ ଅଙ୍ଗୁଳି ନିର୍ଦ୍ଦେଶ କରି ଫଳ ତୋଳି ଖାଇବାକୁ କହିଲେ । ଶିଷ୍ୟ କହିଲେ, ‘‘ଗୁରୁଦେବ ! ଆପଣ ଜାଣନ୍ତି, ସମସ୍ତେ ଜାଣନ୍ତି, ଏ ଗଛର ଫଳ ପିତା । ମତେ ଖାଇବାକୁ କେମିତି କହୁଛନ୍ତି ?’’ ଗୁରୁଦେବ ଜୋର୍ ଦେଇ କହିଲେ, ‘‘ତୁ ଖାଇ ଦେଖ୍ । ତୋର ଭୋକ ମେଣ୍ଟିଯିବ ।’’ ସତକୁ ସତ ଫଳଗୁଡ଼ିକ ମିଠା ଲାଗିଲା । ସେଇ ଦିନଠାରୁ ସେଇ ଡାଳର ଫଳଗୁଡ଼ିକ ମିଠା ହେଲା । ଅନ୍ୟ ଡାଳର ଫଳ ପିତା । ଏବେ ସେ ଗଛ ପାକିସ୍ତାନରେ ଅଛି । ଦ୍ୱିତୀୟ ଭାଗରେ ଲେଖିଲେ ସତ୍ୟସାଇ ବାବାଙ୍କର କେତୋଟି ମିରାକିଲ୍ କଥା । ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଅନୁସନ୍ଧାନ, ଅନୁଧ୍ୟାନ, ବ୍ୟକ୍ତିଗତ ଅନୁଭୂତି ଓ ଦୀର୍ଘକାଳର ଗବେଷଣାଲବ୍ଧ ମିରାକିଲ୍‌ଗୁଡ଼ିକରେ ସେ ଉଲ୍ଲେଖ କରିଥିଲେ । ବହିଟିର ନାମ ରଖିଲେ, ‘‘The Miracles of Great Savoiurs of Mankind; From Zoraster to Satya Sai’’. ୧୯୯୨ରେ ଏହାର ପ୍ରଥମ ସଂସ୍କରଣ ଦିଲ୍ଲୀରେ ପ୍ରକାଶିତ ହେଲା । ଖୁବ୍ ଶୀଘ୍ର ଦ୍ୱିତୀୟ ସଂସ୍କରଣ ମଧ୍ୟ ପ୍ରକାଶିତ ହେଲା । ଜଣେ ହଙ୍ଗେରୀୟ ଅଧ୍ୟାପକ ତାଙ୍କ ଭାଷାରେ ବହିଟିର ଅନୁବାଦ ପାଇଁ ଅନୁମତି ପାଇଲେ ।

 

ଶ୍ରୀ ସତ୍ୟସାଇ ବାବାଙ୍କୁ ନେଇ ସେ ଦ୍ୱିତୀୟ ବହିଟି ଲେଖିଲେ, ‘The saga of Satya Sai’. ଏହାକୁ ପ୍ରକାଶ କଲେ ଦିଲ୍ଲୀ, ଚଣ୍ଡିଗଡ଼ର କୋଣାର୍କ ପ୍ରକାଶନୀ । ୨୫୦ ପୃଷ୍ଠାର ବହିଟିକୁ ନିଜେ ଟାଇପ୍ କରି କ୍ଲାନ୍ତ ଯୋଗୁଁ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ଆଧ୍ୟାତ୍ମିକ ଚେତନା ଓ ଅନୁଭବକୁ ନେଇ ସେ ମଧ୍ୟ ‘ଜୀବନର ପଥପ୍ରାନ୍ତ ଆଧ୍ୟାତ୍ମିକ ଆଭା’ ଶୀର୍ଷକ ପୁସ୍ତକ ରଚନା କରିଯାଇଛନ୍ତି । ଏହା ସତ୍ତ୍ୱେ ସତ୍ୟସାଇ ବାବାଙ୍କର ମହାର୍ଘ ତାତ୍ତ୍ୱିକ ବାଣୀ ମଧ୍ୟରେ ଯେଉଁ ଗଭୀର ତତ୍ତ୍ୱଜ୍ଞାନ ନିହିତ ଅଛି, ତାହା ହୃଦୟଙ୍ଗମ କରିବା କିମ୍ବା ସେଇ ଅନୁସାରେ କାର୍ଯ୍ୟ କରିବା ତାଙ୍କ ଭଳି ବ୍ୟକ୍ତି ପକ୍ଷରେ ଏକ ବ୍ୟର୍ଥ ପ୍ରୟାସ ବୋଲି ସେ ଜାଣିପାରି ଥିଲେ । ଐଶ୍ୱରିକ ମହାପୁରୁଷମାନେ ମନୁଷ୍ୟର ଦୁଃଖ, ବିପଦ, ଶାରୀରିକ ବ୍ୟାଧି ଓ ମାନସିକ ପୀଡ଼ା ଅପସାରଣ କରିପାରିବେ କି ନାହିଁ ସେ ବିଷୟରେ ସନ୍ଦେହମୁକ୍ତ ହୋଇପାରିନଥିଲେ । ତେଣୁ ଶେଷ ଜୀବନ ପର୍ଯ୍ୟନ୍ତ ସେ ବିଶ୍ୱାସ ଓ ଅବିଶ୍ୱାସର ସଂଶୟ ଭିତରେ ଘାରି ହୋଇଥିଲେ । ସେ ମଧ୍ୟ ‘Adobe of Bliss’ ନାମକ ଆଧ୍ୟାତ୍ମିକ ପୁସ୍ତକଟିଏ ରଚନା କରିଥିଲେ ।

 

ଆଧ୍ୟାତ୍ମିକତା ଆଡ଼କୁ ତାଙ୍କ ମନ ଢଳିଲା ପରେ ସେ ମୃତ୍ୟୁ ବିଷୟରେ ସଚେତନ ଭାବେ ଚିନ୍ତା କରିଥିଲେ । ମହାବୀର ସିକନ୍ଦର ଯଦି ମୃତ୍ୟୁର ଶୀତଳ ସ୍ପର୍ଶରେ ଇହଧାମରୁ ୩୩ ବର୍ଷ ବୟସରେ ବିଦାୟ ନେଇ ପାରନ୍ତି ବା ମାତ୍ର ୩୯ ବର୍ଷ ବୟସରେ ମହାଯୋଗୀ ସ୍ୱାମୀ ବିବେକାନନ୍ଦ ଦେହ ତ୍ୟାଗ କରିପାରନ୍ତି, ତେବେ ତାଙ୍କ ପରି ସାଧାରଣ ମଣିଷ କେତେ କାଳ ଜୀବିତ ରହିବାକୁ ଆଶାକରିବା ଉଚିତ ବୋଲି ସେ ଚିନ୍ତା କରିଥିଲେ । ଜୀବନର ସାୟାହ୍ନରେ ରାତ୍ରୀର ଅନ୍ଧକାରରେ ଅଦୃଶ୍ୟ ହେବା ନିମନ୍ତେ ଅଗ୍ରସର ହେବା ଆନନ୍ଦଦାୟକ ବୋଲି ସେ ଭାବିଥିଲେ । ପୁଣି ମୃତ୍ୟୁକୁ ସାମ୍ନା କରିବାକୁ ଭୟ ଆସିଥିଲା ଯାହା ତାଙ୍କ ଭିତରେ ସୃଷ୍ଟି କରିଥିଲା ପୁନର୍ଜନ୍ମର ଚିନ୍ତା । ହିନ୍ଦୁ ବିଶ୍ୱାସ ଅନୁଯାୟୀ କର୍ମଫଳ ଭୋଗ ପାଇଁ ପୁନର୍ଜନ୍ମ ସୁନିଶ୍ଚିତ ବୋଲି ଭାବି ସେ ଆତଙ୍କିତ ହୋଇଥିଲେ । ଦିନେ ପ୍ରଶାନ୍ତି ନିଳୟରେ ଜଣେ ବିଜ୍ଞବ୍ୟକ୍ତି ପୁନର୍ଜନ୍ମ ପ୍ରସଙ୍ଗରେ ଉପଦେଶ ଦେଲେ ଯେ, ଆଗାମୀ ଜୀବନ ପ୍ରତି ଶଙ୍କା ପ୍ରକାଶ ପାଇଲେ ଏ ଯୁଗର ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମତ ଗ୍ରହଣ କରିନେଲେ ଶାନ୍ତି ମିଳିବ । ଆଇନଷ୍ଟାଇନ୍ କହିଥିଲେ, ‘‘ପ୍ରାଣ ଥାଏ ଶରୀରରୂପୀ ଆଧାର ମଧ୍ୟରେ । ଆଧାର ଲୋପ ପାଇଲା କ୍ଷଣି ତନ୍ମଧ୍ୟରେ ଥିବା ପ୍ରାଣ ମଧ୍ୟ ଲୋପ ପାଇଥାଏ । ଯେଉଁମାନେ ପୁନର୍ଜନ୍ମ ବା ଘଟ ପରିବର୍ତ୍ତନ କଥା କହନ୍ତି, ସେମାନେ ଶିଶୁ ସୁଲଭ ଅଜ୍ଞତା ପ୍ରକାଶ କରିଥାନ୍ତି ।’’ ଆଇନଷ୍ଟାଇନଙ୍କ ମତ ତାଙ୍କ ମନକୁ ସ୍ପର୍ଶ କରିଥିଲା ଓ ପୁନର୍ଜନ୍ମ ପ୍ରତି ତାଙ୍କର ଭୟ ରହିଲା ନାହିଁ । ସାନଭାଇ ମନୋଜ ଦାସଙ୍କୁ ଏକଥା କହିଲାବେଳେ ସେ କହିଥିଲେ, ଏହା ବୈଜ୍ଞାନିକ ଆଇନଷ୍ଟାଇନଙ୍କ ସିଦ୍ଧାନ୍ତ ହୋଇପାରେ ମାତ୍ର ଏକମାତ୍ର ସତ୍ୟ ସିଦ୍ଧାନ୍ତ ହୋଇନପାରେ । ବୈଜ୍ଞାନିକ ସିଦ୍ଧାନ୍ତ ପରି ଆଧ୍ୟାତ୍ମିକ ସିଦ୍ଧାନ୍ତ ମଧ୍ୟ ରହିଛି । ପ୍ରତ୍ୟେକ ସିଦ୍ଧାନ୍ତର ନିର୍ଦ୍ଦିଷ୍ଟ ତାତ୍ତ୍ୱିକ ବ୍ୟାଖ୍ୟାମାନ ଥିବାରୁ କୌଣସି ଗୋଟିଏ ଧାରଣା ଶେଷ ସିଦ୍ଧାନ୍ତ ହୋଇନପାରେ । ନିଜ କ୍ଷୁଦ୍ର ବୁଦ୍ଧିରେ ମନ୍ମଥବାବୁ ଚିନ୍ତା କଲେ, ମୃତ୍ୟୁ ପରେ ଯଦି ଅନ୍ୟ ଜୀବନ ନାହିଁ, ତେବେ ନିର୍ଭୟରେ ମୃତ୍ୟୁକୁ ଅପେକ୍ଷା କରିବା ବିଜ୍ଞତା ନୁହେଁ କି !

 

ଜଣେ ଅଶୀତିପର ବୃଦ୍ଧ ସାଧକଙ୍କ ମୁଖରୁ ସେ ଶୁଣିଥିଲେ ଯେ, ମଣିଷ ଯମ ଅପେକ୍ଷା ଯମଦୂତଙ୍କୁ ବେଶି ଡରିଥାଏ । କାରଣ ଯମଦୂତମାନେ ଭିନ୍ନଭିନ୍ନ ରୂପରେ ଆସିଥାନ୍ତି । ଦୋଳିରେ ବସି ସମ୍ବାଦପତ୍ର ପଢ଼ୁପଢ଼ୁ ତାଙ୍କ ବାପା ନିମିଷକ ମଧ୍ୟରେ ସୁଖମୃତ୍ୟୁ ବରଣ କରିଥିଲେ । ସେପରି ମୃତ୍ୟୁ ତାଙ୍କ ନିଜ ଭାଗ୍ୟରେ ଥିବ ବୋଲି ପ୍ରମାଣ କ’ଣ ? ଯମଦୂତମାନେ ଦାରୁଣ ଶାସ୍ତି ପ୍ରଦାନ ପାଇଁ ଅପମୃତ୍ୟୁ, ସର୍ପଘାତ, ବଜ୍ରଘାତ, ପକ୍ଷାଘାତ, ମଧୁମେହ ଶ୍ୱାସ, ଯକ୍ଷ୍ମା ତଥା କ୍ୟାନସର ଭଳି ଭୟଙ୍କର ରୂପରେ ଆସିଥାନ୍ତି । କାହାକୁ ସେମାନେ ସ୍ୱଳ୍ପ କାଳ ନିର୍ଯ୍ୟାତନା ଦିଅନ୍ତି ତ ଆଉ କାହାକୁ ଦୀର୍ଘକାଳ । ସେ ଚିନ୍ତା କରିଥିଲେ, ଯଦି ମରଣକୁ ଆହ୍ୱାନ କରିବା ଦ୍ୱାରା ଆନନ୍ଦ ମିଳୁଛି, ତେବେ ଯମଦୂତଙ୍କୁ ସ୍ୱାଗତ କରିବା ପାଇଁ ମାନସିକ ପ୍ରସ୍ତୁତରେ ମଧ୍ୟ ଆନନ୍ଦ ପାଇବା ଆବଶ୍ୟକ । ଦିନେ ସନ୍ଧ୍ୟାରେ ଝିଅ ସଂଘମିତ୍ରା ଓ ପୁଅ ସିଦ୍ଧାର୍ଥକୁ ପାଖକୁ ଡାକି ସେ ନିଜର ଇଚ୍ଛା ପ୍ରକାଶ କରିଥିଲେ, କ୍ୟାନସର୍ ବା ପକ୍ଷାଘାତ ବା ଅନ୍ୟକୌଣସି ସାଂଘାତିକ ବ୍ୟାଧି ଯାହା ବି ହେଲେ ତାଙ୍କର ଚିକିତ୍ସା ଦରକାର ନାହିଁ । ସେମାନଙ୍କ ପ୍ରତିବାଦକୁ ପ୍ରତିହତ କରି ସେ ପଚାରିଥିଲେ, ‘‘ଆଉ କେତେ ବର୍ଷ ମୁଁ ବଞ୍ଚିରହିଲେ ତୁମେମାନେ ସୁଖୀ ହେବ ? ଜରା ଓ ବ୍ୟାଧି ଆକ୍ରମଣ କଲେ ସେବା ସିନା କରିବ, କିନ୍ତୁ ମୋ କଷ୍ଟ ନେଇ ପାରିବ କି ?’’ ତେଣୁ ୭୨ ବର୍ଷରେ ପଦାର୍ପଣ କଲାପରେ ଯମଦୂତଙ୍କ ଆଗମନ ଲାଗି ଦ୍ୱାର ମୁକ୍ତକରି ସେ ଅପେକ୍ଷା କରିବାକୁ ଲାଗିଲେ ଏବଂ ନିଜର ଆତ୍ମଜୀବନୀ ତଥା ଭ୍ରମଣ କାହାଣୀ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟର ଶେଷ ପୃଷ୍ଠାର ଶେଷ ବାକ୍ୟ ସେ ଲେଖିଥିଲେ, ‘‘ବହିର ଏହି ଶେଷ ପୃଷ୍ଠାରେ ରହିଲା, ଅଗଣିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆନ୍ତରିକ ଶ୍ରଦ୍ଧା ଓ ପରିଚିତ ଶୁଭେଚ୍ଛୁମାନଙ୍କ ଉଦ୍ଦେଶ୍ୟରେ ଶେଷ ନମସ୍କାର !’’ ତାଙ୍କ ଆଧ୍ୟାତ୍ମିକ ଚିନ୍ତା ଚେତନା ତାଙ୍କ ମୃତ୍ୟୁ ଚେତନାକୁ ମଧ୍ୟ ପ୍ରଭାବିତ କରିଥିଲା ଓ ସେ ସାହସିକତାର ସହ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥିଲେ ।

 

***

 

ବ୍ୟକ୍ତିତ୍ୱ ଓ ଜୀବନଶୈଳୀ

 

ତାଙ୍କର ଦୈନନ୍ଦିନ ଜୀବନଶୈଳୀ ଥିଲା ସରଳ ଓ ସାଦାସିଧା । ଘରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଥିଲେ ମଧ୍ୟ ତିନି ମହଲା ଉପରେ ଏକ ପଙ୍ଖାତଳେ ବସି ସେ ପଢ଼ାପଢ଼ି ଓ ଲେଖାଲେଖି କରୁଥିଲେ । ତାଙ୍କୁ ସେ ବିଷୟରେ କେହି ପଚାରିଲେ ଶ୍ରୀମାଙ୍କର ଉଦାହରଣ ଦେଇ କହୁଥିଲେ, ‘ଶ୍ରୀମା କିପରି ଏଜବେଷ୍ଟସ ଘରେ ରହୁଥିଲେ ।’ ସେ ନିଜର ସମସ୍ତ କାର୍ଯ୍ୟ ନିଜେ ହିଁ କରୁଥିଲେ । ଏପରିକି ଖାଇ ସାରିବାପରେ ନିଜର ଅଇଁଠା ବାସନ ନିଜେ ସଫା କରୁଥିଲେ । ତାଙ୍କର ପାଣ୍ଡୁଲିପି ପ୍ରସ୍ତୁତ କରିବାର ଶୈଳୀ ଥିଲା ବିସ୍ମୟକର । ଯତ୍ନର ସହିତ ପାଣ୍ଡୁଲିପି ପ୍ରସ୍ତୁତ କରି ସେ ପ୍ରକାଶନ ପାଇଁ ଦେଉଥିଲେ । ଖଟ ଉପରେ ଅଳ୍ପ ଉଚ୍ଚର ଡେସ୍କଟିଏ ପକାଇ ତା’ ଉପରେ ରଖୁଥିଲେ ଟାଇପ୍‌ରାଇଟର୍ ମେସିନଟିଏ । ମଶାଙ୍କ କବଳରୁ ରକ୍ଷା ପାଇବା ପାଇଁ ମଶାରି ଟାଙ୍ଗି ରଖୁଥିଲେ ସବୁବେଳେ । ବିଛଣାରୁ ଉଠି ସେଇ ମଶାରି ଭିତରେ ବସି ପ୍ରସ୍ତୁତ କରୁଥିଲେ ପାଣ୍ଡୁଲିପି ବିଳମ୍ବିତ ରାତି ପର୍ଯ୍ୟନ୍ତ । ମାତ୍ର ଟାଇପରାଇଟର୍ ମେସିନ୍‌ରେ ସବୁଯାକ ଆଙ୍ଗୁଠିରେ ଟାଇପ୍ କରି ପାଣ୍ଡୁଲିପି ପ୍ରସ୍ତୁତ କରୁଥିଲେ । ବାମହାତ ବିଶି ଆଙ୍ଗୁଠି ହାତଲେଖା ପାଣ୍ଡୁଲିପି ଉପରେ ରଖି ଡାହାଣ ହାତ ବିଶି ଆଙ୍ଗୁଠିରେ ଗୋଟିଏ ଗୋଟିଏ କରି ଅକ୍ଷର ଟାଇପ୍ କରୁଥିଲେ । ଏଥିପାଇଁ ବହୁ ସମୟ ଲାଗୁଥିଲେ ମଧ୍ୟ ଅସମ୍ଭବ ଧୈର୍ଯ୍ୟ ଓ ଏକାଗ୍ରତା ସହିତ ସେ ଏହିପରି ଶହଶହ ପୃଷ୍ଠା ଟାଇପ୍ କରି ପାଣ୍ଡୁଲିପି ପ୍ରସ୍ତୁତ କରୁଥିଲେ । ତାଙ୍କ ଲେଖା ଉପରେ ସେ ଏତେ ନିଶ୍ଚିତ ଥିଲେ ଯେ ନିଜ ଲେଖାର କୌଣସି ଗୋଟିଏ ଶବ୍ଦ ବି ପରିବର୍ତ୍ତନ କରିବାକୁ ଚାହୁଁ ନ ଥିଲେ-। ଏପରିକି ପାଣ୍ଡୁଲିପିରେ ଥିବା କମା ବା ପୂର୍ଣ୍ଣଚ୍ଛେଦ ଯେଉଁ ସ୍ଥାନରେ ଯେପରି ରହିଛି ଠିକ୍ ସେହିଭଳି ଭାବେ ରଖିବାକୁ କହୁଥିଲେ । ନିର୍ଭୁଲ ମୁଦ୍ରଣ ଓ ନିର୍ଦ୍ଧାରିତ ସମୟରେ ପୁସ୍ତକ ପ୍ରକାଶନ ଉପରେ ସେ ଖୁବ୍ ଗୁରୁତ୍ୱାରୋପ କରୁଥିଲେ । ବହିର ଶେଷ ପ୍ରୁଫ୍ ସେ ନିଜେ ଦେଖୁଥିଲେ ଏବଂ ପ୍ରଚ୍ଛଦ ଓ ଜ୍ୟାକେଟ ସମ୍ପର୍କରେ ସୂଚନା ମଧ୍ୟ ଦେଉଥିଲେ । ଗୋଟିଏ ବାକ୍ୟରେ କହିଲେ ଲେଖକର ନିଜସ୍ୱ ଚିନ୍ତା, ଚେତନା, ଭାଷା, ଶୈଳୀ ଓ ତଥ୍ୟ ତଥା ତତ୍ତ୍ୱର ସଠିକତା ଉପରେ ସେ ଅତ୍ୟଧିକ ସଚେତନ ଥିଲେ । ବାସ୍ତବରେ ସେ ଥିଲେ ପରିଚ୍ଛନ୍ନତା, ସୌନ୍ଦର୍ଯ୍ୟବୋଧ ଓ ସମୟାନୁବର୍ତ୍ତିତାର ଏକ ମୂର୍ତ୍ତିମନ୍ତ ପ୍ରତୀକ ।

 

ସେ ଥିଲେ ଜଣେ ଅସାଧାରଣ ମାନବବାଦୀ ଓ ଦେଶଭକ୍ତ । ଏବର ଭାରତୀୟ ଜନ ସମାଜର ନୈତିକ ଅବକ୍ଷୟ ତାଙ୍କୁ ଅହରହ ମର୍ମାହତ କରୁଥିଲା ଏବଂ ସେ ଜାଣିଥିଲେ, ବ୍ୟକ୍ତି ବଦଳିଲେ ସମାଜ ବଦଳିବ ଓ ସମାଜ ବଦଳିଲେ ଦେଶ ବଦଳିବ । ଅର୍ଥ ପ୍ରତି ତାଙ୍କର କେବେ ବି ଲାଳସା ନ ଥିଲା । ଅର୍ଥ ଲିପ୍‌ସୁଙ୍କ ପ୍ରତି ତାଙ୍କର ଥିଲା ପ୍ରବଳ ଘୃଣା । ଅନେକ ଗରିବ ଛାତ୍ରଙ୍କୁ ପାଠ ପଢ଼ିବା ପାଇଁ ସେ ଅର୍ଥ ସାହାଯ୍ୟ କରୁଥିଲେ । ସେ ଏତେ ସମୟାନୁବର୍ତ୍ତୀ ଥିଲେ ଯେ ତାଙ୍କୁ ଦେଖି ଅନେକେ ନିଜନିଜ ଘଣ୍ଟାର ସମୟ ମିଳାଉଥିଲେ । ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଅତ୍ୟନ୍ତ ନିରାଡ଼ମ୍ବର ଥିଲା । ସରଳ ଜୀବନଯାପନ ଓ ଉଚ୍ଚଚିନ୍ତା ଥିଲା ତାଙ୍କ ଜୀବନର ମୂଳମନ୍ତ୍ର । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଡକ୍ଟର ଦାସ ନିଜ କାମ ନିଜେ କରୁଥିଲେ । ବନ୍ଧୁଙ୍କ ଦର୍ଶନ ସମ୍ଭବତଃ ତାଙ୍କୁ କିଛିଟା ପ୍ରଭାବିତ କରିଥିଲା । କାରଣ ସେ ନିଜ ସ୍ୱାସ୍ଥ୍ୟର କୌଣସି ଯତ୍ନ ନେଉ ନଥିଲେ ବା ଅନ୍ୟକୁ ମଧ୍ୟ ନେବାକୁ ଦେଉ ନ ଥିଲେ । ‘ଜୀବନେ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ’ ଏହା ଥିଲା ତାଙ୍କ ସ୍ୱାଭିମାନୀ ବ୍ୟକ୍ତିତ୍ୱର ଅଙ୍ଗୀକାର । ରାଜ୍ୟସଭା ସଦସ୍ୟ ଥିଲାବେଳେ ଥରେ ମଧ୍ୟାହ୍ନ ଭୋଜନ ପାଇଁ କ୍ୟାଣ୍ଟିନ୍‌ରେ ପହଞ୍ଚି ଅନୁଭବ କଲେ ଯେ ପର୍ସଟି ଆଣିନାହାନ୍ତି । କାହାକୁ ପଇସା ନ ମାଗି ସନ୍ତର୍ପଣରେ ସେ ଫେରି ଆସିଥିଲେ ସାଂସଦ କକ୍ଷକୁ । ସେ ଅଭୁକ୍ତ ରହିଲେ ସିନା ସ୍ୱାଭିମାନ ଏଡ଼ାଇଲେ ନାହିଁ ।

 

ତାଙ୍କର ବହୁମୁଖୀ କର୍ମ ପରିସର ଭିତରେ ବି ପରିବାର ସଦସ୍ୟମାନଙ୍କୁ ସେ ସ୍ନେହ ଓ ଅନୁରାଗ ସୂତ୍ରରେ ବାନ୍ଧି ରଖିଥିଲେ । ସମସ୍ତଙ୍କ ଖାଇବା, ପିଇବା, ଶୋଇବା ଆଦି ସବୁକିଛି ଟିକିନିଖି କରି ବୁଝୁଥିଲେ । ସମସ୍ତେ ଶୋଇଲା ପରେ ମଶାରି ଠିକ୍ ଭାବେ ଗୁଞ୍ଜା ହୋଇଛି କି ନାହିଁ ଦେଖି ନିଜେ କଷ୍ଟକରି ନଇଁ ଭଲଭାବେ ଗୁଞ୍ଜି ଦେଉଥିଲେ । କାହାରି ଦେହ ଖରାପ ହେଲେ ସେ ପାଗଳ ପ୍ରାୟ ହୋଇଯାଉଥିଲେ ଓ ନିଜ ଲେଖାଲେଖି ମଝିରୁ ଉଠିଆସି ବାରମ୍ବାର ପଚାରୁଥିଲେ । ସାନଭାଇ ମନୋଜ ଦାସଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ପୁରାଣ ଯୁଗର ରାମ ଲକ୍ଷ୍ମଣଙ୍କ ଭଳି ।

 

ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଥିଲେ ଜଣେ ବିଶିଷ୍ଟ ବାଗ୍ମୀ । ସବୁଠି ତାଙ୍କ ଭାଷଣ ଉଚ୍ଚ ପ୍ରଶଂସିତ ହେଉଥିଲା । ରାଜ୍ୟସଭା କାର୍ଯ୍ୟରେ ସେ ଏପରି ମଜ୍ଜି ଯାଇଥିଲେ ଯେ ପ୍ରତିଦିନ କୌଣସି ନା କୌଣସି ବିଷୟରେ ଭାଷଣ ଦେବାକୁ ଚାହୁଁଥିଲେ ଏବଂ ବେଳେବେଳେ ତାଙ୍କୁ ସୁଯୋଗ ଦିଆଯାଉନଥିବାରୁ ସେ କ୍ଷୋଭ ପ୍ରକାଶ କରୁଥିଲେ । ଅଧ୍ୟାପନାକୁ ଏକ ବୃତ୍ତି ଭାବରେ ନୁହେଁ, ଜୀବନର ଚରମ ପ୍ରବୃତ୍ତିଭାବରେ ସେ ଗ୍ରହଣ କରିଥିଲ । ପଢ଼େଇବାର ଦୁର୍ଲ୍ଲଭ କଳା ତାଙ୍କ ପାଖରେ ଥିଲା, ଯାହା ସଚରାଚରେ ସଭିଙ୍କଠାରେ ଦେଖିବାକୁ ମିଳେ ନାହିଁ । ଗୋଟିଏ ପଟେ ଗଭୀର ଜ୍ଞାନ ଓ ଅନ୍ୟପଟେ ପଢ଼ାଇବାର ପଟୁତା ଯୋଗୁଁ ସେ ଛାତ୍ରମାନଙ୍କର ଖୁବ୍ ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କ କହିବାର ଶୈଳୀ ଏଭଳି ଚମତ୍କାର ଥିଲା ଯେ ସେ ସାଧାରଣ ଛାତ୍ରଠାରୁ ଆରମ୍ଭ କରି ଅତି ବୁଦ୍ଧିମାନ ଛାତ୍ରମାନଙ୍କୁ ଏକା ସାଥିରେ ନେଇ ପାରୁଥିଲେ – ତାହା ହିଁ ଥିଲା ତାଙ୍କ ପ୍ରତିଭାର ପ୍ରକୃଷ୍ଟ ପରିଚୟ ।

 

ଯେକୌଣସି କାମ ସେ ହାତକୁ ନେଉଥିଲେ ତାହାକୁ ମନପ୍ରାଣ ଦେଇ କରିବାକୁ ସର୍ବଦା ଚେଷ୍ଟିତ ଥିଲେ । ସେହି କର୍ତ୍ତବ୍ୟନିଷ୍ଠା ଯୋଗୁଁ ଜୀବନର ପ୍ରତିଟି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜ୍ଜନ କରିବା ସହ ସେ ସାଫଲ୍ୟ ମଣ୍ଡିତ ହୋଇଥିଲେ । କୌଣସି କାର୍ଯ୍ୟକୁ ସେ ଗୌଣ ମନେକରୁ ନ ଥିଲେ । ନୂଆନୂଆ ତଥ୍ୟ ସଂଗ୍ରହ କରି ଇତିହାସର ସତ୍ୟତା ପ୍ରମାଣ କରିବାରେ ସେ ଥିଲେ ସତତ ଚେଷ୍ଟିତ-। ଇତିହାସର ପ୍ରାଚୀନ ତଥ୍ୟରାଜି ସଂଗ୍ରହ କରିବା ପାଇଁ କେବଳ ପ୍ରଚେଷ୍ଟା ଯଥେଷ୍ଟ ନୁହେଁ, ସେଥିପାଇଁ ସେ ଆଗ୍ରହ, ବୁଦ୍ଧି ଓ ବିଚାର ଶକ୍ତି ଲୋଡ଼ା ଏକଥା ସେ ଭଲଭାବେ ବୁଝିଥିଲେ । ମଣିଷ ପଣିଆର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ଭାରତର ପୂର୍ବତନ ପ୍ରଧାନ ସେନାପତି ଜେନେରାଲ ଶଙ୍କର ରାୟ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ, ପ୍ରଖ୍ୟାତ ଶିଳ୍ପପତି କେ.କେ.ବିରଳା-ତାଙ୍କ ଭଳି ବିଦ୍ୱାନ, ସଜ୍ଜନ ତଥା ସୃଜନଶୀଳ ବ୍ୟକ୍ତି ଖାଲି ରାଜନୀତିରେ ନୁହେଁ, ବୌଦ୍ଧିକ ଜଗତରେ ମଧ୍ୟ ବିରଳ ବୋଲି ସ୍ୱୀକାର କରିଥିଲେ । ରାଜ୍ୟସଭା କାର୍ଯ୍ୟକାଳ ପରେ ତାଙ୍କୁ ପବ୍ଲିକ୍ ସର୍ଭିସ୍ କମିଶନର ମୁଖ୍ୟ, ରାଜ୍ୟପାଳ କିମ୍ବା ରାଷ୍ଟ୍ରଦୂତ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହାକୁ ସେ ନମ୍ରଭାବେ ଏଡ଼ାଇ ଯାଇଥିଲେ । ସେ ପ୍ରକୃତ ଅର୍ଥରେ ଥିଲେ ଜଣେ ମହତ୍ ମଣିଷ । କିନ୍ତୁ ସରଳବିଶ୍ୱାସ ଯୋଗୁଁ ସେ କେବେକେବେ ଯଥାର୍ଥ ଦିଗ୍‍ଦର୍ଶନରୁ ବଞ୍ଚିତ ହୋଇଥିଲେ-। ସେ ଥିଲେ ମିଷ୍ଟଭାଷୀ, ଛାତ୍ର ତଥା ବନ୍ଧୁବତ୍ସଳ, ଗୁଣଗ୍ରାହୀ, ଉଦାରଚେତା ତଥା ରସଘନ ବ୍ୟକ୍ତିତ୍ୱର ଅଧିକାରୀ-। କଂଗ୍ରେସରେ ସଭ୍ୟ ଥାଇ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ତାଙ୍କର ଉଛ୍ୱସିତ ପ୍ରଶଂସା କରୁଥିଲେ ।

 

ଅଧ୍ୟାପନା କଲାବେଳେ ରାଜନୀତିକ ଦର୍ଶନର ଜଟିଳ ତତ୍ତ୍ୱକୁ ଚମତ୍କାର ଭାବରେ ଏପରି ହୃଦୟସ୍ପର୍ଶୀ ଭାଷାରେ ବୁଝାଉଥିଲେ ଯେ ଅନ୍ୟମନସ୍କ ଛାତ୍ରଟିଏ ମଧ୍ୟ ସେ କ୍ଲାସ୍ ନେଉଥିବାବେଳେ ହଲଚଲ ହେବା ସମ୍ଭବ ହେଉନଥିଲା । ସେତେବେଳ ସମୟରେ ଫୁଲପେଣ୍ଟ କୋର୍ଟ ଓ ଟାଇ ପରିହିତ କ୍ଲିନସେଭ୍ ହୋଇଥିବା ଭାବଗମ୍ଭୀର ଅଧ୍ୟାପକଙ୍କୁ ଦେଖିଲେ ସ୍ୱତଃ ଛାତ୍ରମାନଙ୍କର ଶ୍ରଦ୍ଧା ଓ ସମ୍ମାନ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ୁଥିଲା । ବିଷୟବସ୍ତୁକୁ ଅତି ପ୍ରାଞ୍ଜଳ ଭାବେ, ସରସ ଢଙ୍ଗରେ, ଅତି ଜୀବନ୍ତ ଭାବରେ ସେ ପରିବେଷଣ କରିପାରୁଥିଲେ । ଇତିହାସର ମୃତ ଚରିତ୍ରମାନେ ଯେପରି ସଶରୀରରେ ଆସି ଠିଆହୋଇ ଯାଉଥିଲେ ଶ୍ରେଣୀ କକ୍ଷର ପିଲାମାନଙ୍କ ସମ୍ମୁଖରେ । ଇତିହାସର ନିଷ୍ପ୍ରାଣ ବିଷୟବସ୍ତୁ ସମୂହ ତାଙ୍କ ଶିକ୍ଷାଦାନରେ ଜୀବନ୍ୟାସ ପାଇଯାଉଥିଲେ ସତେଅବା । ତାଙ୍କ କ୍ଲାସରେ ବସିଥିବା ପିଲାମାନେ ମନଶ୍ଚକ୍ଷୁରେ ହବ୍‌ସ, ଲକ୍, ରୁଷୋ, ଭଲଟାୟାର, ମାକ୍ୟାଭେଲିଙ୍କୁ ଦେଖିପାରୁଥିଲା । ଦେଖୁଥିଲା ଫରାସୀ ରାଷ୍ଟ୍ର ବିପ୍ଲବ, ପ୍ରଥମ ବିଶ୍ୱଯୁଦ୍ଧ ପରର ବିଭୀଷିକା, ଦେଖୁଥିଲା ଭର୍ସିଲିସ୍, ଭିଏନା, ହିଟଲର୍ , ମୁସୋଲିନି ଓ ନେପୋଲିୟନ୍ ବୋନାପାର୍ଟ ଚରିତ୍ର ଯେମିତି ସଶରୀରେ ଉଦ୍‌ଭାସି ଉଠୁଥିଲେ ତାଙ୍କ ସାମ୍ନାରେ । ତାଙ୍କ ସାବଲୀଳ ଓ ସୁନ୍ଦର ଭାଷାରେ ସେ ଇତିହାସର ଘଟଣା ସବୁକୁ ବର୍ଣ୍ଣନା କରୁଥିବା ବେଳେ ମୃତ ଅତୀତ ଜୀବନ୍ତ ହୋଇଉଠୁଥିଲା । ସେତେବେଳେ ବାରମ୍ବାର ବଦଳୁଥିବା ତାଙ୍କର ମୁଖଭଙ୍ଗୀ, ହସ୍ତଚାଳନ ଓ ପଦପାତ । କଡ଼ା ଇସ୍ତ୍ରିକରା ପ୍ୟାଣ୍ଟ, ସାର୍ଟ, ପଲିସକରା ବୁଟ୍, ଚିକ୍‌ଣ ମୁହଁ, ବୁଦ୍ଧିଦୀପ୍ତ ଚାହାଣୀକୁ ନିରୀକ୍ଷଣ କଲେ ସେ ଲାଗୁଥିଲେ ଜଣେ ମାର୍ଜିତ ଲୋକ ବୋଲି । ଇତିହାସର ବୁଦ୍ଧ ଚରିତ୍ରକୁ ଗଭୀରଭାବେ ଭଲପାଉଥିଲେ ବୋଲି ପୁଅର ନାଁ ଦେଇଥିଲେ ସିଦ୍ଧାର୍ଥ ଓ ଝିଅର ନାଁ ଥିଲା ସଂଘମିତ୍ରା । ପୁଣି ଝିଅର ଡାକ ନାଁ ଦେଇଥିଲେ ଝାନ୍‌ସି । ନାତିର ନାମକରଣ କରିଥିଲେ ସମ୍ରାଟ୍ ଶିଳାଦିତ୍ୟ । ସଂସାର ଭିତରେ ଥାଇବି ସେ ଚଳୁଥିଲେ ଋଷି ପରି, ସନ୍ନ୍ୟାସୀ ପରି ଯଦିଓ ସଂସାରର ଟିକିନିଖି ସମସ୍ୟା ଉପରେ ତାଙ୍କର ନଜର ଥିଲା ।

 

ପ୍ରଫେସର ଦାସ ସାରାଜୀବନ ସାଧନାରତ ଥିଲେ । ତାଙ୍କର କଥାବାର୍ତ୍ତା, ଚାଲିଚଳନ, ଆଚାର-ବ୍ୟବହାର, ଭାବଭଙ୍ଗୀ ବା କାର୍ଯ୍ୟକଳାପ ସବୁକିଛି ଉଚ୍ଚତମ ସାଧନାର ସୂଚନା ଦେଉଥିଲା-। ପ୍ରତ୍ୟେକଦିନ ଶଯ୍ୟାତ୍ୟାଗଠାରୁ ଶଯ୍ୟାଗ୍ରହଣ ପର୍ଯ୍ୟନ୍ତ ସମୟଗୁଡ଼ିକର ଉପଯୁକ୍ତ ଉପଯୋଗ ସେ ଜଣେ ସାଧକ ପରି କରୁଥିଲେ । ପ୍ରତ୍ୟେକ କଥାବାର୍ତ୍ତା କେତେ ଯଥାର୍ଥ, ସଂଯତ, ମାର୍ଜିତ, ହୃଦୟସ୍ପର୍ଶୀ ଓ ଆନନ୍ଦଦାୟୀ ହେବ ସେଥିପ୍ରତି ସର୍ବଦା ସଚେତନ ଥିଲେ । ଜଣେ ମିଷ୍ଟଭାଷୀ, ସରଳ ବିଶ୍ୱାସୀ, ନିରଭିମାନୀ ଶାନ୍ତ ସ୍ୱଭାବର ବ୍ୟକ୍ତିଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ । କାହାରି ପ୍ରତି ତାଙ୍କର ଅନାଦାର, ଅସୂୟା, ଅଶ୍ରଦ୍ଧା କି ଅବିଶ୍ୱାସ ନ ଥିଲା । ଯେକୌଣସି ପରିଚିତ ବ୍ୟକ୍ତିଙ୍କୁ ସେ କନିଷ୍ଠ ହେଲେ ମଧ୍ୟ ଆଗ ହାତଟେକି ନମସ୍କାର କରିବା ଥିଲା ତାଙ୍କ ବିନମ୍ରତାର ପରିଚାୟକ । ସେ ଥିଲେ ଶୋକାହାରୀ । ସାଧୁସନ୍ଥ ଭଳି ସରଳ ଓ ଗାନ୍ଧୀବାଦୀ ନୀତିନିୟମରେ ପରିଚାଳିତ କର୍ମ ହିଁ ପ୍ରକୃତ ଧର୍ମ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ତାଙ୍କ ଭାଷଣରେ ଭାବପ୍ରବଣତା ପ୍ରାୟତଃ ନ ଥିବାରୁ ତାହା ଶ୍ରୋତାଙ୍କୁ ପ୍ରକୃତ ବାର୍ତ୍ତାଦେବାରେ ସମର୍ଥ ହେଉଥିଲା । ପ୍ରକୃତ ବିଷୟବସ୍ତୁ ପ୍ରତି ଦୃଷ୍ଟି ଦେଇ ଭାଷଣକୁ ଅତି ସତର୍କତାର ସହିତ ଉପସ୍ଥାପନା କରୁଥିବାରୁ ତାହା ଶ୍ରୋତାଙ୍କୁ ମୁଗ୍ଧ କରୁଥିଲା । ଗର୍ବ ତାଙ୍କୁ ସ୍ପର୍ଶ କରୁନଥିଲା । ସେ ଥିଲେ ବିନୟୀ ଓ ଉଦାରବଚନର ପ୍ରତିବଦ୍ଧତା ଥିଲା ତାଙ୍କର ବିଶେଷଗୁଣ । ଥରେ ଯାହାକୁ ପ୍ରତିଶ୍ରୁତି ଦେଉଥିଲେ ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ କୌଣସି ଦିନ ସେ ଶ୍ରେଣୀକୁ ଡେରିରେ ଯାଉନଥିଲେ । କୌଣସି ସଭା ସମିତିକୁ ଯିବାର ଥିଲେ ନିର୍ଦ୍ଦିଷ୍ଟ ସମୟରେ ଅଧଘଣ୍ଟେ ଆଗରୁ ସେ ପ୍ରସ୍ତୁତ ହୋଇ ରହୁଥିଲେ । ସାମାନ୍ୟ ବ୍ୟତିକ୍ରମ ହେଲେ ଭାରି ବିରକ୍ତ ହେଉଥିଲେ । ଅନେକ ସମୟରେ କହୁଥିଲେ, ‘When I say four thirty, I mean four thirty.’ କୌଣସି ଶୁଷ୍କ ବିଷୟକୁ ସେ ଅତ୍ୟନ୍ତ ଚିତାକର୍ଷକ ଢଙ୍ଗରେ ଉପସ୍ଥାପନ କରୁଥିଲେ । ମାନବୀୟ ମୂଲ୍ୟବୋଧ ଓ ଦୁର୍ଲଭ ମଣିଷପଣିଆର ସେ ଥିଲେ ଦେବତୁଲ୍ୟ ବ୍ୟକ୍ତିତ୍ୱ ।

 

ତାଙ୍କର ବ୍ୟକ୍ତିତ୍ୱ ଯୋଗୁଁ ଅନେକ ସମୟରେ ଉଗ୍ର ଛାତ୍ର ଆନ୍ଦୋଳନକାରୀମାନେ ତାଙ୍କ ସାମ୍ନାରେ ନମ୍ର ଓ ଶାନ୍ତ ହୋଇଯାଉଥିଲେ । କୁଳପତି ଥିଲାବେଳେ ନୀତିଗତ କାରଣକୁ ନିଜ ପଦରୁ ଇସ୍ତଫା ଦେଲାବେଳେ ହଜାର ହଜାର ଛାତ୍ର ଆନ୍ଦୋଳନ କରି ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ତାଙ୍କୁ ବାଧ୍ୟ କରିବାର ଦୃଷ୍ଟାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଇତିହାସରେ ଥିବା ବିରଳ । ତାଙ୍କ ମଧ୍ୟସ୍ଥତାରେ କଟକ ଶ୍ରୀରାମଚନ୍ଦ୍ର ମେଡ଼ିକଲ କଲେଜରେ ଭୟାବହ ଛାତ୍ର ଆନ୍ଦୋଳନର ପରିସମାପ୍ତି ଘଟିଥିଲା । ଦଳ ମତ ନିର୍ବିଶେଷରେ କେବଳ ଭୋଗରାଇ ଅଞ୍ଚଳର ଜନପ୍ରତିନିଧି ନୁହଁନ୍ତି ସମଗ୍ର ଉତ୍ତର ବାଲେଶ୍ୱରର ଜନସାଧାରଣଙ୍କର ସେ ଥିଲେ ସାର୍ବଜନୀନ ଗୁରୁ ଓ ନୈତିକ ଚେତନାର ରକ୍ଷକ । ସେ ଥିଲେ ସତ୍ୟ, ନ୍ୟାୟ, ସ୍ୱାଭିମାନ, ନିରହଙ୍କାର ଓ ପବିତ୍ରତାର ପ୍ରତିମୂର୍ତ୍ତି । ଆତ୍ମସ୍ୱାର୍ଥ ଉର୍ଦ୍ଧରେ, ଜାତୀୟ ସ୍ୱାର୍ଥ ପ୍ରତି ତାଙ୍କର ସର୍ବଦା ଧ୍ୟାନ ଥିଲା । ଥରେ ଦୂରଦର୍ଶନ ପର୍ଦ୍ଦାରେ କୋହିନୂର ହୀରାକୁ ବ୍ରିଟିଶ ସରକାରଙ୍କ ପାଖରୁ ପ୍ରତ୍ୟାବର୍ତ୍ତିତ କରିନେଇ ଆସିବା ପାଇଁ ତାଙ୍କର ଯୁକ୍ତି ଦର୍ଶକମାନଙ୍କୁ ଗପ ଶୁଣିଲା ଭଳି ତନ୍ମୟ କରିଦେଇଥିଲା । ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହେବା ପର୍ଯ୍ୟନ୍ତ ନିଜର ଖାଦ୍ୟପତ୍ର ଓ ପୋଷାକ-ପରିଚ୍ଛଦକୁ ସେ ନିଜେ ପରିଷ୍କାର କରୁଥଲେ ଓ କାହାଠାରୁ କୌଣସି ତଥାକଥିତ ଉପହାର ଗ୍ରହଣ କରନଥିଲେ । ଗୋଟିଏ ଷ୍ଟିଲ୍ ବେଲାରେ ଢିଙ୍କିକୁଟା ନାଲି ଚୁଡ଼ା ଉପରେ ପାଣି ଛିଞ୍ଚି ଭିଜାଚୁଡ଼ା ପାଟିରେ ରଖି ଦାନ୍ତରେ ଗୁଡ଼ ଖଣ୍ଡକୁ କାମୁଡ଼ି ଚୋବାଇ ଚୋବାଇ ଖାଉଥିଲେ । ରାଜ୍ୟସଭାକୁ ସଦସ୍ୟ ହୋଇ ଯିବାର ଅବ୍ୟବହିତ ପୂର୍ବରୁ ‘ଦୁର୍ନୀତି ବିରୋଧୀ ମଞ୍ଚ’ ପ୍ରତିଷ୍ଠାକରି ଖୋଲାଖୋଲି ଭାବେ ତତ୍କାଳିନ ପ୍ରଶାସନର ଦୁର୍ନୀତି ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ । ଯେଉଁ କାମକୁ ସେ ହାତକୁ ନେଉଥିଲେ ସେଥିରେ ମୁଣ୍ଡି ନ ମାରି ଛାଡ଼ୁନଥିଲେ । କାମଟିକୁ ଗ୍ରହଣ କରିବା ପୂର୍ବରୁ ବାହାର ବିଭିନ୍ନ ଦିଗ ଓ ପ୍ରଭାବ କଥା ବହୁତ ଭାବୁଥିଲେ, ମାତ୍ର ଥରେ ଗ୍ରହଣ କରିବାର ସିଦ୍ଧାନ୍ତ ନେଲେ ସେଥିରୁ ବିଚ୍ୟୁତ ହେଉନଥିଲେ । ତାଙ୍କ ଭଳି ପଣ୍ଡିତ ଓ ବିଜ୍ଞ ବ୍ୟକ୍ତି ହୃଦୟରେ ଥିଲେ ଖୁବ୍ ନମ୍ର ଓ ସାଧାରଣ । ଫକୀରମୋହନ କଲେଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଅତିଥିଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉଦ୍ୟୋକ୍ତାମାନେ ଯାତାୟତ ସମ୍ବନ୍ଧରେ ତାଙ୍କୁ ପଚାରିବାରୁ ସେ ଅଧ୍ୟାପନା ଆରମ୍ଭ କରିଥିବା ଅନୁଷ୍ଠାନର ସ୍ୱର୍ଣ୍ଣ ଜୟନ୍ତୀରେ କାହାରିକୁ ଖର୍ଚ୍ଚାନ୍ତ ନ କରି ନିଜେ ବସ୍‌ରେ ଆସିବେ ବୋଲି ଜିଦ୍ ଧରିଥିଲେ । ପୁରାତନ ଛାତ୍ର ସଂସଦର ଜଣେ କର୍ମକର୍ତ୍ତା ଷ୍ଟେସନ ଛକକୁ ଯାଇ ଗାଡ଼ିଟିଏ ଧରି ଅପେକ୍ଷା କରିଥିଲା ବେଳେ ସେ କେଉଁ ଏକ ବସ୍‌ରୁ ଓହ୍ଲାଇ ରିକ୍ସାଟିଏ ଧରି କଲେଜରେ ପହଞ୍ଚିଯାଇଥିଲେ ।

 

ତାଙ୍କ ଶ୍ରେଣୀରେ ଥରେ ବସି ବାହାରି ଆସିଲା ବେଳକୁ ଛାତ୍ରମାନେ ଅନୁଭବ କରୁଥିଲେ ସତେ ଯେମିତି ସେମାନେ ଜଣେ ଜଣେ ନେପୋଲିୟନ୍, ହିଟଲର୍, ଆକବର୍, ଚର୍ଚିଲ୍, ବା ମାଓ-ସେ-ତୁଙ୍ଗ । ପିଲାମାନଙ୍କୁ ସେ କହୁଥିଲେ, ‘‘ଯେଉଁମାନେ ରାଜନୀତି କରିବ ପଛରେ ବସ, ଅମଲାତନ୍ତ୍ରୀ ହେବାପାଇଁ ଆଗରେ ବସ । ଆଉ ସମୟ ନାହିଁ, ଯେତେପାର ସେତେ ପଢ଼ିଯାଅ । ବିଭିନ୍ନ ବିଭାଗର ପ୍ରଫେସରମାନଙ୍କୁ ଶୁଣ, ସେମିନାରରେ ଯୋଗଦିଅ ।’’ ଆଡଲ୍‌ଫ ହିଟଲର୍ କେବଳ ଭାଷଣ ଦେଇଦେଇ କିପରି କ୍ଷମତାକୁ ଚାଲିଆସିଲେ, ଏକଛତ୍ରବାଦୀ ଶାସକ ମୁସୋଲିନୀ କିଭଳି ବେଶ ବଦଳାଇ ନିଜର ଜୀବନ ରକ୍ଷା କରୁଥିଲେ ଇତ୍ୟାଦି ପ୍ରତିଟି ପ୍ରସଙ୍ଗକୁ ସେ ଚମତ୍କାର ଶୈଳୀରେ ବୁଝାଉଥିଲେ । ଗୀତାର ଜ୍ଞାନକୁ ଇତିହାସର ଆଖ୍ୟାୟିକା ମାଧ୍ୟମରେ ଛାତ୍ରମାନଙ୍କ ମସ୍ତିଷ୍କ ଓ ହୃଦୟରେ ପ୍ରକାଶ କରେଇବାର ଚମତ୍କାର ଶୈଳୀ ତାଙ୍କୁ ଜଣାଥିବାରୁ ସେ ଥିଲେ ବାସ୍ତବରେ ସଦ୍‌ଗୁରୁ । ଗାମ୍ଭୀର୍ଯ୍ୟ ତାଙ୍କୁ ଛାତ୍ରଠାରୁ ଅପହଞ୍ଚ ଦୂରତାରେ ରଖୁଥିଲାବେଳେ ତାଙ୍କର ଛାତ୍ରବତ୍ସଳତା ପିଲାମାନଙ୍କ ପାଇଁ ଅତୁଟ ଆକର୍ଷଣ ସୃଷ୍ଟି କରୁଥିଲା । ସୂର୍ଯ୍ୟକାନ୍ତ ମଣିର ତୀବ୍ରତା ସହିତ ଚନ୍ଦ୍ରକାନ୍ତର ଶୀତଳତା ତାଙ୍କ ବ୍ୟକ୍ତିତ୍ୱକୁ ତିଳତଣ୍ଡୁଳିତ କରିଥିଲା । ନେପୋଲିୟନଙ୍କ ବାଣୀରୁ ସେ କେବେକେବେ ଦୋହରାଉଥିଲେ, ‘‘ଏ ଷ୍ଟ୍ରଙ୍ଗମ୍ୟାନ୍ ବିକମ୍‌ସ ଷ୍ଟ୍ରଙ୍ଗର ହ୍ୱେନ ହି ରିମେନସ୍ ଏଲୋନ୍ ।’’

 

ସାମାଜିକ କୁସଂସ୍କାର ବିରୋଧରେ ସେ ସର୍ବଦା ସ୍ୱର ଉତ୍ତୋଳନ କରୁଥିଲେ । ସେ ବିବାହ ଉତ୍ସବରେ ଉପଢୌକନ ପ୍ରଦାନ ଓ ବହୁ ଆଡ଼ମ୍ବରରେ ଭୋଜି ଭାତର ବ୍ୟବସ୍ଥାକୁ ପସନ୍ଦ କରୁନଥିଲେ । ଏପରିକି ସେ ନିଜ ପୁଅ, ଝିଅ ବାହାଘର ବେଳେ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରିଥିଲେ, ‘‘ଉପଢୌକନ ନ ଆଣିବାକୁ ବିନମ୍ର ଅନୁରୋଧ ।’’ ବରଂ କେବଳ ସେମାନଙ୍କ ସୁଖୀ ଜୀବ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ସେ ଥିଲେ ଖୁବ୍ ସଙ୍ଗୀତ ପ୍ରେମୀ । ଶାସ୍ତ୍ରୀୟ ସଙ୍ଗୀତ ଉପରେ ତାଙ୍କର ଅଗାଧ ଜ୍ଞାନ ଥିଲା । ଲେଖାଲେଖି କରି କ୍ଲାନ୍ତ ହୋଇପଡ଼ିଲେ ଭାଣିଜୀ ରଞ୍ଜନାଙ୍କୁ ଡାକି ବିଭିନ୍ନ ରାଗର ଆଳାପ ଶୁଣୁଥିଲେ । କେଉଁ ସମୟରେ କେଉଁ ରାଗ ପରିବେଷଣ କରାଯାଏ, ତାହା ମଧ୍ୟ ତାଙ୍କୁ ଜଣାଥିଲା । କୌଣସି ଗୀତ ଲେଖି ତାଙ୍କ ପାଖକୁ କେହି ନେଇଗଲେ ସେ ଖୁସୀରେ ତାହା ସଜାଡ଼ି ଦେଉଥିଲେ । ଶାସ୍ତ୍ରୀୟ ସଙ୍ଗୀତ ବ୍ୟତୀତ ସବୁ ପ୍ରକାର ସଙ୍ଗୀତ ଭିତରେ ନିମଜ୍ଜିତ ହୋଇଯାଉଥିଲେ । ଜନ୍ମସ୍ଥାନ ଶଙ୍ଖାରିକୁ ଗଲେ ହାର୍‌ମୋନିୟମ୍ ମଗାଇ ସଙ୍ଗୀତ ଅବସରର ହଠାତ୍ ଆୟୋଜନ କରୁଥିଲେ । ନିରୋଳା ମୁହୂର୍ତ୍ତରେ ଛାତ୍ର ଓ ଆତ୍ମୀୟମାନଙ୍କୁ ବୁଝାଉଥିଲେ, ‘‘ଏ ସାରା ବିଶ୍ୱ ଏକ ବିଦ୍ୟାଳୟ । ଏ ପୃଥିବୀଟା ଏକ ବିରାଟ ଖାତା, ଯାହାର ପ୍ରତ୍ୟେକ ପୃଷ୍ଠାରେ ବହୁତ କିଛି ଶିଖିବାକୁ ଅଛି । ଆକାଶଠାରୁ ଉଦାରତା, ପାହାଡ଼ଠାରୁ ମହାନତା, ପୃଥିବୀ ପାଖରୁ ସହିଷ୍ଣୁତା ଓ ନିଜ ତେଜରେ ଉଜ୍ଜ୍ୱଳ ହେବା ସୂର୍ଯ୍ୟ ପାଖରୁ ଶିଖିବ । ଚନ୍ଦ୍ର ପରି ମଧୁର ଓ ନମ୍ର ହେବ । ସାଗର ପରି ହୃଦୟକୁ ଗଭୀର କରି ଦୟା, ଦାନ ଓ ଧର୍ମ ପରି ସହସ୍ର ମୁକ୍ତା ସଞ୍ଚୟ କରି ରଖିବ ।’’ ପୁଣି ସେ କହୁଥିଲେ, ନେବାଠାରୁ ଦେବାରେ ବେଶି ଆନନ୍ଦ, ସୁଖଠାରୁ ଦୁଃଖ ବଡ଼ ଏବଂ ଭୋଗଠାରୁ ତ୍ୟାଗ ବଡ଼ । ଏଥିରୁ ତାଙ୍କ ଚିନ୍ତା ଓ ଚେତନାର ବ୍ୟାପକତା ବାରିହୋଇ ପଡ଼େ ।

 

ଇୟୁରୋପ ଇତିହାସ ହେଉ ବା ଆଧ୍ୟାତ୍ମିକ ବିଶ୍ୱ ଇତିହାସ କିମ୍ବା ଇଣ୍ଟରନ୍ୟାସନାଲ ରିଲେସନ ଅବା ପଲିଟିକାଲ ଥଟ୍ - ପ୍ରତ୍ୟେକଟି ବିଷୟରେ ତାଙ୍କ ଅଧ୍ୟାପନା ଶୈଳୀ ଥିଲା ଅନନ୍ୟ ଓ ଅସାଧାରଣ । ସେ କହୁଥିଲେ, ‘‘Knowledge is King, Teaching is Queen; put them together and you get a Kingdom.’ ତାଙ୍କର ବିଦ୍‌ବତ୍ତା ଯୋଗୁଁ ବରିଷ୍ଠ ଐତିହାସିକ ଏ.ଏଲ୍. ବାସାମ୍ ଏବଂ ନୁରୁଲ୍ ହାସାନ୍ ପୁଣି ଇ.ଏନ୍ କୋମାରୋଉ, ଏବି.ଏମ୍. ହବିବୁଲ୍ଲା, ପି.ଏନ୍ ଚୋପ୍ରା ପ୍ରମୁଖ ବନ୍ଧୁ ଏବଂ ତତ୍କାଳୀନ ଉଦୀୟମାନ ଗବେଷକ ସତୀଶ ଚନ୍ଦ୍ର, ବିପିନ୍ ଚନ୍ଦ୍ର, ଏନ୍.ଏସ୍ ବୋଷ୍, ଏଚ୍.କୁଲକେ ଓ ବରୁଣ ଦେ ପ୍ରମୁଖ ତାଙ୍କୁ ମାନ୍ୟତା ପ୍ରଦାନ କରୁଥିଲେ । ଜଣେ ନୀତିନିଷ୍ଠ ବ୍ୟକ୍ତି ହେଲେ ମଧ୍ୟ ବେଞ୍ଜାମିନ୍ ଫ୍ରାଙ୍କଲିନଙ୍କ ଭଳି ତାଙ୍କର ଶତ୍ରୁମାନଙ୍କୁ ମଧ୍ୟ ସେ ଶ୍ରଦ୍ଧା କରୁଥିଲେ । ବାସ୍ତବରେ ଭାରତୀୟ ଜନତାଙ୍କ ତରଫରୁ ସେ ଥିଲେ ବିଶ୍ୱ ରାଷ୍ଟ୍ରଦୂତ । ଶାନ୍ତି ଓ ଗଣତନ୍ତ୍ରର ପୂଜାରୀଭାବେ ନେଲସନ୍ ମଣ୍ଡେଲାଙ୍କର କାର୍ଯ୍ୟଧାରାକୁ ସେ ପ୍ରଶଂସା କରୁଥିଲେ । କାହାରି ଦୁଃଖ ଦେଖିଲେ ତାଙ୍କ ଆଖି ଲୁହରେ ଛଳଛଳ ହୋଇଯାଉଥିଲା । ଯାହାକୁ ସେ ସାହାଯ୍ୟ କରୁଥିଲେ ସେକଥା ଅନ୍ୟ କାହାରିକୁ ସେ ଜାଣିବାକୁ ଦେଉନଥିଲେ । ଦୟା, କ୍ଷମା, ତ୍ୟାଗ, ନିଷ୍ଠା, ପ୍ରେମ, ସହାନୁଭୂତି ସର୍ବୋପରି ମଣିଷପଣିଆ ସେ ନିଆରା ଉଦାହରଣ ଭାବେ ଗ୍ରହଣ ଥିଲେ । ବୁଦ୍ଧ, ଗାନ୍ଧୀ ଓ ଶ୍ରୀ ସତ୍ୟସାଇ ବାବାଙ୍କୁ ସେ ନିଜ ଜୀବନାଦର୍ଶ ଭାବେ ଗ୍ରହଣ କରିଥିଲେ । ସେ ଥିଲେ ଏକାଧାରରେ ଜଣେ ଚିନ୍ତାନାୟକ ଓ ଦାର୍ଶନିକ । ତାଙ୍କ ଜୀବନରେ ଏତେଗୁଡ଼ିଏ ଭଲଗୁଣର ଏକତ୍ର ସମନ୍ୱୟ ଘଟିଥିଲା ଯେ ତାଙ୍କର ଦୃଷ୍ଟାନ୍ତ ଆଜିକାର ସମୟରେ ପ୍ରାୟତଃ ବିରଳ କହିଲେ ଚଳେ । ସେ ଜୀବନ-ପୁସ୍ତକକୁ ଖୁବ୍ ପ୍ରାଞ୍ଜଳଭାବେ ପଢ଼ିଥିଲେ ଓ ବୁଝିଥିଲେ ବି ବେଶ୍ ଭଲଭାବେ ।

 

ସର୍ବୋପରି ଇତିହାସ ଭଳି ଏକ ତଥାକଥିତ ‘ନିରସ’ ବିଷୟକୁ ‘ସରସ’ କରାଇବା ସହ ତାକୁ ସେ ବିଗତ ସମୟର ଗୁମ୍ଫାରେ ପ୍ରତିଧ୍ୱନି ତୋଳିବାକୁ ଛାଡ଼ି ଦେଇ ନ ଥିଲେ । ଅତୀତକୁ ବର୍ତ୍ତମାନର ସୁଦୂର କମ୍ପନ ହିସାବରେ ଚିତ୍ରିତ କରିବା ସହ ଇତିହାସର ବର୍ତ୍ତମାନ ରୂପରେଖ ଯୁକ୍ତିନିଷ୍ଠ ମାର୍ଗରେ ଉପସ୍ଥାପନ କରିବାରେ ତାଙ୍କର ସିଦ୍ଧହସ୍ତତା ହେତୁ ସେ ଚିରସ୍ମରଣୀୟ ହୋଇ ରହିବେ ।

 

***